Unknown

 

 

 

 

 

 

 

 

 

 

 

ପରକୀୟା

ଶ୍ରୀ କାହ୍ନୁଚରଣ ମହାନ୍ତି

 

(୧)

 

ଅରିଲୋ । ଗାଁମୁଣ୍ଡ ମେଲଣ ପଡ଼ିଆରେ ହାଟ ବସେ । ଆଜି ହାଟପାଳି–ରବିବାର । ପଡ଼ିଆ ସେପାଖେ ପଶ୍ଚିମପଟେ ପଦ୍ମପୋଖରୀ । ଭାରି ବଡ଼, ଅତି ପୁରୁଣା । ସେ ପାଖକୁ ଗାଁ ଆଡ଼କୁ ବୁଦିବୁଦିକିଆ ବଣ, ଆମ୍ବ ବଗିଚା, କିଆବୁଦା ଗହଳି । ଏ ପାଖ ପଡ଼ିଆରେ ଓହଳଝୁଲା ଗଜା ବରଗଛଟିଏ । ତା’ରି ତଳେ ପାଣି ତୁଠକୁ ବାଟ । ଅରମା କୋଇଲିଖିଆ କଣ୍ଟା, ବିଲାତିଦଳ, ଭଙ୍ଗା ହାଣ୍ଡି, ଦାନ୍ତକାଠି, କେତେକଅଣ ।

 

ଖରା ଲୁଚିଲା, ବେଳ ବୁଡ଼ି ନାହିଁ । ବରଗଛମୂଳ ଛାଇରେ କାନିପାତି ବସି ଶଶୀ ସାରା ଦିପହରଟା କଟାଇ ଦେଲା । ପାଖରେ ତା’ର ଗେହ୍ଲା କୁକୁର ବୁଲା ବସିଛି । ହେ ବାବୁ, ହେ ବାବୁ-! ଯିଏ ଯାଏଁ ନେହୁରା ହୋଇ ହାତ ପତାଇ ମାଗେ । ଖରା ଦିନ, ଧର୍ମ ହେବ, ହେ ବାବୁ–କିଏ ଦେଲେ ଦେଲା, ନୋହିଲେ ନାହିଁ । ତା’ରି ପରି ତ ଆହୁରି କେତେ ଜଣ କାନି ପାତି ବସିଛନ୍ତି-। ଆହା ବୁଢ଼ାଟିଏ ! ଷାଠିଏବର୍ଷର ବୁଢ଼ା, ଗୋଡ଼ ହାତରେ ଅଖା ବନ୍ଧା ହୋଇଛି । ଗୋଡ଼ ଅଚଳ ଅବସ୍ଥା । ସେ ପାଖରେ ସେ ପିଲାଟି । ଦଶ ବାରବର୍ଷର ହେବ । ଜନ୍ମାନ୍ଧ ପରା ! ପଇସାଟିଏ ଅଧଲାଟିଏ ପାଇଁ କେତେ ବିକଳ ହୋଇ ମାଗୁଛି । କେହି ଶୁଣୁ ନାହାନ୍ତି ।

 

ହାଟ ଭାଙ୍ଗିଲା । ଲୋକେ ଯିଏ ଯୁଆଡ଼େ ଗଲେ । କୋଳାହଳ ଥମିଲା । ବେଳ ବୁଡ଼ିଲା-। ତଥାପି ଆଶାମୁଖରେ ଭିକାରିଗୁଡ଼ିକ ବସି ରହିଲେ–କାଳେ ଆଉ କିଏ ଆସିବ, ଅଧଲାଏ ପଇସାଏ ଦେବ । ବ୍ୟସ୍ତ ହୋଇ ବୁଢ଼ା ଉଠିଲା । ଗୁରୁଣ୍ଡି ଗୁରୁଣ୍ଡି ଖଣ୍ଡେଦୂର ଯାଇ ଏପାଖ ସେପାଖ ଚାହିଁଲା । ଉଠି ଠିଆ ହେଲା । ବାଡ଼ି ଖଣ୍ଡେ କାନ୍ଧରେ ପକେଇ ଭଲ ମଣିଷ ପରି ଗହୀର ଆଡ଼େ ଚାଲିଗଲା । ଶଶୀ କାବା ହୋଇ ସିଆଡ଼କୁ ଚାହିଁ ରହିଥାଏ । ଲୋକଟି ଦୂରରେ ଅଦୃଶ୍ୟ ହେଲା-। ଶଶୀ ବିସ୍ମିତ–ଆଖି ଫେରାଇଲା ଆହୁରି ବିସ୍ମିତ ହେବାକୁ । ଯେଉଁ ପିଲାଟିକୁ ସେ ଅନ୍ଧ ମଣିଥିଲା ସେ ଆନନ୍ଦରେ ପଇସା ଗଣି ବାଟେ ବାଟେ ଚାଲିଛି ।

 

ହସିଲା । ଧନ୍ୟରେ ମଣିଷ ! ପେଟପାଇଁ କେତେ ନାଟ କରିପାରେ । ନିଆଶ୍ରା ବୁଢ଼ାଟି ରୁଗ୍‍ଣ ଅକ୍ଷମ ବୋଲି ଦୁନିଆକୁ ଚିହ୍ନା ନ ଦେଲେ ଲୋକଙ୍କର ଦୟା ହେବ ନାହିଁ, ପେଟ ଅପୋଷା ରହିବ । ନିଜକୁ ଅନ୍ଧ ବୋଲି ନ ଦେଖାଇଲେ ନିଆଶ୍ରା ପିଲାଟିକୁ କେହି ଆଉ ଆଡ଼ଆଖିରେ ଚାହିଁବେ ନାହିଁ ।

 

ବୁଲା, ଏଥର ଯିବା ଚାଲ, ସଞ୍ଜ ବୁଡ଼ି ଆସିଲା । ଶଶୀ ଗାଁ ଭିତରକୁ ପଶିଲା । ମନ ଭିତରେ କେତେ ଚିନ୍ତା ଖେଳି ଯାଉଥାଏ । ଯେଉଁ ଉଦ୍ଦେଶ୍ୟରେ କଟକ ନ ଯାଇ ତା’ର ପ୍ରାଣର ଟୁନୁକୁ ଭୁଲି ସେ ଅରିଲୋ ଧାଇଁ ଆସିଥିଲା, ସେ ଉଦ୍ଦେଶ୍ୟ ସଫଳ ହୋଇ ପାରିଲା ନାହିଁ । ଏତେ ବଡ଼ ନାଁ ଡାକ ହାଟ, କେତେ ରାଇଜର କେତେ ଲୋକ ଅଇଲେ ଗଲେ; କିନ୍ତୁ ଯାହାଙ୍କୁ ଉଦ୍‌ବିଗ୍ନ ହୋଇ ଚାହିଁ ରହିଥିଲା ତାଙ୍କର ଦେଖାଦର୍ଶନ ନାହିଁ । ତାଙ୍କ ସମ୍ବନ୍ଧରେ କାହାକୁ କିଛି ପଚାରି ବୁଝିବାର ସୁବିଧା ନାହିଁ ।

 

ହାଟ ପଡ଼ିଆ ପାରି ହୋଇ ଗାଁ ଦାଣ୍ଡକୁ ଆସିଲା । ପଛରେ ଭୂଇଁ ଶୁଙ୍ଘି ବୁଲାଟି ଚାଲିଥାଏ । କାହାକୁ ପଚାରିଲେ ଠିକଣା କଥାର ଅନ୍ତ ପାଇବ, ଏଇକଥା ଭାବି ଭାବି ଚାଲିଛି । ଦୁଇପାଖରେ ଉଚ୍ଚ ପିଣ୍ଡା, ଘର ଦି’ଧାଡ଼ି ଅତିକ୍ରମ କରି ଦାଣ୍ଡ ମଝିକି ଆସିଲା । ନଙ୍ଗଳା ପିଲାଟିଏ ଦୁଇହାତ ଚକ୍ର ପରି ବୁଲାଇ ଧାଇଁ ଧାଇଁ ଯାଉଛି । ବୁଲାକୁ ଦେଖି ହଠାତ୍ ଅଟକି ଗଲା । ସନ୍ଦେହରେ କୁକୁରଟାର ଆଖି ନିଆଁପରି ଜଳିଲା । ଆଖିକୁ ଚାହିଁ ସେ ଡରରେ ପିଣ୍ଡାକରକୁ ଆଉଜି ଗଲା ।

 

ଶଶୀ ସୁବିଧା ପାଇଲ କହି, ଭାରି ଭଲ କୁକୁର । କାହାକୁ କିଛି କରେ ନାହିଁ । ଯା ବାବା, ଧୀରେ ଧୀରେ ଚାଲିଯା । ପିଲାଟିର କାନ ଯେପରି ସେ କଥାରେ ନାହିଁ । ସେ ଅନ୍ୟ କଥା ଭାବୁଛି-। ଏଣିକି ତେଣିକି ଚାହୁଁଛି । ଶଶୀ ତା’ର ମନକଥା ବୁଝିଲାପରି କହିଲା, ତାକୁ ଟେକା ପଥର ପକାଇଲେ ସେ ଝୁଣି ଦେବ ବାବା, ଥିରି ଚାଲିଯା ।

 

ପିଲାଟି କଥା ମାନି ଧୀରେ ଧୀରେ ଚାଲି ଯାଉଥିଲା, ଶଶୀ ପଚାରିଲା, ଘନବାବୁଙ୍କ ଘର କିଏ ବାପ ?

 

ପିଲାଟି କହିଲା, ଆଗରେ, ଚୂନ ଚଉରା ସେ ପାଖେ, ବାଁ ହାତି ବୃନ୍ଦାବନବାବୁଙ୍କ ଘର । ସେ କ’ଣ, ପଛରେ । ଦାଣ୍ଡରେ ସଜନା ଗଛ–ଏଇ ଯେଉଁଠି ବାଛୁରୀ ଶୋଇଛି । ସେ ଧୀରେ ଧୀରେ ଚାଲିଗଲା ।

 

ଦାଣ୍ଡ ଆଗରେ ଅନେକ ବେଳଯାଏ ଅପେକ୍ଷା କଲା । ଡାକ ଛାଡ଼ିଲା, ଭିକ ଗଣ୍ଡିଏ ଦିଅଗୋ ମା’–କେତେ ଡାକିଲା । ଲୋକେ ଘରେ କାରବାର ହେଉଛନ୍ତି । ଯା–ଆସ କରୁଛନ୍ତି । କେହି ତା’ ଡାକରେ କାନ ଦେଉ ନାହିଁ କି ଆଡ଼ଆଖିରେ ଫେରି ଚାହୁଁ ନାହିଁ । ସେ ଚଉତରା ତଳେ ବସି ରହିଲା । କୁକୁରଟା ଏ ପାଖ ସେପାଖ ହେଉଥାଏ । ବିଳିବିଳେଇଲା ପରି ଶଶୀ ବେଳେବେଳେ ଡାକ ଛାଡ଼ୁଥାଏ, ମା’, ଭିକ ଦିଅଗୋ–

 

ବୁଢ଼ୀଟିଏ ଆସିଲା ନଇଁ ନଇଁ, ଘର ଆଗରେ ସଳଖି ଠିଆ ହୋଇ ଡାକଛାଡ଼ିଲା, ଘନ ଅଛୁକିରେ ? କେହି ଜବାବ ଦେଲେ ନାହିଁ । କେତେବେଳକେ ହସି ହସି ପିଲା ଦିଓଟି ଦାଣ୍ଡକୁ ଆସିଲେ । ବୁଢ଼ୀ ପଚାରିଲା, ଘନ ଅଛି ?

 

ପାଞ୍ଚ ବରଷର ସାନ ପିଲା–ଶଙ୍କିଗଲା । ବଲବଲ କରି ତା’ ମୁହଁକୁ ଚାହିଁଲା । ଆଠ ବରଷର ବଡ଼ ପିଲାଟି, ହାତରେ ଟୁଙ୍ଗେଇ ମୂଷାର ଲାଙ୍ଗୁଳ ଧରି ତଳକୁ ଓହଳାଇଛି । ମୂଷା ପିଲାଟି ଜୀବନ ବିକଳରେ ମୁହଁ ଏପାଖସେପାଖ କରୁଛି । ଥମିଯାଇ ପିଲାଟି ପଚାରିଲା, କ’ଣ କିଲୋ ରାଣୀ ? ଦାଦାକୁ କାହିଁକି ଖୋଜୁଛୁ ?

 

କାମଥିଲା ବାବା, ଡାକିଦେବ ତ !

 

କି କାମ ? ଦାଦା ସକାଳୁ କୁଆଡ଼େ ଯାଇଛି ଯେ ମା’ ଚିଡ଼ୁଛି ।

 

କିଏ କିରେ ଗଜି ? ପାକଲା ଆମ୍ବପରି ଦେହ, ବୁଢ଼ୀ ପଦାକୁ ଆସି ବିରକ୍ତ ହୋଇ କହିଲେ, କିଲୋ, ଘନିଆ ସାଙ୍ଗରେ ତୋର ଏତେ କ’ଣ କାମ ଥାଏ ? ସବୁଦିନେ ସବୁବେଳେ ଚୁପ୍‍ଚୁପ୍ ଫୁସ୍‍ଫୁସ୍ । ଛତରଖାଇ, ପିଲାଟାକୁ ଶିଖେଇ ମଣେଇ ମୋ ଘରୁ ସବୁ ନେଲା । ବନମାଳୀ ଚଦିଛି ରହ–ସେ ଆସୁ । ଥରେ ଯଦି ହାବୁଡ଼େ ପଡ଼ନ୍ତୁ, ତୋ ହାତ ଗୋଡ଼ ଭାଙ୍ଗି ଚୂନା କରନ୍ତା । କେମିତି ସିଆଣିଆ ତୁ ମୁଁ ଥରେ ଦେଖନ୍ତି । ଟିକିଏ ରହି କହିଲେ, ଗଜି ଟୁକୁ ତମେ ଭିତରକୁ ଯାଅରେ, ମାଈସଞ୍ଜ ମାଡ଼ି ଆସୁଛି, ପଦାକୁ ଆସନା ।

 

ମା’, ଭିକ ମୁଠେ ଦିଅଗୋ–

 

ତମେ ସବୁଦିନେ ମୋ ଉପରେ ରଗରଗ କାହିଁକି ହୁଅ ବା ! ତୁମ ପୁଅଟା କ’ଣ ଏମିତି ଗୁଆଁର ଯେ ମୋରି ଶିଖାମଣାରେ ଆତଯାତ ହୁଏ ! ତମ ଦୁଆରକୁ ମୁଁ ଆସନ୍ତି କାହିଁକି ? ଘନ କହିଥିଲା–

 

ବେଳ ନଥିଲା, ଅଇଲା ସଞ୍ଜକୁ ! ଯା, ଏତେବେଳେ ଭିକ ଦେଲେ ଲକ୍ଷ୍ମୀ ଛାଡ଼ି ପଳାନ୍ତି ।

 

ହଁ, ତତେ ଘନ କ’ଣ କହିଥିଲା ? ତୁ ତା’ର ସାଙ୍ଗ ସରିସା କି ନା ! ପିଲାଟା ବିଗିଡ଼ି ଗଲା । ଭେଣ୍ଡା ପୁଅ, କିଏ କହିବଲୋ ମା’–

 

ସାଆନ୍ତାଣୀ, ଗଣ୍ଡାଏ କ’ଣ ଖାଇବାକୁ ଦିଅ ।

 

କିଛି ନାହିଁଲୋ । ଯା ଆଉ କୋଉଠି ଦେଖ୍ ।

 

ବୃନ୍ଦାବନର ସ୍ତ୍ରୀଟା, ଦିଦିନ ହେଲା ପେଟ କାମୁଡ଼ୁଛି ଯେ ଭାରି କଷ୍ଟ ପାଉଛି । ଯେଉଁ ବିକଳ ହେଉଛି, ଦେଖିଲେ ଲୁହ ଠାକିବନି । ଖବର ପଠେଇଛି, କହିବାକୁ ଆସିଥିଲି ।

 

କାହିଁକି, ତାଙ୍କ ଘରେ ଆଉ କେହି ନାହିଁକି ? ଲୋକେ ଦେଖି ନ ପାରି ବାରକଥା କହୁଛନ୍ତି ପିଲାଟା ନାଁରେ । ପୁଅ ମୋର ହଲିଲା ପାଣିକି ହାତ ବଢ଼ାଏ ନାହିଁ । ବାପ ନାହିଁ ବୋଲି ହାତକୁ ଦିହାତ ହୋଇ ପାରୁନାହିଁ । ବନମାଳୀବି ତ ପିଲା । ଘର ଧନ୍ଦାରେ ଦିନରାତି ଅଣ୍ଟୁନାହିଁ । କିଏ ତା’ ବାହାଘର କଥା ବୁଝିବ ? ଲୋକେ ଦେଖି ନ ପାରି ବାରକଥା କହନ୍ତି, କହନ୍ତୁ !

 

ଆହା, ଘନପରି ପିଲା ଅରିଲୋ ଗାଁରେ ନାହିଁ । ଚୋର ଯିଏ ସେ ସିନା ଡରେଗୋ, ସାଧୁଲୋକଙ୍କୁ କି ଡର ! ଲୋକେ କହନ୍ତି, ଘନ ଶୁଣେ, ରାଗେ ନାହିଁ, ହସେ । ବୃନ୍ଦାବନର ଭାରିଯା ଭାଇପରି ଭଲପାଏ । ହେଇଟି ପେଟକୁ ମାରୁଛି, ଦିଦିନ ହେଲା ଗଡ଼ୁଛି । ବାନ୍ତି ଉଚ୍ଛାଳ । ଖିଆପିଆ ନାହିଁ । ଶାଶୁ ବୁଢ଼ୀ କାବା ହୋଇ ଠାକରେ ବସିଛି । ନଣନ୍ଦ ସାବୀ ଏପାଖ ସେପାଖ ହେଉଛି । ପିଲା ନଅ ବରଷର, କ’ଣ କରିବ ? ଚାକରବାକର ବଇଦଠୁ ଯେତେ ଓଷଦ ଆଣି ଦେଲେ କାଟୁ କରୁ ନାହିଁ ।

 

ଘନ ମୋର ବଇଦ ନୁହେଁ ତ ! ସକାଳ ପହରୁ କୁଆଡ଼େ ଯାଇଛି, ଏ ଯେଉଁ ଖରା !

 

ସାବୀ କହିଲା, ହେ ରାଣୀ, ଘନଭାଇକି ଡାକିଦେଇ ଯିବୁ । ଯାଉଥିଲି ଏ ବାଟେ, କହିଲି, ଡାକିଦେଇ ଯାଏଁ । ପଦେ ଡାକିଦେଇ ଗଲେ ପଇସା ଖରଚ ହେବ ନାହିଁ କି ମୋ ତୁଣ୍ଡ ଛିଡ଼ି ପଡ଼ିବ ନାହିଁ । ଯାଉଛି–

 

ପଦି ଆସିଥିଲା, କହୁଥିଲା, ବୃନ୍ଦାବନ ଭାରିଯାଟା ଛଟା ଗାଳୁଛି । ପଚାରିଲି, କାହିଁକି ? ସେ ହସିଲା ! କହିଲା, ସାଆନ୍ତାଣୀ, ନଡ଼ିଆର କେଉଁ ଶିରରେ ପାଣି ପଶେ କିଏ ଜାଣେ ! ହୋଇଥିବଲୋ ମା’ କ’ଣ ! ସେକାଳ ଲୋକ ଆମେ, ଏତେ ଛନ୍ଦକପଟ ତର୍କତାର୍କ ଭିତରେ ପଶି ପାରୁ ନାହୁଁ ।

 

ରାଣୀ ଉତ୍ତର ନ ଦେଇ ଫେରିଲା ।

 

ଶଶୀ କହିଲା, ମା’, ଗଣ୍ଡାଏ କ’ଣ ଖାଇବାକୁ ଦିଅ, ହଂସା ଉଡ଼ି ଯାଉଛି ।

 

ନାହିଁ ନକରି ବୁଢ଼ୀ ଘର ଭିତରକୁ ଗଲେ ।

 

ସଞ୍ଜ ହେଲା । କଇଁଫୁଲିଆ ଜହ୍ନ ଆଲୁଅରେ ଅରିଲୋ ଗାଁର ଘର ମଥାନ ପଛଆଡ଼ ହାଲୋଳ ଦିଶିଲା । ଶଶୀ ସେଇଠି ବସି ଏଣୁତେଣୁ ଭାବୁଥାଏ–

 

ନର ମାୟା ନାରାୟଣଙ୍କୁ ଆଗୋଚର । ବାହାର ଦେଖି ଭିତର କଥା ବୁଝିବାର ସାହସ କାହାର ଅଛି ? ବାହାରଟା ଯେମିତି ଜଳଜଳ ହୋଇ ଆଖିକି ଦିଶେ ଯଦି ମଣିଷର ଭିତରଟାବି ସେମିତି ଦେଖା ଯାଉଥାନ୍ତା ତେବେ ଆଉ ଭୟ ଭାବନା କ’ଣ ଥିଲା ? ଭଲରେ ବାଟ ଚାଲୁଚାଲୁ ଲୋକ ଖାଲରେ ପଡ଼ି ଛଟପଟ ହୁଅନ୍ତା କାହିଁକି ? ଆମ୍ବ ବୋଲି ଆମ୍ବଡ଼ା ଚାଖି ମୁହଁ ଆମ୍ବିଳା କରନ୍ତା କାହିଁକି ? ଲୋକ ଠାକୁର ବୋଲି ଗଛ ପଥରବି ପୂଜା କରେ, ଖାଲି ଏଇ ଅଦେଖା ଅଜଣା ଅନାଗତ ଭୟପାଇଁ । ସେତକ ନଥିଲେ ମଣିଷ ମଣିଷ ହୋଇ ରହନ୍ତା ନାହିଁ । ଚନ୍ଦ୍ର ସୂର୍ଯ୍ୟ ମାନନ୍ତା ନାହିଁ ।

 

ବୃନ୍ଦାବନର ସ୍ତ୍ରୀ ! ଦିଦିନ ହେଲା ପେଟ କାମୁଡ଼ୁଛି, ଭାରି କଲବଲ । ତଥାପି ପଦି ହସେ, ଅବିଶ୍ୱାସ କରେ, କହେ ଛଟା ଗାଳୁଛି । ବୃନ୍ଦାବନର ସ୍ତ୍ରୀ, ତା’ କଥା ସେ ନିଜେ ଜାଣେ । ପଦି କାହୁଁ ବୁଝିବ ? ଘନ ଯାଇ ଓଷଦ ବରାଦ କରିବ କିନ୍ତୁ ଘନର ଦେଖା ନାହିଁ । ରହସ୍ୟଟା ଅନୁମାନ କରିହୁଏ, ଭଲ କରି ବୁଝିବାର ଉପାୟ ନାହିଁ । ଘନ ହୁଏତ ଫାଙ୍କିମାରି ଚାଲି ଯାଇଛି । ସେ ଯାହା ଜାଣେ ହୁଏତ ସଂସାର ତାହା ଜାଣେ ନାହିଁ । ଘନ ମଉନମୁହାଁ । ମଣିଷକୁ ଚିହ୍ନିବ କିଏ ?

 

ଶଶୀର ମନେପଡ଼ିଲା–କଟକ ଷ୍ଟେସନ୍‍ର ସେହି ଲୋକଟା ! ରାକ୍ଷସ ପରି ମଣିଥିଲା । ଭାବିଥିଲା ଗୋଟାଏ କିଛି କାଣ୍ଡ ହେବ । ଗର୍ଜିଲା ମେଘ ଚାରିଆଡ଼ ଅନ୍ଧାର କରି ଘୋଟି ଆସିଲା । ଆଖି ଆଗରେ ବିଜୁଳି ତୋଫାନ । ହତାଶ ହୋଇ ଭୟରେ ଥରୁଥିଲା । ନିରାଶ୍ରୟ । କ୍ଷଣକରେ ସବୁ ଉଭେଇଗଲା ।

ଯାହାକୁ ରାକ୍ଷସ ଭାବିଥିଲା ଶଶୀ, ଟିକଟ ନଥିଲା ବୋଲି ଯିଏ ତାକୁ ଧରି ନେଇ ନିଜଘରେ ବନ୍ଦ କରି ରଖିଥିଲା, ସେ ରାକ୍ଷସ ନୁହେଁ, ମଣିଷ । କେଡ଼େ ଅନିଚ୍ଛାରେ କେଡ଼େ ଭଦ୍ରଭାବରେ ତାକୁ ସେ ବିଦାୟ ଦେଇଥିଲା, ଯେମିତି ସେ ଶୁଣିଲା ଶଶୀ ବାହାହେଲା ମାଇପି, ପୁଅ ଗେରସ୍ତ ଅଛନ୍ତି ବାଟ ଭୁଲି କଟକ ଆସିଚି । ସେଇଠୁ ରାସ୍ତା ଉପରକୁ ଆସିଲା । ଲାଗିଲା ମଟର ଧକ୍କା, ଅପ୍ରତ୍ୟାଶିତ । ହତଜ୍ଞାନ ।

କେତେ ଦିନ ପରେ, ଶଶୀ ଜାଣେ ନାହିଁ, ତା’ର ଜ୍ଞାନ ହେଲା । ଆଖି ମେଲି ଚାହିଁଲା । ବଡ଼ କୋଠାଘର । ବଡ଼ କୋଠରୀ । କାନ୍ଥରେ କେତେ ପ୍ରକାର ଛବି । ଘର ଭିତରେ ଟେବୁଲ ଚଉକି ଆଲମାରି । ଟେବୁଲ ଉପରେ ଗିଲାସ, ବୋତଲ ଆଉ କେତେକଅଣ । ଶୋଇଛି ସେ ଗୋଟିଏ ପଲଙ୍କ ଉପରେ । ଦୁଇ କଣରେ ଦୁଇଜଣ ସ୍ତ୍ରୀଲୋକ । ବୁଝି ପାରିଲା ନାହିଁ ସେ କେଉଁଠି-। ଉଠି ବସି ପାରିଲା ନାହିଁ । ହାତଗୋଡ଼ ବନ୍ଧା । ମୁଣ୍ଡରେ ପଟି । କାହାକୁ କିଛି ପଚାରିଲା ନାହିଁ-। ଆଖି ବୁଜିଲା । ଜାଣେନା କ’ଣ ହେଲା ତା’ପରେ ।

ଆଖି ଖୋଲିଲା ପୁଣି । ରାତି । ବିଜୁଳି ଆଲୁଅରେ କୋଠରୀଟି ଉଜ୍ଜ୍ୱଳ । ପାଖରେ ଠିଆ ହୋଇଛନ୍ତି ଜଣେ ବାବୁ । ଦେବତା ପରି ରୂପ । ପିଠି ଉପରେ ହାତ ଚାପଡ଼ି କଅଁଳେଇ କହିଲେ, ଶୁଅ, ଶୁଅ । ଯାଦୁକରର ମନ୍ତ୍ର ଶୁଣିଲାପରି ସେ ଆଖି ବୁଜିଥିଲା । ଆହା ! କେଡ଼େ ଭଲ ।

 

ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା, ବୋଧହୁଏ ଚାରିମାସ କଟିଗଲା । ବଡ଼ଲୋକ ଘରେ ଆଶ୍ରା ନେଇଛି । କୌଣସି କଥାର ଚିନ୍ତା ନାହିଁ । ଖାଇବା ପିଇବାର ଅଭାବ ନାହିଁ । ନିଜ ପ୍ରକୃତିରେ ସମସ୍ତଙ୍କୁ ଆପଣାର କରିପାରିଛି । ସମସ୍ତେ ଭଲ ପାଆନ୍ତି । ବାବୁ ବାବୁଆଣୀ, ଗୁଡ଼ୁରିଗାଡ଼ରି ପିଲାଗୁଡ଼ିକ–ଏପରି କି ଚାକରବାକର ମଧ୍ୟ । ସେ ଥାଏ ଘରର ମଣିଷ ପରି, ଯେମିତି ଲୋଭ ସେମିତି ଅଧିକାର ।

 

ତଥାପି ମନରେ ଅଶାନ୍ତି । ଯେତେବେଳେ ନିଜ କଥା ମନେ ପଡ଼ିଯାଏ, ଆଖିରେ ଲୁହ ଧରେ ନାହିଁ । ଆହା ! ସେ ଆଜି କେଉଁଠି ? ପୁଅପତି ଛାଡ଼ି ଅଲୋଡ଼ା ଜୀବନଟା କ’ଣ ଏମିତି କଟିବ ଏଇଠି ? ଏଇଥିପାଇଁ କ’ଣ ଘର ଛାଡ଼ି ଆସିଥିଲା ? ପିଲାକୁ ଖେଳାଉ ଖେଳାଉ କାନ୍ଦେ ।

 

ଦୁଃଖୀ ! ୟେ କୁଆଡ଼େ ଗଲେ କି ? କଚେରି ଘରୁ ବାବୁ ଭିତରକୁ ଆସି ପଚାରିଥିଲେ । ଚଷମାଲଗା ଆଖି ଦିଇଟା ସତେକି ତାଙ୍କର ମୁହଁକୁ ଆବୋରି ରଖିଛି ।

 

ମୁଣ୍ଡକୁ ଲୁଗା ଟାଣି ଧୀରେ ଧୀରେ ଶଶୀ କହିଲା, ଠାକୁରଘରେ ସକାଳୁ ପୂଜା କରୁଛନ୍ତି-

 

ରିଷ୍ଟଓ୍ୱାଚ୍‍କୁ ଚାହିଁ ସେ କହିଲେ, ଆଠଟା ହେଲା, ପୂଜା ଛିଣ୍ଡି ନାହିଁ ? ମାତ୍ରା ଟିକେ ବେଶି ହେଲାଣି ଏଣିକି, ତୋ ଆସିଲାଦିନୁ । ସବୁ ହସିଲେ । ଦୁଃଖୀ ହସିଲା । ସେତେବେଳେ ଶଶୀମୁଖୀର ନାମ ଥିଲା ଦୁଃଖୀ । ଆଠମାସର ଟିକି ଝିଅ ମନା, ବାପ କୋଡ଼କୁ ଯିବାକୁ ଉଚ୍ଛନ୍ନ । ଦୁଃଖୀ ତାକୁ କାଖକରି ପାଖକୁ ଆସିଲା । ବାବୁ ହାତ ବଢ଼ାଇ ତା’ କୋଳକୁ ପିଲାଟିକୁ ନେଲେ । ଗେଲ କରି ପୁଣି ତା’ କୋଳରେ ଛାଡ଼ିଲେ । ନିଜେ ଝୁଙ୍କି ପଡ଼ିଲେ । ହସ ଖେଳିଗଲା ଓଠରେ । ଜାଣେନା କାହିଁକି ଦୁଃଖୀ ହସିଥିଲା, ପରକ୍ଷଣରେ ମଉଳି ଯିବାକୁ । ତରତର ହୋଇ ବାବୁ ଦାଣ୍ଡକୁ ଗଲେ ।

 

ଚାରିମାସ ପରେ । ଘର ପଛ ପୋଖରୀକୂଳ ଗୋଲାପଜାମୁ ମୂଳ ଚଉତରା ଉପରେ ମନମାରି ବସିଛି । ଛାଇ ନେଉଟବେଳ । ଭାବୁଛି, ଘରୁ ଗୋଡ଼ କାଢ଼ି ଆସିଥିଲା କାହିଁକି ? ଜୀବନଟା କଟୁଚି କିପରି, କେତେଦିନ ଏପରି ଚାଲିବ । ବାବୁଆଣୀ ପଛରୁ ଆସିଲେ । ଡାକି କହିଲେ, ଆଜି ଏତେ ଭାବୁଛୁ କ’ଣଲୋ, ମନରେ ସରାଗ ନାହିଁ । ଉତ୍ତର ନ ପାଇ କହିଲେ, ଘରକଥା ଭାବି ମନକଷ୍ଟ କରୁଛୁ ? ଏଠି ତୋର କିଛି ଅସୁବିଧା ହେଉନାହିଁ । ଯାଉ ଚାରିମାସ । ସେମାନେ ଖୋଜି ଖୋଜି ନୟାନ୍ତ ହେଉନ୍ତୁ । ମନରେ କଥା ପଶୁ । ତେଣିକି ତୋତେ ପଠାଇ ଦେବି-। ବ୍ୟସ୍ତ ହଅନା । ହସିଲା ମୁହଁ ଶୁଖିଗଲା ତା’ର ।

 

ସେଇଠି । କେବେ ଦିନେ ଏକୁଟିଆ ବସିଚି । ପଛରୁ ବାବୁ ଆସି ତୁନି ତୁନି ଆଖି ଦିଇଟା ବୁଜି ଧରିଲେ । ବାଧା ଦେଇନି କେବେ । ବାଧା ଦେଲାନାହିଁ, ସେମିତି ବସିଥାଏ । ତୁନି ତୁନି ହାତ ଦି’ଟା କୋହଳାଇ ଦେଲେ । ହସି ହସି କହିଲେ, ଘରେ କ’ଣ ଥାନ ନାହିଁ ଯେ ଏଠିଟାରେ ବସିଛୁ ? ବାପ୍‌ରେ କି ଖରା !

 

କ’ଣ କହିବ କହିବ ହେଉଥିଲା । ମୁହଁକୁ ଚାହିଁ ମୁଣ୍ଡ ନୋଇଁଲା । ବାବୁ ତା’ ଗାଲରେ ଟିକି ଚାପଡ଼ା ମାରି ଥରିଲା କଣ୍ଠରେ କହିଲେ, ଓହୋ, ଲାଜ ! ଚାଲିଗଲେ ଭିତରକୁ ।

 

ଘରକଥା ମନେ ପଡ଼ିଲା । ଛାତି ଥରି ଉଠିଲା । ଯେଉଁ ସାହସରେ ଯେଉଁ ଦମ୍ଭରେ ସେ ବାପଘର ଛାଡ଼ି ଆସିଥିଲା, ମନ କରିଥିଲା ସବୁ ଶୋକ ଅଭିମାନ ପଛରେ ପକେଇ ଶାଶୁଘରକୁ ଫେରିଯିବ, ଶାଶୁ ଓ ଗେରସ୍ତଙ୍କର ଗୋଡ଼ତଳେ ପଡ଼ି ନିଜ ଅବାଧ୍ୟତା ପାଇଁ କ୍ଷମା ମାଗିବ, ସେ ସାହସ, ସେ ଦମ୍ଭ ଆଜି ତା’ର ଭାଙ୍ଗିଛି କି ଭରସାରେ ଆଜି ସେ ତା’ର ସ୍ୱାମୀଙ୍କ ଆଗରେ ବୁକୁ ଫୁଲାଇ ଠିଆହୋଇ କହିବ, ମୁଁ ନିର୍ମଳ, ମୁଁ ନିର୍ଦ୍ଦୋଷ ! ଦେବତା ବୋଲି ଯାହାଙ୍କୁ ମନେ କରିଥିଲା ସେ ତ ନରକର ପୋକ ! ବାହାର ଆଉ ଭିତର ଏତେ ଭିନେ ! ଜଣକର ରୂପ ଲାଳସାର ଜଳନ୍ତା ନିଆଁରେ ଜାଣି ଜାଣି ନିଜକୁ ଆହୁତି ଦେଲା । ଅନୁତାପ ଆସେ କିନ୍ତୁ ଅବାଟରୁ ଫେରି ଆସିବାର ଉପାୟ ନାହିଁ । ଯାଉ, ବ୍ୟର୍ଥ ଜୀବନଟା ଯେଉଁ ବାଟରେ ଯାଉ । ଆଉ କି ଚିନ୍ତା ?

 

ଭୁଟ୍‌ଭାଟ୍ ହୋଇ ଘଟଣାଟା ସମସ୍ତେ ଜାଣିଲେ । ନିର୍ଭୟରେ ଥାଏ । ଭାବିଥିଲା, ଯିଏ ତାକୁ ପାପବାଟକୁ ଟାଣି ଆଣିଛନ୍ତି ସେ ତା’ର ଦୁର୍ଦ୍ଦିନର ସହାୟ ହେବେ । ଲୋକେତ ଘୃଣା କରିବେ, କରନ୍ତୁ । କିନ୍ତୁ ଦିନେ ତା’ର ମୋହ ଭାଙ୍ଗିଲା । ଅଧରାତି । କାନରେ ବାଜିଲା, ପାଖଘରେ କଥାଭାଷା ହେଉଛନ୍ତି । ଅନ୍ଧାର ରାତି । ଝରକା ପାଖକୁ ଆସି କରେଇ ଠିଆହେଲା ।

 

ଶୁଣିଲ, ତା’ର ପିଲାପିଲି ହେବ । ଛି, ଛି ଦୁର୍ନାମ ।

 

ତମରି ମୁହଁବଢ଼ା । ତାକୁ ଯଦି ସାଙ୍ଗେ ସାଙ୍ଗେ ବିଦା କରିଥାନ୍ତା ତେବେ ଏ ଦୁର୍ନାମର ବୋଝ ମୁଣ୍ଡକୁ ଆସନ୍ତା କାହିଁକି ?

 

କ’ଣ କରିବା ଏବେ ?

 

କିଛି ବଳେଇ ପଡ଼ି ନାହିଁ । କାଲି ସକାଳୁ ତା’ ହାତରେ କିଛି ଟଙ୍କା କଉଡ଼ି ଦେଇ ଘରୁ ବିଦା କରିଦିଅ । ତା’ ଭାଗ୍ୟ ସେ ଉଣ୍ଡୁ । ସକାଳୁ ତା’ ମୁହଁ ଚାହିଁଲେ ପାପ ।

 

ଶଶୀର ରାଗ ହେଲା । ଭାବିଲା, ପ୍ରଘଟ କରିଦେବ । କିନ୍ତୁ କେହି ପରତେ ଯିବେ ନାହିଁ-। ଏତେ ବଡ଼ଲୋକ । ସୁନାମର ଅନ୍ତ ନାହିଁ । ସମସ୍ତେ ପ୍ରଶଂସା କରନ୍ତି । ଏତେ ବଡ଼କଥା କେହି ବିଶ୍ୱାସ ଯିବେ ନାହିଁ । ଲୁହ ନିଗିଡ଼ି ପଡ଼ିଲା ଆଖିରୁ ! କେହି ନ ଜାଣନ୍ତୁ, ଧର୍ମ ଜାଣେ ତ-! ଓହୋ, ଧନ୍ୟ ସଂସାର ! କାହିଁକି ଆଉ ଡେରି କରିବ । ଗଙ୍ଗାମନ୍ଦିର ପୋଖରୀ, ତା’ରି କୋଳରେ ଆଶ୍ରା ନେବ ।

 

ଝରକା ପାଖରେ ଠିଆହୋଇ ରହିଥାଏ । କାନରେ ପୁଣି ପଡ଼ିଲା, ବାବୁ କହୁଛନ୍ତି, ଆର ଜଣକ କିଏ ଯଦି ମୁଁ ଜାଣି ପାରନ୍ତି ଦେଖନ୍ତି ତା’ର ମଜାଟା । କି ସାହସ ଦେଖ ତ !

 

ଗୁପ୍ତରେ ପାଖକୁ ଡାକି ପଚାରିଥିଲି । କିଛି କହିଲା ନାହିଁ, କାନ୍ଦିଲା । କ’ଣ ମିଳିବ ତହିଁରୁ-? ନିଜ କୁକର୍ମର ଫଳ ସେ ଭୁଞ୍ଜିବ ।

 

ରାଗରେ ଘରୁ ବାହାରି ଆସିଲା ପଦାକୁ, ରାସ୍ତା ଉପରକୁ । ପ୍ରୟୋଜନ ନାହିଁ ଏ ଅଲୋଡ଼ା ଜୀବନରେ । ଆଖିରୁ ଝରି ପଡ଼ିଲା ଲୁହ ଧାର ।

 

ଶଶୀର ଭାବନା ଭାଙ୍ଗିଲା । ଫେରି ଆସିଲା ସେ ଅତୀତରୁ ବର୍ତ୍ତମାନକୁ ।

 

ଧଇଁସଇଁ ହୋଇ ସ୍ତ୍ରୀଲୋକଟି ଆସିଲା–ଅସ୍ତବ୍ୟସ୍ତ, ଅଧଲଙ୍ଗଳା । ଦାଣ୍ଡ ଆଗ ଚଉତରା ପାଖରେ ଅଟକିଗଲା ଶଶୀକୁ ଦେଖି । ବୁଲାଟା କାନ ଟେକି ଉଦ୍‌ବିଗ୍ନ ହୋଇ ଠିଆହେଲା, କ’ଣ ଯେପରି ଆଶଙ୍କା କରି ଏଣେତେଣେ ଚାହିଁଲା । ଶଶୀର ଦୁଃଖ–ଭାବନାଗୁଡ଼ା ସହସା ଭାଙ୍ଗିଲା । ସେ ଚମକି ଚାହିଁଲା । କିଏ ଜଣେ ଅଜଣା ଲୋକ ।

 

ଆଗନ୍ତୁକ ପଚାରିଲା, ଘନବାବୁ ଅଛନ୍ତି ?

 

ଘର ଭିତରୁ ରୁକ୍ଷ କଣ୍ଠରେ ଉତ୍ତର ଆସିଲା, କ’ଣ କିଲୋ ପଦି ? ବୁଢ଼ୀ ପଦାକୁ ବାହାରିଲେ । କହିଲେ, ଯିଏ ଆସୁଛି ଖାଲି ଘନ ଘନ ! କ’ଣ ହେଲା କି ଆଜି ?

 

ପଦି ପାଖକୁ ଯାଇ ବଡ଼ପାଟି କରି କହିଲା, କ’ଣ ଆଉ, ଯାହା କହିଥିଲି ସେଇଆ । ମୁଣ୍ଡ ନୁଆଁଇ ଆହୁରି କେତେକଅଣ କହିଲା କାନ ପାଖରେ । ଶୁଣି ପାରିଲା ନାହିଁ । ପଦି ବଡ଼ପାଟି କରି କହିଲା, ଯାତ୍ରା ଲାଗିଛି ମାଉସୀ ! ଗାଁଯାକର ସବୁ ଲୋକ ଯାଇଁ ସେଇଠି । କେହି ବାକି ନାହିଁ-। ଏକା ଘନକୁ ଦେଖିଲି ନାହିଁ । ଆସିଲି, କହି ଯାଏଁ । ମାଇପିଟାର କେଡ଼େ ବହପ ଦେଖତ-!

 

ବୁଢ଼ୀ ପଚାରିଲେ, କ’ଣ ସେ କହୁଛି ?

 

କହିବ ଆଉ କ’ଣ ? ହଟହଟା କହିଲେ ନ ସରେ । ଭାଗ୍ୟକୁ ସାବୀ ହାବୁଡ଼େ ପଡ଼ିଲା । ଖାଇ ଦେଇଥିଲେ ତ କଥା ସରି ଯାଇଥାନ୍ତା ।

 

ସାବୀ ଦେଖିଲା । ପଚାରିଲା, ଭାଉଜ, ସେଗୁଡ଼ା କ’ଣ ପିଉଛ ? କହିଲା, ଓଷଦ । ଓଷଦ କାହୁଁ ଅଇଲା, କିଏ ଆଣି ଦେଲା ? ଏଁ କନିଅର ମଞ୍ଜି ଖୋଳଗୁଡ଼ା ଶିଳ ଚାରିପାଖେ ଜମା ହୋଇଛି । ଶିଳ ଓପରଟା ଓଦା । କ’ଣ ବଟା ହେଲାପରି ଦିଶୁଛି । ଝିଙ୍କାଓଟରା କରି ହାତରୁ ତାଟିଆ ଖସେଇ ଦେଲା । ତଥାପି ଦି’ ଢୋକ ପିଇଛି ।

 

ଅବସ୍ଥା କେମିତି ?

 

ଭଲ, ପେଟ ଧରି ଛଟାଗାଳି ପଡ଼ିଛି ।

 

ଯିବାଚାଲ ପଦି, ଦେଖି ଆସିବା ।

 

ଆସୁନା ।

 

ଦୁହେଁ ତରତର ହୋଇଗଲେ । ଶଶୀ ତାଙ୍କର ଅନୁଗମନ କଲା ।

 

(୨)

 

ରାତିଅଧ । ଯିଏ ଯାହାର ଘରକୁ ଗଲେ । ଗାଁ ଦାଣ୍ଡ ଶୂନଶାନ୍ । ଏକ ବୃନ୍ଦାବନଙ୍କର କ’ଣ ଝରକା ଘର ବାଟେ ଡିବିରି ଆଲୁଅ ପଦାକୁ ଆସୁଛି । ବେଳେବେଳେ ସ୍ତ୍ରୀଲୋକଟିଏ କୁନ୍ଥାଉଛି । ବେଳେବେଳେ କଅଁଳିଆ ପାଟିରେ ଝିଅଟିଏ ପଚାରୁଛି, ନୂଆବୋଉ, ଉପାସ ଶୋଇବ-? ଖାଇବନି କିଛି ?

 

ବିରକ୍ତ ହୋଇ ଉତ୍ତର ଦେଉଛି ଆରଜଣକ, ଉଁ, କାଇଁକି ଚିଡ଼େଇ ମାରୁଛ ମତେ ? ମୋ ପେଟ ବଥାଉଛି, ଖାଇବି ନାହିଁ । ଡିବିରି ନେଇ ତମେ ଯାଅ ତମ ବୋଉ ପାଖେ ଶୋଇ ପଡ଼ିବ । ଯାଅ ସାବ, ଚିଡ଼ାନା ମୋତେ ।

 

ଅପେକ୍ଷା କରୁଛି ସେ । କହୁଛି, ତମେ ଆଉ କେତେଦିନ କଷ୍ଟ ପାଇବ ଏମିତି ? ବୋଉ ଆଜି ସଞ୍ଜବୁଡ଼େ ଭାଇଙ୍କ ପାଖକୁ ଲୋକ ପଠାଇଛି । ଆଜି ରାତି ରାତି ସେ ଆସି ପହଞ୍ଚିବେ । ବ୍ୟସ୍ତ ହୁଅନା ।

 

କିଏ କହିଲା ଲୋକ ପଠାଇବାକୁ–ଯେପରିକି ଅସ୍ଥିର ହୋଇ ସେ ପଚାରିଲେ । କ’ଣ ମନେକରି କେଜାଣି ଶଶୀ ଝରକା ପାଖକୁ ଘୁଞ୍ଚି ଠିଆ ହେଲା । ସେ ପୁଣି କହିଲେ–ମୁଁ ପରା ମନା କରିଥିଲି, ଲୋକ କାହିଁକି ପଠାଇଲେ ? ମୋର ମଲା ଖବର ପାଇଥିଲେ ବଳେ ସେ ଲିଆ–କଉଡ଼ି ବୁଣିବାକୁ ଆସନ୍ତେ ନାହିଁ ଯେ ! ଅପାଙ୍କର ଏ ଯେଉଁ ଅମାନିଆ କଥା, ବେଳେବେଳେ ଭାରି ଚିଡ଼ି ମାଡ଼େ ।

 

ତାଙ୍କ କଥାରୁ ଅନୁତାପ, ବିରକ୍ତି କି ଅଭିମାନ କିଛି ବୁଝି ପାରିଲା ନାହିଁ । ଶଶୀ ଅନୁମାନ କଲା, ଦୁଃଖ ଅବଜ୍ଞାର ମିଶାମିଶିରେ ତାଙ୍କର ମୁହଁକଥା କରୁଣ ଅଥଚ ଅତି ତୀବ୍ର । ଭାବିବାକୁ ଲାଗିଲା, ଦିଓଟି ପ୍ରାଣୀର ସମ୍ପର୍କ ଭିତରେ ଯେଉଁ ତୃତୀୟ ଲୋକଟି ଆସି ଠିଆ ହୋଇଛି ତା’ର ପ୍ରଭାବ ଉଭୟଙ୍କ ଜୀବନ ଉପରେ କେତେ ବେଶୀ । ସହଜରେ ହସି ଉଡ଼ାଇ ଦେବାର କଥା ନୁହେଁ ତ !

 

ପିଲାଟି ପୁଣି କହିଲା, ତମେ ମନା କରିଥିଲ, ବୋଉ ମାନିଲା ନାହିଁ । ରଘୁ ବେହେରାକୁ ଚାରିଅଣା ମଜୁରି ଦେଇ ପଠାଇଛି । କହିଚି, ସାଙ୍ଗରେ ଆଣିବୁ ତ ଯାଇଁ ଆସିବୁ ।

 

ସେ ଏତେ ଆଗରୁ ଆସିବେ ନାହିଁ । ହଉ, ତମେ ଯାଅ ଶୋଇବ–ଯିବଟି ।

 

ଯାଉଛି–କିନ୍ତୁ ନ ଯାଇ ଠିଆ ହୋଇ କହିଲା, ରାଣୀ ଯାଇଥିଲା ଘନ–ଭାଇକି ଡାକିବାକୁ ଯେ ସେ ସକାଳୁ ନାହିଁ । ସେ ଥିଲେ ଗାଁଯାକର ଲୋକ ଆସି ହାଉହାଉ ହୋଇଥାନ୍ତେ କାହିଁକି ? ଉତ୍ତର ନ ପାଇ ପିଲାଟି ଧୀରେ ଧୀରେ ଚାଲିଗଲା ।

 

ଶଶୀ ଅନ୍ଧାରରେ ଅଣଆଡ଼ିଆ ହୋଇ କାନିପାତି ଶୋଇ ଭାବିବାକୁ ଲାଗିଲା, ମଣିଷଗୁଡ଼ା ନିରୀହ ମାଇପି ଜାତିକୁ ଏମିତି ପଙ୍କ ଭିତରକୁ ବାଟ କଢ଼ାଇ ନିଅନ୍ତି ନିର୍ବୋଧ ନାରୀ ! ଦେହ ଶିହରିଆ ଗୋଟାଏ ଚୁମ୍ବନ, ମନଭୁଲାଣିଆ ଗୋଟାଏ ହସ କି ପ୍ରାଣ ପୁଲକିଆ ଗୋଟାଏ ଆଲିଙ୍ଗନ ପାଇଁ ସେ ଚାଲିଥାଏ । ମୁହଁ ଫେରାଇ ଯେତେବେଳେ ପଛକୁ ଚାହେଁ ଦେଖେ ସବୁ ଅନ୍ଧାର । ଯାହାର ପ୍ରରୋଚନାରେ ସେ ଆସିଥିଲା, ତାକୁ ଅଧବାଟରେ ଛାଡ଼ି ଚାଲି ଯାଇଛି ।

 

ମନରେ ପଶେ ସେତେବେଳେ, ବଡ଼ ଡେରିରେ । ଅନୁତାପ କରେ ଏକା ସେହି । ପଙ୍କରୁ ଉଧୁରି ଆସିବାର ବାଟ ନାହିଁ । ଦୁନିଆଟା ତାଙ୍କରି ଆଡ଼କୁ ଆଙ୍ଗୁଠି ଦେଖାଇ ହସେ । ସହାୟ ସହାନୁଭୂତି ଆଶା କରିବା ବୃଥା । ପ୍ରାୟଶ୍ଚିତ୍ତ କରିବାକୁ ଅହନ୍ତା ସୁଝାଏ ନିଜ ଉପରେ ।

 

ଶଶୀର ଭାବନା ଧାଇଁଲା ଅତୀତକୁ । ଦୁନିଆରେ ଏ କିଛି ନୂଆ କଥା ନୁହେଁ । ଜାଣନ୍ତି ସମସ୍ତେ, ତଥାପି ଭୁଲନ୍ତି । ଗଙ୍ଗାମନ୍ଦିର ପୋଖରୀର ଭରା ପାଣି । ଉଛୁଳି ପଡ଼ୁଛି । କୂଳରେ ଠିଆ ହୋଇ ଆତ୍ମହତ୍ୟା କରିବ ଭାବୁଛି । ମନ ହେଉଛି, ପୁଣି ହେଉ ନାହିଁ । ଜୀବନର ମୋହ ! କମ୍ କଥା ନୁହେଁ । ସଂସାରର ସବୁ ଦୁଃଖ କଷ୍ଟ, ମାନ ଅପମାନ ପଛରେ ପଡ଼ିରହେ । କେତେ ପ୍ରତିଜ୍ଞା ବୃଥା ହୁଏ । ମରଣ ଆଗରୁ ଫେରି ଆସେ, ବଞ୍ଚିରହି ସହସ୍ରଥର ମରିବାକୁ ।

 

ଗଙ୍ଗାମନ୍ଦିର ପୋଖରୀ କୂଳ । କିଏସେ ଆସି ତା’ର ହାତଧରି ଟାଣିଲା । କହିଲା, ଜୀବନଟା ଏଡ଼େ ଶସ୍ତା ନୁହେଁ ଭଉଣୀ ! ଥରେ ହୁଡ଼ିଲେ ଆଉ ନ ପାଅ । ଏହି ଗଙ୍ଗାମନ୍ଦିର ପାଣି । ୟାରି ଭିତରେ କେତେ ଲୋକ କେତେ ଜୀବନ ହଜାଇ ଦେଇଛନ୍ତି । ପର ଉପରେ ଅଭିମାନ କରି ନିଜ ଉପରେ ପ୍ରତିଶୋଧ ନେଇଛନ୍ତି । ସେମିତି ମୁଁ ବି ଦିନେ ଲାଜରୁ ରକ୍ଷା ପାଇବାକୁ ଏଇଠି, ଠିକ୍ ତୋରି ପରି... ।

 

ମନ୍ତ୍ରଚାଳିତ ପରି ତା’ରି ପଛେ ପଛେ ଚାଲିଥିଲା ଶଶୀ । ଜାଣି ନଥିଲା କାହିଁକି ଯାଉଛି, କୁଆଡ଼େ ଯାଉଛି । ସାହସ କରି ମୁହଁ ଖୋଲି ପଚାରି ନଥିଲା କିଛି । ସେ ବି କିଛି କହି ନଥିଲା ଆଗ ବଳିପଡ଼ି । ଜାଣିଲା ବଡ଼ ଡେରିରେ, ସେ ବେଶ୍ୟା ଘରେ ଆଶ୍ରା ନେଇଛି । ଯେଉଁଠି ହେଉ, ଜୀବନର ମୋହ !

 

ଭାବୁ ଭାବୁ ନିଦ ହୋଇଗଲା କେତେବେଳେ ।

 

ପାଖରେ ଦାମୁଡ଼ିଟା ବନ୍ଧା ହୋଇଛି । ମଶା ବଣ । ଏକର ସେକର ହୋଇ ଦେହରେ ପିଠିରେ ଚାପଡ଼ା ମାରି ବଡ଼ ଅସ୍ଥିର ହେଉଛି । ଚାଇଁଚାଇଁଆ ନିଦ । ପର ଓଳିତଳେ ଆଶ୍ରା । ସାହାଭରସା କେହି ନାହିଁ । ସ୍ୱପ୍ନ ନୁହେଁ, ଭାବନା ନୁହେଁ, ଦୁଇଟାର ମିଶାମିଶି । ମନର ଉଦ୍ଦାମ ଗତି-। କାହାପାଇଁ ତା’ର ଏ ଅବସ୍ଥା ? ସ୍ୱାମୀର ପ୍ରେମମୟ କୋଳ, ଶାନ୍ତିପୂର୍ଣ୍ଣ ସଂସାର ଛାଡ଼ି କାହିଁକି ସେ ଜୀବନରେ ମରଣର ଯନ୍ତ୍ରଣା ଭୋଗ କରି ଆସିଲା ବିନା ଆପତ୍ତିରେ, ଅଭିଯୋଗରେ-। ଏହାହିଁ କ’ଣ କପାଳ, ଦୁର୍ଭାଗ୍ୟର ନିର୍ଦ୍ଦେଶ, ପୂର୍ବଜନ୍ମର ଫଳ ?

 

ଦୋଷୀ ସମସ୍ତେ, ପୁଣି ଦୋଷୀ କେହି ନୁହନ୍ତି । ଆଜି ଯାହା ଘଟିଗଲା ତାହା ଅନନ୍ତ କାଳର କେଉଁ ଅଜଣା ଅଶୁଣା ଘଟଣାର ଫଳ ସେ କଥା କେହି କହି ପାରିବେ ନାହିଁ । ଦୁନିଆରେ ଛୋଟ ବଡ଼ ପ୍ରତ୍ୟେକ ଘଟଣା ପରସ୍ପର ଛନ୍ଦାଛନ୍ଦି । ଗୋଟିକର ଖିଅ ଧରି ଟାଣିଲେ, ଧୀରେ ଧୀରେ ସବୁ ଟାଣି ହୋଇ ଆସିବ । ସହଜ ସରଳକଥାଟା ଏପରି ଜଟିଳ ହୋଇ ଉଠେ । ମୂଳ କେଉଁଠି, ଆରମ୍ଭ କେଉଁଠି ସ୍ଥିର କରି ନପାରି ମଣିଷ ଅବାକ୍ ହୋଇ ଚାହିଁ ରହେ । ସମୟ ସ୍ଥାନର ବ୍ୟବଧାନ ଲୁଚିଯାଏ । ନିମିତ୍ତ କିଏ ସ୍ଥିର କରିପାରେ ନାହିଁ ।

 

ଜୀବନରେ ଶଶୀ ଏହି ସତ୍ୟ, ଏହି ତଥ୍ୟଟିକୁ ଭଲ କରି ଉପଲବ୍ଧ କରିଛି । ଅବୋଧ ମନ ତା’ର ବିଚଳିତ ହେଲେ ସେ ଦୋଷାଦୋଷ ପର ମୁଣ୍ଡରେ ଲଦି ଦିଏ ସିନା, କିନ୍ତୁ ପରକ୍ଷଣରେ ଯେତେବେଳେ ଭାବି ବସେ, କାହାରିକୁ ଦୋଷ ଦେବାକୁ ତା’ର ମୋଟେ ଇଚ୍ଛା ହୁଏ ନାହିଁ । ଭାଗ୍ୟକୁ ଅବଲମ୍ବନ କରି ଅବସ୍ଥାର ଶରଣ ପଶେ । ନିର୍ଦ୍ଦୋଷ ସମସ୍ତେ । ଯାହା ହେବାର କଥା ହୋଇଯାଇଛି, ହେବ । ଏହିକଥା ଭାବେ । ଅବଶ୍ୟ ଗୋଟାଏ ଶକ୍ତିକୁ ଭୟକରି ମୁଣ୍ଡ ନୁଆଁଏ । ଭାବେ, ମଣିଷ ଯାହା ଭଲ ବୋଲି ବୁଝିଛି କରିଯାଉ, ତେଣିକି ଯାହା ହେବାର ହେବ ।

 

ଆଜି ତା’ର ଏ ଦୁରବସ୍ଥା ପାଇଁ ସେ ଦାୟୀ କରିବ କାହାକୁ ? ଯେ ତା’ର ଦୁର୍ନାମ ରଟାଇ ଘରୁ ତଡ଼ିଲେ, ଯିଏ ତାକୁ ଆଶ୍ରୟ ଦେଇଥିଲେ ବାହାରେ ସେ ଦେବତା, ଭିତରେ ସଇତାନ-। ସେମାନେବି ତ ଘଟଣାର ଦାସ, ତାଙ୍କର ବା କି ଚାରା ! ଆଜି ଏ ବୃନ୍ଦାବନର ସ୍ତ୍ରୀ, ନିଜେ ବୃନ୍ଦାବନ, ଘନ, ଏମାନେ ମଧ୍ୟ ଘଟଣାର ସୁଅରେ ପଡ଼ି ଭାସି ଯାଉଛନ୍ତି । ଶେଷଫଳ କ’ଣ ହେବ କିଏ କହିବ ? ଘଟଣାର ଆରମ୍ଭ ନାହିଁ କି ଶେଷ ନାହିଁ । ବର୍ତ୍ତମାନର ଅସୀମ ହାତ ଦୁଇଟି ଅନନ୍ତ ଭବିଷ୍ୟତ ଓ ଅସୀମ ଅତୀତକୁ କଳନା କରି ପାରେ ନାହିଁ ।

 

ବୃନ୍ଦାବନର ଯୁବତୀ ସ୍ତ୍ରୀ ଜୀବନ–ଦୀପଟିକୁ ଫୁଙ୍କି ଲିଭାଇ ଦେବାକୁ ଏଡ଼େ ବ୍ୟଗ୍ର । ସେଥିପାଇଁ ତା’ର ଏତେ ଛଳନା, କିନ୍ତୁ ଦୀପଟିକୁ ଯେ ଜଳାଇଥିଲା, ଲିଭାଇ ଦେବା କ’ଣ ତା’ର ଅଭିପ୍ରାୟ ଥିଲା ? ଝଡ଼ତୋଫାନ ସୃଷ୍ଟି କରିଛି ନିଜେ, କେଉଁ ଘଟଣା ସୁଅର ବିରାମହୀନ ଲହଡ଼ିରେ ଭାସି ଭାସି । ନିଜର ଚାରା ନାହିଁ, ଝଡ଼ତୋଫାନ କେବେ ଆସିବ, ଦୀପ ଲିଭିବ । ଅଖଣ୍ଡନୀୟ ନିୟମ । ତା’ ଆଗରୁ ଏଡ଼େ ବ୍ୟଗ୍ର କାହିଁକି ?

 

କୋଳରେ ଶୋଇଥିଲା ବୁଲା । ହଠାତ୍ ମୁଣ୍ଡ ଟେକି ଆଗକୁ ଚାହିଁଲା । କିଏ ଜଣେ ଆସୁଛି ପରା ! ଶଶୀ ଆଖି ଖୋଲିଲା । ହଁ, କିଏ ଜଣେ ସାଇକେଲ ଖଣ୍ଡି ବାଡ଼କଡ଼କୁ ଆଉଜାଇ ଗୋଡ଼ରୁ ଜୋତା କାଢ଼ି ଘର ଆଗକୁ ଆସିଲା । ଜହ୍ନ ଆଲୁଅ ସିଧା ତା’ର ମୁହଁ ଉପରେ ପଡ଼ୁଥାଏ । କି ତରଙ୍ଗ ତରଙ୍ଗ ଢଙ୍ଗ, ଚଞ୍ଚଳ ବ୍ୟଥାଭରା ଚାହାଣି ।

 

ଘନ !

 

ହଁ, ଘନ । ଅନ୍ଧାର ଆଡ଼କୁ ଘୁଞ୍ଚି ଶୋଇଲା ଶଶୀ ! ବୁଲାର ମୁଣ୍ଡରେ ହାତ ମାରିଲା । ସେ ଶଶୀର ଛାତି ଉପରେ ମୁଣ୍ଡ ନୋଇଁଲା । ଶଶୀର ଓଠ ଉପରେ ହସର ରେଖାଟିଏ ଟାଣି ହୋଇଗଲା ଅନ୍ଧାରରେ ।

 

ସେହି ଝରକା ପାଖେ ଠିଆ ହେଲା ଘନ । ଘର ଭିତରଟା ଅନ୍ଧାର । ବାହାରେ ସେ, ଚାଳ ଛାଇରେ । ମୁହଁରେ କଥା ନାହିଁ, ଦେହରେ ସତେ କି ସ୍ପନ୍ଦନ ନାହିଁ, କେତେବେଳକେ ମୁହଁ ଖୋଲିଲା, ନୂଆବୋହୂ ! ଟିକିଏ ଅପେକ୍ଷା କଲା ଉତ୍ତର ଆଶାରେ । ପୁଣି ଡାକିଲା, ଶୋଇଲ କି ନୂଆବୋହୂ ! ପୁଣି ଚୁପ୍‌ଚାପ୍ । ସତେକି ଭିତରୁ କ’ଣ ଇସାରା ପାଇଲା । ଦାଣ୍ଡ କବାଟ ପାଖକୁ ଘୁଞ୍ଚି ଆସିଲା । ଶଶୀ ଆହୁରି ପଛକୁ ଘୁଞ୍ଚିଗଲା । ଉଠି ବସିଲା ।

 

ଦାଣ୍ଡ କବାଟ ଖୋଲିବାର ମୃଦୁ ଶବ୍ଦ । ଶଶୀ ମୁଣ୍ଡ ନୁଆଁଇ ହାତିଅନ୍ଦ କାନ୍ଥ କଣରେ ଚାହିଁଲା । ବାରଣ୍ଡାରେ କେହି ନାହିଁ । ବୋଧହୁଏ ଘନ ଘର ଭିତରକୁ ଗଲେ । ବୁଲାକୁ ସେହିଠାରେ ବସାଇ ଦେଇ ସେ ଝରକା କରକୁ ବାହାରି ଗଲା । ଝରକାବାଟେ ଘର ଭିତରକୁ ଚାହିଁବାକୁ ସାହସ ହେଲା ନାହିଁ । କାନ ଡେରି ନିଶ୍ଚଳ ହୋଇ ରହିଲା ।

 

ଘର ଭିତରେ ଆଲୁଅ ଲାଗିଲା ନାହିଁ କି କାହାରି କଥାଭାଷା ଶୁଭିଲା ନାହିଁ । ବୋଧହୁଏ, ସେମାନେ ଅନ୍ୟ କେଉଁଠିକି ଚାଲିଗଲେ । ଗୋପନରେ କଥାଭାଷା ହେବେ । କିନ୍ତୁ ସେମାନଙ୍କର କଥାଭାଷା ନ ଶୁଣିଲେ ଘଟଣାଟି ଭଲକରି ଜାଣି ହେବ ନାହିଁ କି କୌଣସି ପ୍ରତିକାର କରିହେବ ନାହିଁ । ଉପାୟ କ’ଣ ?

 

ଦାଣ୍ଡ କବାଟ ଖୋଲାଥିଲା । ଶଶୀ ଖଞ୍ଜାଭିତରକୁ ପଶିଲା । ଛପିଛପିକା ଜହ୍ନ ଆଲୁଅ । ଅଗଣାଟା ଖୋଲା । କାହାରି ଚିହ୍ନବର୍ଣ୍ଣ ନାହିଁ । କେବଳ ବାରି କବାଟଟା ମୁକୁଳା । ଏଣିକି ତେଣିକି ଅନାଇଁ ବାରି କବାଟଟି ଖୋଲି ଚାହିଁଲା । ଅନ୍ଧାର ଆଲୁଅ ମିଶାମିଶି । ପୋଖରୀ କର ବୁଦିବୁଦିକା ଗଛ ଗହଳିକୁ ଦି’ ଭାଗ କରି ଘନ ଓ ସରସୀ ପଛ ପାଖ ଚାଳିଘର ଆଡ଼େ ଚାଲିଛନ୍ତି । ଅନୁସରଣ କରିବାର ଉପାୟ ନାହିଁ । ଖୋଲା ବାରି । ପଛକୁ ଚାହିଁଲେ ଦେଖାଯିବ । ଧରା ପଡ଼ିବ । ଅନ୍ୟ ଉପାୟ ନ ଦେଖି ସେ ସେହିଠାରେ ଅପେକ୍ଷା କରି ରହିଲା ।

 

ପ୍ରାୟ ଅଧଘଣ୍ଟା ବିତିଲା । ତଥାପି ସେମାନଙ୍କର ଦେଖା ନାହିଁ । ଶଶୀର ଧୈର୍ଯ୍ୟ ଭାଙ୍ଗିଲା । ସେ ଫେରି ଆସିଲା ପଦାକୁ । ଶୋଇବାକୁ ଚେଷ୍ଟାକଲା, ନିଦ ହେଲା ନାହିଁ । ଚାଉଁଚାଉଁଆ ଲାଗୁଥାଏ । ମନ ଭିତରେ କିପରି ଗୋଟାଏ ଅଜଣା ଭୟ ହେଉଥାଏ । ହଠାତ୍ ଦାଣ୍ଡ କବାଟ ଠିଆ ମେଲା କରି ଘନ ପଦାକୁ ଛୁଟି ଆସିଲା । ମୁହୂର୍ତ୍ତେ ସୁଦ୍ଧା ଅପେକ୍ଷା ନ କରି ସେ ବାଡ଼ରେ ଡେରା ହୋଇଥିବା ସାଇକେଲ ଖଣ୍ଡି ଉଠାଇଲା ।

 

ଶଶୀ ଛାଇରୁ ଉଠି ଆଲୁଅକୁ ଘନ ଆଗକୁ ଆସି ଠିଆ ହେଲା । ନିଶୀଥର ନୀରବତା ଭାଙ୍ଗି ପ୍ରଥମେ ସେ ଆରମ୍ଭ କଲା, ଆକାଶକୁ ଚାହିଁ ଦେଖ ଘନ, ମଣିଷ ଆଖିରେ ଧୂଳି ଦେଇ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାର, କିନ୍ତୁ ଏଇ ଆକାଶ, ଏଇ ଜହ୍ନ, ଶୀତଳ ପବନକୁ ଠକାଇବା କ’ଣ ଏଡ଼େ ସହଜ ଭାବିଛ ?

 

ଅବାକ୍ ହୋଇ ଘନ ତାକୁ ଚାହିଁ ରହିଲା ।

 

ଚିହ୍ନିପାରୁନ ? ମୁଁ ସେହି ଭିଖାରୁଣୀ । ସେଦିନ ରାତିରେ ତମ ସଙ୍ଗେ ମୋର ଦେଖା ହୋଇଥିଲା, ନରଦା ଗାଁରେ ।

 

ରହି ରହି ଘନ କହିଲା, ତମେ ବଡ଼ ଡେରିରେ ଆସିଲ ।

 

ସଞ୍ଜ ଆଗରୁ ଆସି ତମକୁ ଖୋଜୁ । ଭାବିଥିଲି ଦେଖା ହେବ ନାହିଁ । କିନ୍ତୁ ଦେଖା ହେଲା ଠିକ୍ ସମୟରେ ।

 

ବରଂ ଦେଖା ନ ହେବା ଭଲ ଥିଲା । ସାଇକଲ୍ ଉପରକୁ ଉଠି ଘନ ତୋଫାନ ବେଗରେ ଛୁଟି ପଳାଇଲା ।

 

ଶଶୀ କେତେକଅଣ ଭାବି ଶେଷକୁ ଖଞ୍ଜା ଭିତରକୁ ପଶିଲା । ବାରି କବାଟ ଦର ଆଉଜା । ସେ କବାଟ ଖୋଲିଲା । ଏଥର ଆଉ ବାରିକୁ ଯିବାକୁ ପଡ଼ିଲା ନାହିଁ । ଆଖି ଆଗରେ ତା’ର ଗୋଟିଏ ସ୍ତ୍ରୀ ମୂର୍ତ୍ତି । ତାକୁ ଦେଖି ସହସା ଯେପରି ଅବାକ୍ ହୋଇ ଠିଆହୋଇ ରହିଲା, ଯେଉଁଠି ସେଇଠି । କାହାରି ପାଟି ଖୋଲିଲା ନାହିଁ । ଦୁହେଁ ଦୁହିଁକୁ ଚାହିଁ ରହିଲେ, ସ୍ଥିରଦୃଷ୍ଟିରେ । ଦଶ ମିନିଟ୍ କଟିଗଲା । ଶଶୀ କଥା ଆରମ୍ଭ କଲା ପ୍ରଥମେ–ଅପରିଚିତା ମୁଁ, କିନ୍ତୁ ତୁମକୁ ଭଲ କରି ଜାଣେ, ତୁମକୁ ଭଲ କରି ଚିହ୍ନେ । ତୁମର ଦୁଃଖ କଷ୍ଟ, ଆପଦ ବିପଦ ସବୁ କଥା ଘନ ମୁହଁରୁ, ବୃନ୍ଦାବନ ମୁହଁରୁ ଶୁଣିଛି । ଗାଁ, ଘର, ଜାତି, ଗୋତ୍ର, ଛାଡ଼ି ବାରଦୁଆରୀ ପତରଚକୀ ଭିଖାରୁଣୀଟା । ଭିଖ ମାଗି ପେଟ ପୋଷେ । ତଥାପି ପର ମାଇପିର ବିପଦ ଦେଖିଲେ ସମ୍ଭାଳି ହୋଇ ରହି ପାରେ ନାହିଁ । ଶଶୀ ବାରି ଆଡ଼କୁ ଯାଇ କବାଟ ଆଉଜାଇ ନେଲା ।

 

ସରସୀ ତଥାପି ନିରୁତ୍ତର । ଶଶୀ ତାଙ୍କର ହାତ ଧରି କହିଲା, ଭୟରେ ଥରୁଛ କାହିଁକି-? ଭୟ କରନା ଭଉଣୀ, ମନ ଖୋଲି ସବୁ କଥା ମୋରି ଆଗରେ କହ । ନିଶ୍ଚୟ ତୁମକୁ ବିପଦରୁ ଉଦ୍ଧାର କରି ପାରିବି । ଯଦି ବିଫଳ ହୁଏ, ତେବେ ତ ତମର ଜୀବନ ତମରି ହାତରେ-। ଘନ ତମୁକୁ ବିଷ ଦେଇ ଯାଇଛି ।

 

ସରସୀ ଅସ୍ଥିର ହୋଇ ଶଶୀର ହାତମୁଠା ଭିତରୁ ପାପୁଲି ଟାଣି ନେଲେ । ସରସୀ, କ୍ଷୀଣ କରୁଣ ସ୍ୱରରେ ଗଳା ଥରାଇ କହିଲେ, ବିଷ !

 

ମୁଁ ଜାଣେ । କିନ୍ତୁ ତମ ହାତରୁ ମୁଁ ବିଷ ଛଡ଼ାଇ ନେବାକୁ ଆସି ନାହିଁ । ଜୀବନ ହାରିବା ବଡ଼ ସହଜ କଥା, ବଞ୍ଚାଇ ରଖିବା ବଡ଼ କଷ୍ଟ । ଜୀବନର ମୂଲ୍ୟ ଯେ ବୁଝେ, ସେ କେବେ ମାଟି ଗୋଡ଼ିପରି ଜୀବନକୁ ଫୋପାଡ଼ି ଦିଏ ନାହିଁ । ଆସ । ଶଶୀ ତାଙ୍କର ହାତ ଧରି ପଥ କଢ଼ାଇଲା । ଯନ୍ତ୍ରଚାଳିତ ପରି ସରସୀ ତା’ରି ପଛେ ପଛେ ଗଲେ ।

 

ଗଛ ତଳ । ଛାପିଛାପିକା ଅନ୍ଧାର ଆଲୁଅ । ସରସୀର ହାତ ଧରି ଶଶୀ ତାକୁ ପାଖରେ ବସାଇଲା । ଉପରେ ଉଜ୍ଜ୍ୱଳ ଜହ୍ନ–ମେଘ ତଳେ ତାହାର ଲୁଚକାଳି ଖେଳ । ସୁଲୁସୁଲିଆ ଶୀତଳ ବାଆ । ଦୁହେଁ ତୁନି ହୋଇ ବସି ରହିଲେ । କେତେ କଥା ଅଛି; କିନ୍ତୁ ଆରମ୍ଭ କରିବ କିଏ ? କିପରି-? ଆହୁରି ଦଶପନ୍ଦର ମିନିଟ୍ କଟିଗଲା ।

 

ଶଶୀ ଆରମ୍ଭ କଲା, ମଣିଷ କ’ଣ ଭିକାରୁଣୀ ହୋଇ ମା’ ପେଟରୁ ଜନ୍ମ ହୋଇଥାଏ ଭଉଣୀ ? ନା, ତା’ ନୁହେଁ । ଅବସ୍ଥା ତାକୁ ସବୁ କରାଏ । ଭଲ ଘରର ଝିଅ ଭଲ ଘରର ବୋହୂ ଆଜି ମୁଁ ବାଟରେ । ସମସ୍ତଙ୍କର ଅଚିହ୍ନା ।

 

ସରସୀ ଶଶୀ ମୁହଁକୁ ଡରିଲା ଆଖିରେ ଚାହିଁଲା ।

 

ଅପବାଦ, ମିଛ ହେଉ ସତ ହେଉ, ଗୋଟାଏ ଦୁର୍ନାମପାଇଁ ଘରଛାଡ଼ି ପୁଅ ପତି ଛାଡ଼ି ଜୀବନଟାକୁ ଅକୂଳକୁ ଭସାଇ ଦେଲି । ତଥାପି ଆଜି ବଞ୍ଚିଛି ସବୁ ସହି ସହି । ସ୍ୱାମୀ ଦିନେହେଲେ କେବେ ମୋତେ ଫେରାଇ ନେବାକୁ ମନେ ପକାଇ ନାହାନ୍ତି । ତଥାପି ବଞ୍ଚିଛି । ବଞ୍ଚିବା ଛଡ଼ା ଜୀବନରେ ମୋର କି ଆନନ୍ଦ କି ସୁଖ ? ସ୍ୱାମୀ ତୋର ସ୍ନେହୀ । ସବୁ ଜାଣିଶୁଣି ସୁଦ୍ଧା ସେ ଆଦର କରିବାକୁ ଆସନ୍ତି । ଥରକୁଥର ଆସନ୍ତି, ଥରକୁଥର ତୁ ତାଙ୍କୁ ଫେରାଇ ଦେଉ । ଗୋଟାଏ ବୃଥା ସନ୍ଦେହ, ଅମୂଳକ ଅପବାଦର ଛଳନାରେ ।

 

ଯନ୍ତ୍ରଣାରେ ସରସୀର ମନ ଭିତରେ ସତେକି ନିଆଁ ଜଳି ଉଠିଲା । ସେ ଦୁଇ ହାତରେ ମୁହଁ ଘୋଡ଼ାଇ ଦୀର୍ଘଶ୍ୱାସ ଛାଡ଼ିଲା । କ୍ଷୀଣସ୍ୱରରେ କହିଲା, କିଏ କହିଲା ?

 

ମୁଁ ଜାଣେ, ସବୁ ଜାଣେ । ଲୁଚାଇବାର ପ୍ରୟୋଜନ ନାହିଁ । ଯାହାର ମୋହରେ ପଡ଼ି ତୁ ତୋର ସ୍ୱାମୀକୁ ଉପେକ୍ଷା କରିଥିଲୁ, ତାକୁ ମୁଁ ଠକ ବୋଲି କହୁ ନାହିଁ । ମଣିଷର ଗୋଟାଏ ଦୁର୍ବଳ ଅବସ୍ଥା, ଦୁର୍ବଳ ମୁହୂର୍ତ୍ତରେ ଗୋଟାଏ ମୋହ, ଗୋଟାଏ ଉତ୍ତେଜନା ଆସେ । ମଣିଷ ତ ମଣିଷ ! ଦୁର୍ବଳତା ତା’ର ସ୍ୱାଭାବିକ ପ୍ରକୃତି । ତଥାପି ଦୁର୍ବଳତା ରହେ କେତେ ଦିନ ଭଉଣୀ ?

 

ସରସୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ଅବୋଧ୍ୟ ଭାଷାରେ କ’ଣ ଗୁଣୁଗୁଣୁ କରି କହି ଭୟ ଓ ସନ୍ଦେହରେ ଅସ୍ଥିର ହୋଇ ଉଠି ଠିଆ ହେଲେ । ଶଶୀ ତାଙ୍କର ହାତଧରି ପାଖରେ ବସାଇ ପୁଣି କହିଲେ, ଲାଜ ଭୟ କରୁଛୁ କାହାକୁ ଭଉଣୀ ? ନାରୀର ମନକଥା, ଗୋପନ ବ୍ୟଥା କିଏ ବୁଝିବ ? ଘନ ସଙ୍ଗେ ପ୍ରେମରେ ପଡ଼ିଲୁ, ତୁ କ’ଣ ଜାଣି ନଥିଲୁ ଦିନେ ତୋର ଏଇ ଅବସ୍ଥା ହେବ ? ପେଟରେ ପିଲା ଧରି ଆତ୍ମହତ୍ୟା କରିବା କ’ଣ ଭଲ ? ଶଶୀ ତୁନିହୋଇ ଉତ୍ତରକୁ ଅପେକ୍ଷା କଲା । ସରସୀ ମୁହଁରେ ହାତ ଦେଇ କାନ୍ଦିବାକୁ ଲାଗିଲେ ।

 

ଶଶୀ କହିଲା, ଭାବିଛୁ ଜୀବନ ହାରିବା ଛଡ଼ା ସଂସାରରେ ବଞ୍ଚି ରହିବାର ତୋର ଉପାୟ ନାହିଁ ? ମୁଁ କହୁଛି, ଅଛି । ଯାହାନେଇ ତୋର ସଂସାର, ଯାହାନେଇ ତୋର ଦୁଃଖ, ଭୟ, ଭାବନା ସେ ଯଦି ତୋତେ ଆଦର କରି ଗ୍ରହଣ କରନ୍ତି ? ସେ ଯଦି ସଂସାର ଆଗରେ ଠିଆ ହୋଇ କହନ୍ତି, ମୋର ସ୍ତ୍ରୀ ନିର୍ମଳ, ତେବେ ସଂସାରର ଭୋକିଲା କୁକୁରଗୁଡ଼ା କୁଆଡ଼େ ରହିବେ କହିଲୁ ? ହୁଏତ ଅସମ୍ଭବ ହୁଏତ ବୃଥା ସାନ୍ତ୍ୱନା ମଣୁଛୁ । ତଥାପି କିମିଆ କିମିଆର କରାମତି, ଏ କଥା କେହି ନାହିଁ କରି ପାରିବ ନାହିଁ ।

 

କିମିଆ !

 

ହଁ, କିମିଆ ।

 

ତୁ ଜାଣୁ ? ସରସୀର ମୁହଁରେ ଆଭା ଖେଳିଗଲା ।

 

ନୋହିଲେ ମୁଁ ଉପରେ ପଡ଼ି ଆସନ୍ତି କାହିଁକି ? ମଣିଷକୁ ବିପଦରେ ପକାଇବାକୁ, ପୁଣି ବିପଦରୁ ଉଦ୍ଧାରି ନେବାକୁ କିମିଆର ସୃଷ୍ଟି । ସବୁକଥା ମୋ ଆଗରେ କହ ଭଉଣୀ, ତୋରି ମୁହଁରୁ ତୋ ଜୀବନର କଥା ମୁଁ ଶୁଣିବାକୁ ଚାହେଁ କିଛି ଲୁଚେଇବୁ ନାହିଁ ।

 

କେତେ ଭାବିଚିନ୍ତି ସରସୀ ଆରମ୍ଭ କଲେ–

 

ନୂଆ ନୂଆ କେତେ ଆଦର ଯତ୍ନ, କେତେ ସୁଆଗ । ନଥିଲା ଘରର ଝିଅ, ବାପ ମାଆଙ୍କୁ ହେତୁ ନ ପାଉଣୁ ହରାଇଥିଲି । ମାମୁଘରେ ବଢ଼ିଛି । କେତେ ଛିନ୍‍ଛାକରା, କେତେ ହୀନିମାନ ସହିଛି । ଦେଲା ନାରୀ ହେଲା ପାରି । ମୁଣ୍ଡରୁ ବୋଝ ଖସାଇ ଲୋକନିନ୍ଦାରୁ ମାମୁ ନିଶ୍ଚିନ୍ତ । ତୁଣ୍ଡରେ କେବେ ପଚାରନ୍ତି ନାହିଁ । ୟାଙ୍କ ଘରକୁ ଆସି ସଂସାରର ବୋଝଟାକୁ ମୁଣ୍ଡ ଉପରକୁ ନେବାକୁ ହେଲା । ଆଉ କିଏ ଅଛି ? ସାବୀବୋଉ ପିଇସୀ, ଅଖୋଜା ମଣିଷ, ଗାଈ ନୁହନ୍ତି କି ମାଈ ନୁହନ୍ତି । ଏକା ସାବୀଟି । ପିଲା ହେଉ ପଛେ ହାତବାରିସି । ଭାରି କୁହାର ବୋଲର-

 

ତାଙ୍କଠୁଁ ଆଦର ସ୍ନେହ ପାଇଲେ ସବୁ କଷ୍ଟ ଭୁଲି ଯାଏ ଘଡ଼ିକପାଇଁ । କାମରେ ମନପ୍ରାଣ ଢାଳିଦିଏ । କିନ୍ତୁ ବେଳେବେଳେ ଦେଖେ, ସେ ମନମାରି ଅନ୍ୟମନସ୍କ ହୋଇ ମୁହଁ ଶୁଖାଇ ବସିଛନ୍ତି । ମନରେ ଭାରି ଦୁଃଖ ହୁଏ । କେଜାଣି କାହିଁକି ତାଙ୍କର ଦୁଃଖର କାରଣ ପଚାରିବାକୁ ସାହସ ହୁଏ ନାହିଁ । ପାଟିକୁ ପଇଟେ ନାହିଁ । ତାଙ୍କୁ ସୁଖୀ କରିବାକୁ ଜୀବନ ପଣ କରିଥାଏଁ । ଆଗରେ ହସନ୍ତି, ଖୁସି ହୁଅନ୍ତି । ମୁଁ ବୁଝିପାରେ, ତାଙ୍କ ମନ ଭିତରେ ଗୋଟାଏ କ’ଣ ଦୁଃଖର ନିଆଁ କୁହୁଳୁଛି । ତୁନି ରହେ ।

 

କେଉଁ ଲେଖାରେ ଘନ ତାଙ୍କର ଭାଇ ମୁଁ ଜାଣି ନଥିଲି । ବୋହୂ ଦେଖିବାକୁ କେତେ ଗାଁ ଲୋକ ଆସିଲେ, ଗୋଡ଼ରୁ ମୁଣ୍ଡ ଯାଏଁ ପ୍ରଶଂସା କରି ବାହୁନିଲେ । ତା’ପରେ ୟାଙ୍କ ଘରଦ୍ୱାର କେହି ମାଡ଼ନ୍ତି ନାହିଁ । ଆସନ୍ତି ଏକା ଘନ ଗୁଡ଼ବଣ୍ଟା ଦିନ ତାଙ୍କ ସଙ୍ଗେ ମୋର ପ୍ରଥମ ଜଣାଶୁଣା । କାନ ପାଖରେ ଅପା କହିଦେଲେ ତମ ଦିଅର ଲେଖା ହେବଗୋ ବୋହୂ !

 

ପଶୁପରି ନଇଁ ପଡ଼ି ଗୁଡ଼ ବାଣ୍ଟୁଥାଏ । ମୁଣ୍ଡରେ ମୋର ହାତେ ଓଢ଼ଣା । ଓଢ଼ଣା ତଳେ ଆଡ଼େଇ ଚାହିଁଲି, ତମ୍ବାତାର ପରି ଦେହ । ସବଳ ସୁନ୍ଦର ମୁହଁ । ହସି ହସି ଗୁଡ଼ ନେବାକୁ ଆସିଲେ-। ମୁଁ ତାଙ୍କ ହାତକୁ ଗୁଡ଼ ଦେଉ ଦେଉ ତାଙ୍କ ମୁହଁରେ ଗୁଡ଼ ହାତଟା ବୋଳିଦେଲି । ଯେତେଲୋକ ଥିଲେ ହୋହୋ ହୋଇ ହସି ଉଠିଲେ । ସେ କିନ୍ତୁ ଲାଜରା ହୋଇ ମୁହଁପୋଛି କହିଲେ, ହଉ ରହ, ମୋର ବେଳ ପଡ଼ିଲେ ମୁଁ ସୁଝାଇ ଦେବି ଯେ–

 

ମନେମନେ ହସିଲି । ୟାଙ୍କର ବେଳ ପଡ଼ିବ କେବେ ? ଏ କ’ଣ ବୋହୂ ହୋଇ ଗୁଡ଼ ବାଣ୍ଟିବାକୁ ଯିବେ ?

 

ଘନକୁ ୟେ ଭାରି ଭଲ ପାଆନ୍ତି । ଘନ ସବୁଦିନେ ୟାଙ୍କ ଘରକୁ ଆସନ୍ତି । ଗପ୍‍ସପ୍, ହସଖେଳ । ଯେତେବେଳ ଯାଏଁ ଘନ ଥାଆନ୍ତି, ୟାଙ୍କର ମୁହଁରୁ ହସ ବୋହି ଯାଉଥାଏ । ସେ ଗଲେ, ୟେ ପୁଣି ମୁହଁ ଶୁଖାଇ ବସନ୍ତି । ସେଥିପାଇଁ ମୁଁ ଭାବେ, ଘନ ବରାବର ୟାଙ୍କ ପାଖେପାଖେ ଥାଆନ୍ତେ କି ! ଅବଶ୍ୟ ମୋର ଟିକେ ଅସୁବିଧା ହୁଏ । ଗୁମୁଟିଘର ପରି ରୋଷଘର ଖଣ୍ଡେ । ଚୁଲିରୁ ଧୂଆଁ ଉଠି ଘରେ ମତେ ଉଯନ୍ତ୍ରି କରିଦିଏ । ତଥାପି ମୁଁ ପାନ ପେଟରାଟି ଫିଟାଇ ପାନ ଭାଙ୍ଗି ବସେ । କାଚ ଥାଳିଆରେ ଭଙ୍ଗାପାନ ସଜାଡ଼ି ସାବ ହାତରେ ପଠାଇ ଦିଏ । କବାଟ ଜଳା ବାଟେ ମୁଁ ଚାହିଁ ରହିଥାଏ ତାଙ୍କୁ ।

 

ଦିନେ ଦିନେ ସେ ଆସି ମୋ ଆଗରେ ଠିଆ ହୁଅନ୍ତି । ଲାଜରେ ମୁଁ ଶଢ଼ିଯାଏ । ଭଲକରି କାନି ଘୋରି ହୋଇ ମୁଣ୍ଡରେ ଲମ୍ବା ଓଢ଼ଣା ଦେଇ ପଛ କରି ବସେ । ସେ କହନ୍ତି, ଅପା, ମୋତେ ଦେଖିଲେ ତମ ବୋହୂ ଏପରି ପାଳଗଦା ପରି ବସନ୍ତି କାହିଁକି ?

 

ଅପା କହନ୍ତି, ଭାରି ଲାଜକୁଳୀଟା । ଆଗୋ ବୋହୂ, ତମେ ଘନକୁ ଏମିତି ଆଡ଼ ହେଉଛ କ’ଣ ମ ! ଛୋପରା !

 

ମୁଁ ଶୁଣେ ନାହିଁ । ଘନ କେତେକଅଣ ଥଟ୍ଟା କରି ଫେରନ୍ତି । ସେ ବାହାରିଲେ ତାଙ୍କ ଚାକିରି ଗାଁକୁ । କହିଲେ, ଘନ, ବେଳେବେଳେ ଆସି ଟିକେ ଖବର ଅନ୍ତର ବୁଝୁଥିବୁ । ଭାଇଟି ପରା, ମାଇପି ଘର, କାଳେ ହଇରାଣ ହରକତ୍ ହେବେ । ମୁଁ ଯାଉଛି ଚାକିରି ଗାଁକୁ । ଶୁଣ ଅପା, ଯେତେ କହିଲେ ତୋ ବୋହୂ ମୋଟେ ଶୁଣୁ ନାହିଁ । ଆଲୋ, ଘନ ମୋର ଭାଇ, ତାକୁ ଗୋଟାଏ ଆଡ଼ ଉଢ଼ୁଆଳ କ’ଣ ? ଘନ ପିଲାଟା, ମୋଠୁ ସାତ ଆଠ ବରଷ ସାନ । ତାକୁ କଥା ନ କହିଲେ ତା’ ମନରେ କଷ୍ଟ ହେବ ନାହିଁ ?

 

ଅପା କହିଲେ, ଭାରି ଲାଜକୁଳୀ ବୋହୂଟା ।

 

ମୁଁ ଭାବୁଥାଏ, ତମଠୁ ଘନ ସାତ ଆଠ ବରଷ ସାନ, ମୋଠୁଁ ସେତିକି ବଡ଼ ହେବ କି କ’ଣ । ଘନ ଲୁଗା କାନି ମୁହଁରେ ଦେଇ ମୁରୁକି ହସୁଥାନ୍ତି । ଆଖି ଦିଇଟା ମୁଁ ଥିବା ରୋଷଘର ଜଳାକବାଟି ଉପରେ ଥାଏ ।

 

ଘନ କହିଲେ, ଆପଣ ଚାକିରି ଗାଁକୁ ଯିବେ ନା କଟକ ଯିବେ ?

 

କଟକ ନାମ ଶୁଣି ତାଙ୍କ ମୁହଁ ଫିକା ପଡ଼ିଗଲା । ଟିକିଏ ଭାବିଚିନ୍ତି ସେ କହିଲେ, କଟକ ଯିବି କାହିଁକି ? କେଜାଣି, ଜମିଦାରଙ୍କ କାମରେ ଦରକାର ପଡ଼ିଲେ ହୁଏତ ଯାଇପାରେ ।

 

ଘନ ତୁନି ରହିଲେ । ସାବ ହାତରେ ପାନ ପଠାଇ ଦେଲି । ସେମାନେ ଗଲେ ।

 

ଦୁଃଖେ ସୁଖେ ବେଳ କଟି ଯାଉଥାଏ । ମାସେ ପନ୍ଦରଦିନରେ ସେ ଚାକିରି ଗାଁରୁ ଘରକୁ ଆସନ୍ତି । ଦୁଇ ତିନି ଦିନ ରହି ପୁଣି ଚାଲି ଯାଆନ୍ତି । କିନ୍ତୁ ଘନ ପ୍ରାୟ ଆସନ୍ତି ବରାବର । ଖବର ଅନ୍ତର, ଭଲମନ୍ଦ ବୁଝି ଯାଆନ୍ତି । ସାବ ସାଙ୍ଗରେ ତାଙ୍କର ବେଶୀ କଥାବାର୍ତ୍ତା । ତୁନି ତୁନି କରି ଖାଲି ମୋରି କଥା ପଚାରନ୍ତି, ମୁଁ କେଉଁଠି ଅଛି, କ’ଣ କରୁଛି । ପିଲା ଲୋକ ସାବ, ସବୁ କହେ–ନୂଆବୋହୂ ଆର ଘରେ ପାନ ଭାଙ୍ଗୁଛି, ନୂଆବୋହୂ ବାରିରୁ କାକୁଡ଼ି ତୋଳୁଛି ।

 

ଘନ କେତେବେଳୁ ଛପି ଛପି ଆସି ଉହାଡ଼ରେ ଠିଆ ହୋଇ ମୋରି ଆଡ଼କୁ ଚାହିଁ ହସୁଥାନ୍ତି । ମନ ଥାଏ ମୋର କାମରେ । ଘରେ ତ ଆଉ କେହି ନାହିଁ, ଘନ ଯେ ଏମିତି ଅସମୟରେ ଆସିବେ, ସେ କଥା କିଏ ଜାଣିବ ? ଦେହରେ ମୁଣ୍ଡରେ ଲୁଗା ନାହିଁ, କାମ କରୁ କରୁ ଅସାବଧାନତାରୁ କେତେବେଳେ ଖସି ଯାଇଛି । ଘରେ ଆଡ଼ ହେବା ଲୋକ ନାହିଁ ସେଇଥିପାଇଁ ତ ଏ ଅସାବଧାନତା । ଖଣ୍ଡିକାଶ ଶୁଣି ମୁଁ ମୁହଁ ଫେରାଏ । ଦେଖେ, ଦୂରରେ ଠିଆ ହୋଇ ମୋରି ଆଡ଼କୁ ଚାହିଁ ଘନ ହସୁଛନ୍ତି । ସେହି ମୁହୂର୍ତ୍ତକର ବିଜୁଳି ଦେଖାରେ ତାଙ୍କର ଆଖି ଦିଇଟାରେ ମୁଁ ଯେପରି ଗୋଟାଏ ମୋହ, ଗୋଟାଏ ମାଦକତା ଦେଖେ । ଭୟରେ, କି କେଜାଣି କାହିଁକି, ମୋର ଛାତି ଭିତରେ ଥରି ଉଠେ । ମୁଁ ଆଡ଼ ହୋଇ ଘୁଞ୍ଚିଯାଏ । ସେ ହୋହୋ ହସି ପାଟି କରି କହି ଉଠନ୍ତି, ଦେଖିଲି ତମ ବୋହୂକୁ ଅପା ! ଏତେ ପରା ଆଡ଼ ହୁଅନ୍ତି ? ଏଇ ବୋହୂକୁ ଏତେ ପ୍ରଶଂସା-! ଯେଉଁ ରୂପ ତ ! ଅ–ଅ । ରୁମାଲରେ ମୁହଁରୁ ଝାଳ ପୋଛନ୍ତି ।

 

ଅପା କହନ୍ତି, କାହିଁକିରେ, ଚନ୍ଦ୍ରଉଦିଆ ରୂପ, ଗୁଣ୍ଠୁଣି ହାତୀ, ପାନ ପତର ପରି ମୁହଁ । ଗାଁଯାକରେ ବୋହୂଟାଏ । କିଏ ଫେରେ ବାଛିବ ! ଏକା ତୁଇ । ତୋର ମନକୁ ତ ଆସେ ନାହିଁ ସେଇଥିପାଇଁ ନିତି ଆସି ଛପି ଛପି ତାକୁ ଦେଖୁ । ନିତି ତା’ର ନିନ୍ଦା ଗାଇ ହେଉ ତଥାପି ତୋର ମନ ମାନେ ନାହିଁ । ମନକଲେ ଠାକୁର ପାଖେ ମାନସିକ କରିଥିବୁ ଏମିତି ଗୋଟିଏ ବୋହୂ ମିଳନ୍ତା କି ?

 

ସେ ଲାଜରା ହୋଇ ପ୍ରତିବାଦ କରନ୍ତି, ଧେତ୍, ତମର ଖାଲି ସେଇ କଥା । ଠାକୁର ଫାକୁର ମୁଁ ମାନେ ନାହିଁ । ମୁଁ ଯାଉଛି । ମୁଁ ଚୁ ଚୁ କରେ । ସାବ ଆସେ । କହେ, କହ ପାନ ନେଇ ଯିବେ । ସାବ ଡାକି କହେ, ପାନ ନେଇ ଯାଅ ଘନ ଭାଇ । ସେ ଅପେକ୍ଷା କରନ୍ତି । ଦୁଆରଯାକେ ଟହଲୁ ଟହଲୁ କେତେ ଆଡ଼ ଗପ ପକାନ୍ତି । ଅସରନ୍ତି ଗପ–ମୂଳ ନାହିଁକି ଶେଷ ନାହିଁ । ପାନ ଭାଙ୍ଗି ପଠାଇ ଦିଏ । ସେ ନିଅନ୍ତି ନାହିଁ, କହନ୍ତି, ଅପା, ତମ ବୋହୂ ଯଦି ମୋ ହାତକୁ ପାନ ନ ଦେବେ ମୁଁ ନେବି କାହିଁକି ? ଆମ ଘରେ ଢେର୍ ପାନ ଅଛି ।

 

ଅପା ଆକଟି କହନ୍ତି, ଦେଉନାଗୋ ବୋହୂ । ମୁଁ ସଂକୋଚରେ ଦେଇପାରେ ନାହିଁ । ସେ ପାନ ନ ନେଇ ଫେରନ୍ତି ।

 

ଅପା ଗାଳିଦେଇ କହନ୍ତି, ବଡ଼ ଭୁଲ୍ କଲ ବୋହୂ ! ଘନ ପରି ପିଲା, କେଡ଼େ ଉପକାରୀ ତ ଦେଖୁଛ । ମା’ ପେଟର ଭାଇଠୁ ବଳି । ବୃନ୍ଦାବନ ତାକୁ ଭାରି ଭଲ ପାଏ । କବାଟ ଉହାଡ଼ରେ ଥାଇ ହାତକୁ ଖଣ୍ଡେ ପାନ ବଢ଼ାଇ ଦେଇଥିଲେ କ’ଣ ଭାଗବତ ଅଶୁଦ୍ଧ ହୋଇଥାନ୍ତା ? ମନରେ ଧରିବା ପିଲା ସେ ନୁହେଁ । ଦେଖୁଥିବ ତ ଢଙ୍ଗ । ପାଞ୍ଚ ବରଷର ପିଲା ପରି ସରଳ । ଭଲ କରିନା, ଛି !

 

ଭାବେ, ମୋ ହାତରୁ ପାନ ଖଣ୍ଡେ ନେବାକୁ ସେ ଏଡ଼େ ବ୍ୟଗ୍ର କାହିଁକି ? ମନେମନେ ଗୌରବ ଅନୁଭବ କରେ । କହେ, ଲାଜ ମାଡ଼ୁଛି ଅପା ।

 

ଏଣିକି ଘନ ଆସିଲେ ମୁଁ ପାନ ଭାଙ୍ଗି କାଚ ଥାଳିଆ ବଢ଼ାଇ ଦିଏ । ସେ ଆଗ୍ରହରେ ନିଅନ୍ତି । କେଡ଼େ ଖୁସିରେ ପାନ ଖଣ୍ଡେ ପାଟିରେ ପୂରାଇ ଛେଳି ପରି ପାକୁଳି କରନ୍ତି । ପ୍ରଶଂସା କରି କହନ୍ତି, ପାନ ନୁହେଁ ଏ ନୂଆବୋହୂ, ସାକ୍ଷାତ୍ ଲକ୍ଷ୍ମୀଙ୍କ ହାତଲଗା ଅମୃତ । ପ୍ରଶଂସା ଶୁଣିଲେ ମାଇପି ଲୋକ ମନ କୁଣ୍ଢେମୋଟ ହୁଏ । ଭାବେ, ଘନ ମୋତେ ଭଲପାଆନ୍ତି ।

 

କଟକୀ ସାବୁନ, ବାସନା ତେଲ, ରଙ୍ଗଢ଼ଙ୍ଗର ଜାମା ଆଣି ସେ ମୋତେ ଉପହାର ଦିଅନ୍ତି । ବେଳେବେଳେ କହି ଦବାକୁ ମନ ହୁଏ, ଏଗୁରା ମୋର କ’ଣ ହେବ ? କିନ୍ତୁ ମୁଁ ତ ତାଙ୍କୁ ଆଡ଼ ହୁଏ, କଥା କହିବି କେମିତି ? ସାବ କି ଅପାଙ୍କ ହାତରେ କହି ପଠାଇବାକୁ ସରମ ଲାଗେ । ଛି, କ’ଣ ଭାବିବେ ?

 

ଦିନକର ଦିପହରବେଳ, ସେଘରେ ଅପା ଶୋଇ ପଡ଼ିଛନ୍ତି ନିଦରେ, ସାବଟିବି ମୋ କତିରେ ନିଦରେ ଶୋଇଛି, ମୁଁ ଚେଇଁଥାଏ, ସେ ଆସି ପହଞ୍ଚିଲେ । କ’ଣ ଗୋଟାଏ ଦରକାର ପଡ଼ିଲା, ମୁଁ ତାଙ୍କରି ଆଗରେ ରୋଷଘରକୁ ଚାଲିଗଲି, ଘୋରିପୁରି ହୋଇ, ଓଢ଼ଣା ଦେଇ । ସେ କହିଲେ, ବୃନ୍ଦାବନ ଭାଇ ଚିଠି ଦେଇଛନ୍ତି, ପୋଷ୍ଟ୍‍କର୍ଡ଼୍, ଲେଖିଛନ୍ତି, ଆଜି ଆସିବାର ଥିଲା, ବିଶେଷ ଜରୁରି କାମ ଥିବାରୁ କଟକ ଚାଲିଗଲେ । ଏଇ ନିଅ । ପୋଷ୍ଟ୍‍କାର୍ଡ଼୍ ଖଣ୍ଡି ରୋଷଘରକୁ ମୋ କତିକି ପକାଇ ଦେଲେ । କହିଲେ, ଯାଉଛି ।

 

ଲଣ୍ଡଭଣ୍ଡ କରି ପାନ ଦିଖଣ୍ଡ ଭାଙ୍ଗି ହାତ ପଦାକୁ ବଢ଼ାଇ ଦେଲି । ସେ ଦୁଆରୁ ଆସି ପାନ ନେବେ କ’ଣ ମୋ ହାତ କଚଟିକୁ ଧରି କହିଲେ, ୟାମାନେ ଯାହା ମୁହଁ ଖୋଲି କଥା କହିବା ସେଇଆ । ଥଟ୍ଟା ମଣି ମୁଁ ହସିଲି । ସେ ହସି ହସି ଘର ଭିତରକୁ ଆସିଲେ । ସେମିତି ମୋର କଚଟି ଧରିଥାନ୍ତି ।

 

ଆଜି କଥା ନ କହିଲେ, ଛାଡ଼ିବି ନାହିଁ କେବେ । ଭାରି ଲାଜ ମାଡ଼ୁଥାଏ । ତାଙ୍କୁ ନ ପଚାରି ଏଡ଼େ ବଡ଼ ଦିଅରଟାକୁ କଥା କହିବି କେମିତି ? ତୁନି ରହିଲି । ହାତ ଖସାଇ ନେବାକୁ ଚେଷ୍ଟା କଲି, ପାରିଲି ନାହିଁ ।

 

ସେ ଟିକିଏ ବିସ୍ମିତ ହୋଇ ହଠାତ୍ କହିଲେ, ନୂଆବୋହୂ, ତମେ ଏଡ଼େ କମ୍ ଉଞ୍ଚ ! ମୋର ବେକଯାଏ ହେବ କି ନାହିଁ । ଆସିଲ କଣ୍ଟିବା ! ମୋର ବାଧା ଦେବାର ଅବସର ନଥିଲା । ପଛ କରି ଠିଆ ହୋଇଥିଲି । ସେ ମୋର ଦୁଇହାତ ଧରି ନିଜ ଆଡ଼କୁ ଘୁଞ୍ଚାଇ ନେଲେ । ମୋର ପିଠିପଟ ତାଙ୍କ ଦେହରେ ଜଡ଼ାଇ ଦେଇ ଥରିଲା ସ୍ୱରରେ କହିଲେ, ଠିକ୍ ବେକ ଖାଉଛ । ତଥାପି ମୋର ହାତ ଛାଡ଼ିଲେ ନାହିଁ ମୁହୂର୍ତ୍ତେ କାଳ । ତାଙ୍କର ଦେହ ଥରୁଥାଏ । କେତେବେଳକେ ମୋର ହାତ ଛାଡ଼ି ଖନେଇ କହିଲେ, ଯାଉଛି । ଚାଲିଗଲେ ।

 

ଦେହ ମୋର ଥରୁଥାଏ । ମନରେ କେତେ ପାପ ଛୁଇଁଲା । ପୁଣି ଭାବିଲି, ଘନ ଭାରି ପିଲାଳିଆ । ଏପରି ଉଚ୍ଚ କଣ୍ଟିବା ଭିତରେ ଯେ ତାଙ୍କର ଗୋଟାଏ କିଛି ଉଦ୍ଦେଶ୍ୟ ଥିଲା ଏ କଥା ବୁଝି ମଧ୍ୟ ମୁଁ ଯେପରି ବୁଝିଲି ନାହିଁ । ତାଙ୍କୁ ମୁଁ ଆଡ଼ ହୁଏ, ମୁଣ୍ଡରୁ ଲୁଗା କାଢ଼ି ମୁହଁକୁ ସାମନାସାମନି ଚାହିଁ ପାରେ ନାହିଁ । ହାବଡ଼ା ଝଟକା କେବେ ଯଦି ଆଖିକୁ ଆଖି ମିଳିଯାଏ, ଆଖି ଅନ୍ୟଆଡ଼େ ଫେରାଏ ସଂକୋଚରେ । ଆଡ଼ ସଂକୋଚ, ତହିଁରେ ପୁଣି ଥଟ୍ଟା ସମ୍ପର୍କ, ଏହି ସବୁ ତ ପରପୁରୁଷକୁ ନାରୀ ଉପରେ ଅନଧିକାର ଚର୍ଚ୍ଚା କରିବାର ସୁଯୋଗ ଆଣିଦିଏ । ମୁଁ ଯଦି ତାଙ୍କୁ ଆଡ଼ ହେଉ ନଥାନ୍ତି, ଯଦି ତାଙ୍କ ମୁହଁକୁ ଚାହିଁ ପାରୁଥାନ୍ତି, ମୁହଁକୁ ଚାହୁଁଚାହୁଁ ସେ କ’ଣ କେବେ ମୋର ହାତ ଧରି ନିଜ ଆଡ଼କୁ ଟାଣି ନେଇ ପାରିଥାନ୍ତେ ? ମୋ ମନର ଭାବ ଆଖି ଓ ମୁହଁରେ ଯେତେବେଳେ ଉକୁଟି ଉଠନ୍ତା ତାଙ୍କର ହାତ ଦିଇଟା ମୋ ହାତରୁ ଖସି ପଡ଼ନ୍ତା; କିନ୍ତୁ, ମୋର ମନର ଭାବଟା ଯେ ମୋର ମୁହଁ ଆଖିରେ କିପରି ପ୍ରତିଫଳିତ ହେଲା ତାହାତ ଓଢ଼ଣା ଭିତରେ ସମାଧି ପାଇଲା ।

 

ଥରେ ନୁହେଁ, ଦୁଇଥର ନୁହେଁ, ଅନେକ ଥର । ଅପା ଥାଆନ୍ତୁ ବା ସାବ ଥାଉ, ଯେ କେହି ଥାଉ, ଉଚ୍ଚ କଚ୍ଛିବା ବାହାନାରେ ସେ ମୋର ଦୁଇହାତ ଧରି ନିଜ ଦେହକୁ ଲଗାଇ ଦିଅନ୍ତି । ଦୁଇ ହାତରେ ମୃଦୁ ଚାପ ଦେଇ ପିଲାଳିଆ ହସ ହସି କହନ୍ତି, ଦେଖ ଅପା, ତମର ଦୁଲଣା ବୋହୂଟି କେଡ଼େ ଟିକିଏ । ୟେ ଫେର୍ ଗୋଟାଏ ମଣିଷ !

 

ମୋର ଟିକିଏ ସ୍ପର୍ଶ ପାଇବାକୁ ତାଙ୍କୁ ଭାରି ଭଲ ଲାଗେ । ନୋହିଲେ ସବୁଦିନେ ଏ ଅଭିନୟ କାହିଁକି ? ଏଣିକି ପାନ ବଢ଼ାଇ ଦେଲେ ମୋର କଚଟିକୁ ଧରି ମୋର ହାତରୁ ପାନ ଖାଆନ୍ତି । ଏ ବି ତାଙ୍କର ଗୋଟାଏ ପ୍ରକାର ଆନନ୍ଦ । ଏଣିକି ଆଉ ତାଙ୍କର ଦେହ ହାତ ଥରେ ନାହିଁ କି ପାଟି ଖନି ବାଜେ ନାହିଁ । ମୋରବି । ତାଙ୍କର ଏ ପିଲାଳିଆ ଢଙ୍ଗ, ଖେଳ ଓ ଆନନ୍ଦରେ ଯୋଗଦେବାକୁ ମନରେ କିପରି ଗୋଟାଏ କୌତୂହଳ, ଗୋଟାଏ କେମିତି ଅଜଣା ଆନନ୍ଦବି ମୋର ହୁଏ । ବାଧା ଦେଇପାରେ ନାହିଁ ।

 

ଦିଅନ୍ତି ବା କିପରି ? ମୁଁ ଯେ ମୂକ । ସେ କେତେବେଳେ ମୋ ଆଡ଼କୁ କିପରି ଭାବରେ ଚାହାନ୍ତି, ହସନ୍ତି, ଦରକାର ନଥିଲେବି ମିଛ କାମ ବାହାନାରେ ମୋ ଥିବା ଘରକୁ ପଶି ଆସି ଅସାବଧାନ ଅବସ୍ଥାରେ ମୋର ଅଧଲଙ୍ଗଳା ଦେହ ଦେଖି ଆନନ୍ଦ ଅନୁଭବ କରନ୍ତି, ନୋହିଲେ ବା ହାତ ପାପୁଲିକୁ ଟାଣି ନେଇ ମୁହଁରେ ଲଗାଇ କହନ୍ତି, କେଡ଼େ କଅଁଳ ତମର ହାତ, ଏ ସବୁର କୈଫିୟତ ମାଗିବାକୁ ଇଚ୍ଛା ହେଲେବି ପାଟି ଫିଟେ ନାହିଁ । ପାଟି ଫିଟେଇବାର ଅଧିକାର ଯେ ନାହିଁ । ମନକଥା ମନରେ ମରେ । ତୁନି ହୋଇ ରହେ ।

 

ମୋର ଯେ ଏକଥାରେ ଦୋଷ ନଥିଲା ତା’ ନୁହେଁ । ବରଂ ଦୋଷଟା ବେଶୀ ମୋର । ମାମୁଘରେ ଥିବାବେଳେ କେଡ଼େ ଆକଟ, କେଡ଼େ ଯାବତାରେ ଥିଲି । ଝିଅ ହୋଇ ବୋହୂ ପରି କାରବାର । ଦେହରୁ ଟିକିଏ ଲୁଗା ଖସିଗଲେ ମାଈଁ ନାଲିଆଖି ଦେଖାନ୍ତି । ପାଟି ଟିକେ ବଡ଼ ହୋଇଗଲେ ସେ ବିରକ୍ତି ହୋଇ କହନ୍ତି, ୟେ କ’ଣ ସର, ବଢ଼ିଲା ଝିଅ, ନା ପକାଇବ କି ? ହାତେ ଡରି ପାତାଳରେ ପଶେ । ବାହା ହୋଇ ୟାଙ୍କ ଘରକୁ ଆସିଲା ଦିନରୁ ସ୍ୱାଧୀନତା ଟିକିଏ ବଢ଼ିଗଲା-। ମାଈଁଙ୍କର ଆକଟ ନାହିଁ କି ଶାଶୁ ନଣଦ ଗଞ୍ଜଣାର ଡର ନାହିଁ । ମନରୁ ଡର ଛାଡ଼ିଗଲା-

 

ପରପୁରୁଷର ହାତ ଧରି ପରଘରକୁ ଆସି ମଧ୍ୟ ଥାଏ ଯେପରି ଅଭିଆଡ଼ୀ ଝିଅ । ଯାହାଙ୍କର ହାତ ଧରିଛି ବୟସରେ ସେ ମୋଠାରୁ ଢେର୍ ବଡ଼ । ଯୁବତୀ ଝିଅର ବିବାହ ପରେ ଯେଉଁ ସୁଖର ଆଶାଟିକ, ସେତକ ପୂରଣ ହୋଇଥିଲା । ପ୍ରଥମଥର, ଯେ କେତୋଟି ଦିନ ସେ ଘରେ ଥିଲେ । ଯୁବତୀର ସୁପ୍ତଚେତନାକୁ ଥରେ ଜାଗ୍ରତ କରି ତେଣିକି କରଛଡ଼ା ଦେଇ ରହିଲେ ଫଳ କ’ଣ ହୁଏ ଭଉଣୀ ? ଧର୍ମ ଭୟ, ସମାଜର ଭୟ, ଯେତେ ଯାହା ଭୟ କହ, ଚଳନ୍ତି ସୁଅ ଆଗରେ ଦୁର୍ବଳ ବାଲିବନ୍ଧପରି କେତେବେଳେ ରହିବ କହିଲୁ ? ମିଳନର ପ୍ରବଳ ମୋହ, ପ୍ରେମର ଉଛୁଳା ସୁଅକୁ ଅଟକାଇ ରଖି ହେବ କେତେଦିନ ? ମଣିଷ ଜନ୍ମରୁ ଆଦି ଆନନ୍ଦର ବିରୁଦ୍ଧାଚରଣ କରି ରହିବା କ’ଣ ଏଡ଼େ ସହଜ ! ପରର ଶିକ୍ଷା, ପୋଥିର ଉପଦେଶ, ଲୋକଲଜ୍ଜା, ଡର, ଏ ସବୁ କ’ଣ ଭିତରର ଯନ୍ତ୍ରଣାକୁ ଶମିତ କରିବ ? ତତଲା ମରୁଭୂଇଁର ଭୋକ କ’ଣ ତତଲା ପବନରେ ମେଣ୍ଟେ ?

 

ଏ ସବୁ କାହିଁକି କହୁଛି ବୋଧହୁଏ ବୁଝି ପାରୁନୁ । ଶୁଣ । ପନ୍ଦର ଦିନ, ମାସେ, କେବେକେବେ ବା ଦୁଇମାସ, ଚାରି ମାସରେ ୟେ ଘରକୁ ଆସନ୍ତି । ଭୋକିଲା ଆତ୍ମା ମୋର ଆହୁରି ଭୋକରେ ଛଟପଟ ହୁଏ । ମିଳନ ଆନନ୍ଦର ଆଶା ତେଜି ଉଠେ । କିନ୍ତୁ ଫଳ କ’ଣ ହୁଏ ଜାଣୁ ? ଲାଜର କଥା । ତଥାପି କହୁଛି, ସ୍ୱାମୀ ମୋର ଘରକୁ ଆସିଛନ୍ତି । ଆନନ୍ଦରେ ଗୋଡ଼ ତଳେ ଲାଗେ ନାହିଁ । ତାଙ୍କୁ ସୁଖୀ କରିବାକୁ ସକାଳୁ ସଞ୍ଜଯାଏ କାମରେ ଲାଗିଥାଏ । ଦିନର ଆଲୁଅ ଲିଭେ । ସଞ୍ଜ ବୁଡ଼େ । ଆଶା ହୁଏ ତାଙ୍କୁ ମୁଁ ପାଖରେ ପାଇବି, ହୃଦୟର ଅତି ପାଖରେ, ଆତ୍ମାର ଅତି ପାଖରେ । ଦେବତା ମୋର ଆସିଛନ୍ତି । ତାଙ୍କୁ ଅଭ୍ୟର୍ଥନା କରିବି । ହୃଦୟର ସବୁ ପ୍ରେମ ଅଜାଡ଼ିଦେବି ନିଃଶେଷ କରି ତାଙ୍କରି ଗୋଡ଼ ତଳେ, ପୂଜାର ସବୁ ସମ୍ଭାର । ଆଜି ମୋର ଅତି ପବିତ୍ର ଦିନ । ସ୍ୱାମୀ ମୋର ଆସିଛନ୍ତି । ପୂଜା ଗ୍ରହଣ କରିବେ । ସତରେ ଭଉଣୀ, ଦୁନିଆଟା ମୋ ଆଖିକି ଗୋଟାଏ ନୂଆ ଢଙ୍ଗର ଦେଖାଯାଏ । କେଡ଼େ ସୁନ୍ଦର, ମନମତାଣିଆ ।

 

ମୁଣ୍ଡ ବାନ୍ଧେ । ପେଡ଼ିରୁ କାଢ଼ି ଭଲ ଲୁଗାଟିଏ ଯତ୍ନକରି ପିନ୍ଧେ, ଗହଣାଗାଣ୍ଠି ଯାହା ଥାଏ ପରିଷ୍କାରକରି ନାଏ । ସ୍ୱାମୀ ମୋର ବିଦେଶରୁ ଆସିଛନ୍ତି । ଛି, କେମିତି ମଇଳା ଅସନା ହୋଇ ତାଙ୍କୁ ଭେଟିବି । ଅଳତା ପିନ୍ଧେ, ବଗିଚାରୁ ମଲ୍ଲୀଫୁଲ ତୋଳି ହାର ଗୁନ୍ଥି ମଶାରି ବାଡ଼ରେ ଝୁଲାଇ ଦିଏ । ପଲଙ୍କ ଉପରେ ପରିଷ୍କାର ବିଛଣାଚଦର । ଆଲୁଅ ଜାଳି ଚାହିଁ ବସି ଥାଏ ।

 

ମୋର ଏ ସବୁ ଢଙ୍ଗ ଦେଖି ସାବୀ ବଲବଲ କରି ମୋ ମୁହଁକୁ ଚାହେଁ । କ’ଣ ପଚାରିବ ପଚାରିବ ହୁଏ, ପଚାରେ ନାହିଁ । ଅପା ନିଜେ ଯାଇ ରୋଷଘରର ସବୁ କାମ କରନ୍ତି । ସେ ମୋ ମନର ସବୁ ଭାବ ବୁଝନ୍ତି ଯେପରି ।

 

ଚାହିଁ ଚାହିଁ ରାତିଅଧ ହୁଏ । ସେ ଗାଁଯାକ ବୁଲି ଫେରନ୍ତି । ଅପା ଭାତ ବାଢ଼ିଦିଅନ୍ତି । ସେ ଖାଇ ବସନ୍ତି, ଖାଇସାରି ମୋରି ଘରକୁ ଆସନ୍ତି । ଲାଜରେ ମୁଁ ପଲଙ୍ଗ ଉପରୁ ଉଠି ତଳେ ଠିଆ ହୁଏ । ସେ ମୋ ମୁହଁକୁ ମୁଗ୍ଧ ଆଖିରେ ଚାହାଁନ୍ତି । ପାଖକୁ ଘୁଞ୍ଚିଆସି ମୋତେ ଆଲିଙ୍ଗନ କରି ମୋର ଚିବୁକରେ ମୁହଁ ଲଗାନ୍ତି । ତାଙ୍କର ଥରଟିଏ ଆଲିଙ୍ଗନ, ଗୋଟିଏ ଚୁମ୍ବନରେ ମୋର ଶିରାପ୍ରଶିରାରେ ବିଜୁଳି ଖେଳିଯାଏ । ଭୋକିଲା ପ୍ରାଣ ଆହୁରି ଭୋକରେ ମ୍ରିୟମାଣ ହୁଏ । ଇଚ୍ଛା ହୁଏ, ଦୁଇ ହାତରେ ତାଙ୍କୁ ଛାତି ଉପରେ ଯାକି ଧରିବି, ଦେହର ପ୍ରତ୍ୟେକ ଲୋମ ମୂଳର ଅସରନ୍ତି କ୍ଷୁଧା ମେଣ୍ଟାଇବି । ଦୁନିଆଟା ସେତେବେଳେ ମୋ ଆଖି ଆଗରୁ ସତେକି ଘୁଞ୍ଚି ଘୁଞ୍ଚି କାହିଁ ଚାଲିଯାଏ । ମନେ ହୁଏ, ସଂସାରର ମହାଶୂନ୍ୟତା ଭିତରେ ଆମେ ଦୁଇ ଜଣ ମାତ୍ର, ଦୁଇଟି ଜୀବ । ଯେତେବେଳେ ତାଙ୍କର ହୃଦୟର ସ୍ପନନ୍ଦଟି ମୋର ହୃଦୟରେ ଲାଗେ, ମୁଁ ଆଖି ବୁଜି ତାଙ୍କରି ଛାତି ଉପରେ ମୁଣ୍ଡଟି ନୁଆଁଇ ଦିଏ ।

 

ବେତ୍ରାହତପରି ମୋତେ ଛାଡ଼ି ସେ ପଛକୁ ଘୁଞ୍ଚିଯାନ୍ତି । ମୁଁ ଅବାକ ହୋଇ ତାଙ୍କ ମୁହଁର ପରିବର୍ତ୍ତନ ଲକ୍ଷ୍ୟ କରେ । ସେ ହସି ହସି କହନ୍ତି, ଆଜି ବଡ଼ ଗରମ ହେଉଛି ସରସୀ । ପଦାକୁ ବାହାରି ଯାଆନ୍ତି । ପାଟିକରି କହନ୍ତି, ଅପା, ଏଇ ମଝି ଘରକୁ ଖଣ୍ଡେ ସପ ଆଉ ତକିଆ ଆଣ । ଓଃ, ବଡ଼ ଗରମ ।

 

ଅପା ପ୍ରତିବାଦ କରି କହନ୍ତି, ଛି, ସେ ଅଳିଆଗଦା ଅରମା ଭିତରେ କାହିଁକି ଶୋଇବୁରେ ପୁଅ, ଘରକୁ ଯା ।

 

ଉତ୍ତର ଦିଅନ୍ତି, ବଡ଼ ଗରମ ହେଉଛି ।

 

ଅପା ଧାଇଁ ଆସନ୍ତି ମୋ ଘରକୁ । ଲାଜରେ ମୁଁ ମୁହଁ ପୋତେ । ପଚାରନ୍ତି, କ’ଣ ହେଲା କି ବୋହୂ ?

 

ଆଖିରୁ ଲୁହ ଝରି ପଡ଼େ । କାନ୍ଥ ସନ୍ଧିରେ ମୁହଁ ଲୁଚାଇ କହେ, କିଛି ନାହିଁ, ଗରମ ହେଉଛି । ସେ କ’ଣ ବୁଝନ୍ତି କେଜାଣି, ତୁନି ହୋଇ ଘରୁ ବାହାରି ଯାଆନ୍ତି ।

 

ପିଲା ଲୋକ ସାବ, କିଛି ବୁଝେ ନାହିଁ । ପଲଙ୍କ ଉପରେ ମୋରି କୋଳରେ ଚଟ୍‌କରି ଶୋଇପଡ଼େ । ମୁଁ ବିଛଣାରେ ପଡ଼ି ରହେ । ନିଦ ହୁଏନାହିଁ । ମନ ଛଟପଟ ହେଉଥାଏ । ମନଇଚ୍ଛା କାନ୍ଦେ । କାନ୍ଦି କାନ୍ଦି ମନବୋଧ ହୁଏ ନାହିଁ । ରାଗରେ ଉଠି ବସେ । ମୁଣ୍ଡ ବାଳ ମୁକୁଳା କରେ । ଗହଣାଗାଣ୍ଠି ଖୋଲିପକାଏ । ଲୁଗା ପାଲଟି ପେଡ଼ିରେ ରଖେ । ନିତିପିନ୍ଧା ମହଳ ଲୁଗା ବଦଳି ତଳେ କାନିପାରି ଶୁଏ । କେତେବେଳେ ନିଦ ହୋଇଯାଏ ।

 

ସକାଳ ହୁଏ । ଆଗ ସାବ ଉଠି ମୋତେ ଉଠାନ୍ତି, ଭାଉଜ ବୋଉ, ତଳେ କାହିଁକି ଶୋଇଛ ?

 

ଧଡ଼ପଡ଼ ହୋଇ ଉଠି ବସେ । ସାବକୁ ଗେଲ କରି କହେ, ଗରମ ହେଲା । ଦୁହେଁ ଉଠି ପଦାକୁ ଆସୁ । ଅପା କେତେବେଳୁ ଉଠି ବାସିପାଇଟି କରି ସାରିଲେଣି । ମୋତେ ଦେଖି ତାଙ୍କ ଆଖିରୁ ଲୁହଧାର ଝରିପଡ଼େ । ଆଖି ପୋଛି କହନ୍ତି, ଯା, ଝଅଟ ପୋଖରୀରେ ବୁଡ଼ିପଡ଼ି ଆ । ପଖାଳ ଗଣ୍ଡେ ଖାଇ କାମ କରୁଥା । ପୁଅ ତ ନାହିଁ ।

 

ସାବ ପଚାରେ, ଭାଇ କୁଆଡ଼େ ଗଲା ବୋଉ ?

 

ବଡ଼ ଜରୁରି କାମରେ ସକାଳୁ ଅଧୁଆମୁହଁରେ କଟକ ଗଲା । ଶୁଣି, ତୁନି ହୋଇ ମୁଁ ବାରିଆଡ଼କୁ ଯାଏଁ ।

 

ଏତିକି କହି ସରସୀ ଆଖିରୁ ଲୁହ ପୋଛିଲେ । ଶଶୀ ମଧ୍ୟ ଆଖିରୁ ଲୁହ ପୋଛି କହିଲା, ଭଉଣୀ, ଭଲମନ୍ଦରେ ଦୋଷ ସମସ୍ତେ ଦେବେ ଆମର । ପର ଝିଅକୁ ସୁଖୀ କରିବାର ଶକ୍ତି ଯାହାର ନାହିଁ, ଇଚ୍ଛା ଯାହାର ନାହିଁ, ଜାଣି ଜାଣି ସେ ନାଗ ସାପ ଆଣି ଗଳାରେ ଗୁଡ଼ାଇହୁଏ କାହିଁକି-?

 

ସରସୀ କୌଣସି ଉତ୍ତର ଦେଲେ ନାହିଁ । ନିଶା ସାଇଁସାଇଁ ଗର୍ଜୁଛି । ରାତିଅଧ । ଦିହେଁ କିଛିକ୍ଷଣ ନୀରବ । ଶଶୀ ପଚାରିଲା, ବୃନ୍ଦାବନଙ୍କ ସଙ୍ଗେ ତୁମର ସମ୍ପର୍କ କ’ଣ ଏହିପରି ଚିରଦିନ ? ସବୁଦିନେ କ’ଣ ଏହିପରି ବାହାରେ ବାହାରେ ଆସି ଯାଆନ୍ତି ? ସ୍ୱାମୀ ସୁଖ କ’ଣ ତମେ ଜାଣ ନାହିଁ-?

 

ସରସୀ କହିଲେ, ନା, ଠିକ୍ ସେମିତି ନୁହେଁ । ପୋଡ଼ିଗଲା ତିଅଣର ସୁଆଦ, ଆଗ୍ରହଭଙ୍ଗା ପ୍ରେମ, ମନରଖା ସୁଆଗ କି ସରାଗହୀନ ମିଳନରେ କି ସୁଖ କି ଆନନ୍ଦ ଭଉଣୀ ? ଜଳନ୍ତା ନିଆଁରେ ଦରପୋଡ଼ା କରି ଥଣ୍ଡା ପାଣିରେ ବୁଡ଼ାଇବାରେ କି ସୁଖ ଥାଏ ? ଆଉ ଯେ ଜଳନ୍ତା ନିଆଁରେ ଛଟପଟ ହୁଏ, ସେ କ’ଣ ନିଜକୁ ଉଦ୍ଧାର କରିବାକୁ ଚେଷ୍ଟା କରେ ନାହିଁ, ଯଦି ବାଟ ଥାଏ ? କହୁଛି ଶୁଣ–

 

ସ୍ୱାମୀ ବିଦେଶରୁ ଆସିଛନ୍ତି ଚାରିମାସ ପରେ । ଚାକିରି ଗାଁ ବାଟ କେଇ କୋଶ ହେଲେବି ମତେ ଲାଗେ ସାତ ସମୁଦ୍ର ସେପାରି, କେଉଁ ଅଜଣା ବିଦେଶ ପରି । ଘରକୁ ଆସିଛନ୍ତି । ଆନନ୍ଦ ଗୌରବରେ ମୋର ଛାତି ଫୁଲି ଉଠୁଥାଆନ୍ତା । ତା’ ପରିବର୍ତ୍ତରେ ମନରେ ଆସେ ଗୋଟାଏ ବିଷାଦ । ମୁହଁ ଉପରକୁ ନକଲି ହରଷର ଆଭା ଯେତିକି ଆଣିବାକୁ ବସେ, ପେଟ ଭିତରେ ସେତିକି କୋହ ଉଠେ । ମନ ମୋର କାନ୍ଦେ । ଖୁସି ହେବି କାହିଁକି ? ଯାହାଠାରୁ ପଦେ ମନଖୋଲା କଥା ଶୁଣିବାର ଆଶା ନାହିଁ, ତାଙ୍କର ଆସିବାରେ ଖୁସି ହେବାକୁ ମୋର କ’ଣ ଅଛି ? କେବଳ ସ୍ୱାମୀ ବୋଲି ? ସ୍ୱାମୀ ମୋ ପକ୍ଷରେ ଗୋଟାଏ ଫାଙ୍କା ନାଁ, ଗୋଟାଏ କିମ୍ଭୂତକିମାକାର କିଛି । ବରଂ ଘନ....... । ନା, ସେ କଥା ପରେ କହିବି ।

 

ମୋର ସରାଗଭଙ୍ଗା କାର୍ଯ୍ୟତତ୍ପରତା ଦେଖି ଅପା କ’ଣ ଭାବନ୍ତି । ପଚାରନ୍ତି, ବୋହୂ, ମହଳଲୁଗାଟା ପିନ୍ଧିଛ, ଧୋବଲୁଗା କ’ଣ ନାହିଁକି ?

 

ମୁଁ ଭାବେ, ଲୋକଟା କେଡ଼େ ନିର୍ବୋଧ ! କହେ, ନା ।

 

ସେ ତୁନି ହୋଇ ରହନ୍ତି । ମୁହଁଟି ଶୁଖିଯାଏ । ଘଡ଼ିଏ ଯାଏଁ । ପୁଣି ଆସି କହନ୍ତି, ବୋହୂ, ବେଳ ଗଲାଣି ଆସି, ମୁଣ୍ଡ କେତେବେଳେ ବାନ୍ଧିବ ? ଆସ, ମୁଁ ବାନ୍ଧିଦେବି ।

 

ଦିନେ ନାହିଁ କାଳେ ନାହିଁ ହଠାତ୍ ଆଜି ମୋ ମୁଣ୍ଡ ବାନ୍ଧିବାରେ ଏତେ ଆଗ୍ରହ କାହିଁକି ? ମନକୁ ମନ ହସେ । ମୁଣ୍ଡବନ୍ଧାରେ ମୋର ସବୁଦିନେ ଦେଢ଼ଘଣ୍ଟା କଟେ । ସବୁ କାମ ପଛ ସେ କାମଟି ଆଗ । ବାସନା ତେଲରେ ମୁଣ୍ଡ କୁଣ୍ଡାଇ ପାଣି ଦେଇ ଗାମୁଛାରେ ଖସାଇ ପାତା ପକାଏ । ହାଜଲିନ୍ ସ୍ନୋ ଘଷି ଘଷି, ମୁହଁକୁ ଆହୁରି ତୋରା, ଆହୁରି ପାଲିସ୍ କରେ । ସେ ସବୁ ତ ଆଜି ନାହିଁ-। ବାଁରେଇ କହେ, କାମରେ ବେଳ ନାହିଁ ଅପା ।

 

ସେମିତି ରାତିଅଧ ହୁଏ । ରୋଷଘରେ ଚାହିଁ ବସିଥାଏ । ଅପା କେତେଥର ଆସି କଅଁଳେଇ କହନ୍ତି, ମା’ଲୋ, ତୁ ଯା ଖାଇପିଇ ଶୋଇବୁ । ମୁଁ ଚେଇଁଛି । ପୁଅ ଆସିଲେ ମୁଠାଏ ବାଢ଼ି ଥୋଇଦେବି ।

 

କହେ, ନାଇଁ ଅପା, ତମେ ବୁଢ଼ୀ ଲୋକ, ଯା ଶୋଇବ । ସେ ପ୍ରତିବାଦ କରନ୍ତି ନାହିଁ; କିନ୍ତୁ ଚେଇଁ ବସନ୍ତି । କେତେବେଳକେ ସେ ଆସନ୍ତି । ମୁଁ ବାଢ଼ି ଦିଏ । ଅପା ପରଷନ୍ତି । ସେ ଖାଇପିଇ ଶୋଇବାକୁ ଯାଆନ୍ତି । ଅପା ଯେତେ ନାହିଁ ନାହିଁ କଲେବି ରୋଷଘର ସବୁ ପାଇଟି ସାରି ହାଣ୍ଡିରେ ଭାତ ପଖାଳି ଶୋଇବାକୁ ଆସୁ ଆସୁ ମୋର ଆହୁରି ଘଣ୍ଟାଏ ଡେରି ହୋଇଯାଏ । ଗୋଡ଼ ଟିପି ଟିପି ଘରକୁ ଆସି ଦେଖେ ସେ ମଇଳା ଖଟ ଉପରେ ଶୋଇ ପଡ଼ିଲେଣି । ତାଙ୍କ ଗୋଡ଼ତଳେ ବସି ଗୋଡ଼ ଘଷିଦିଏ । ସେ ମୁହଁ ବୁଲାଇ ଚାହାନ୍ତି । ବଡ଼ ଦୁଃଖରେ ଯେପରି କହନ୍ତି, ଦେହଟା ଭଲ ଲାଗୁ ନାହିଁ ।

 

ମୁଁ ଉତ୍ତର ଦିଏ, ଶୋଇପଡ଼ ଟିକେ । ଭାବେ ତାଙ୍କୁ ନିଦ ହୋଇଗଲା ! ତଳକୁ ଉଠି ଆସେ । ଛିଣ୍ଡା ସପ ଖଣ୍ଡେ ପାରି ଶୁଏ । କେତେକଥା ମନେ ପଡ଼େ । ନିଦ ହୁଏ ନାହିଁ । କାନ୍ଦେ, ମନଇଚ୍ଛା କାନ୍ଦେ । ସେ ଉଠନ୍ତି କେତେବେଳକେ । କ’ଣ ଭାବି ଖଟ ଉପରୁ ଆସି ତଳେ ମୋରି ପାଖରେ ବସନ୍ତି । ମୋର ଅଲରା ବାଳଭିତରେ ଆଙ୍ଗୁଠି ପୂରାଇ ଗେହ୍ଲାକରି କହନ୍ତି, କାନ୍ଦୁଛ କାହିଁକି ?

 

ମୋର ହାଡ଼ରେ ନିଆଁ ଲାଗେ, ରାଗରେ । ବେଶି ବେଶି କାନ୍ଦ ମାଡ଼େ । ମୁହଁ ବୁଲାଇ ଶୁଏ । କଇଁକଇଁ ହୋଇ କାନ୍ଦେ । ସେଟିକିଏ ଅପେକ୍ଷା କରନ୍ତି । ଅତି ଆହ୍ଲାଦରେ ମୋ ମୁଣ୍ଡକୁ ନେଇ ତାଙ୍କ କୋଳରେ ରଖି ପିଠି ଆଉଁସନ୍ତି ।

 

ମୁଣ୍ଡ ତଳକୁ ଖସାଇ ଆଣେ । କଅଁଳେଇ କହନ୍ତି, ଏତେ କାନ୍ଦୁଛ କାହିଁକି ସରସୀ, ମୋ ରାଣ, ସତ କହ !

 

ଏଣୁତେଣୁ କିଛି ଗୋଟାଏ ଉତ୍ତର ନ ଦେଲେ ସେ ଛାଡ଼ିବେ ନାହିଁ ସହଜରେ । ଭାବିବାକୁ ସମୟ ନାହିଁ । କୋହକୁ ଚାପିରଖି କହି ପକାଏ, ଦେହ ଖରାପ ଅଛି ବୋଲି ସବୁଦିନେ ବ୍ୟସ୍ତ ହେଉଛ । କହିଲ ଭଲା, ମୋର ମନ କିପରି ସ୍ଥିର ହେବ ? ଓଷଦପତ୍ରର କିଛି ବ୍ୟବସ୍ଥା କରୁନା ? ଟଙ୍କାପଇସାର ଅଭାବ ଅଛି ତ ମୋର ଗହଣାତକ ବିକ୍ରି କରିଦିଅ । ତମ ନେଇ ସିନା ମୋର ସଉକ ।

 

ମୋର କଥା ଶୁଣି ସେ ହସନ୍ତି, ଦୁଇ ହାତରେ ମୋତେ ଆଲିଙ୍ଗନ କରି କୋଳକୁ ଟାଣି ନିଅନ୍ତି । ମୋତେ ହୃଦୟରେ ଭିଡ଼ି ଧରି ଚୁମ୍ବନ କରି କହନ୍ତି, ଏଇଥିପାଇଁ ଏତେ କାନ୍ଦ ? ତମପରି ସ୍ତ୍ରୀ ଯାହାର, ତା’ ଦେହ କେବେ ଖରାପ ହୋଇପାରେ ? ବାଟ ଚାଲି ଚାଲି ସାମାନ୍ୟ ଟିକେ କ୍ଳାନ୍ତ ଲାଗୁଥିଲା ସିନା ! ଆସ ଉପରକୁ । ହାତ ଧରି ଖଟ ଉପରକୁ ନିଅନ୍ତି । ତାଙ୍କରି କୋଳରେ ମୋର ରାତି ପାହେ ।

 

ଭାବେ, ଏଣିକି ମୋର ଭାଗ୍ୟ ଫେରିଲା; କିନ୍ତୁ ଭଉଣୀ, ପୁଣି ଯେଉଁ କଥାକୁ ସେଇ କଥା । ବେଳେବେଳେ ମନେ କରେ ସିଧା ସିଧା ପଚାରି ଦେବି, ତମେ ଏଡ଼େ ଉଦାସୀନ କାହିଁକି ? କେତେ ପ୍ରତିଜ୍ଞା କରି ଆଗକୁ ଯାଏଁ କହିବାକୁ । ଲାଜ ମାଡ଼େ । ତୁଣ୍ଡ ଖୋଲେ ନାହିଁ । ଫେରି ଆସେ-। ସେ ବିଦାବିଦି ହୋଇ ଚାକିରି ଗାଁକୁ ଚାଲିଯାନ୍ତି । ମୁଁ ଗୁଣି ହେଉଥାଏ, ଆହା, ନ ପଚାରିଲି କାହିଁକି-? ଯାହାକୁ ନେଇ ଚିରଦିନ ଘର କରିବି, ତା’ର ଭଲମନ୍ଦ ପଚାରିବାକୁ ଆପତ୍ତି କ’ଣ-? ଏହିଥର ଆସନ୍ତୁ । କେତେ ଥର ତ ଆସନ୍ତି । ପାରେନା ତଥାପି । ଅନ୍ୟ ଗୋଟାଏ ମୋହ ମୋର ପାଟି ବୁଜି ଧରେ ।

 

ଶଶୀ ପଚାରିଲା, ତାଙ୍କର ଏପରି ଉଦାସ ହୋଇ ବେଳ କାଟିବାର ନିଶ୍ଚୟ ତ ଗୋଟାଏ କିଛି କାରଣ ଥିବ, ସାହସ କରି ତୋର ପଚାରିବା ଉଚିତ ଥିଲା ।

 

କାରଣ ତ ଯଥେଷ୍ଟ ଥିଲା । ମୁଁ ଦିନେ ପଚାରି ବୁଝିଲି । ବଡ଼ ଧୀର ବଡ଼ ଶାନ୍ତିଭାବରେ ସେ ତାଙ୍କ ଗତ ଜୀବନର ପ୍ରତ୍ୟେକ ଘଟଣା ମୋ ଆଗରେ ଖୋଲି କହିଲେ । ମୁଁ ଶୁଣିଲି । ମନ ଦେଇ ସବୁ ଶୁଣିଲି; କିନ୍ତୁ ବଡ଼ ଡେରିରେ । ସେତେବେଳକୁ ମୁଁ ଆଉ ମୋ ଭିତରେ ନାହିଁ । ବାହାରର ମୁଁ ଓ ଭିତରର ମୁଁ ଦୁଇଟା ମଝିରେ ସମୁଦ୍ର ତଫାତ୍ । ବଡ଼ କରୁଣ ତାଙ୍କର ଗତ ଜୀବନର ଇତିହାସ । କହୁ କହୁ ସେ ଅଧୀର ହୋଇ ପଡ଼ନ୍ତି । ତାଙ୍କ ଆଖିରେ ଲୁହ ଢଳଢ଼ଳ ହୋଇ ଆସେ, ଶୁଣିଲା ଲୋକର ମଧ୍ୟ ଠିକ୍ ସେହିପରି ହୁଏ ।

 

ସେତିକିବେଳେ ଯଦି ମୁଁ ତାଙ୍କୁ ସାନ୍ତ୍ୱନା ଦେଇଥାଆନ୍ତି, ଅତୀତକୁ ଭୁଲି ଆଉଥରେ ନୂଆ କରି ପବିତ୍ର କରି ଜୀବନ ଆରମ୍ଭ କରିବାକୁ ଉପଦେଶ ଦେଇଥାନ୍ତି, ତେବେ ଅବସ୍ଥା ଏପରି ହୋଇ ନଥାନ୍ତା; ସେ ବି ଧ୍ୱଂସ ବାଟରେ ଏତେଦୂର ଆଗେଇ ଯାଇ ନଥାନ୍ତେ । ମୋତେବି ଆଜି ଜୀବନଟା ଗୋଟାଏ ବୋଝପରି ଲାଗୁ ନଥାନ୍ତା । ମୋଠାରୁ ସହାନୁଭୂତି ସାନ୍ତ୍ୱନା ପାଇବାକୁ ସେ ନିଶ୍ଚୟ ଆଶା କରିଥିବେ, କିନ୍ତୁ ତା’ ପରିବର୍ତ୍ତେ ମୋଠାରୁ ସେ ପାଇଲେ କ’ଣ ? ପାଇଲେ ଘୃଣା, ତିରସ୍କାର । ଆଜି ଭାବୁଛି, ତାଙ୍କର ବ୍ୟଥିତ ପ୍ରାଣରେ ମୋର ସେ କଟୁ ବ୍ୟବହାର ନିଶ୍ଚୟ ଦାରୁଣ ଆଘାତ ଦେଇଥିବ । ସେତେବେଳେ ମୁଁ ଏହା ବୁଝି ପାରି ନଥିଲି–ବୁଝିବା ଆବଶ୍ୟକ ନଥିଲା ।

 

ସରସୀ କହିଲା, ଦିନେ ସେ ମୁକ୍ତକଣ୍ଠରେ ମୋ ଆଗରେ ସ୍ୱୀକାର କଲେ–

 

ଗୋଟାଏ ମୋହ, ଗୋଟାଏ ଉତ୍ତେଜନା ଛଡ଼ା କିଛି ନୁହେଁ ତ ଆଉ । ମୋର ସ୍ତ୍ରୀ, କେଡ଼େ ଭଲ । ଭାଇଟି ପରି ମୋତେ ଦେଖେ, କିନ୍ତୁ ମୋର ତରୁଣ ମନ ତ ବିବେକର ଉପଦେଶ ମାନେ ନାହିଁ । ଦିଅର ଭାଉଜ ଥଟ୍ଟା ନକଲ ସମ୍ପର୍କ । ତାଙ୍କର ନିରୀହ ନିଷ୍କପଟ ସରଳ ବ୍ୟବହାର ଭିତରେ ମୁଁ ଗୋଟାଏ ଅନ୍ୟ ଅର୍ଥ ଅନୁଭବ କରେ । ମୋର ଅସଂଯତ ଦୁର୍ଭାବନା ରୂପ ପାଇ ମୋତେହିଁ ବାଧା ଦିଅନ୍ତି । .....ଦିନେ, କି ଦୁର୍ଯୋଗରେ, କି ଅଶୁଭ କ୍ଷଣରେ ତାଙ୍କ ସଙ୍ଗେ ମୋର ଦେଖା ହେଲା, ସେହିପରି ଆଗ୍ରହରେ ହସହସ ମୁହଁରେ ସେ ମୋତେ ଡାକି ନେଲେ ଭିତରକୁ । କହିଲେ, ବସ ବୃନ୍ଦାବନ, ତମର କାହିଁକି ଦେଖା ମିଳୁ ନାହିଁ ଆଜିକାଲି । ବସିଲି ପଲଙ୍କ ଉପରେ । ସେ ମୋ ପାଖରେ ବସିଥାନ୍ତି । ପିଲାଟି ତଳେ ଶୋଇଥାଏ । ଦିଅର ଭାଉଜ । ଥଟ୍ଟା ନକଲ ହାସ ପରିହାସରେ କେତେ କଥାବାର୍ତ୍ତା ଚାଲିଲା ।

 

କହିଲେ, ବୃନ୍ଦାବନ, ଆମ ମାଇପିଜାତି ସମ୍ବନ୍ଧରେ ତମର ଗୋଟାଏ ବଡ଼ ଭୁଲ ଧାରଣା ରହି ଯାଇଛି । ତମେ କହିଲ, ପ୍ରେମମାନେ ସମ୍ଭୋଗ, ଆଉ ଆମ ଜାତିଟା କେବଳ ଏହି ପ୍ରକାର ପ୍ରେମରେ ସନ୍ତୁଷ୍ଟ; କିନ୍ତୁ ତମେ ଯଦି କେବେ ସ୍ତ୍ରୀ ହୋଇପାରନ୍ତ, ଆଉ ତମରି ଏହି ଅନଭିଜ୍ଞ କଥାଟାକୁ ବସି ସ୍ଥିର କରନ୍ତ; ତେବେ ଯାଇଁ ବୁଝନ୍ତ ତମ କଥାର ଅସାରତା ! ସେ ହସି ହସି ମୋତେ ଗୋଟାଏ ଛୋଟ ଚାପଡ଼ା ମାରିଲେ ଗୋଟାଏ ଉତ୍ତେଜନାର ବିଦ୍ୟୁତ୍ ମୋର ସର୍ବାଙ୍ଗରେ ଖେଳାଇ ଦେବାକୁ । ମୋର ମୁଗ୍ଧ ଆଖି ଦି’ଟା ତାଙ୍କର ସୁନାପାଣିଧୁଆ ଉଜ୍ଜ୍ୱଳ ମୁହଁରେ ଲାଖି ରହିଲା ।

 

ତର୍କ କଲି, ପ୍ରତିବାଦ କଲି । କ’ଣ କହିଲି, କ’ଣ ବା ସେ କହିଲ, ମୁଁ ଶୁଣିଲି, ମୁଁ ଜାଣିଲି ନାହିଁ । ବାହାରେ ତର୍କ କରୁଥାଏ, ଭିତରେ ଭିତରେ ଜଳିପୋଡ଼ି ହୋଇ ମରୁଥାଏ । ଆତ୍ମାଟା ମୋର କେଜାଣି କାହିଁକି କିପରି ତାଙ୍କରି ଆଡ଼କୁ ଟାଣି ହୋଇ ଯାଉଥାଏ । କହିଲାବେଳେ ତାଙ୍କର ଉଜ୍ଜ୍ୱଳ ଆଖିଡ଼ୋଳାର ନାଚ, କଅଁଳ ନାଲି ଓଠ–ପାଖୁଡ଼ା ଦୁଇଟିର ଆକୁଞ୍ଚନ ପ୍ରସାରଣ, ନାକପୁଡ଼ାଟିର ମଧୁର ଧୀର କମ୍ପନ, ଏହାରି ଭିତରେ ମୋର ଲଗାମକଟା ମନଟା ଖେଳୁଥାଏ ଯାଇଁ । ଚିବୁକ ଉପରେ ଅସଂଯତ କେଶଗୁଚ୍ଛର ମୃଦୁ ଆଲୋଡ଼ନ, ଛାତି ଉପରେ ଅସମାନ ଆବରଣର ହିଲ୍ଲୋଳ, ମୋର ମଦିରାସିକ୍ତ ଆଖିକୁ ବାନ୍ଧି ରଖିଥାଏ । ଗୋଟାଏ କ’ଣ ଭାବନାରେ ନିଜେ ମୁଁ ମଧ୍ୟ ହଜି ଯାଇଥିଲି ।

 

ଦିଅର–ଭାଉଜ ସମ୍ପର୍କ, ଯେତିକି ମଧୁର ସେତିକି କଟୁ, ଖଣ୍ଡାଧାର ଉପରେ ଗୋଡ଼ ଦେଇ ଚାଲିବାକୁ ହୁଏ, ବଡ଼ ସତର୍କରେ । ଟିକିଏ ଅସାବଧାନତାରେ ଗୋଡ଼ କଟି ତଳେ ପଡ଼ିବାର ଅତି ବେଶି ସମ୍ଭାବନା । ସ୍ୱାଧୀନତା ଯେତିକି, ବିପଦ ତହୁଁ ବଳି ବେଶି ।

 

ଜାଣେନା, କିପରି ତର୍କ ହେଉଥିଲା ଆମ ଭିତରେ । ଏତିକି ଖିଆଲ ହେଉଛି, ବୋଧହୁଏ ସ୍ତ୍ରୀ–ପୁରୁଷ ସମ୍ପର୍କ ଓ ସ୍ୱାର୍ଥ ସମ୍ବନ୍ଧରେ । କହୁ କହୁ କ’ଣ ଗୋଟାଏ କହି ପକାଇଲି । ସେ ହସି ହସି ଖଟ ଉପରେ ଲୋଟି ପଡ଼ିଲେ । କେଶବାସ ଅସଂଯତ । ଉତ୍ତେଜନାରେ କେଜାଣି କିପରି ହଠାତ୍‌ ତାଙ୍କୁ ଆଲିଙ୍ଗନ କରି ତାଙ୍କ ଚିବୁକରେ ଗୋଟାଏ ଚୁମ୍ବନ ଦେଲି । ବାଧା ଦେଇ ପାରିଥାନ୍ତେ କିନ୍ତୁ ସମୟ ନଥିଲା । ସେ ତ ଆଉ ଜାଣନ୍ତି ନାହିଁ, ମୁଁ ଏପରି ଗୋଟାଏ କାଣ୍ଡ କରି ବସିବି ? ଦିନେ କାଳେ କେବେ ମୋର ବେମଡ଼ା ଢଙ୍ଗ ଦେଖି ନଥିଲେ । ନୋହିଲେ ସେ ଏପରି ତର୍କ ଖୋଲିଥାନ୍ତେ କାହିଁକି ?

 

ମାଡ଼ ମାରିଲା ପରି ସେ ଖଟ ଉପରୁ ଡେଇଁ ତଳେ ଠିଆ ହେଲେ । ମୋରି ଆଡ଼କୁ କଟମଟ କରି ଚାହିଁଲେ । ସେ ଉଜ୍ଜ୍ୱଳ ଆଖି ଦିଓଟିରେ କ’ଣ ଥିଲା କେଜାଣି ମୋର ଅନ୍ତରାତ୍ମା ଥରି ଉଠିଲା । ରାଗ କି ଅନୁତାପ କି ଅଭିମାନ, କେଜାଣି କ’ଣ ତାଙ୍କର ଭ୍ରୂଲତା ଓ ଓଠକୁ ଥରାଇ ଦେଲା । ମହାପାତକୀ ମୁଁ, ଲାଜରେ ମୋ ମୁଣ୍ଡ ନୁଆଁଇଲି ।

 

ବୁଢ଼ୀ ଆସି ଆଗରେ ଠିଆ ହେଲେ । ନାଗସାପ ପରି ଗର୍ଜୁଥାନ୍ତି । କାହାକୁ କ’ଣ କହିଲେ ମୋର ମନେ ନାହିଁ । ଧୀରେ ଧୀରେ ଘରଭିତରୁ ବାହାରି ପଦାକୁ ଆସିଲି । ସାଇକଲ୍ ଖଣ୍ଡ ଚଢ଼ି ଏକମୁହାଁ ହୋଇ ଛୁଟି ଆସିଲି ଘରକୁ ।

 

ପାଞ୍ଚଦିନ କଟିଲା । ଘରୁ ବାହାରି ନାହିଁ କି କାହାରିକୁ ଦେଖା କରି ନାହିଁ । କେତେ ଭାବିଛି, କେତେ ଅନୁତାପ କରିଛି, କାନ୍ଦିଛି, ତଥାପି ଶାନ୍ତି ପାଇ ନାହିଁ ।

 

କିଏ ଜଣେ ଆସି ଚିଠି ଦେଇଗଲା । ଖୋଲି ପଢ଼ିଲି, ତାଙ୍କରି ଚିଠି । ଜାଣେ, ସେ ଲେଖି ଜାଣନ୍ତି ନାହିଁ । କାହା ହାତରେ ଲେଖାଇଛନ୍ତି ହୁଏତ । ଏଇ ତାଙ୍କର ପ୍ରଥମ ଚିଠି । ଦଶ ବାର ଧାଡ଼ି–ବୋଉ ମୋର ଦୁର୍ନାମ ରଟାଇଛନ୍ତି ଗାଁ–ସାରା । ଅଜବ ମିଛ । ତମରି ନାଁରେ ନିଜ ହାତରେ ବିଷ ଦେଇଛନ୍ତି । ସାତଦିନ ଭିତରେ ଖାଇ ମରିବି, ତାଙ୍କରି ଆଦେଶ । ତମର ଭାଇ ଏସବୁ କିଛି ଜାଣନ୍ତି ନାହିଁ । ଘରକୁ ଆସି ନାହାନ୍ତି । ଆସିଲେ ସେ କ’ଣ ବୋଉଙ୍କ କଥାରୁ ବାହାର ହେବେ ? ମରିବାକୁ ମୋର ଇଚ୍ଛା ନାହିଁ । ବାରଲୋକଙ୍କ ଆଗରେ ଘରୁ ବାହାର କରିଦେବେ । କିପରି ସହି ବଞ୍ଚିବି ବୃନ୍ଦାବନ ? ତମେ ଆସିବ । ଅପେକ୍ଷା କରିଥିବି ସେଇ ଆମ୍ୱମୂଳେ । ବୋଉ ପାଖକୁ ଯିବି ।

 

ତାଙ୍କୁ ତାଙ୍କ ବୋଉଙ୍କ ପାଖେ ଛାଡ଼ି ମୁଁ ଫେରି ଆସିଲି । ମଧୁ ଭାଇ ମୋଠୁଁ ସବୁ ଶୁଣିଲେ । ସାମାନ୍ୟ ହସି କହିଲେ, ଯାଉ ଛ’ମାସ, ବୋଉର ମନ ବଳେ ବଦଳି ଯିବ ।

 

ମୁଁ ନିଶ୍ଚିନ୍ତ ରହିଲି । ବୁଢ଼ୀଙ୍କର ମନ ବଦଳିଲା । ଲୋକ ଗଲା ବୋହୂ ଘରକୁ ଛ’ମାସ ପରେ । ଭାଉଜଙ୍କର ବୋଉ ମଲେ । ବହୁ କଷ୍ଟରେ ଛ’ମାସ ଚଳିଲେ । ତା’ପରେ କୁଆଡ଼େ ଗଲେ କେହି କହି ପାରିଲେ ନାହିଁ ।

 

କିଛିଦିନ ଗଡ଼ି ଗଲା, ଭୁଲିଗଲେ ସମସ୍ତେ, ମୁଁ ମଧ୍ୟ । ସଂସାର ପୁଣି ପୂର୍ବପରି ଚାଲିଲା । ବେଳେବେଳେ ମୋର ମନେ ପଡ଼େ, ମୁଁ କାନ୍ଦେ ମନ ଭିତରେ, ଆହା ! କୁଆଡ଼େ ଗଲେ ସେ ? ମଧୁ ଭାଇର ଦ୍ୱିତୀୟ ବାହା...ମଧୁ ଭାଇର ମରଣ..., ମୋର ଗୁମାସ୍ତାଗିରି..., ଯୌବନର କୀର୍ତ୍ତି କଳାପ..., ଏମିତି, କେତେ ବର୍ଷ ଗଡ଼ିଗଲା ଆଖି ପିଞ୍ଛଡ଼ା ପରି, ବେଳ କାହାରିକୁ ଅନାଏ ନାହିଁ ।

 

ତାଙ୍କୁ ସମସ୍ତେ ଭୁଲିଗଲେ । ଏକା ମଧୁଭାଇର ବୋଉ ପୁଅ ମଲା ଦିନୁ ଅଧା ପାଗଳ, ହାଉଳା ବାଉଳା । ସେହି ବେଳେବେଳେ ସ୍ମରଣ କରନ୍ତି । ଦୁଃଖରେ ଅନୁତାପରେ ନାଁ ଧରି ବାହୁନନ୍ତି । ମୁଁ ତାଙ୍କୁ ଏକାଥରେ ମନରୁ ପାଶୋରି ଦେଇଥିଲି । ପରଘରେ ମୁଣ୍ଡ ବିକି ମୂଲଗଣ୍ଡାକ ପାଇଁ କାମ କରି ସମୟ ନଥାଏ । ମନ ଅନ୍ୟଆଡ଼େ ଯାଏଁ ନାହିଁ । ଖାଲି ଯେତେବେଳେ ଟୁନା, ମଧୁ ଭାଇର ପୁଅ ଉପରେ ଅତ୍ୟାଚାର ହୁଏ, କୁଞ୍ଜ, ତା’ର ସାବତ ମାମୁ, ତା’ରି ଡରରେ ସିନା କିଛି କହିପାରେ ନାହିଁ, ତାହା ଦେଖି ମୋର ମନ ଭାରି ବ୍ୟସ୍ତ ହୁଏ । ଭାଉଜବୋହୂ ମନେ ପଡ଼ନ୍ତି । ଭାବେ, ମୋରି ସାମାନ୍ୟ ଭୁଲପାଇଁ ଗୋଟିଏ କୁଟୁମ୍ୱର ସର୍ବନାଶ ହେଲା ସିନା । କିଛିଦିନ ମନ ଖରାପ ହୁଏ, ପୁଣି ଭୁଲିଯାଏ ।

 

ସାଲ୍‌ ତମାମି ବେଳ । ଜମିଦାରଙ୍କ ଖଜଣା ଦାଖଲ କରିବାକୁ କଟକ ଆସିଛି । କାଠଯୋଡ଼ୀ ବନ୍ଧ ଉପରେ ଠିଆ ହୋଇଛି । ସକାଳ । ନଈରେ ଗାଧୋଇ ପଞ୍ଝାଏ ସ୍ତ୍ରୀଲୋକ ହାତୀଗଡ଼ା ଘାଟବାଟେ ଉପରକୁ ଉଠିଲେ । ଭଦ୍ରତା ରଖି ମୁହଁ ବୁଲାଇଲି; କିନ୍ତୁ ସେ ସ୍ତ୍ରୀଲୋକଙ୍କର ହସ ଓ ବଡ଼ପାଟିରେ କଥାଭାଷା ଶୁଣି କଡ଼େଇ ଚାହିଁଲି । ରାସ୍ତା ଉପରେ ଦି’ଟା ଘୋଡ଼ାଗାଡ଼ି ଠିଆ ହୋଇଥାଏ । ସେମାନେ ସେହି ଆଡ଼କୁ ମୋହିଁ ଥାନ୍ତି । ଜଣ ଜଣ ହୋଇ ଗାଡ଼ି ଭିତରକୁ ପଶୁଥାନ୍ତି, ଚାହିଁ ରହିଥାଏଁ ।

 

ହଠାତ୍ ନଜର ପଡ଼ିଲା ଜଣକ ଉପରେ । ଚମକି ଉଠିଲି । ଅବିକଳ ସେହି ରୂପ । ତଫାତ୍‌ ଭିତରେ ଏତିକି, ଟିକିଏ ମୋଟାଳିଆ ଦେଖା ଯାଉଥାନ୍ତି । ଦେହସାରା ସୁନା ଅଳଙ୍କାର ଛାଇ ହୋଇଛି । ଅବାକ୍‌ ହେଲି । ଭଦ୍ରତାକୁ ପଛରେ ପକାଇ ବିଭୋଳ ହୋଇ ଗାଡ଼ି ପାଖକୁ ଗଲି । କିନ୍ତୁ କିଛି କହିବା ତ ଦୂରର କଥା, ଥରେ ଭଲକରି ଦେଖିବା ଆଗରୁ ଗାଡ଼ି ଚାଲିଗଲା । ଦୁଃଖରେ ତାଙ୍କରି କଥା ଭାବି ଭାବି ଆଗକୁ ଚାଲିଲି । ଜାଣେନା, ସେ ମୋତେ ସେଦିନ ଦେଖିଲେ କି ନାହିଁ, ଚିହ୍ନିଲେ କି ନାହିଁ ।

 

ମୋର ପଛେ ପଛେ ଆଉ ଜଣେ ଅପରିଚିତ ଭଦ୍ରଲୋକ ଆସୁଥିଲେ । ସେ ବି ଆଗରୁ ମୋ ପାଖେ ଠିଆ ହୋଇ ସ୍ତ୍ରୀପଲକୁ ଆଡ଼େଇ ଚାହୁଁଥିଲେ । ସାହାସ କରି ତାଙ୍କୁ ପଚାରି ଦେଲି, ସେମାନେ କିଏ ?

 

ଅପରିଚିତ ମୋତେ ଚାହିଁ ସାମାନ୍ୟ ହସିଲେ । ଥଟ୍ଟାଳିଆ ସ୍ୱରରେ କହିଲେ, ଚିହ୍ନ ନାହିଁ-? ଅପ୍‌ସରା ମହଲରୁ ଦଳେ... । ନଈପାଣି ପବିତ୍ର କରିବାକୁ ଆସିଥିଲେ ।

 

ମୁଁ ଶୁଖିଲା ହସ ହସି ନିଶ୍ଚିନ୍ତ ହେଲାପରି ଆଗକୁ ଚାଲିଲି । କିନ୍ତୁ ସେହି ଦିନରୁ ମୋର ଚିନ୍ତା, ମୋ ଦୁର୍ଗତି ଆରମ୍ଭ ହେଲା ମୁଁ ଜାଣେ । ଘର ଘର କରି କଟକର ବେଶ୍ୟାମହଲର ପ୍ରତ୍ୟେକ ଘରେ ଖୋଜିଛି । ଗୋଟାଏ ଲୋକକୁ ନରକବାଟରୁ ଉଦ୍ଧାରି ଆଣିବାକୁ ଜୀବନର କେତେ ମୂଲ୍ୟବାନ ସମୟ ବେଶ୍ୟା ମହଲରେ କଟାଇଛି । ପାଇନାହିଁ, ଅଦ୍ୟାପି ପାଇନାହିଁ । ଫଳରେ ନରକ ଭିତରେ ପଶି ଶେଷକୁ ନରକର ଘୃଣ୍ୟ କୀଟ ପରି ତା’ରି ଭିତରେ ମିଶି ଯାଇଛି ।

 

ସବୁ ଶୁଣି ଶୁଣି ମୋ ମନରେ ଭାରି ରାଗ ହେଲା । ଟିକିଏ ଉତ୍ତେଜିତ ହୋଇ ମୁଁ କହିଲି, ତମ ଭିତରେ ଯେବେ ଏତେ କଥା ଥିଲା, ତମେ ପରଝିଅର ହାତ ଧରି କେଉଁ ସାହସରେ ଘରକୁ ଆଣିଲ ?

 

ସେ କହିଲେ, ନରକବାଟରୁ ଉଦ୍ଧାର କରିବାକୁ । ପାରି ନାହିଁ ଆଜି ଯାଏଁ, କିନ୍ତୁ ଆଶା କରେ ପାରିବି । ଆଖିରୁ ଦିଠୋପା ଲୁହ ଝରି ପଡ଼ିଲା ତାଙ୍କର । ପ୍ରାଣର ଉଦ୍‍ବେଗରେ ସେ ମୋତେ ଗାଢ଼ ଆଲିଙ୍ଗନ କଲେ । ଛାତି ଭିତରେ ମୋର ନିଆଁ କୁହୁଳୁଥାଏ । ରାଗରେ ତାଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ପଲଙ୍କ ଉପରୁ ଡେଇଁ ପଡ଼ିଲି ତଳକୁ । ତଥାପି ସେ ମୋର କାନି ଟାଣି ଧରିଥାଆନ୍ତି । ମୁଁ ମୋର ଦେହକୁ ଲୁଚାଇବାକୁ ଅଲଗୁଣିଆ ଉପରୁ ଆଉ ଖଣ୍ଡେ ଶାଢ଼ି ଆଣି ବେଢ଼େଇ ହୋଇ ତମତମ ହୋଇ କହିଲି, ବାରନାରୀ, ବେଶ୍ୟା ମହଲରେ ବେଳ କାଟୁଛ, ମୋ ଦେହ ଛୁଇଁବାକୁ ତମକୁ ଲାଜ ମାଡ଼ୁନାହିଁ ?

 

କହି ପାରିଲି ନାହିଁ ବେଶି କିଛି । କାନି ପାତି ଭୂଇଁ ଉପରେ ମୁହଁ ମାଡ଼ି ଶୋଇ ଖାଲି କାନ୍ଦୁଥାଏ । ସେ ବାରମ୍ୱାର ଆସି ମୋତେ ତଳୁ ଉଠାନ୍ତି । କେତେ ଆଦର କରି ବୁଝାନ୍ତି । ପ୍ରତିଜ୍ଞା କରି କହନ୍ତି, ଆସ, ଉପରକୁ ଆସ । ମୁଁ ଆଉ କେବେହେଲେ ବେଶ୍ୟାପଡ଼ା ମାଡ଼ିବି ନାହିଁ । ବାରମ୍ବାର ହାତଗୋଡ଼ ଛିଞ୍ଚାଡ଼ି ମୁଁ ତାଙ୍କୁ ବାରକଥା କହି ଗାଳିଦେଲି । ତମେ ମୋତେ ଛୁଅଁ ନାହିଁ, ମୋ ଦେହରେ ହାତ ଦେଲେ ବିଷ ଖାଇ ମରିବି । ଶେଷକୁ ସେ ବିରକ୍ତ ହୋଇ ଘରୁ ଉଠି ଯାଇ ପଦାରେ ଶୋଇଲେ ।

 

ସେହି ହେଲା ମୋର ପ୍ରଧାନ ଭୁଲ ଭଉଣୀ । ତେଣିକି ସେ ଯେବେ ଘରକୁ ଆସନ୍ତି, ମୋତେ ଖାଲି କରଛଡ଼ା ଦେଇ ବୁଲନ୍ତି । ପାଖକୁ ଆସିଲେ ମୁଁ ତାଙ୍କୁ ବାରକଥା କହି ଗାଳି ଦିଏ । ତାଙ୍କ ସମ୍ବନ୍ଧରେ ଘନଠାରୁ ଯେତେ ଯାହା ଶୁଣିଥାଏ, କେବେ ସେ କଟକ ଯାଇଥିଲେ, କେଉଁଠି ରହିଥିଲେ, କେଉଁ ବେଶ୍ୟାକୁ କେବେ କି ଗହଣା ଗଢ଼ାଇ ଦେଇଥିଲେ, ସବୁ ଦଶଗୁଣ ବଢ଼ାଇ ଧିକ୍‌କାରି କହେ । ମୋପାଇଁ ତ କେବେ ଦିନେହେଲେ ଲୁହା ଅଗୁଆଟିଏ କରି ନାହାନ୍ତି । ସେ ପ୍ରତିବାଦ ନ କରି ସବୁ ଶୁଣନ୍ତି, ସହନ୍ତି । ମୋ ସାମନା ଉପରୁ ଚାଲିଯାନ୍ତି ।

 

ଶଶୀ ପଚାରିଲା, ଘନକୁ ପରା କଥା କହ ନାହିଁ, କେଉଁ ସାହସରେ କି ଉଦ୍ଦେଶ୍ୟରେ ତମ ଆଗରେ, ତମ ସ୍ୱାମୀଙ୍କ ନାମରେ ମିଛ ସତ କହିବସେ । ତମେ ତାକୁ ଏତେ ଅଧିକାର, ଏତେ ପ୍ରଶ୍ରୟ ଦିଅ କାହିଁକି ?

 

ହସି ହସି ସରସୀ କହିଲା, କୌଣସି ଅଧିକାର, କୌଣସି ପ୍ରଶ୍ରୟ ମୁଁ ତାଙ୍କୁ ଜାଣି ଜାଣି ଦେଇ ନଥିଲି । କିନ୍ତୁ ସେତେବେଳେ ସେ ମୋ ପଞ୍ଚଆତ୍ମାର ଅଧିକାରୀ ହୋଇ ସାରିଥିଲେ । କିପରି ହେଲେ, ସେ କଥା ମୁଁ ଅବଶ୍ୟ କହିବି । ବଡ଼ ଦୁଃଖରେ ମୁଁ ମରିବାକୁ ଯାଉଛି, ମରିବାକୁ ମୋଟେ ଇଚ୍ଛା ନାହିଁ, କିନ୍ତୁ ନ ମରି ଆଉ ଉପାୟ ନାହିଁ ।

 

ଅଛି ଭଉଣୀ, ଅଛି । ଶଶୀ ସାନ୍ତ୍ୱନା ଦେଇ କହିଲା, ମୁଁ ଜାଣେ ତା’ର ଉପାୟ । କିମିଆ ହେଉ କି ଅନ୍ୟ କିଛି ହେଉ, ତମକୁ ଏ ବିପଦରୁ ଉଦ୍ଧାର କରି, ତମ ଦୁହିଁଙ୍କର ଦାମ୍ପତ୍ୟ ଜୀବନ ସରସ କରିବାର ଉପାୟ ଯଦି ନଥାନ୍ତା, ବାରଦ୍ୱାରୀ ଛତରଖାଇ ଭିକାରୁଣୀଟା ମୁଁ, କାହିଁକି ତମର ଗୋପନ ଜଟିଳ ସଂସାର ଖବର ବୁଝନ୍ତି ? ମରଣଯାତ୍ରୀର ହାତ ଧରି ଅଧବାଟରେ ଅଟକାଇ ରଖନ୍ତି ? ନିର୍ଭୟରେ ନିଶ୍ଚିନ୍ତରେ କହି ଯାଅ ।

 

ତୁମେ ବାରଦ୍ୱାରୀ ଭିକାରୁଣୀ ଉଡ଼ା ଚଢ଼େଇ । ମୁଁ ଜାଣେ, ତୁମେ ଅପରିଚିତ, ତଥାପି ମୋ ଜୀବନର ସବୁ ଗୁପ୍ତରହସ୍ୟ ନିଃସଙ୍କୋଚରେ ଗାଇ ଯାଉଛି । ଜୀବନ ଆଶାରେ କି ଭଙ୍ଗା ସଂସାର ମୋର ପୁଣି ଯୋଡ଼ି ହୋଇଯିବା ଆଶାରେ, ମୁଁ ଯେ ଏତେ କଥା କହି ଯାଉଛି ତା’ ନୁହେଁ । ଜୀବନରେ ଯାହା କିଛି ଉପଲବ୍ଧି କରିଛି, ମନରେ ଯାହା ଯେବେ ଚିନ୍ତା କରିଛି, ସବୁ ଆଜି ଏକାଠି ହୋଇ ମୋର ବୁକୁ ଭିତରେ ଜମାଟ ବାନ୍ଧି ରହିଛନ୍ତି । ତା’ର ଭାରା ସହିବା ବଡ଼ କଷ୍ଟ । ମରି ପ୍ରେତିନୀ ହେବି, ତଥାପି ମୋର ସେ ଦୁଃଖ ଦୁଶ୍ଚିନ୍ତାର ବୋଝ ଲାଘବ ହେବ ନାହିଁ । ଅମୋକ୍ଷ ଆତ୍ମା ମୋର ଚିରଦିନ ହାହାକାର କରି କେଡ଼େ ଅଶାନ୍ତିରେ ବୁଲୁଥିବ ।

 

ମରିବା ଆଗରୁ ମୋ ହୃଦୟର ଅଫୁରନ୍ତ ଦୁଃଖ, ମୋର ମନ ଏଇ ଆକାଶ ପବନ ଆଗରେ ମୁକ୍ତକଣ୍ଠରେ କହି ଯାଇଥାନ୍ତା । ମୋର ହୃଦୟର ଭାର ଲାଘବ କରିଥାନ୍ତି । ମନର ଚିନ୍ତା, ଛାତିର ଉତ୍ତେଜନା, ଆଖିର ଅଭିଜ୍ଞତା, ଦେହର ଉପଲବ୍ଧି ମୁହଁରେ କେବେ ଆଣି ନଥିଲି, ଆଣି ନଥାନ୍ତି, କେହି କେବେ ଶୁଣି ନଥାନ୍ତେ ! ଉଡ଼ା ଚଢ଼େଇ ତୁ, ଦୁନିଆର ଦୁଃଖ ଦାରିଦ୍ର୍ୟ ଭିତରେ ପଶି ଘାଣ୍ଟି ହୋଇଛୁ । ଜାଣେ, ସଂସାର ତୋତେ ଚିହ୍ନେ ନାହିଁ । ତୋର ଖବର ରଖେ ନାହିଁ । ତୁ କିନ୍ତୁ ଦୁନିଆକୁ ହାଡ଼େ ହାଡ଼େ ଚିହ୍ନିଛୁ । ଆକାଶ ପବନ ପ୍ରକୃତି ଦେହରେ ମିଶିବା ଆଗରୁ, ମୋ ନିଜ କଥା ସେମାନେ ଜାଣିଥାନ୍ତେ । ତୁ ବି ଶୁଣୁ !

 

(୩)

 

ଘନଙ୍କର ମନକଥା ବହୁଦିନ ଯାଏଁ ବୁଝି ପାରି ନଥିଲି । ତାଙ୍କର ସବୁ ପ୍ରକାର ଥଟାତାମସା ଢଙ୍ଗ ମୁଁ ପିଲାଳିଆ ମନେ କରିଥିଲି । ସେ ପ୍ରାୟ ପ୍ରତିଦିନ ଆସନ୍ତି । କେବେକେବେ ଦୁଇଥର ତିନିଥର ମଧ୍ୟ ଆସନ୍ତି । କେତେବେଳେ ସେ ଆସିବେ ମୋତେ ଆଗରୁ ଜଣା ନଥାଏ । ମୁଁ ବରାବର ତାଙ୍କ ପାଖରେ ଅପଦସ୍ଥ ହୁଏ । ଓଢ଼ଣା ଟାଣି ଗମ୍ଭୀର ହୋଇ ଘର ଭିତରକୁ ଉଠିଯାଏ । ମନେମନେ ରାଗେ, କାହାକୁ କ’ଣ କହିବି ? ତୁନି ହୋଇ ରହେ । ସେ ସାବକୁ ଡାକି ଏଣୁତେଣୁ ବାର ପ୍ରକାର ଲଗାନ୍ତି । ସାବକୁ ଆରା କରି ମୋ ଉଦ୍ଦେଶ୍ୟରେ ବାରକଥା କହନ୍ତି । ଶୁଣେ, ତୁନି ରହେ ।

 

ସାବପାଇଁ ସୁନ୍ଦର କାଚ, କେବେ ଖଣ୍ଡେ ରଙ୍ଗିନ ସେମିଜ ଆଣି ଦିଅନ୍ତି । ବଉଳଫୁଲଠୁଁ ଆରମ୍ଭ କରି ପିଜୁଳି ଆମ୍ୱକଷିଯାଏ ଯେତେବେଳେ ଯାହା ପାଆନ୍ତି ସେ ଆଣିଦିଅନ୍ତି । ପିଲାଲୋକ-। ସେ ଖୁସି ଆଗ୍ରହରେ ଯାହା ପାଏ ନେଇ ମୋ ପାଖକୁ ଦଉଡ଼ି ଆସେ । ମୋତେ ଯାଚେ-। ମୁଁ ହସି ଦିଏ । ମନା କରେ । ଅପା ଏଥିପାଇଁ ଘନକୁ ଭାରି ଭଲ ପାଆନ୍ତି । କହନ୍ତି, ଘନ ସାବଟିକୁ ଭାରି ଦେଖିପାରେ ।

 

ମୋତେ ବୋଧହୁଏ, ସାବକୁ ଭଲ ପାଇବା ଭିତରେ ତାଙ୍କର ଯେମିତି ଆଉ ଗୋଟାଏ କ’ଣ ଉଦ୍ଦେଶ୍ୟ ରହିଛି, ଏଇଟା ଖାଲି ବାହାର ଦେଖାଣ ।

 

ସନ୍ଦେହରେ ପଡ଼ିଥାଏ, ଆହୁରି ସନ୍ଦେହରେ ପଡ଼ିଲି ସେ ଦିନର ଘଟଣାରୁ । ବଡ଼ି ସକାଳ, ଅପାଙ୍କର ନିଦ ଭାଙ୍ଗିନାହିଁ । କହିଲି ସାବ, ତମେ ଏ ଘର ଦି’ ବଖରା ଓଳାଇ ଦିଅ, ମୁଁ ପୋଖରୀରେ ବୁଡ଼ି ପଡ଼ି ଆସେ । ଚାଲି ଆସିଲି ବାରିକି । ତଉଲିଆ ଖଣ୍ଡି ବେକରେ । ଖଣ୍ଡେ ପତଳା ବିଲାତୀ ଲୁଗା ପିନ୍ଧି ଥାଏ । ପାଣି ଭିତରକୁ ପଶିଲି । କେହି କୁଆଡ଼େ ନାହିଁ । ଲାଜ ସଂକୋଚର ଆଶଙ୍କା ଛାଡ଼ି ମନଇଚ୍ଛା ଗାଧୋଉଥାଏ । ପିଲାଦିନେ ପହଁରା ଶିଖିଥିଲି । କାଳେ ଭୁଲି ଯାଇଥିବି ବୋଲି କୂଳପାଖ କଇଁଫୁଲଟି ତୋଳି ଆଣିବାକୁ ପାଞ୍ଚ ସାତ ହାତ ପହଁରି ଗଲି । ଫୁଲଟି ହାତରେ ଧରି ଫେରି ଆସିଲି କୂଳକୁ । ପତଳା ଓଦା ଲୁଗାଟା ଦେହରେ ମୋର ଲାଗି ଯାଇଥାଏ । ଦରଲଙ୍ଗଳା ଗୋଟା ଛାଏଁ ।

 

ତରତର ହୋଇ ତଉଲିଆ ଖଣ୍ଡି ଚିପୁଡ଼ି ମୁଣ୍ଡ ପୋଛୁ ପୋଛୁ କେଜାଣି କିପରି ପୋଖରୀ ଉପରକୁ ବୁଲି ଠିଆ ହେଲି । ପାହାଚ ଉପରେ ଠିଆ ହୋଇଛନ୍ତି ଘନ । ଆଖିରେ ପିପାସାର ନିଆଁ-। ଓଠରେ ଅର୍ଥପୂର୍ଣ୍ଣ ହସ । ତଉଲିଆଟା ଛାତି ଉପରେ ପକାଇଲି । ମୁହଁ ଉପରକୁ ଲୁଗା ଟାଣି ଆଣି ମୁଣ୍ଡ ନୁଆଁଇ ଠିଆହେଲି । ପାଣି ଭିତରକୁ ପଶି ଯିବାକୁ ନିଆଁଲଗା ମନକୁ ମୋର ବୁଦ୍ଧି ଦିଶିଲା ନାହିଁ । ସେମିତି ସେଠି ଠିଆ ହୋଇ ରହିଥାଏ ।

 

ଭାବିଥିଲି, ମତେ ସେ ସଙ୍କୁଚିତ ଦେଖି ଅନ୍ତତଃ ଭଦ୍ରତା ଖାତିରିରେ ମୁହଁ ଫେରାଇବେ । କିନ୍ତୁ ସେ ତା’ କଲେ ନାହିଁ । ଓଢ଼ଣା ଭିତରୁ ଚାହିଁଥାଏ, ସେ ହସି ହସି ଆସି ମୋ ଆଗରେ ଠିଆ ହେଲେ । ଲାଜ ପରିବର୍ତ୍ତେ ରାଗରେ ମୋ ଛାତି ଭିତରେ ନିଆଁହୁଳା ଜଳିଲା । ଲୋକଟା କେଡ଼େ ଅଭଦ୍ର ସତେ ! ଆଡ଼ ହୋଇ ବୁଲି ଠିଆ ହେଲି । ମନର କୋହ ମନରେ ମଲା । ମନର ରାଗକୁ ପ୍ରକାଶ କରି ଜଣେ ଅଭଦ୍ରଲୋକକୁ ଦି’ଚାରି ପଦ ଝାଡ଼ି ଦେବାର ଉପାୟ ନାହିଁ । ତାଙ୍କୁ ମୁଁ କଥା କହେ ନାହିଁ । କଥା କହିଲେ ସର୍ବନାଶ । ମୋର ସ୍ୱାମୀ ଜାଣନ୍ତି ନାହିଁ । ଅପାଙ୍କର ମତ ନାହିଁ । ମୂଳରୁ କହି ନାହିଁ । ଆଜି ହଠାତ୍‌ କେମିତି କ’ଣ କହିବି ? ରାଗି ପାରିବି ନାହିଁ ତ !

 

ସେ ଧୀରେ ଧୀରେ କହିଲେ, ଏତେ ନିଷ୍ଠୁର ତମେ ନୂଆବୋହୂ ! ଦୁନିଆରେ ତ ଏତେ ଲୋକ ଅଛନ୍ତି, ତମକୁ ଦେଖିବାକୁ ମୁଁ ନିତି ଧାଇଁ ଆସେ କାହିଁକି ? ସତ କହୁଛି, ତମକୁ ଦେଖିବାକୁ ମୋତେ ଭାରି ଭଲ ଲାଗେ । ତମର ଲକ୍ଷ୍ମୀପରି ସୁନ୍ଦର ମୁହଁଟି ! ତମେ ଏଡ଼େ ନିଷ୍ଠୁର ! ଲୁଚି ଲୁଚି ତମକୁ ଦେଖିଲେବି ତମେ ଜାଣିପାରି ମୁହଁ ଢାଙ୍କି ଦିଅ । କହିଲ ଭଲା, ମୋର ସରାଗ, ମୋର ଆନନ୍ଦରେ ଏତେ ବାଧା ଦିଅ କାହିଁକି ?

 

କିଛି ଉତ୍ତର ଦେଲି ନାହିଁ । ଓଢ଼ଣାକୁ ଭଲକରି ମୁହଁ ଉପରକୁ ଟାଣି ଆଣି ଡାହାଣ ହାତରେ ଲୁଗା କାନିକୁ ଜାବଡ଼ି ଧରିଲି । ଭାବିଲି ସତରେ ସେ ଏଥିପାଇଁ ଆମ ଘରକୁ ଆସନ୍ତି ସବୁବେଳେ । ତାଙ୍କ ଆଖିକି ମୋ ମୁହଁଟା ଏଡ଼େ ସୁନ୍ଦର ଦିଶେ ! ମୁହଁଟା ଦେଖିଲେ କ୍ଷତି କ’ଣ, ଯଦି ଜଣକର ଆଶା ମେଣ୍ଟିବ, ମନ ଖୁସି ହେବ ! ଆନନ୍ଦରେ ଗର୍ବରେ ମନ ପୂରି ଉଠିଲା । ଗୋଟାଏ ଅକୁହା ଗୋପନ ଗୌରବ ମୋରି ଭିତରେ ଉତ୍ତଳା ହୋଇ ଉଠିଲା । କିନ୍ତୁ ସଂସ୍କାର ହେଉ କି ସ୍ୱଭାବ ହେଉ କି ଅଭ୍ୟାସ ହେଉ ଓଢ଼ଣା ଶିଥିଳ କରି ହେଲା ନାହିଁ ।

 

କହିଲେ, ଲାଜଟା କ’ଣ ସବୁଠୁ ବେଶି ମୁହଁରେ ଥାଏ ? ମୁହଁକୁ ଏତେ ଘୋଡ଼ାଇ ରଖିଛ କାହିଁକି ? ଆଉ କାହାର ଦୃଷ୍ଟି ପଡ଼ିଲେ ମୁହଁରୁ ସୌନ୍ଦର୍ଯ୍ୟ ତମର ଘୋରି ହୋଇଯିବ ?

 

ଅର୍ଥଟା ବୁଝି ପାରିଲି । କଥାଗୁଡ଼ିକ ଆମୋଦପ୍ରଦ ହେଲେବି ଲାଜରୁ ବଞ୍ଚିବାକୁ ଲମ୍ୱ ଓଦାଲୁଗା କାନି ଆହୁରି ପରସ୍ତେ ପଛପଟେ ବେଢ଼ାଇ ଦେଲି । ବାଁ ହାତରେ ଓଢ଼ଣା ଧରି ଡାହାଣ ହାତ କହୁଣି ପାଖୁ ଭାଙ୍ଗି ଛାତି ଉପର ଲୁଗାକୁ ଜାକି ଧରି ବସିପଡ଼ିଲି । ଭାବୁଥାଏ, ଏଇଥର ଘନ ହାରି ପଳାଇବେ । କିନ୍ତୁ ସେ ଗଲେ ନାହିଁ ।

 

ଟିକିଏ ନୀରବ ରହି କହିଲେ, ଏଇଥର ଯେ ଆଡ଼ଟା ଠିକ୍‌ ହେଲା । କିନ୍ତୁ ଭାବିଛ, ମୁଁ ହାରି ପଳାଇବି ?

 

ହାରି ପଳାଇବା ଛଡ଼ା ଯେ ସେ ଆଉ କ’ଣ ପେଖନା କାଢ଼ି ବସିବେ, ସେ କଥା ମୁଁ ଅନୁମାନ କରିପାରି ନଥିଲି । କ’ଣ ଯେପରି ଆଶଙ୍କା କରି ଯାକିଯୁକି ହୋଇ ବସିଲି । ଯେତେବେଳେ ମୋର ଦୁଇ ହାତ ଧରି ପଛଆଡ଼କୁ ସାମାନ୍ୟ ଆଉଜାଇ ନେଲେ, ମୁଁ ଠିକ୍‌ ବୁଝିଲି ସେ ମୋ ଦେହକୁ ଲାଗି ପଛରେ ଠିଆହୋଇଛନ୍ତି ।

 

ମୋ ହାତରୁ ଲୁଗାକାନି ଖସାଇ ସେ କହିଲେ, ନୂଆବୋହୂ, ମୋତେ ତୁମେ କଥା ନ କହ ପଛେ ଆଡ଼ ହୁଅନାହିଁ । ତୁମକୁ ରାଣ ଅଛି, ତମେ ଗାଳି ଦିଅ, ଯାହାକର, ତମ ଲାଜ ଆଜି ଭାଙ୍ଗିବି । ମୋ ରାଣ ବାଧା ଦିଅନି ।

 

ତାଙ୍କ ସ୍ୱରରେ ଯେପରି ଗୋଟାଏ ଗଭୀର ଦୁଃଖ । କଥାଗୁଡ଼ିକରେ ଯେପରି କେତେ ଆବିଳତା ଭରି ରହିଥିଲା । ମୁଁ ତାଙ୍କୁ ବାଧା ଦେଲି ନାହିଁ, କିନ୍ତୁ ଲାଜ ମାଡ଼ିଲା । ଉପର ଦେଖାଣକୁ ହାତଟା ମୁକ୍ତ କରିବାକୁ ଚେଷ୍ଟା କଲି । ମୁଁ ଯଦି ପ୍ରକୃତରେ ବାଧା ଦେବାକୁ ଇଚ୍ଛା କରିଥାନ୍ତି ସେ କ’ଣ ମୋ ହାତକୁ କେବେ ଅଟକାଇ ପାରିଥାନ୍ତେ ? ସେ ଗୋଟାଏ ହାତରେ ମୋ ମୁହଁ ଉପରୁ ଲୁଗା ଖସାଇ ଦେଇ ମୁଣ୍ଡକୁ ପଛ ଆଡ଼କୁ ନୁଆଁଇ ନେଲେ । ନିରର୍ଥକ ହସଟିଏ ଖେଳିଗଲା ମୋର ଓଠରେ । ଲାଜରେ ଆଖିବୁଜିଲି । ମୋରି ଚିବୁକରେ ମୃଦୁ ଚାପ ଦେଇ ସେ ପୂର୍ବପରି କହିଲେ, ତମେ ପଛେ ଆଖି ବୁଜ, କେବେ ଆଉ ଆଡ଼ ହେବ ନାହିଁ । ଆଜି ତମର ଆଡ଼ ଭାଙ୍ଗିଲା ।

 

ସେ ମୋତେ ମୁକ୍ତି ଦେଇ ପଛକୁ ଘୁଞ୍ଚିଗଲେ । ମୁଁ ତରତର ହୋଇ ପୁଣି ମୁହଁ ଉପରକୁ ଓଢ଼ଣା ଟାଣି ଆଡ଼ ହୋଇ ବସିଲି । କହିଲେ, ପୁଣି ତମେ ପାଳଗଦା ପରି ବସିଲ ? ପାରି ହେବ ନାହିଁ ଦେଖୁଛି । ଆଚ୍ଛା ହେଉ, ରହ ।

 

ସେ ପୋଖରୀ କୂଳରୁ ଚାଲିଗଲେ ଖଞ୍ଜା ଆଡ଼କୁ । ମୁଁ ଉଠିଲି । ଦେହଟା ବରଡ଼ା ପତ୍ର ପରି ଥରୁଥାଏ ଭୟରେ । କାହିଁକି ଯେ ସେ ଭୟ ମୋର ଆସିଲା ଜାଣେ ନାହିଁ ।

 

ଗାଧୋଇସାରି କୂଳକୁ ଆସିଲି । ମନ ସନ୍ଦେହ–ଦୋଳିରେ ଝୁଲୁଥାଏ । କେତେ ପ୍ରକାର ଚିନ୍ତା ମୁଣ୍ଡ ଭିତରେ ଘଣ୍ଟାଚକଟା ଆରମ୍ଭ କରିଥାଏ । ଘନ ହଠାତ୍‌ ଏପରି ଅଭିନୟ ଆରମ୍ଭ କରି ଦେଲେ କାହିଁକି ? ସବୁ ଦିନେ ତ ସେ ମୋତେ ଆସି ଦେଖି ଯାଉଛନ୍ତି, ମୋ ମୁହଁର ଓଢ଼ଣା ଖୋଲି ଅତି ପାଖରେ ଦେଖିବାକୁ ଏଡ଼େ ଆଗ୍ରହ କାହିଁକି ? ବାଧା ଦେଇ ତାଙ୍କ ମନରେ କଷ୍ଟ ଦେବା କି ତାଙ୍କର ଏତେ ବଡ଼ ଆଗ୍ରହ ଭାଙ୍ଗିଦେବା ବୋଧହୁଏ ମୋ ପକ୍ଷରେ ଠିକ୍‌ ହୋଇ ନାହିଁ । ଛି, କେଡ଼େ ଭୁଲଟାଏ କରି ନ ପକାଇଲି ! ଭାବିଲି, ଏଣିକି ତାଙ୍କୁ ଆଡ଼ ହେବି ନାହିଁ । ପୁଣି ଭାବିଲି, ମେଘ ସଙ୍ଗେ ଲୁଚକାଳି ଖେଳିଲା ଜହ୍ନ, ଘଡ଼ିଏ ଲୁଚି ମୁହୂର୍ତ୍ତେ ଓଢ଼ଣା କାଢ଼େ, ତାକୁ ଦେଖିବାକୁ ଯେଉଁ କ୍ଳାନ୍ତି ସରାଗ, ଅତୃପ୍ତ ଆଗ୍ରହ ସେତକ ପୂନେଇ ଚାନ୍ଦର ଖୋଲା ଉଜ୍ଜ୍ୱଳ ମୁହଁ ଦେଖିବାରେ ନଥାଏ ।

 

ମନରେ ଅଜଣା ଆନନ୍ଦ ଆସିଲା । ଯେତେବେଳେ ସେ ମୋର ମୁହଁକୁ ଧରି ଧୀରେ ଧୀରେ ପଛଆଡ଼କୁ ନୋଇଁ ନେଲେ, ବାଧା ଦେଲି ନାହିଁ, ଆଖି ବୁଜିଲି । ମୋର ଶିରାପ୍ରଶିରାରେ ଯେଉଁ ଆମୋଦପ୍ରଦ ଶିହରଣ ଖେଳିଗଲା, ତା’ର ପ୍ରଭାବରେ ମୁଁ ସମୟ, ଅବସ୍ଥା ଭୁଲି ଯାଇଥିଲି ଭଉଣୀ ! ମୋତେ ଛାଡ଼ି ସେ ଅଲଗା ଠିଆ ହେଲେ । ମୁଁ ଲୁଗାପଟା ସଜାଡ଼ି ପୁଣି ଆଡ଼ ହେଲି ଲାଜରେ । ମନ ଭିତରର କେଜାଣି କେଉଁ ସୂକ୍ଷ୍ମ ତନ୍ତ୍ରୀର ଅସ୍ପଷ୍ଟ କରୁଣ ରାଗିଣୀ ଝଙ୍କାରି ଉଠୁଥାଏ–ଘନ ପୁଣି ନୁଆଁଇ ନିଅନ୍ତେ କି, ବାଧା ଦେଉଥାନ୍ତି ସେମିତି ତାଙ୍କ ଜାଣିବାକୁ, ସେ ମାନନ୍ତେ ନାହିଁ । ଯୁବକର ଦେହ–ଛୁଆଁ ଆନନ୍ଦ ମୋର ପ୍ରତି ଲୋମମୂଳ ଶିହରାଇ ଦିଅନ୍ତା !

 

ନିର୍ବୋଧ ସେ, ଭାବିଲେ ହୁଏତ ମୁଁ ବିରକ୍ତ ଅଥବା ଅସନ୍ତୁଷ୍ଟ । ଏଣୁତେଣୁ ଭାବୁ ଭାବୁ କେତେ ଡେରି ହେଲା କେଜାଣି, ସାବ ଆସି ଡାକି କହିଲା, କେତେ ଗାଧୋଇବ ଆଜି ନୂଆବୋହୂ, ଘନ ଭାଇ ଘଣ୍ଟାଏ ହେଲା ପିଣ୍ଡାରେ ବସିଛନ୍ତି । କେତେବେଳୁ ଚାଲି ଯିବାକୁ ହେଉଛନ୍ତି, ପାନ ଦେବାକୁ ଅଟକାଇ ରଖିଛି । ପେଟରା ଚାବି କେଉଁଠି ଥୋଇଛ ପାଉନାହିଁ । ଝଅଟ ଆସୁନ ।

 

ମୁଁ ତାକୁ ଚାହିଁ ହସହସ ମୁହଁରେ କହିଲି, ହଉ ଚାଲ । ପଛେ ପଛେ ଚାଲିଲି ।

 

ସାବ କହିଲା, ଘନ ଭାଇ ବୋଉକୁ କହୁଛି, ଅପା, ତମ ବୋହୂ ଆଜି ଧରା ପଡ଼ିଲେ । ପୋଖରୀରେ ହାତଗୋଡ଼ ବାଡ଼େଇ ପହଁରୁଛନ୍ତି, କଇଁଫୁଲ ତୋଳୁଛନ୍ତି । ମୋ ପାଟି ଶୁଣି କୂଳକୁ ଆସି ହୁଙ୍କାପରି ବସିଲେ ଯେ–ଆହା, ସେତେକି ଦେହରେ ପ୍ରାଣ ନାହିଁ । ମୁଁ ପଳାଇ ଆସିଲି ।

 

ବୋଉ କହିଲା ପରଘରକୁ ସିନା ଆସିଛନ୍ତିରେ ଘନ; ପିଲା ବୁଦ୍ଧି, ପିଲା ଢଙ୍ଗ ଯାଇ ନାହିଁ-। ତୁ ଏବେ ତା’ ପହଁରା ଦେଖିବାକୁ ପୋଖରୀ କୂଳକୁ ଗଲୁ କାହିଁକି ? ଏକେତ ଦୁନିଆଯାକର ଲାଜ ସରମ ତା’ଠିଁ, ତୋତେ ଦେଖି ସେତ ଲାଜରେ ଶଢ଼ିଯାଇଥିବ !

 

ଘନଭାଇ କହିଲେ, ମୁଁ ଭାବିଥିଲି ସେ ବାଇଗଣ ତୋଳିବାକୁ ଯାଇଛନ୍ତି, ପଛ ଆଡ଼ୁ ଯାଇ ଅପଦସ୍ଥ କରିବି । ଅପଦସ୍ଥ ହୋଇ ନିଜେ ଫେରିଲି । ପିଲାଳିଆ ଢଙ୍ଗ କଥା ଯାହା କହିଲ, ସତରେ ସେ ପିଲା ନୁହନ୍ତି ଆଉ କ’ଣ ? ପରଘରକୁ ଆସିଛନ୍ତି ବୋଲି ସେ ହୁଏତ ମଣନ୍ତି ନାହିଁ । ଯେପରି ଶାଶୁ, ଝିଅ ବୋହୂଙ୍କୁ ଏକା ଆଖିରେ ଦେଖନ୍ତି, ସାବ ଯିଏ, ସେ ସିଏ ।

ବୋଉ କହିଲେ, ପାତରଅନ୍ତର ମୁଁ ଜାଣେ ନାହିଁ ବାପ, ତା’ର ଏଠି କିଏ ଅଛି ? ମୋ ଆଖିକି ସାବ ଯେମିତି ପିଲା, ସରବି ସେମିତି ।

ଘନ ଭାଇ କହିଲେ, ଗୁଣ୍ଠୁଣି ହାତୀ ପରି ଏଡ଼େ ଟିକେ ମଣିଷ, ସାବ ଯେଡ଼େ ସିଏବି ସେଡ଼େ । ସତରେ ଅପା, ସେ ଯଦି ମୋତେ ଆଡ଼ ହେଉ ନଥାନ୍ତେ, ତାଙ୍କୁ ଆଉ ଭାଉଜ ବୋଲି ମାନନ୍ତି ନାହିଁ । ସାବକୁ ଯେମିତି ବାର ଅବସ୍ଥା କରେ, ଚୁଟିଝିଙ୍କା, କାନମୋଡ଼ା, ମୁହଁ ଚିତ୍ରା, ସାତ ବେଣ୍ଟିଆ, ସେମିତି ତାଙ୍କୁବି କରନ୍ତି । କେତେ ସରୁ ଚାପଡ଼ା ଖାଆନ୍ତେ ମୋଠୁଁ । କେତେ ରାଗନ୍ତେ, ଗାଳି ଦିଅନ୍ତେ ।

ବୋଉ କହିଲେ, ନୂଆବୋହୂ ପରା ! ଟିକିଏ ପୁରୁଣା ହେଲେ ଆଡ଼ ଛାଡ଼ି ଯିବ ଯେ ।

ସାବ କହିଲା, ନାଇଁ, ସେ ତମ ଆଗରେ ହେବେ ନାହିଁ, ହେଲେ ମୋ ପରି ତାଙ୍କୁ ଭାରି ଅବସ୍ଥା ଦେବ ।

ଟିକିଏ ନୀରବ ହୋଇ ସାବ ମତେ କହିଲା, ନୂଆବୋହୂ, ଘନ ଭାଇକି ତମେ ଏତେ ଆଡ଼ ହୁଅ କାହିଁକି ? ସେ କେଡ଼େ ଭଲ ମଣିଷ ! ତମୁକୁ କ’ଣ, ମତେ କ’ଣ ଭାରି ଭଲ ପାଆନ୍ତି । ଗେହ୍ଲାରେ ମାରନ୍ତି ସିନା !

 

ମୁଁ ହସିଲି । କହିଲି, ଭାରି ମଣିଷଟାଏତ, ତାଙ୍କ ଆଗରେ ହେବି, କଥା କହିବି, ଚାଲ ! ଗୁଡ଼ାଏ ବକ ନାହିଁ । ସେ ତୁନି ହୋଇ ଚାଲିଗଲେ ।

 

ସାମନା ପିଣ୍ଡାରେ ଘନ ବସିଛନ୍ତି, କରକୁ ଅପା, ବାରି କବାଟ ଉହାଡ଼ରେ ମୁଁ ଠିଆ ହୋଇଛି, ସାବ ମୋର ହାତ ଧରି ଟାଣୁଛନ୍ତି, କହୁଛନ୍ତି ଠିଆ ହେଲ କାହିଁକି, ଆସୁନ ?

 

ମୁଁ ଚିମୁଟି ଦେଲି ତାଙ୍କ ହାତକୁ ।

 

ଆମ ଉପରେ ନଜର ପଡ଼ିଲା କି କ’ଣ, ଘନ ହସି ହସି କହିଲେ, ଦେଖିଲ ଅପା ଚିହ୍ନିଲ, କିଏ ତମ ଝିଅ, କିଏ ତମ ବୋହୂ ? ଖାଲି ଓଢ଼ଣାଟା ତ ମାଟି କରୁଛି । ନୋହିଲେ ମୁହଁକୁ ନ ଦେଖି ପଛରୁ ଚାହିଁଲେ ତମେବି, ନିତି ଦେଖିଲା ଲୋକ, ଭ୍ରମରେ ପଡ଼ନ୍ତା । ସେଦିନ ବେଳବୁଡ଼େ, ଚଉରା ପାଖେ ନଇଁ ପଡ଼ି ସଞ୍ଜ ଦେଉଛନ୍ତି, ଜାଙ୍ଗୁଲୁଜାଙ୍ଗୁଲୁ ଅନ୍ଧାର, ମୁଁ ପଛରୁ ଯାଇ ହାତ ଟେକିଥିଲି ପିଠିରେ ଗୋଟାଏ ଥୋଇଥାନ୍ତି । ସାବର ପାଟି ଆରଘରୁ ଶୁଣି ଜିଭ କାମୁଡ଼ି ଫେରି ଆସିଲି ପଛକୁ-। ସେ ବୁଲିପଡ଼ି ମୋତେ ଚାହିଁ ଚିଲପରି ଛୁଟି ପଳାଇଲେ । ମୁଁ ତ ହସୁଛି ଗଲା !

 

ଅଜପ ମିଛ ଭଉଣୀ । ଦୁନିଆ ସିନା ତାଙ୍କର ସେ କଥା ଶୁଣି ବିଶ୍ୱାସ କରିବ, ମୋ ଆଗରେ ମିଛ କହିଲେ, ମୁଁ ବିଶ୍ୱାସ କରିବି କାହିଁକି ? ମୋତେ ସେଦିନ ସେ ଭୁଲ ବୁଝି ନଥିଲେ । ବିଧା ମାରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ତା’ ହୋଇଥିଲେ ମୋର ମୁଣ୍ଡର ଓଢ଼ଣା ଖସାଇ ମୁହଁକୁ ଛାତି ଉପରକୁ ଟାଣି ନେଇଥାନ୍ତେ କାହିଁକି ? ମୋ ଦେହରେ ତ ଜ୍ଞାନ ନଥିଲା, ମୁଁ ବାଧା ଦିଅନ୍ତି କ’ଣ ? ଡିବି ଲଗାଇବାକୁ ସାବ ରୋଷଘରେ ଦିଆସିଲି ଖୋଜୁଥିଲେ, ନ ପାଇ ମୋତେ ପଚାରିବାକୁ ଆସୁଥିଲେ । ସେଇଥିପାଇଁ ସେ ମୋତେ ମୁକ୍ତି ଦେଇ ପଛକୁ ଘୁଞ୍ଚିଗଲେ । ଚିଲ ପରି ମୁଁ ଛୁଟି ପଳାଇଲି । ସାବ ସବୁ ଦେଖିଛି । ପିଲାଟା ମନରେ ପାପ ପଶି ନାହିଁ, ଅତୃପ୍ତ ଆତ୍ମାର ଟଣାଓଟରା କ’ଣ ବୁଝିବ ?

 

ଶୁଣ ସେ ଦିନର କଥା । ଘନଙ୍କର କଥା ଶୁଣି ଭାବିଲି, ଲୋକଟା କେଡ଼େ ବେହିଆ । ମୋତେ କ’ଣ ସେ ଏଡ଼େ ନିର୍ବୋଧ ଘେନିଛନ୍ତି ? ବରଂ ସେ ନିଜେ ନିର୍ବୋଧ ଗୋଟାଏ ଧୂଆ ବାଣ ମାରି କୁହୁଡ଼ି ଘେରାଇ ଅପାଙ୍କ ଆଖି ଆଗରେ ପରଦା ଟାଣି ପାରନ୍ତି; କିନ୍ତୁ କେଉଁ ସାହସରେ ମୋ ଆଖି ଆଗରେ ଅନ୍ଧପୋଟଳି ବାନ୍ଧିବାକୁ ବସିଛନ୍ତି ?

 

ଘନଙ୍କର କଥା ଶୁଣି ଅପା କହିଲେ, ବୋହୂ, ଓଦାଲୁଗା ପିନ୍ଧି ଠିଆହେଲ କାହିଁକି ସେଠିଟାରେ, ଚାଲି ଆସୁନ !

 

ଘନ କହିଲେ ଆଡ଼ ସିନା ହୁଅ, ସବୁ ଦିନେ ତ ମୁହଁ ଘୋଡ଼ାଇ ମୋ ଆଗରେ ଚାଲିଯାଅ-। ଆଜି କାହିଁକି ଏତେ ଲାଜ ? ବୁଝିଲ ଅପା, ଆଜି ପରା ଚୋର ଧରା ପଡ଼ିଛି-। ଲୁଚିକରି ପହଁରୁଥିଲେ, ପଡ଼ିଲେ ହାବୁଡ଼େ । କେତେବେଳ ଯାଏଁ ଓଦା ଲୁଗାରେ ସେଠି ଠିଆ ହେବ ଦେଖିବି ରହ । ମୁଁ ଏଠୁ ମୋଟେ ଉଠିବି ନାହିଁ ।

 

ସାବ କହିଲା, ଆସୁନ !

 

ହାତ ଧରି ଟାଣିଲା ପୁଣି ପୁଳାଏ ଚିମୁଟା ଖାଇବାକୁ । ଗୋଡ଼ ଚଳିଲା ନାହିଁ ।

 

ଅପା କହିଲେ, ତୁ ଆମର ଟିକେ ଉଠି ଆସିବୁଟି ଘନ, ସେ ଯାଉନ୍ତୁ । ସେ ଫୁଲେଇ ହେଉଛନ୍ତି, ଦେଖେଇ ହେଉଛନ୍ତି, ଏମିତି ଆଡ଼ ହୋଇ ଆସେ ।

 

ଘନ କହିଲେ, କେବେ ଉଠିବି ନାହିଁ ।

 

ଅପା, ଟାଣ କଥାରେ ମୋର ରାଗ ହେଲା । ସାବଙ୍କୁ କହିଲି, ତମ ଘନ ଭାଇ ଭାରି ମାଇଚା । ସକାଳୁ ନିଷ୍କର୍ମାଙ୍କ ପରି ଖଞ୍ଜା ଭିତରେ ପଶିଛନ୍ତି ।

 

ଏଡ଼େ ଦୁଷ୍ଟ ସାବ, ତା’ ପାଟିରେ ହାତ ଦେଉ ଦେଉ ସେ କହିଦେଲା, ଘନ ଭାଇ, ନୂଆବୋହୂ କହୁଛି, ତମେ ମାଇଚା ।

 

ହସି ହସି ଘନ କହିଲେ, ଭୁଲ ବୁଝିଛ । ମାଇଚାଙ୍କୁ କ’ଣ ମାଇପେ ଆଡ଼ ହୁଅନ୍ତି ନା ଡରନ୍ତି । ହଉ ଯା, ବଡ଼ କଷ୍ଟ ପାଇଲେଣି । ସେ ଉଠି ପଦାକୁ ଗଲେ । ତାଙ୍କ ମନରେ ବୋଧହୁଏ କଷ୍ଟ ହେଲା, ନୋହିଲେ ସେ ପାନ ନ ନେଇ ଚାଲି ଯାଆନ୍ତେ କାହିଁକି ? ସାବ ପାନ ନେଇ ଦାଣ୍ଡରୁ ଫେରି ଆସିଲା ।

 

ସେଇ ଦିନୁ ଘନ କେତେ ଦିନ ଯାଏଁ ଆମ ଘରକୁ ଆସିଲେ ନାହିଁ । ଦିନ ଦିନକର ଘଟଣା । ସବୁ ଆସି ଆଖି ଆଗରେ ନାଚି ଯାଉଛି । କାଲି ପରି ଲାଗୁଛି । କହି ବସିଲେ ପୋଥି ହେବ । ଆମ ବିଷୟରେ ସଂସାର କିଛି ଜାଣେ ନାହିଁ, ତଥାପି ସତେକି ଆଖି ଆଗରେ ଦେଖିଲା ପରି ଲୋକେ ନିନ୍ଦା ରଟାନ୍ତି, ଲୋକେ ବିଶ୍ୱାସ ମଧ୍ୟ କରନ୍ତି । ଅନୁମାନ ଉପରେ କେତେ କୋଠା ଗଢ଼ି ଯାଆନ୍ତି ଶୂନ୍ୟରେ । ଲୋକଙ୍କର କଥାକୁ ଉଡ଼ାଇ ଦିଅନ୍ତି, ହସି ଦିଅନ୍ତି ଅପା । ସେ ମଧ୍ୟ । ମୋ ଅପେକ୍ଷା ତାଙ୍କର ଘନଙ୍କ ଉପରେ ଅଧିକ ବିଶ୍ୱାସ । ଘନ ନିର୍ମାୟା, ନିଷ୍କପଟ, ଦେବତା ପରି ଚରିତ୍ର, ତା’ ନାମରେ ଲୋକେ ଦେଖି ନ ପାରି ନିନ୍ଦା ରଟାନ୍ତି, ଏହାହିଁ ତାଙ୍କର ଧାରଣା ।

 

ଯାହାର ଯାହା ଧାରଣା ହେଉ, ନିଜ ପାଖରେ ମୁଁ ଦୋଷୀ । ମୁଁ ଜାଣେ ମୁଁ ଠିକ୍ ନୁହେଁ । ମୋରି ମନ ଆଜି ମୋତେ ବେଶି କଷ୍ଟ ଦେଉଛି । ଭଉଣୀ, ନିଜ ସଙ୍ଗେ ମୁଁ ଯୁଦ୍ଧ କରିଛି ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ । କିପରି ଯେ ମୁଁ ନିଜକୁ ଏତେ ତଳକୁ ନୂଆଁଇ ଆତ୍ମସମର୍ପଣ କଲି ମୁଁ ନିଜେ ତାହା ଜାଣେ ନାହିଁ । ସେତେବେଳେ ମୁଁ ମୋ ନିଜ ଭିତରେ ନଥିଲି । ଆଉ ଜଣକର ଆତ୍ମା ମୋତେ ସତେ ଆବୋରି ରହିଥିଲା । ସେହି ଆତ୍ମାର ନିର୍ଦ୍ଦେଶରେ ଅନ୍ଧପରି ଆଖି ବୁଜି ଚାଲିଥିଲି, ଜାଣି ନଥିଲି ତା’ର ପରିଣାମ କେଉଁଠି ।

 

ଘଟଣାଗୁଡ଼ିକ ମନ ଦେଇ ଯେ ଶୁଣିବ, ମୋର ଦୁର୍ଗତିପାଇଁ ମୋତେ ସେ ଦୋଷୀ କରି ପାରିବ ନାହିଁ । ନିଜକୁ ଅଲଗା ରଖିବାକୁ ପ୍ରାଣପଣେ ଚେଷ୍ଟା କରିଛି, ଅଲଗା ରଖି ପାରି ନାହିଁ । ହୁଏତ ପାରିଥାନ୍ତି, ଯଦି ସେ ମୋତେ ଅବହେଳା କରି ନଥାନ୍ତେ, କରଛଡ଼ା ଦେଇ କଟକର ବେଶ୍ୟା ମହଲରେ ବୁଲୁ ନଥାନ୍ତେ । ବାହା ହୋଇ ପର ଝିଅକୁ ଆଣି ଘରେ ଛାଡ଼ି ନିଶ୍ଚିନ୍ତ ରହିଲେ କ’ଣ ପର ଆପଣାର ହୋଇପାରେ ? ଏପରି ଯେ ଅନୁମାନ କରେ, ନିର୍ବୋଧ ସେ ନୁହେଁ ତ ଆଉ କିଏ-? ପରକୁ ଆପଣାର କରି ପାରିଲେ ସିନା ଆପଣାର ହୁଏ, ଯିଏ ମନ ଦେଇପାରେ ସେ ସିନା ମନ ପାଇବଲୋ ଖାଲି ବ୍ରାହ୍ମଣର ମନ୍ତ୍ର ଓ ହାତଗଣ୍ଠିର ଅଧିକାରରେ ଯିଏ ପ୍ରଭୁତ୍ୱ ଚାହେଁ ସେ ପାଇବ କାହୁ ? ନିଜକୁ ନିଜେ ଠକିବ ସିନା !

 

ଜଣେ ଜଣକୁ ବରାବର କରଛଡ଼ା ଦେଇ ଆସିଛି ବିନା ଦୋଷରେ, ତା’ ପରିବର୍ତ୍ତରେ ଆଉଜଣେ ଛାଇ ପରି ପଛେ ପଛେ ଗୋଡ଼ାଇଛି, ଆଦେଶର ଦାସ ପରି, ହୁଏତ ଗୋଟାଏ ନିର୍ଦ୍ଦେଶରେ ପ୍ରାଣ ଦେବାକୁ ପ୍ରସ୍ତୁତ । ଧର୍ମର ଦ୍ୱାହିରେ କେତେଦିନ ଦମ୍ଭ ଧରି ମୁଣ୍ଡଟେକି ବାଟ ଚାଲି ହେବ ? ସ୍ୱାର୍ଥ ଦୁଇଆଡ଼ୁ ସମାନ । ଦୁର୍ବଳ ଅସାବଧାନ ସମୟରେ ଅଜାଣତରେ ସଂସ୍କାର ଭାଙ୍ଗିଯିବ, ମୁଣ୍ଡ ନୋଇଁ ଯିବ । ଥରେ ମୁଣ୍ଡ ନୋଇଁଲେ ଆଉ ତ ଟେକି ହେବ ନାହିଁଲୋ !

 

ଦୋଷ କାହାରି ନାହିଁ । ଘଟଣାକ୍ରମେ କିଏ ଯାଇ କେଉଁଠି ପଡ଼େ ସେ କଥା ମୂଳରୁ ବୁଝି ହୁଏନାହିଁ । ଯେଉଁ ଘନଙ୍କର ନିନ୍ଦା ଆଜି ଲୋକେ ପରୋକ୍ଷରେ କରୁଛନ୍ତି ସେତେବେଳେ ଗାଁରେ ତାଙ୍କର ଧନ୍ୟ ଧନ୍ୟ ପ୍ରଶଂସା ପଡ଼ିଥିଲା । ପିଲାରୁ ବୁଢ଼ାଯାଏ ସମସ୍ତେ ତାଙ୍କୁ ଭଲ ପାଉଥିଲେ, ବିଶ୍ୱାସ କରୁଥିଲେ । ପିଲା ସଙ୍ଗେ ପିଲା, ବୁଢ଼ା ସଙ୍ଗେ ବୁଢ଼ା, ଯେଉଁଠି ଯେପରି ଚଳିଲେ ସୁବିଧା । କାହାରି ମନରେ ସେ କେବେ କଷ୍ଟ ଦିଅନ୍ତି ନାହିଁ, କାହାରି କଥା ଭାଙ୍ଗି ମନ ଊଣା କରାନ୍ତି ନାହିଁ ।

 

ଆପଦ ବିପଦରେ ସମସ୍ତଙ୍କ ପାଇଁ ଘନ । ସବୁ ଘରେ ଅବାରିତ ପ୍ରବେଶର ଅଧିକାର । ସାନରୁ ବଡ଼ ଯାଏଁ ସମସ୍ତଙ୍କ ସଙ୍ଗେ ସମାନ ବ୍ୟବହାର । ପର ଝିଅ ବୋହୂଙ୍କୁ ଅନାନ୍ତି ନାହିଁ । ତୁଣ୍ଡରୁ ପଦେ ମିଛ କି ବେଆଡ଼ା କଥା ବାହାରେ ନାହିଁ । ମଝିରେ ପଶି ନିଜେ ମାଡ଼ଖାଇ ଦୁଇଜଣଙ୍କ କଜିଆ ଭାଙ୍ଗନ୍ତି । ଅସମୟ, ଅସୁବିଧାରେ ନିଜ କାମ ଛାଡ଼ି ପର କାମରେ ମନ ପ୍ରାଣ ଢାଳି ଦିଅନ୍ତି-। ମୋଟ ଉପରେ ଗାଁଟାଯାକ ସମସ୍ତେ ତାଙ୍କର । ପର ଆପଣା ଭେଦ ନାହିଁ । ସାଧୁ ପୁରୁଷ । ସେ ବି ଗାଁଯାକର ସମସ୍ତଙ୍କର ।

 

ଏଡ଼େ ଭଲଲୋକ, ସମୟ ସୁଯୋଗ ପାଇଲେ ସେପରି ଲୋକବି ତଳକୁ ଯାଆନ୍ତି । ମନର ପରିବର୍ତ୍ତନ ହେଲେ ଦେବତା ରାକ୍ଷସ ପାଲଟେ । କେତେବେଳେ, କିପରି ବା କାହିଁକି ଯେ ସେପରି ପରିବର୍ତ୍ତନ ଆସେ କେହି କହିପାରିବେ ନାହିଁ । କିନ୍ତୁ, ଦେବତା ଯଦି ରାକ୍ଷସ ହୁଏ ଭଉଣୀ, ବିପଦ ତ ବେଶି ! ନିର୍ଭୟରେ ସେ ଯେତେ ଯାହା କରିଗଲେବି ଲୋକେ ଭଲ ଛଡ଼ା ଖରାପ ଭାବନ୍ତି ନାହିଁ । ଆଖିରେ ନ ଦେଖିବା କଥା ଦେଖିଲେବି ବିଶ୍ୱାସ ହୁଏ ନାହିଁ । ନିଜ ଆଖିର ଦୋଷ ବୋଲି ନିଜକୁ ମାନିନେବାକୁ ହୁଏ ।

 

ଏଇ ପ୍ରକୃତିର ଲୋକଙ୍କୁ କହନ୍ତି ଚୁପ୍‍ସଇତାନ । ଅନ୍ୟକୁ ଆଖି ଥାଉଁଥାଉଁ ଏମାନେ ଅନ୍ଧ କରିପାରନ୍ତି । ସୁବିଧାବି ଯଥେଷ୍ଟ ମିଳେ । ଅବିଶ୍ଵାସ କରିବାକୁ ଲୋକଙ୍କର ଇଚ୍ଛା ହୁଏନାହିଁ । ବାଧା ଦେଇ ମନରେ ଦୁଃଖ ଦେବାକୁ ଲୋକେ ପଛାନ୍ତି, ଆବଶ୍ୟକ ମଣନ୍ତି ନାହିଁ । ସୁନାମରେ ଏମାନେ ଅସାଧ୍ୟ ସାଧନ କରି ପାରନ୍ତି ଅକ୍ଳେଶରେ ।

 

ଅନ୍ୟର ଅସତର୍କତାରେ ଘନଙ୍କର ସବୁ ଚଲାଖି ମୁଁ ଜାଣିପାରେ । କ’ଣ କରିବି ? ବାଧା ଦେବି କିପରି ? ବଡ଼ କଷ୍ଟ । ବାଧା ଦେବାକୁ ବସିଲେ ବିପଦ ବେଶି ନିଜର ।

 

ଜାଣୁ ଜାଣୁ କିପରି ଯେ ମୁଁ ନିଜକୁ ହଜାଇ ବସିଲି, କେତେ ସଂଘର୍ଷ କେତେ ଟଣାଓଟରା ପରେ, କହୁଛି ଶୁଣ–

 

(୪)

 

ସେହି ଦିନରୁ ଘନ ଆଉ ବିଶେଷ ଯାତାୟାତ କରନ୍ତି ନାହିଁ । କୌଣସି ଜରୁରୀ କାମରେ ଯଦି କେବେ ବାହାରୁ ବାହାରୁ ଖବର ଅନ୍ତର ବୁଝି ଫେରନ୍ତି । ସାବ କି ଅପା ଯେତେ ଡାକିଲେବି ସେ କୌଣସି ଗୋଟାଏ କାମର ଆରା ଧରି ଚାଲିଯାଆନ୍ତି । ସ୍ୱାମୀଙ୍କର ଖବର ଦେବା, ଚାକରବାକରଙ୍କୁ ବିଶେଷ କାମ କାର୍ଯ୍ୟରେ ନିଯୁକ୍ତ କରାଇବା ତାଙ୍କ ଆସିବାର ଉଦ୍ଦେଶ୍ୟ । ସାବ ବେଶି ଜୋର କରି ହାତ ଧରି ଟାଣିଲେ ସେ ଖଞ୍ଜା ଭିତରକୁ ଆସନ୍ତି । ଅପାଙ୍କ ଘର ଆଗ ଚଉଡ଼ା ପିଣ୍ଡାରେ ବସି ଅତି ଗମ୍ଭୀର ଭାବରେ ପଦେଅଧେ ଏଣୁତେଣୁ କହି ଫେରି ଯାଆନ୍ତି ।

 

ମଝିରେ ଅଗଣା ଛାଡ଼ିଦେଲେ ଅପାଙ୍କ ପିଣ୍ଡାକୁ ମୋ ଘର ସାମନାସାମନି । ତାଙ୍କ ପିଣ୍ଡାରେ ବସିଲେ ମୋ ଘରୁ ଅଧେ ଦେଖାଯାଏ । କରେଇ ହୋଇ ବସି ଘନକୁ ପାନ ଦେବାକୁ ମୁଁ ଯେତେବେଳେ ଗୁଆ ଭାଙ୍ଗୁଥାଏ, ମୋର ଆଖି ଦି’ଟା ଲାଖି ରହିଥାଏ ତାଙ୍କ ଉପରେ । ଦେଖେ, ସେ ତଳକୁ ଅନାଇ ବସିଛନ୍ତି, ମନରେ ସୁଖ ନାହିଁ । ଅନ୍ୟମନସ୍କ–ଯେପରି କ’ଣ ଭାବୁଛନ୍ତି । ତାଙ୍କର ଦୃଷ୍ଟି ଟାଣିବାକୁ ଚାବିମୁଠାକ ଝଣ୍‌କରି ତଳେ ପକାଏ, କଣେଇ ଚାହେଁ । ସେମିତି ଦାରୁବ୍ରହ୍ମ ପରି ସେ ବସିଛନ୍ତି । ମୁହଁଟା ସତେକି ଆହୁରି ଗମ୍ଭୀର ହୋଇ ଉଠେ ।

 

ସେ ଚାଲି ଯାଆନ୍ତି । ମୁଁ ପଦାକୁ ମୁହଁ କାଢ଼ି ଅନାଏ । ଦେଖି ନ ଦେଖିଲା ପରି ସେ ଚାଲି ଯାଆନ୍ତି । ମୋର ପ୍ରାଣରେ ଆଘାତ ଲାଗେ । ଦୁଃଖ ଯେପରି ଗୋଟାଏ ଡିଆଁରୋଗ, ଘନଙ୍କଠାରୁ ମୋ ପାଖକୁ ଡେଇଁ ପଡ଼େ । ଖଟ ଉପରେ ଶୋଇ ମୁଁ ଭାବେ, ଅନେକ ଭାବେ, ହଠାତ୍ ୟାଙ୍କର ଏପରି ପରିବର୍ତ୍ତନ ହେଲା କାହିଁକି ? ଯାହାଙ୍କର ମୁହଁ ସବୁବେଳେ ହସହସ, ଆଖି ଦି’ଟା ଏଡ଼େ ଚଞ୍ଚଳ, ଥଟ୍ଟାରେ ଚାରିପଦ ହାଙ୍କିବାକୁ ପାଟି ଖଲଖଲ ହେଉଥାଏ, ହଠାତ୍ ସେ ଲୋକ ବଦଳି ଗଲେ କାହିଁକି, କିପରି ?

 

ସାବ ଆସି ମୋ ପାଖରେ ବସନ୍ତି । ଏଣୁତେଣୁ ବାରକଥା ପଚାରି ବିରକ୍ତ କରନ୍ତି । ମୁଁ ଶୁଣେ ନାହିଁ । ମୋ ମନରେ କିଛି ପଶେ ନାହିଁ । ଖାଲି ଏଇ କଥା ଭାବୁଥାଏ,–ଘନଙ୍କର ହେଲା କ’ଣ ? ଇଚ୍ଛା ହୁଏ, ସାବ କି ଅପା ଜଣେ କାହାକୁ ଏ ସମ୍ବନ୍ଧରେ ପଚାରିବି । କେଜାଣି କାହିଁକି ମନକୁ ମନ ଲାଜରା ହୋଇ ରହେ । ପଚାରିପାରେ ନାହିଁ ।

 

ଅପା ଆସି ଡାକିଲେ, ଛାଇ ଲେଉଟିଲା, ପଖାଳ ଖାଇବ ନାହିଁକି ? ଧଡ଼ପଡ଼ ହୋଇ ଉଠି ବସିଲି ଖଟ ଉପରେ । ମୋ ମୁହଁକୁ ଚାହିଁ ଦେଇ ସେ ମୁହଁ ଶୁଖାଇ କହିଲେ, କାନ୍ଦୁଛ କାହିଁକି ?

 

ମୁଁ ଲାଜରେ ମୁହଁ ଘୋଡ଼ାଇ କହିଲି, ଭାରି ମୁଣ୍ଡ ବଥାଉଛି, କିଛି ଖାଇବି ନାହିଁ ।

 

ସେ ପଦାକୁ ଯାଇ ମନକୁ ମନ କହିଲେ, ଦେଖ ତ ତା’ରି ବୁଦ୍ଧି, ଦି’ମାସ ହେଲା ଘର ମୁହଁ ଦେଖିଲା ନାହିଁ, ହାନିଲାଭ ଖବର ଅନ୍ତର ବୁଝିଲା ନାହିଁ । ଚିଠି ଖଣ୍ଡେ ଦେବାକୁ ଏମିତି କ’ଣ ବେଳ ମିଳୁ ନାହିଁ ? ଘରେ ଭୁଆସୁଣୀ । ଛି, କେମିତି ନିଶ୍ଚିନ୍ତ ଲୋକ ! ମୁଁ କହିଲି, ଆରେ ବୃନ୍ଦାବନ, ତୋର କ’ଣ ନାହିଁରେ, ବାପଅଜା ଯାହା ରଖି ଯାଇଛନ୍ତି ସେଇଆକୁ ଧୋଇ ଶୁଖାଇ ଖାଇଲେ ତିନି ପୁରୁଷ କଟିବ । ଅକାରଣ ତୁ ପରଘରେ ଗୋଲାମୀ କରୁଛୁ କାହିଁକି ? ପାଞ୍ଚ ମାସରେ ତ ପାଞ୍ଚଟଙ୍କା ଦେଖା ନାହିଁ । କାହିଁକି ସେ ଶୁଣନ୍ତା ?

 

ସାବ କହିଲେ, ନୂଆବୋହୂ, କାନ୍ଦୁଛ କାହିଁକି ? ଯାଉଛି ଘନ ଭାଇକି ଧରି ଆଣେ, ସେ ଯାଇ ଭାଇକି ଡାକି ଆଣନ୍ତୁ । ଦେହପା କେମିତି ଅଛି କିଛି ଖବର ନାହିଁ । ସତକୁସତ ସେ ଯିବାକୁ ଉଠିଲେ । ମୁଁ ତାଙ୍କ ହାତ ଧରି ଅଟକାଇ କହିଲି, ଛି, ଏଡ଼େ ଝିଅ, ସଞ୍ଜ ହେଲାଣି, ଏକୁଟିଆ ଗାଁଦାଣ୍ଡରେ ଯିବ କୁଆଡ଼େ ? ସେ ତୁନି ହୋଇ ପାଖରେ ବସିଲେ । କହିଲି, ଯା ଖାଇବ । ଦ୍ୱିରୁକ୍ତି ନ କରି ସେ ଉଠିଗଲେ ।

 

କେତେବେଳେ ମୋ ଆଖିରୁ ଲୁହ ଗଡ଼ିଥିଲା ମୁଁ ଜାଣିପାରି ନଥିଲି । ଅପା ନିର୍ବୋଧ । ସ୍ୱାମୀଙ୍କର ଇଚ୍ଛା କ’ଣ ମୋତେ ବିବାହ କରିଥିଲେ ସୁଖୀ କରିବାକୁ, ନିଜେ ସୁଖୀ ହେବାକୁ ? ଘରର ଦାସୀ । ମୁଠାଏ ଖାଇ, ଖଣ୍ଡେ ପିନ୍ଧି ତାଙ୍କ ଘରର ହାନିଲାଭ ବୁଝିବା, ଗଧ ପରି କାମ କରିବାପାଇଁ ଆଣିଥିଲେ ? ବଡ଼ ସୁବିଧା ! ହସ ମାଡ଼ିଲା ମତେ । ଯେତେ ସହଜ ଭାବିଛନ୍ତି ସେତେ ସହଜ ନୁହେଁ । ଅବହେଳାର ସୀମା ଲଙ୍ଘିଲେ ଭଲ ଫଳ ହୁଏ ନାହିଁ । ମାଇପି ଜାତି ସବୁ ଦୁଃଖ, ସବୁ କଷ୍ଟ ଜଞ୍ଜାଳ ନିର୍ବିଘ୍ନରେ ସହିପାରେ ଭଉଣୀ; କିନ୍ତୁ ସ୍ୱାମୀଠାରୁ ଅବହେଳା ତା’ ପକ୍ଷରେ ଅସହ୍ୟ ।

 

ଘନ ମନେ ପଡ଼ିଲେ କେତେ ଦିନର ଛୋଟ ବଡ଼ କେତେ ଘଟଣା ଆଖି ଆଗକୁ ଆସେ-। ମୋର ମୁହଁ ଦେଖିବାକୁ ସେ ଡହଳବିକଳ ହୁଅନ୍ତି । ମୋର ଦେହ ଦେଖିବାକୁ ଚୋର ପରି ଛପି ଛପି ଆସନ୍ତି । ମୋର ପଦେ କଥା ଶୁଣିବାକୁ ତାଙ୍କର ଆତ୍ମା ସତେକି ଆଗ୍ରହରେ ଟାକି ରହିଥାଏ-। ମୋର ଅଙ୍ଗର ଚାଳନାରେ ତାଙ୍କର ଆଖି ଲାଖି ରହିଥାଏ । ଦିନରାତି ସବୁବେଳେ ସେ ଯେପରି ମତେ ଦେଖିବାକୁ ବ୍ୟଗ୍ର ।

 

ସେହି ଘନ ଏବେ କରଛଡ଼ା ଦେଇ ରହିଛନ୍ତି । ଏହାର କାରଣ ମୁଁ ବୁଝି ପାରି ନଥିଲି । ସତ କହୁଛୁ ଭଉଣୀ, ଯେତେବେଳେ ସେ ଆଗେ ଆସି ମୋତେ ଦେଖିବାପାଇଁ ବାଁରେଇ ହୋଇ ଏପାଖ ସେପାଖ ହେଉଥାନ୍ତି କିମ୍ବା ସୁବିଧା ପାଇଲେ, ପାଖରେ ଅପା କି ଆଉ କେହି ନଥିଲେ ମୋର ହାତ ଧରି ଚାପି ଦିଅନ୍ତି, ମୁହଁରୁ ଲୁଗା କାଢ଼ି ହସି ହସି ମୋ ଆଖିକୁ ଅନାନ୍ତି, ମୋତେ ବିରକ୍ତ ଲାଗେ, କିନ୍ତୁ ଆଜି ଭାବୁଛି ମୋର ସେହି ବିରକ୍ତି ଭିତରେ କିପରି ଏକ ଅଜଣା–ଆଗ୍ରହ, ଅକୁହା ଆନନ୍ଦ ଛପି ରହିଥିଲା । ଜାଣି ମଧ୍ୟ ମୁଁ ଜାରି ପାରୁ ନଥିଲି ।

 

ସେହି କେତେ ଦିନର ଅଦେଖା, ଠିକ୍ ଅଦେଖା ନୁହେଁ, ସରାଗ ଭଙ୍ଗା କରଛଡ଼ାରେ ବୁଝି ପାରିଲି ମୋର ମନଟାବି ତାଙ୍କରି ଆଡ଼କୁ ଢଳିପଡ଼ିଥିଲା । ତାଙ୍କରି ସେହି ଅନଧିକାର–ପିଲାମି ଭିତରେ ତାଙ୍କର ଯେତିକି ସ୍ୱାର୍ଥ ଥିଲା ମୋର ବୋଧହୁଏ ସେତିକି ସ୍ଵାର୍ଥ ଥିଲା । ନୋହିଲେ ଏ ପ୍ରାଣ ଏଡ଼େ ବିକଳ ହୁଅନ୍ତା କାହିଁକି ? ତାଙ୍କର ଅନଧିକାର–ସ୍ପର୍ଶପାଇଁ ଝୁରି ହୁଅନ୍ତି ବା କାହିଁକି ?

 

ସାବ ଆସି କହିଲେ, ନୂଆବୋହୂ, ଘନ ଭାଇ ଆସିଛନ୍ତି ।

 

ଉତ୍ତର ଦେଲି, ଡାକିଲ ନାହିଁ ଭିତରକୁ ?

 

ଡାକିଲି ଯେ ସେ କହିଲେ, ଯାଉଛି ଯା । ଦାଣ୍ଡରେ ଠିଆ ହୋଇ ଧୋବା ବାଉରି ସଙ୍ଗେ କ’ଣ କଥାଭାଷା ହେଉଛନ୍ତି । ଧୋବା ୟାଙ୍କର କୋଠିଆ ।

 

ମୁଁ କହିଲି, ଠକି ଦେଇ ଚାଲିଯିବେ କାଳେ, ଯାଅ, ଦାଣ୍ଡରେ ଠିଆ ହୋଇଥିବ । ସେକଥା ମାନି ଚାଲିଗଲେ । କେତେଦିନ ହେଲା ଘନଙ୍କୁ ଦେଖିନାହିଁ । ଦେଖିବାକୁ ମନ କେମିତି ଆକୁଳ ହେଲା । ଛାଇ ନେଉଟବେଳ । ମୁଣ୍ଡ ବାନ୍ଧିବାକୁ ବାଳଗୁଡ଼ା ଖୋଲି ମୁକୁଳା କରିଥାଏ । ମୁଣ୍ଡରେ ଲୁଗା ନାହିଁ ଜାଣି ମଧ୍ୟ ସେ ଆଡ଼କୁ ନିଘା ଦେଲି ନାହିଁ । ଦାଣ୍ଡପାଖ ଝରକା ଖୋଲିଲି ।

 

ଝରକା ଆଡ଼କୁ ମୁହଁ କରି ଠିଆ ହୋଇଥିଲେ । ମୁଁ ଜାଣେ ଝରକା ଖୋଲିବାରୁ ତାଙ୍କର ନଜର ପଡ଼ିଲା ମୋ ଉପରେ । କେଡ଼େ ଚଲାଖିରେ କିଛି ନ ଦେଖିଲା ପରି ଆଖି ଫେରାଇ ନେଲେ ମୋ ଉପରୁ । ଆଖି ଆଖିର ମିଳନ ହେଲେ କାଳେ ଲାଜରେ ମୁଁ ମୁହଁ ଫେରାଇବି, ଝରକା ସେପାଖେ ସ୍ୱାଧୀନ ଭାବରେ ଠିଆ ହୋଇ ସେ ମନଇଚ୍ଛା ମୋତେ ଚାହିଁ ପାରିବେ ନାହିଁ । କେବଳ ମତେ ସୁବିଧା ଦେବାପାଇଁ ତାଙ୍କର ଏ ଚଲାଖି । ନୋହିଲେ, ସେ କିଛି ନ ଦେଖିଲା ପରି, କିଛି ନ ଜାଣିଲା ପରି କଣେଇଁ ଚାହାଁନ୍ତେ କାହିଁକି ?

 

ଝରକା ପାଖରେ ତାଙ୍କରି ଆଡ଼କୁ ଚାହିଁ ସେମିତି ଠିଆ ହୋଇଥାଏଁ । ସାବ ବାହାରୁ ଡାକି କହିଲା, ଘନ ଭାଇ, ଭିତରକୁ ଆସ, ନୂଆବୋଉ ଡାକୁଛନ୍ତି । ସାବଟା ବଡ଼ ଓଲୀ । ମୋ ନାଁ ପଦାରେ ପକାଉଛି । ଲାଜରେ ଶଢ଼ି ଗଲି । ଏଣେ ଝରକା ପାଖରୁ ଘୁଞ୍ଚି ଆସିଲି । ତାଙ୍କୁ କହିବାର ଶୁଣିଲି, ଯାଉଛି ଚାଲ ଅପା ନାହାନ୍ତି କି ?

 

ବୋଉ ବାରିଆଡ଼େ ଅଛି, ଡାକି ଦେବି ?

 

ନା, ଦରକାର ନାହିଁ ।

 

ମୁଁ ଝରକା ବନ୍ଦ କରି ଖଟ ଉପରେ ବସିଲି । ଭାବିଲି, ମୁଁ ଡାକୁଛି ଶୁଣି ସେ ଯଦି ମୋ ପାଖକୁ ଆସି ପଚାରି ଦିଅନ୍ତି, କ’ଣ କହିବି ? ଗୋଟାଏ ପିଲାଳିଆ ଖିଆଲ ଆସିଲା ମୋ ମନକୁ । ଖଣ୍ଡେ ପତଳା ରଙ୍ଗିନ ଲୁଗା ପିନ୍ଧିଲି । ଆଲମାରି ଭିତରୁ ବାସନା ତେଲ ଆଣି ଥାକରେ ଥୋଇଲି । ଲମ୍ବା ଆରଶିକୁ କାନ୍ଥ କଣ୍ଟାରେ ବଙ୍କେଇ ଝୁଲାଇ ପାନିଆ ଧରି ମୁଣ୍ଡ କୁଣ୍ଡାଇବାରେ ଲାଗିଲି । ଆରିଶିଟା କଡ଼ କରି ବଙ୍କା କରି ଟାଙ୍ଗିଲି । ଘନ ଆସି ଅପାଙ୍କ ବାରଣ୍ଡାରେ ବସିଲେ ତାଙ୍କର ଛବି ସେଥିରେ ପଡ଼ିବ, ମୋ ଆଡ଼କୁ ଚାହିଁଲେ ଯେପରି ଆରଶି ଭିତରେ ମୋର ପ୍ରତିବିମ୍ବ ଦେଖି ପାରିବେ । ଦେଖାଯାଉ, କେତେ ଦମ୍ଭ କେତେ ଧୈର୍ଯ୍ୟ ଧରି ସେ ଆସିଛନ୍ତି !

 

ଜାଣେନା ଭଉଣୀ, ମୋ ସଙ୍ଗେ କେହି ଏକମତ ହେବେ କି ନାହିଁ, ତଥାପି ମୋର ଅଭିଜ୍ଞତାରୁ ମନରେ ଗୋଟାଏ ଧାରଣା ହୋଇଛି, ମାଇପି ଜାତିର ସ୍ୱଭାବ, ପର ଆଖିରେ ନିଜକୁ ଅତି ସୁନ୍ଦର ଅତି ଲୋଭନୀୟ କରି ଦେଖାଇବା । ନିଜ ଉପରେ ଯେତେ ତରୁଣଙ୍କର ଆଖି ପଡ଼େ, ଲାଜରେ ସଙ୍କୁଚିତ ହୋଇ ରହିଲେବି ଭିତରେ ଭିତରେ ଗୋଟାଏ ଗୌରବ, ଗୋଟାଏ ଗର୍ବ ଅନୁଭବ କରୁ । ଯାହାର ଆଖି ଅତି ସହଜରେ ଲାଖିଯାଏ ଆମ ଉପରେ, ମନରେ ତା’ ପ୍ରତି ଅବଜ୍ଞା ନୋହିଲେ ତାଚ୍ଛଲ୍ୟ ଭାବ ଆସେ । ଶକ୍ତିହୀନ ଦୁର୍ବଳ ସେ, ତା’ ସଙ୍ଗେ ଖେଳିବାକୁ ଇଚ୍ଛା ହୁଏନି । ସହାନୁଭୂତି ଆସେ । ଆଉ ଯେ ନିଜ ଗର୍ବରେ ଗର୍ବିତ, ତା’ ଉପରେ ଆଖିକୁ ତଳକୁ ଟାଣି ଆଣିବା ଯେପରି ଗୋଟାଏ ଜିଦ୍ । ଥରେ ଯାହାର ମୁଣ୍ଡ ନୁଏଁ ତାକୁ ଆଙ୍ଗୁଠି ଆଗରେ ନଚାଇବା ଅତି ସହଜ ।

 

ସାବ ସଙ୍ଗେ ଘନ ଖଞ୍ଜା ଭିତରକୁ ଆସିଲେ । ସେତେବେଳକୁ ଅପା ବାରିଆଡ଼ରୁ ଆସି ପିଣ୍ଡାରେ ବସିଲେଣି । କୁଲାରେ କୁଲାଏ ଶାଗ ଧରି ବସିଛନ୍ତି । ଖରଡ଼ା ହେଲେ ସଞ୍ଜ ଆଗରୁ ସମସ୍ତେ ପଖାଳ ଖାଇବେ । ମାଇପି ଘର । ରାତିରେ ପ୍ରାୟ ରନ୍ଧା ହୁଏ ନାହିଁ । ସଞ୍ଜ ଆଗରୁ ରାତିକା କାମ ସରିଯାଏ ।

 

ଅପାଙ୍କୁ ଦେଖି ଘନ ପିଣ୍ଡା ଉପରେ ବସିଲେ । ଘନ କଥା ଆରମ୍ଭ କଲେ, କଟକର ବାଇସ୍କୋପ, ପୁରୀରେ ପାଣିକଳ, କଲିକତାର ଟ୍ରାମ୍ ଗାଡ଼ି, କାଳିମାଟି କାରଖାନା ଇତ୍ୟାଦି । ସବୁ ଆସି ମୋ କାନରେ ବାଜୁଥାଏ । ସାବ ଆଣ୍ଠୁରେ ମୁହଁ ଭରାଦେଇ ତାଙ୍କୁ ବଲବଲ କରି ଚାହିଁ ରହିଥାଏ । ଅପା ଶାଗ ବାଛୁବାଛୁ ବେଳେବେଳେ ହୁଁ ମାରୁଥାଆନ୍ତି ।

 

ଗୋଟିଏ ହାତରେ ମୁଣ୍ଡବାଳ ଆର ହାତରେ ପାନିଆ ଧରି କୁଣ୍ଡାଉ ଥାଏଁ । କଣେଇଁ ଚାହେଁ ତାଙ୍କ ଆଡ଼କୁ, ଦେଖେ, କିଛି ନ ଜାଣିଲା ପରି, କିଛି ନ ଦେଖିଲା ପରି ସେ ମୋରି ଆଡ଼କୁ ଚାହିଁ ରହିଛନ୍ତି, ଆଖି ପିଞ୍ଛଡ଼ା ପଡ଼ୁନାହିଁ । ଅସାବଧାନତାରୁ କେତେବେଳେ ଲୁଗା ପିଠି ଉପରୁ ଓ ଦେହରୁ ସାମାନ୍ୟ ଖସିଯାଉଥାଏ । ଦର୍ପଣରେ ଅଧନଙ୍ଗଳା ଦେହଟା ତାଙ୍କ ଆଖିରେ ପଡ଼େ । ତେଣିକି ମୁଁ ନଜର ଦିଏନାହିଁ । ପଛକୁ ଚାହେଁ, ଘନ ଦେଖାଯାଉ ନାହାନ୍ତି । ଦର୍ପଣକୁ ଚାହେଁ ସେ ମୁଗ୍ଧ ଚକ୍ଷୁରେ ଚାହିଁ ରହିଛନ୍ତି । ମନରେ ଆନନ୍ଦ ଓ ଗର୍ବ ଆସେ ।

 

କବାଟ ଫାଙ୍କରେ ଚାହିଁଲି, ଅପା ମନରେ ରୋଷଘରକୁ ଗଲେ ଶାଗ ଖରଡ଼ିବାକୁ । ଏଣିକି ତେଣିକି ଚାହିଁ ଘନ ଉଠି ଠିଆ ହେଲେ, ସାବବି । ମୁହଁ ନୁଆଁଇ ସାବ କାନରେ କ’ଣ କହିଲେ ଶୁଣି ପାରିଲି ନାହିଁ । ମୋ ଥିବା ଘରକୁ ଆଙ୍ଗୁଠି ଦେଖାଇ ସେ କ’ଣ କହିଲେ । ମୁଁ ଅନୁମାନ କରିନେଲି, ବୋଧହୁଏ ମୋରି ବିଷୟରେ । ଦେଖିଲି ଆଗରେ ଘନ, ଘନ ପଛରେ ସାବ ମୋରି ଘର ଆଡ଼କୁ ଆସୁଛନ୍ତି । ମୁଁ ବଡ଼ ଚଞ୍ଚଳ ହୋଇ ଉଠିଲି । ଅସାବଧାନତାର ସୂଚନା ଦେବାକୁ ଲୁଗା କାନି ତଳେ ପକାଇ ଦର୍ପଣ ଆଗକୁ ଆସିଲି । କିଛି ନ ଜାଣିଲା ପରି କୁଆଡ଼କୁ ଦୃଷ୍ଟି ନ ଦେଇ ମୁଣ୍ଡବନ୍ଧାରେ ମନ ଦେଲି ।

 

ଦର୍ପଣ ଉପରେ ଦିଇଟା ଛାଇ ପଡ଼ିଲା । ନ ଜାଣିଲା ପରି ରହିଲି । ସାବ କ’ଣ କହିବାକୁ ବସିଥିଲା; ତା’ର ପାଟିରେ ହାତ ଦେଇ ସେ ଆହୁରି ପାଖକୁ ଘୁଞ୍ଚି ଆସିଲେ । ନ ଜାଣିବାର ପେଖନା କରିବା ନିର୍ବୋଧତା ହେବ ଭାବି ପଛକୁ ଚାହିଁଲି । ଲାଜରେ ଓଠ କାମୁଡ଼ି ଲୁଗା ସଜାଡ଼ି ନେଲି ସଙ୍ଗେ ସଙ୍ଗେ । ମୁଣ୍ଡରେ ଓଢ଼ଣା ଟାଣି କବାଟ କଣକୁ ଘୁଞ୍ଚି ଯାଇ ଠିଆ ହେଲି । ହସି ହସି ସାବ ଆସି ମୋତେ ଲାଗି ଠିଆ ହେଲେ ।

 

ଘନ କହିଲେ, ଏମିତି ଲୁଚି କବାଟ କଣରେ ଠିଆ ହେବାକୁ କ’ଣ ମୋତେ ଡକାଇ ଆଣିଥିଲ ? ଜାଣିଥିଲେ ମୁଁ ଆସିଥାନ୍ତି କାହିଁକି ? ତୁନି ହେଲେ ସେ କିଛିକ୍ଷଣ । ମୁଁ ସେମିତି ଠିଆ ହୋଇଥାଏ । କହିଲେ, ବୃଥାରେ ତମୁକୁ କବାଟ କଣରେ କଷ୍ଟ ଦେବି କାହିଁକି ? ଯାଉଛି ।

 

ତାଙ୍କର ଅଭିମାନିଆ କଥାଗୁଡ଼ିକ ଭିତରେ କେତେ ଦୁଃଖ ପୂରି ରହିଥିଲା ମୁଁ ଅନୁମାନ କରିନେଲି । କାଳେ ସେ ଚାଲିଯିବେ ଏହି ଭୟରେ ସାବର କାନରେ ତୁନି ତୁନି କହିଲି, କହ ସାବ, ଏମିତି କ’ଣ ଘୋଡ଼ା ଚଢ଼ି ଆସିଛନ୍ତି କି ଚାଲିଯିବେ । ଖଟ ଉପରେ ବସିବାକୁ କହ ।

 

ସେ ସେଇଆ କହିଲା । ଇଚ୍ଛା ନଥିଲା ପରି ମନକୁ ମନ କ’ଣ କହି ସେ ଯାଇ ଖଟ ଉପରେ ବସିଲେ । କହିଲେ, ତମେ ତମର ସେଠି ମୁଁ ମୋର ଏଠି । ଏମିତି ହୁଙ୍କାରେ ମୂକ ହୋଇ ବସିବାଠୁ ଯିବା ଭଲ ।

 

ସାବକୁ କହିଲି, ପଚାର ତ, କେତେ ଦିନ ହେଲା ତାଙ୍କର କାହିଁକି ଦେଖାଦର୍ଶନ ନାହିଁ ।

 

ଉତ୍ତର ଦେଲେ, ଜବାବ୍ ଦେବାକୁ ମୁଁ ବାଧ୍ୟ ? କାରଣଟା ହେଉଛ ତମେ ନିଜେ । ମୋ ଆସିବାଦ୍ୱାରା ଯଦି ଜଣେ ଲୋକର ଚଳାଚଳିରେ ଅସୁବିଧା ହୁଏ, ମୋର ଏବେ ଆସିବା ଦରକାର କ’ଣ ?

 

କବାଟ କଣକୁ ଆସି ତାଙ୍କ ଆଗ ଦେଇ ଚାଲି ଆସିଲି ଖଟ କଡ଼କୁ । ଓଢ଼ଣା ଟାଣି ତଳେ ବସିଲି । ଖଟ ତଳୁ ପାନ ପେଟାରଟା ଆଣି ପାନ ଭାଙ୍ଗିଲି । ସାବ ମୋର ପାଖରେ ଥାଆନ୍ତି-। କହିଲି, କହତ, ଆଡ଼ ହେବା, ଲାଜକରି କଥା ନ କହିବା ତ ଦେଶାଚାର ଲୋକାଚାର କଥା, ତା’ ବୋଲି କ’ଣ ଯେ ଯାହାକୁ ଭଲ ପାଏ ସେ ତା’ କଥା ଭାବେ ନାହିଁ ? ତାକୁ ଦେଖିବାକୁ ତା’ର ଇଚ୍ଛା ହୁଏ ନାହିଁ ?

 

ସେ ଶୁଣିଲେ । କ’ଣ ବୁଝିଲେ କେଜାଣି, ପାଟିକରି ହସି ଉଠିଲେ । ମୋତେ ଭାରି ଲାଜ ମାଡ଼ିଲା । ଅଭ୍ୟାସରୁ ହାତ ଯାଇ ଓଢ଼ଣା ଟାଣି ଆଣିଲା ଆଉଟିକେ ତଳକୁ ।

 

କହିଲେ, ଦେଖିବାକୁ ତ ଇଚ୍ଛା ହେବାର କଥା ଆଉ ଭାବିବା ତ ଅତି ସ୍ୱାଭାବିକ । ଦେଖିବାରେ ସମସ୍ତେ ବାଧା ଦେଇ ପାରନ୍ତି, କିନ୍ତୁ ଭାବିବାରେ ବାଧା ଦେବ କିଏ ? ସେ ଅଧିକାର କାହାର ନାହିଁ । ଆନନ୍ଦ ସେଇଠି ବେଶୀବେଳ ରହିଯାଏ, ରାତି ବିତିଯାଏ, ଆଖି କଷା ପଡ଼େ ନାହିଁ-

 

କ’ଣ ବୁଝିଲା କେଜାଣି, ସାବ କହିଲା, ଦି’ମାସରୁ ଉପର ହେଲାଣି, ଭାଇ ପାଖରୁ ପଇସା କଉଡ଼ି ଦେଖା ନାହିଁ କି ସେ ଚିଠି ଖଣ୍ଡେବି ଦେଉ ନାହିଁ । ଘରେ ସମସ୍ତଙ୍କ ମନକଷ୍ଟ । ନୂଆବୋହୂ ତ ଏକୁଟିଆବେଳେ କାନ୍ଦୁଛି । ବୋଉ ଧୋବା ବାଉରିକୁ ଦି’ ଥର ପଠେଇ ସାରିଲାଣି । ଏମିତି ଯୋଗ ଯେ, ଦି’ ଥରଯାକ ଦେଖା ନ ପାଇ ସେ ଫେରିଲା । ସେ ଯେଉଁଦିନ ଯାଏଁ, ଶୁଣି ଆସେ ଭାଇ କଟକ ଯାଇଛି । ଘନ ଭାଇ, ତମେ ଥରେ ଯାଆନ୍ତ କି ଚାକିରି ଗାଁରେ ଦେଖା ନ ପାଇଲେ କଟକ ବାଟେ ହୋଇ ଆସନ୍ତ ।

 

ମୁଁ ତୁନି ହୋଇ ବସିଥାଏ ।

 

ଥରେ କାହିଁକି, ଦଶଥର ଯିବାକୁ କହିଲେ ମୁଁ ଯିବି । ମୁଁ ତାଙ୍କୁ ଧରି ଆଣିଲେ ସେ ଯେ ଘରକୁ ନ ଆସିବେ, ଏମିତି ନୁହେଁ । ମୋ କହିବା କଥା ହେଉଛି, ମଣିଷର ମନ ନ ବଦଳିଲେ ଜୋର୍ ଜବରଦସ୍ତ କରି ଗୋଟାଏ ଲୋକକୁ ଘରକୁ ଆଣିବାରେ ଲାଭ କ’ଣ ? ଭାବିଥିଲି, ଏଣିକି ତାଙ୍କର ମତିଗତି ବଦଳିବ । ନୂଆବୋହୂଙ୍କ ପରି ଲକ୍ଷ୍ମୀଙ୍କୁ ଘରେ ପାଇ ଅବାଟରୁ ସେ ଫେରି ଆସିବେ । କିନ୍ତୁ ଦେଖୁଛି ଓଲଟା । ତମେ ନିଜେ ଯଦି ତାଙ୍କୁ ସଦୁପଦେଶ ଦେଇ ସୁଧାରି ନ ପାରିବ ଆଉ ପାରିବ କିଏ ?

 

ମନରେ ମୋର କେମିତି ଗୋଟାଏ ଦ୍ୱନ୍ଦ୍ୱ ଆସିଲା । ଭାବିଲି, ମୁଁ ଘନଙ୍କୁ ଚିହ୍ନେ, କିନ୍ତୁ ତାଙ୍କର କେଇପଦ କଥା ଶୁଣି ବୁଝିଲି, ମୁଁ ବଡ଼ ଓଲୁ, ସଂସାରରେ କାହାରିକୁ ଚିହ୍ନିବାର ଶକ୍ତି ମୋର ହୋଇ ନାହିଁ । ଜାଣେନା କିପରି ଗୋଟାଏ ବିଷାଦ ଅନୁଭବ କଲି ।

 

ସାବ କହିଲା, ଘନ ଭାଇ, ଭାଇ ଯେବେ ଘରକୁ ଆସେ ନୂଆବୋହୂ ସଙ୍ଗେ କଥା କହେ ନାହିଁ । ସେ ପରା ଯାଇଁ ମଝି ଘରେ ନୋହିଲେ ପିଣ୍ଡାରେ ଶୁଏ । ମୁଁ ନୂଆବୋହୂ ପାଖରେ ଶୁଏ । ରାତିଯାକ ନୂଆବୋହୂ କାନ୍ଦେ । ମୋ ପାଖରୁ ଖଟଉପରକୁ କେତେବେଳେ ଉଠି ଆସି ତଳେ ଶୁଏ-

 

ଆଉ କ’ଣ କହିଥାନ୍ତା କେଜାଣି, ମୁଁ ରାଗରେ ତାକୁ ଚିମୁଟି ଦେଲି । ସେ ଚମକି ପଡ଼ି କହି ଉଠିଲା, ଏଁ, ଚିମୁଟୁଛ କାହିଁକି, ମୁଁ କ’ଣ ମିଛ କହୁଛି ? ଯାଉନ ବୋଉକୁ ପଚାରିବ ।

 

ଘନ ହସିଲେ । କିଛି କହିଲେ ନାହିଁ । ସାବ ଯେତେ ନିରୀହ ହେଲେବି ସେ ଯେ ଏତେ କଥା ଭାବିପାରେ, ମନେ ରଖିପାରେ ତାହା ମୋର ଧାରଣା ନଥିଲା । ଆଜିକାଲିକା ପିଲା ଓଳିଆରୁ ପଡ଼ି ଗଜା ! ତଥାପି ତା’ ପ୍ରତି ମୋ ସ୍ନେହ ଆହୁରି ଗାଢ଼ ହୋଇ ଆସିଲା । ଆହା, ପିଲାଲୋକ, କିଛି କରିବାର ଶକ୍ତି ନଥିଲେବି ମୋପାଇଁ ସେ ଭାବେ ତ !

 

ଅପା ଡାକିଲେ ସେ ଘରୁ, ଆଲୋ ସାବ, ତେଲଘଡ଼ିଟା ଦେଇଯା ତ ମତେ । ହାଣ୍ଡି କୁହୁଳୁଛି ।

 

ସାବ ଉଠିଗଲା ତା’ ପଛେ ପଛେ ମୁଁ ବି ଉଠି ଠିଆ ହେଲି । ଖଟ ଉପରୁ ଗୋଡ଼ ଦି’ଟା ତଳକୁ ଓହଳାଇ ଘନ କହିଲେ, ବାଃ, ବେଶ୍‌ ଭଦ୍ରତ ତମେ ! ଦାଣ୍ଡରେ ଯିବା ଲୋକକୁ ଡାକି ଘରେ ଏକୁଟିଆ ବସେଇ ଯିଏ ଯୁଆଡ଼େ ଛୁ । କହୁ କହୁ ସେ ହସିଲେ । ମୁଁ ବି ନ ଯାଇ ଅଟକି ଠିଆହେଲି-। ମନେ ପଡ଼ିଗଲା, ପାନ ଚାରି ଖଣ୍ଡି ଭାଙ୍ଗି ରଖିଛି, ଏତେବେଳ ଯାଏଁ ଦେଇ ନାହିଁ ।

 

ନଇଁ ପଡ଼ି ପାନ ଚାରି ଖଣ୍ଡି ଡାଲାରୁ ଆଣି ତାଙ୍କ ଆଡ଼କୁ ବଢ଼ାଇ ଦେଲି । ସେ ପାନ ନ ନେଇ ମୋର ହାତକୁ ଧଇଲେ । ଦେଲି ନାହିଁ । ଅସାବଧାନତାରେ ମୁହଁ ଉପରୁ ଖସାଇ ଦେଇଥିବା ଓଢ଼ଣାଟିକୁ ବାଁ ହାତରେ ଟାଣିବାକୁ ହାତ ଟେକିଲି, କିନ୍ତୁ ସେଇଟିବି ଘନଙ୍କର ହାତରେ ବନ୍ଦୀ ହେଲା-। ଖୋଲ ମୁହଁ ଲାଜରେ ମୁଣ୍ଡ ନୁଆଁଇ ତଳକୁ ଚାହିଁଲେ । ଭୟ ହେଉଥାଏ, କାଳେ ଅପା କି ସାବ ଆସିଯିବେ । କିନ୍ତୁ ଭୟ ଅପେକ୍ଷା ଆଉ ଗୋଟାଏ ଶକ୍ତି କ’ଣ ମୋତେ ବାଧା ଦେବାର ପ୍ରବୃତ୍ତିରେ ବାଧା ଦେଉଥାଏ ।

 

ସେ ଟିକେ ଥକା ହୋଇ କହିଲେ, ନୂଆବୋହୂ, ଏଇତ ତମର ସୁନ୍ଦର ପଦ୍ମଫୁଲ ପରି ମୁହଁ ମୋ ଆଖି ଆଗରେ ଉଜ୍ଜ୍ୱଳ ଦିଶୁଛି । ମୁଁ ଆଖି ପୂରାଇ ଦେଖୁଛି, ମନ ମୋର ଆନନ୍ଦ ହେଉଛି-। ତହିଁରେ ତମର କ୍ଷତି ହେଉଛି କ’ଣ ? ମୋ ଆନନ୍ଦରେ ବାଧା ଦେବାକୁ ତମେ ଏତେ ଯେ ମୁହଁକୁ ଘୋଡ଼ାଅ, ମୁଁ ସେଇଥିପାଇଁ ଆସେ ନାହିଁ ଏଣିକି ।

 

ମୋର ଦୁଇହାତ ଛାଡ଼ି ଦେଲେ । ମୁହଁ ଉପରୁ ଓଢ଼ଣା ଏକାଥରେ ଆଡ଼େଇ ଦେଇ, ମୋର ମୁଣ୍ଡକୁ ଟେକି ଧରିଲେ । ବାଧା ଦେବାରେ ମୋଟେ ଇଚ୍ଛା ନଥିଲେବି ହାତ ଦି’ଟା ଟେକିଲି ବାଧା ଦେବାକୁ ।

 

କହିଲେ, ମୋତେ ଆଉ ଆଡ଼ ହେବ ନାହିଁ ନୂଆବୋହୂ, ତାହାହେଲେ ମୁଁ ଆଉ ଏଠିକି ଆସିବି ନାହିଁ । ତାଙ୍କ ମୁହଁକୁ ଚାହିଁ ମୁଁ ହସି ଦେଲି, ପୁଣି ଆଖି ଫେରାଇଲି । ସାବ ପହଞ୍ଚିଗଲେ ଠିକ୍‌ ସେତିକିବେଳେ । କହିଲେ, ନୂଆବୋହୂ, ଭାତ ଖାଇବ ଆସ ।

 

କାଳେ ସେ କ’ଣ ମନେ କରିବେ, ଏଇ ଡରରେ ଲାଜରେ ଓଢ଼ଣା ଟାଣୁଥିଲି । ସେ ବାଧା ଦେଇ କହିଲେ, ଏଇ ଦେଖଲୋ ସାବ, ତୋ ନୂଆବୋହୂ ମୁହଁ । ଆଜିଠୁ କଥା ହେଲା, ସେ ମତେ ଲୁଚିବେ ନାଇଁ । ଲୁଚିଲେ ମୁଁ ଆଉ ଏଠିକି ଆସିବି ନାହିଁ ।

 

ସାବ କହିଲା, ନୂଆବୋହୂ ଛୋପରୀଟା ! ଘନ ଭାଇକି ଗାଁରେ କିଏ ଆଡ଼ ହୁଏ ?

 

ମୋତେ ଛାଡ଼ି ଆନନ୍ଦରେ ଘନ ସାବକୁ ଗେଲ କରି କହିଲେ ଠିକ୍‌ କହିଛୁ ଭଉଣୀ ।

 

ଘନ ଚାଲିଗଲେ । ମୁଁ ରୋଷଘରକୁ ଯାଇ ପଖାଳ ଗଣ୍ଡାଏ ଖାଇ ଫେରି ଆସିଲି ମୋ ଘରକୁ । ସାବ ସେତେବେଳକୁ ନଲଟଣ ଜାଳି କାଠବାକ୍‍ସ ଉପରେ ରଖି ଦେଇଥାନ୍ତି । ସଞ୍ଜ ପହରୁ ଶୋଇବା ଆମର ଗୋଟାଏ ଅଭ୍ୟାସ ହୋଇ ଯାଇଥିଲା । ଯେଉଁଦିନ ବିଶେଷ କିଛି କାମ ଥାଏ କିମ୍ୱା ଦିପହରେ ଶୋଇଥାଉଁ, ସାବ ଓ ମୁଁ ବସି ବାଘବଜାରି ଖେଳି ରାତିଅଧ କରୁଁ । ସେ ଦିନ ସେପରି କିଛି କାମ ନାହିଁ ଜାଣି ସାବ ଯେତେବେଳେ ସାର ଘେନି ଆସି ଡାକିଲେ, ମୁଁ ଖଟ ଉପରେ ଶୋଇ ଏଣୁତେଣୁ ଭାବୁଥିଲି । କହିଲି, ଖେଳିବାକୁ ଆଜି ଇଚ୍ଛା ହେଉ ନାହିଁ ସାବ, ନିଦ ମାଡ଼ୁଛି, ତମେ ଯାଅ, ବୋଉଙ୍କ ସଙ୍ଗେ ଖେଳିବ । ସେ ଚାଲିଗଲେ, ମୁଁ ପୁଣି ଆଖି ବୁଜି ଭାବିଲି ।

 

ଉତ୍ତେଜନାରେ ଯେତେବେଳେ ଯାହା ହୋଇଯାଏ, ଭଲମନ୍ଦ ଜାଣି ହୁଏ ନାହିଁ । ଜାଣିବାର ଅବସର ନଥାଏ । ଆଖି ଆଗରୁ ଅନ୍ତର ହେଲେ, ଉତ୍ତେଜନା ଆପେଆପେ ମୁଣ୍ତ ନୁଆଁଇଲେ, ମଣିଷର ଭାବନା ଅନ୍ୟ ଗତି ଧରେ । ଅନୁତାପ ଆସେ । ନିଜ ଉପରେ ରାଗ ହୁଏ, ଘୃଣା ହୁଏ । କ’ଣ କଲି ବା କ’ଣ କରିବାକୁ ଯାଉଥିଲି ଏହି କଥା ଭାବି ଲାଜ ମାଡ଼େ କିନ୍ତୁ କ’ଣ ହେବ ? ପରକ୍ଷଣରେ ପୁଣି ଯେଉଁ କଥାକୁ ସେହି କଥା ! ସବୁ ଅନୁତାପ ଉଭେଇ ଯାଏଁ । ପ୍ରତିଜ୍ଞାଗୁଡ଼ା ପଛଘୁଞ୍ଚା ଦେଇ ରହନ୍ତି ।

 

ନିଜ ଭିତରେ ଭୀଷଣ ଯୁଦ୍ଧ ଲାଗେ । ମନେହୁଏ, ଜିତିଲି, କିନ୍ତୁ ଥରକୁଥର ପରାସ୍ତ ହୁଏ-। ଘନଙ୍କ ପାଖରେ ଥିବାଯାଏ ଗୋଟାଏ ଅଜ୍ଞାତ ମୋହରେ ଭୁଲି ରହିଥାଏ, ଭଲ କରି ଜାଣେ ତାଙ୍କର ଅନ୍ତରର କଥା । ବାହାରେ ନିଜକୁ ଯେଡ଼େ ନିରୀହ, ନିଷ୍କପଟ, ସାଧୁ ବୋଲି ଦେଖାଇଲେ ମଧ୍ୟ ପେଟ ଭିତରେ ଉତ୍ତେଜନାର ନିଆଁ ଜଳୁଛି । ମୁଁ ଏହା ବୁଝି ପାରିଥିଲି । ହୁଏତ ସେ ମଧ୍ୟ ଜାଣନ୍ତି ଯେ ମୁଁ ବୁଝି ପାରିଥିଲି, ତଥାପି ଛଳନା ତ ଅଳ୍ପ ନୁହେଁ ! ଛଳନାକୁ ସମସ୍ତେ ସତ ବୋଲି ମଣନ୍ତି । ମୁଁ ମଧ୍ୟ ଛଳନା କରି ସତ ବୋଲି ମାନି ନିଏ ।

 

ଜାଣେ, ମୁଁ ପରର ସ୍ତ୍ରୀ । ଯେତେ ଅବହେଳିତ ହେଲେ ମଧ୍ୟ ଅନ୍ୟର । ଘନଙ୍କର ଛଳନାପୂର୍ଣ୍ଣ ନିରୀହତାକୁ ପ୍ରଶ୍ରୟ ଦେବା ମୋ ପକ୍ଷରେ ଘୋର ଅନ୍ୟାୟ । ପ୍ରତିଜ୍ଞା କରେ, ଆଉ ପ୍ରଶ୍ରୟ ଦେବି ନାହିଁ । ସେ ରାଗନ୍ତୁ ବା ଯାହା କରନ୍ତୁ ଆଡ଼ ହୋଇ ଅଲଗା ରହିବି । ତାଙ୍କ ମନରେ ଦୁଃଖ ବା କଷ୍ଟ ହେବ ବୋଲି ସହାନୁଭୂତି ଦେଖାଇବାକୁ ଯାଇ କାହିଁକି ପଙ୍କରେ ଘାଣ୍ଟି ହେବି ?

 

ପରଦିନ ଘନ ଆସନ୍ତି । ଦୂରରୁ ତାଙ୍କର ପାଟି ଣୁଣେ । ଭଉଣୀ, ସବୁ ପ୍ରତିଜ୍ଞା ମୋର ପଣ୍ଡ ହୋଇଯାଏ । ଭୟରେ ଛାତି ଥରେ । ମୋର ପୂର୍ଣ୍ଣ ସ୍ୱାଧୀନତା ଥିଲା । ଭୟର କୌଣସି କାରଣ ନାହିଁ । ଭୟ କରିବାକୁ କେହି ନାହିଁ, ତଥାପି ଏତେ ଭୟ । ସତେକି ମନର ସବୁ କଥା ପଦାକୁ ଦିଶୁଛି । ସମସ୍ତେ ଦେଖି ପାରୁଛନ୍ତି, ଜାଣିପାରୁଛନ୍ତି । ଇଚ୍ଛା ହୁଏ, ଧାଇଁ ଯାଇ ନ ଜାଣିଲା ପରି ଥରେ ତାଙ୍କ ଆଡ଼କୁ ଚାହିଁ ଦେଇ ଫେରି ଆସିବି । ଗୋଡ଼ ତଳେ ନାହିଁ । ସେଇଠି ବସି ଆକାଶପାତାଳ ଭାବୁଥାଏ ।

 

ପାଟି କରି କରି ମୋ ଥିବା ଘରକୁ ସେ ଆସନ୍ତି । ସାବ କି ଅପା ଯଦି କେହି ପାଖରେ ନଥାନ୍ତି, ସେ ଏକାଥରେ ଆସି ମୋରି ପାଖରେ ପହଞ୍ଚିଯାନ୍ତି । ମୁଁ ଆଡ଼ ହୋଇ ଉଠିଯାଏ ଘରର କାନ୍ଥ କଡ଼କୁ, ନୋହିଲେ କବାଟ କଣକୁ । ସେ ନିର୍ଭୟରେ ଘୁଞ୍ଚି ଆସନ୍ତି । ଯେତେ ଯାକିଯୁକି ଠିଆହେଲେ ମଧ୍ୟ ସେ ଦୁଇହାତ ମୋର ଅଣ୍ଟା ଚାରିପାଖେ ଗୁଡ଼ାଇ ଦିଅନ୍ତି, ମୋତେ ତାଙ୍କ ଆଡ଼କୁ ଟାଣି ନେଇ ଥରିଲା ଥରିଲା କଣ୍ଠରେ କହନ୍ତି, ଆଡ଼ ହେଉଛ ପୁଣି ? ଆଉ ଏଣୁତେଣୁ କ’ଣ କହନ୍ତି ଶୁଣିପାରେ ନାହିଁ ।

 

ଶିରାପ୍ରଶିରାରେ ନିଆଁର ସୁଅ ଛୁଟିଯାଏ । ଇଚ୍ଛା ହୁଏ ଆତ୍ମସମର୍ପଣ କରି ଲତାଟି ପରି ଛନ୍ଦି ହୋଇଯିବି ତାଙ୍କରି ଦେହରେ । ପାରେ ନାହିଁ ଭଉଣୀ, ପାରେ–ନାହିଁ–ଲାଜରେ ଓ ଭୟରେ । ଭାବୁଥାଏ, କାଳେ ସାବ ଆସିଯିବେ । କିନ୍ତୁ ଘନ ଭାରି ଚଲାଖ । ଅକସ୍ମାତ୍ ସାବ ଆସିଗଲେ ସେ ଆଗ ବଳିପଡ଼ି କହନ୍ତି, ଦେଖ ସାବ କେମିତି ଲୁଚିଛନ୍ତି ନୂଆବୋହୂ, ମୁଁ ଧରିଛି, ତୁ ତାଙ୍କ ମୁଣ୍ଡରୁ ଲୁଗା କାଢ଼ିଦେ ତ !

 

ସେ ସେଇଆ କରେ । ମୁଁ ଆଉ ବାଧା ଦିଏନି । ହସିଦିଏ । ଦିହେଁ ହସି ହସି ଯାଆନ୍ତି । ସାବ ଯାଇଁ ଅପାଙ୍କୁ କହେ, ନୂଆବୋହୂ ଆଜି ହାବୁଡ଼େ ପଡ଼ିଛି ବୋଉ ! ଘନ ଭାଇ ତାଙ୍କର ହାତ ଧରିଲେ, ମୁଁ ତାଙ୍କ ମୁହଁରୁ ଲୁଗା କାଢ଼ି ଦେଲି ।

 

ସେ ଆକଟି କହନ୍ତି, ଭାଇ ଭଉଣୀ ଦିହେଁ ତମେ ସବୁବେଳେ ତା’ ସଙ୍ଗେ ଲାଗ କାହିଁକି ଭଲା ! ସେ ବି ଛୋପରୀ । କି ଗୋ, ଘନକୁ ଏତେ ଆଡ଼ କାହିଁକି ? ଭାରି ତ ମାନ୍ୟ ଲୋକ ସେ !

 

ସବୁ ଶୁଣେ, ତୁନି ହୋଇ ରହେ । ଯେତେ ରାଗ ହେଲେବି ମନର କଥା ଖୋଲି ହେବନାହିଁ । ସତେ ଯେପରି କିଛି ହୋଇ ନାହିଁ ସେମିତି ପୂର୍ବପରି ପାନ ଭାଙ୍ଗି ଘନକୁ ଦେଇ ଆସେ-। ହୁଏତ ସେ ଭାବୁଥିବେ, ମୁଁ ନିର୍ବୋଧ ।

 

ମନରେ ଠିକ୍ କଲି ଆଉ ତାଙ୍କୁ ଆଡ଼ ହେବି ନାହିଁ । ଆଡ଼ ହୋଇ ରହିବାର ସିନା ଗୋଟାଏ ବାହାନାରେ ସେ ମୋ ସଙ୍ଗେ ଏପରି ଲାଗିଛନ୍ତି । ଥଟ୍ଟା ସମ୍ପର୍କ । ଥଟ୍ଟାରେ ଥଟ୍ଟାରେ ସବୁକଥା ଯାଉଛି । ଅନ୍ୟର ଆଖିରେ ଧୂଳି ପଡ଼ୁଛି । ଆଡ଼ ହୋଇ ଯେଉଁଠି ଯେପରି ଭାବରେ ଲୁଚି ରହିଲେ ତ ଘନଙ୍କ ଦାଉରୁ ଉଧୁରି ଯିବା ସହଜ ନୁହେଁ । ଏ ଘରେ ତାଙ୍କର ଅବାରିତ ଗତି । ଥଟ୍ଟାରେ ଥଟ୍ଟାରେ ମୋ ସଙ୍ଗେ ବେଲି ହେବାର ପୂର୍ଣ୍ଣ ଅଧିକାର ତାଙ୍କର ଅଛି । ବାଧା ଦେବାକୁ କେହି ନାହିଁ । ଅପା ବା କିଛି କହନ୍ତେ, ଅପାଙ୍କ ଆଗରେ ଘନ ଭାରି ପିଲାମି କରନ୍ତି, ସତେ କି ସେ ତୁଳସୀ ଗଛ । ଆହା, କିଛି, ଜାଣନ୍ତି ନାହିଁ ପରା ! ମୁହଁ ଖୋଲି ମୁଁ ବି ତ କାହାରିକୁ କିଛି କହି ପାରିବି ନାହିଁ ।

 

ଏଣିକି ଘନ ଆସିଲେ ମୁଁ ଆଉ ତାଙ୍କୁ ସେତେ ଆଡ଼ ଉଢ଼ୁଆଳ ହୁଏ ନାହିଁ । ସେ ପିଣ୍ତାରେ ବସି ଅପାଙ୍କ ସଙ୍ଗେ ଗପ୍‍ସପ୍ କରୁଥିବାବେଳେ ତାଙ୍କ ଆଗ ଦେଇ ଚାଲିଯାଏ । ପାନ ଭାଙ୍ଗି ନିଜେ ନିଜେ ଦେଇ ଆସେ । ପିଇବାକୁ ପାଣି ମାଗିଲେ ମୁଁ ନିଜେ ଆଣି ତାଙ୍କୁ ଦିଏ । ଆମ ଘରକୁ ଆସିଲେ କେଜାଣି କାହିଁକି ତାଙ୍କୁ ଭାରି ଶୋଷ ହୁଏ । ମୁଁ ଲକ୍ଷ୍ୟ କରିଛି, କୌଣସି କାମର ବାହାନାରେ ମୋତେ ବାରମ୍ୱାର ଆଗକୁ ଟାଣି ଆଣିବା ତାଙ୍କର ଉଦ୍ଦେଶ୍ୟ; ଆଗକୁ ଆସେ ସିନା କଥା କହେ ନାହିଁ । ମୋତେ ଲାଜ ମାଡ଼ୁ ବା ନ ମାଡ଼ୁ ଜାଣି ଜାଣି କଥା କହିବାକୁ ଚାହେଁ ନାହିଁ ।

 

ଉଦ୍ଦେଶ୍ୟ ଏକାଥରେ ବିଫଳ ହେଲା ନାହିଁ । ଆଗପରି ଥଟ୍ଟା କରିବାକୁ ସେ ସୁବିଧା ପାଆନ୍ତି ନାହିଁ । ଆଗକୁ ଗଲେ ଅପାଙ୍କ ଆଗରେ ଏଣୁତେଣୁ ପଦେଅଧେ କହି ଥଟ୍ଟା କରନ୍ତି । ଅଧା ଓଢ଼ଣା ତଳୁ କଣେଇ କରି ସମାନ୍ୟ ହସି ମୁଁ ଚାଲିଯାଏ । ନିଜକୁ ମୁଁ ନିଜେ ଦମନ କରି ରଖିଥିଲି । ମନ ଭିତରେ ଯେତେ ଗୋଳଘାଣ୍ଟ ଆରମ୍ଭ ହେଲେବି ନିଜକୁ ମୁଁ ବେଶ୍‌ ସମ୍ଭାଳି ରଖି ପାରିଥିଲି । ସେ ଆସନ୍ତି, କେତେକଅଣ ଗପି ଗପି ଫେରନ୍ତି । ସେ ଥିବାଯାକେ ମୁଁ ବଡ଼ ସାବଧାନରେ ଥାଏ ! ଯେପରି କି ମୋର ଏକୁଟିଆ ଅବସ୍ଥାରେ ମୋ ପାଖକୁ ସେ ନ ଆସନ୍ତି । ସେ କିନ୍ତୁ ଏହି ସୁବିଧାକୁ ବରାବର ଖୋଜୁଥାନ୍ତି ମନେମନେ ।

 

ଦିନେ ଦିନେ ଅପା ବାରିରେ ଥିବାବେଳେ ସେ ଆସି ପହଞ୍ଚିଲେ, ମୁଁ ଏକୁଟିଆ ଥିବାର ଜାଣିଲେ ଗୋଡ଼ ଟିପି ପଛରୁ ଆସି ମୋର ଦୁଇ ଆଖି ଏପରି ଭାବରେ ବୁଜି ଧରନ୍ତି ଯେ ଟିକିଏ ଆତ୍ମମର୍ଯ୍ୟାଦା ଥିବା ସ୍ତ୍ରୀ ପକ୍ଷେ ତାଙ୍କର ବ୍ୟବହାରଟା ବଡ଼ ଅସହ୍ୟ ହୋଇ ପଡ଼ିବ । ମୁଁ ସହିଯାଏ ତାଙ୍କର ଏ ଅତ୍ୟାଚାର । ମୁକ୍ତି ପାଇ କ’ଣ ଗୋଟାଏ କାମର ବାହାନା କରି ବାରିଆଡ଼କୁ ଅପାଙ୍କ ପାଖକୁ ଚାଲିଯାଏ । ସେ କ’ଣ ଭାବି କେଜାଣି ପଛରେ ଆସି କହନ୍ତି, ପାନ ଦେବ ନାହିଁ ନୂଆବୋହୂ ?

 

ରାଗରେ ମୁଁ ଜଳିଯାଏ ମନେମନେ । କିଛି କହିପାରେ ନାହିଁ । ଅପା କହନ୍ତି, ଯା ବୋହୂ, ଘନକୁ ପାନ ଦେଇ ଆସ ।

 

ମନେମନେ ସାବକୁ ଖୋଜେ । ସାବ ଆସି ପହଞ୍ଚିଲେ ତାକୁ ସଙ୍ଗରେ ନେଇ ଭିତରକୁ ଯାଏଁ । ଘନଙ୍କ ଆଡ଼କୁ ଚାହିଁପାରେ ନାହିଁ । ପାନ ଦିଏ । ସେ ନେଇ ଚାଲି ଯାଆନ୍ତି ।

 

ସେ ଚାଲି ଯାଆନ୍ତି, କେଜାଣି କାହିଁକି ଚୁଲି ମନ ମୋର ବ୍ୟସ୍ତ ହୁଏ । ମୋର ବ୍ୟବହାରରେ ସେ କ’ଣ ଆଉ ବିରକ୍ତ ହୋଇ ଚାଲିଗଲେ ? କାହିଁକି ତାଙ୍କ ପ୍ରତି ଏଡ଼େ କଠୋର ହେଲି ? ହୁଏତ ସେ ଆଉ ଆସିବେ ନାହିଁ, କିନ୍ତୁ ସେ ଆସନ୍ତି ।

 

କେତେ କେତେ ଘଟଣା ଘଟି ଯାଇଛିଲୋ, କହିବାକୁ ମୋର ବେଳ ନାହିଁ । ହେଇ ଦେଖ୍‌, କୁଆଁତାରା ଉଠିଲାଣି, ରାତି ପାହିବା ଉପରେ । ଯାହା ଯାହା ଘଟି ଯାଇଛି ଦୁଇଟି ହୃଦୟ ଛଡ଼ା ଆଉ କେହି ଜାଣେ ନାହିଁ । ଦିନ ବିତି ଯାଏଁ । କାଲିକା କଥା ଆଜିକି ଭିନ୍ନ ରୂପରେ ଦେଖାଯାଏ । ଖାଲି ଏତିକି କହୁଛି ଭଉଣୀ, ଉତ୍ତେଜନା ସଙ୍ଗେ ପ୍ରାଣପଣେ ଲଢ଼ିଛି । ଶେଷକୁ ସହି ନ ପାରି ଆତ୍ମସମର୍ପଣ କରିଛି । କିପରି ଆତ୍ମସମର୍ପଣ କଲି ସେହି କଥା କହୁଛି ଶୁଣ ।

 

ଦିନକର ସଞ୍ଜବେଳେ, ଏକୁଟିଆ ଖଟ ଉପରେ ଶୋଇଛି, ସାବ ତାଙ୍କ ବୋଉଙ୍କ ସଙ୍ଗେ ଖେଳୁଛନ୍ତି, କେତେବେଳେ ମୋତେ ଛାଇନିଦ ଲାଗିଗଲା । ନୁହେଁ–ଶୁଆ–ନୁହେଁ–ଚିଆଁବେଳରେ ଗୋଟାଏ ସ୍ୱପ୍ନ ଦେଖୁଛି–ଜୀବନର ଆଶା ପୂରଣ ହୋଇ ଯାଇଛି ମୋର, ପ୍ରଲୋଭନରୁ ରକ୍ଷା ପାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇ ସେଇ ପ୍ରଲୋଭନ ମଝିରେ ପଡ଼ିଛି । ଘନଙ୍କର ଗୁପ୍ତପ୍ରଣୟ ଆଶ୍ରୟ କରିଛି । ମନରେ ଟିକିଏ ହୋଇ ଭୟ କି ଅନୁତାପ ଆସୁନାହିଁ । ଯୌବନକୁ ପୂର୍ଣ୍ଣମାତ୍ରାରେ ଉପଭୋଗ କରୁଛି । ଆଗକୁ ପଛକୁ ଅନାଉନାହିଁ ଏହିପରି କେତେକଅଣ ସୁଖର ସ୍ୱପ୍ନ ।

 

ମୋର ଚିବୁକ ଉପରେ କାହାର ଉଷ୍ଣ ସ୍ପର୍ଶ ପାଇ ନିଦ ଭାଙ୍ଗିଗଲା । ଧୀରେ ଧୀରେ ଆଖି ମେଲିଲି । ପଲକ ଭିତରେ ଦେଖିଲି, ଆଲୁଅଟି ଉଜ୍ଜ୍ୱଳ ହୋଇ ଜଳୁଛି । ଖଟକୁ ଆଉଜି କବାଟ ଆଡ଼କୁ ଚାହିଁ ମୋ ପାଖରେ ଘନ ଠିଆ ହୋଇଛନ୍ତି । ଦେହରୁ ଘୋଟାଏ ନିଆଁ ଖସି ପଡ଼ିଲା-। ଆଖି ବୁଜି ଭାବିଲି, ଏ କାହିଁକି ଏପରି ଭାବରେ ? ଆସିଲେ କିପରି ? ଭାବିଲି ଉଠିଯିବି କିନ୍ତୁ ମୋର ଅବଶ ଦେହଟା ଚଳିଲା ନାହିଁ । ଭୟ ଦୁଶ୍ଚିନ୍ତା ସତ୍ତ୍ୱେ ଆଖି ବୁଜି ପଡ଼ି ରହିଲି ଆଗପରି-। ଘନ ତ କେବେ ରାତିରେ ଆସନ୍ତି ନାହିଁ । ଆଜି ହଠାତ୍‌ କି ଉଦ୍ଦେଶ୍ୟରେ ? ଏପରି ଠିଆ ହୋଇ ରହିଛନ୍ତି କାହିଁକି ?

 

ଶୁଣିଲି, ଘନ କହୁଛନ୍ତି, ଆଣିଲୁ ହାଣ୍ଡି କଳା ଆଉ ଚୁନ ?

 

ସାବ ଉତ୍ତର ଦେଲା, ଏଇଠି ରଖିଲି, ଆଉ କ’ଣ ?

 

ଘନ ତୁନି ତୁନି କହିଲେ, ନା, ଆଉ କିଛି ନାହିଁ । ଟିକିଏ ରହି କହିଲେ, ଅପା କ’ଣ ଶୋଇଲେଣି ସାବ ? ତୁ ଯା, ଅପାଙ୍କ ପାଖେ ବସିଥିବୁ । ମୁଁ ନୂଆବୋହୂଙ୍କ ମୁହଁ ଭଲକରି ଚିତ୍ର କରି ତତେ ଦେଖିବାକୁ ଡାକିବି ।

Unknown

 

ସେ ଚାଲିଗଲା ।

 

ଭାବୁଥାଏ, ସତେ କ’ଣ ଘନ ମୋର ମୁହଁ ଚିତ୍ର କରିବେ ? ନା, ମୋ ମୁହଁରେ ହାତ ନ ଦେଉଣୁ ମୁଁ ଉଠି ବସିବି । ନିଜେ ସେ ଅପ୍ରସ୍ତୁତ ହୋଇ ଲାଜରା ହୋଇ ଫେରିବେ । ଆଉ ଦିନେ କେବେ ମୋର ମୁହଁ ଚିତ୍ର କରିବାବୁ ସେ ସାହସ କରିବେ ନାହିଁ । କାହାର ଉଷ୍ଣ ଶ୍ୱାସ ମୋର କପାଳରେ ବାଜିଲା । ପରକ୍ଷଣରେ ମୋ ଓଠ ଉପରେ ଆହୁରି ଦିଓଟି ଓଠପତାର କୋମଳ ସ୍ପର୍ଶ ।

 

ଆଖି ମିଞ୍ଜି ମିଞ୍ଜି କରି ଚାହିଁଲି, ଘନ ମୋରି ଉପରକୁ ନଇଁ ପଡ଼ିଛନ୍ତି । ଉଠି ବସିବାକୁ ଇଚ୍ଛା ହେଲା ନାହିଁ । ସତ କହୁଛି ଭଉଣୀ, ତାଙ୍କର ସେହି ଅମୃତ ସ୍ପର୍ଶରେ ମୋର ପ୍ରାଣରେ ଯେଉଁ ପୁଲକ ଖେଳିଗଲା, କଥାରେ ଖୋଲି କହିବାର ଶକ୍ତି ମୋର ନାହିଁ । ଦେହ ମୋର ଅବଶ ହେଲା । ଦେହକୁ ସ୍ପନ୍ଦନହୀନ କରିବାକୁ ଚେଷ୍ଟା କଲି, କାଳେ ମୋତେ ଜାଗ୍ରତ ମଣି ସେ ଭୟରେ ଫେରି ଯିବେ ।

 

ସତରେ, ସେ ଭୟରେ ଫେରିଗଲେ କବାଟ ପାଖକୁ । ରୁଦ୍ଧଶ୍ୱାସକୁ ରୋକି ରୋକି ପଦାକୁ ଛାଡ଼ିଲି । ନିଦର ପେଖନା କରି ଭିଡ଼ିମୋଡ଼ି ହୋଇ ଲୁଗାଟି ସାମାନ୍ୟ ଖସାଇ ଦେଲି । ନିଃଶ୍ୱାସ ଛାଡ଼ିବାକୁ ଲାଗିଲି, ଯେପରି ସେ ଭାବିବେ ମୋତେ ଭାରି ନିଦ, ତାଙ୍କର କୌଣସି କାର୍ଯ୍ୟ ମୁଁ ଜାଣି ପାରୁ ନାହିଁ । କଣେଇ ଚାହିଁଲି, କବାଟକୁ ସାମାନ୍ୟ ଆଉଜାଇ ଆଣି ମୋରି ପାଖକୁ ଫେରୁଛନ୍ତି । ଆଖି ବୁଜିଲି ।

 

ସେ ପୁଣି ଫେରି ଆସିଲେ । ମୋର ଦେହ ଉପରେ ସ୍ୱଦେହର ଭରା ଦେଇ ଚୁମ୍ବନ କରିବାକୁ ଲାଗିଲେ, ସତେ କି ସେ ପାଗଳ ହୋଇଛନ୍ତି–ହୋଇଥିଲେ ମଧ୍ୟ ମୁଁ ବି । ଇଚ୍ଛା ହେଉଥାଏ, ଦୁଇବାହୁ ତାଙ୍କରି ପିଠିରେ ବେଷ୍ଟନ କରି କେତେ କାଳର ଅତୃପ୍ତ ପିପାସା ମେଣ୍ଟାଇବି । ଆଉ ଲାଜ କ’ଣ ? ସେ ଜାଣନ୍ତୁ ମୁଁ ଜାଗ୍ରତ । ନିଜକୁ ତାଙ୍କରି ଗୋଡ଼ତଳେ ଅର୍ପଣ କରି ଯୌବନର ଅର୍ଘ୍ୟ ଦେବି । ସମାଜର ଚଳନ୍ତି ନୀତି ନିୟମ ଭାଙ୍ଗି ମୁକ୍ତକଣ୍ଠରେ କହିବି, ଯେ ପୂଜା ଘେନିପାରେ, ସେହି ସିନା ଯୋଗ୍ୟ ଦେବତା, ପୂଜାର ଅଧିକାରୀ !

 

ମନକଥା ମନରେ ଅଛି, କବାଟ ଖୋଲିବାର ଶବ୍ଦ ହେଲା । କିଏ ଜଣେ ଆସୁଛି ଜାଣି ଘନ ଘୁଞ୍ଚି ଠିଆ ହେଲେ । ମୁଁ କଡ଼ ଲେଉଟାଇ ଶୋଇଲି, ସତେକି ନିଦରେ ମୁଁ ହତଜ୍ଞାନ ।

 

ଣୁଣିଲି, ସାବ କହୁଛନ୍ତି, ଘନ ଭାଇ ଚିତ୍ର ସରିଲା ?

 

ତାଙ୍କୁ ଭଲକରି ନିଦ ହୋଇନାହିଁ । ମୁହଁରେ ହାତ ଦେଲେ ଉଠି ବସିବେ । ଏଇ ପରା ମୁଁ ଚିତ୍ର କରିବାକୁ ଯାଉଥିଲି, ସେ କଡ଼ ଲେଉଟାଇ ଓଲଟି ଶୋଇଲେ । ଥାଉ, ଆଉ ଦିନେ ହେବ । ମୁଁ ଯାଉଛି ।

 

ରହ, ପାନ ନେଇ ଯିବ, କହି ସାବ ମୋତେ ହଲାଇ ଉଠାଇଲେ । କିଛି ନ ଜାଣିଲା ପରି ମୁଁ ଉଠି ବସିଲି ଖଟ ଉପରେ ।

 

ନୂଆବୋହୂ, ପଛକୁ ଚାହିଁଲ, କିଏ ?

 

କୃତ୍ରିମ କ୍ରୋଧ କରି କହିଲି, ମୋତେ ଓଟାରି ଘୋଷାରି ଉଠାଇଲ, ମୋ କଞ୍ଚାନିନ୍ଦ ଭାଙ୍ଗିଲ । ରହ, ଅପାଙ୍କୁ କହି ତମକୁ ଗାଳି ଖୋଉଛି । ଭାରି ଦୁଷ୍ଟ ତମେ ।

 

ପଛକୁ ଚାହିଁଲ କିଏ ?

 

ସେମିତି ରାଗ କରି କହିଲି, ତମ ବର ।

 

ଚୋପ, ତମ ବର, କହି ସେ ଜିଭ କାମୁଡ଼ିଲେ ।

 

ଅନାଇ ଦେଲି ପଛକୁ । ଘନ ଠିଆ ହୋଇ ହସୁଛନ୍ତି । ସାବକୁ ଗୋଟାଏ ଚାପୁଡ଼ା ମାରି କହିଲି, କହୁନା ମୋତେ ।

 

ବଡ଼ପାଟି କରି ଉତ୍ତର ଦେଲେ, କହୁଛି ତ, ଶୁଣୁନ ତମେ । ଉଠି ଯାଉଥିଲି, ମୋର ହାତ ଧରି ବସାଇ ଘନ କହିଲେ, ବସ, ଏତେ ମାନ୍ୟ କରିବା ଦରକାର ନାହିଁ ।

 

ମାନିଲି ନାହିଁ । ଉଠି ଠିଆ ହେଉ ହେଉ ମଶାରି ଖୁଣ୍ଟରେ ମୁଣ୍ଡ ବାଜିଲା । ତଳେ ବସି ପଡ଼ିଲି । ବ୍ୟସ୍ତ ହୋଇ ଘନ ଏପାଖକୁ ବୁଲି ଆସିଲେ । ମୋର ବାହୁରେ ହାତ ଦେଇ ଶୂନ୍ୟେ ଶୂନ୍ୟେ ଟେକି ଖଟ ଉପରେ ବସାଇ ଦେଲେ । ସାବ ଧାଇଁ ଯାଇ ଆଲୁଅ ଆଣିଲେ । ସତରେ ମୁଣ୍ଡଟା ଫୁଲି ଉଠିଛି । ରକ୍ତ ବାହାରି ନାହିଁ । ବିକଳ ପାଇ ବଡ଼ ଦୟାରେ ଘନ କହିଲେ, ଶୁଅ, ତମେ ଶୁଅ, ମୋପାଇଁ ଅନର୍ଥକ ଦଣ୍ଡ ପାଇଲ ।

 

ସାବ କହିଲା, ଉଁ–ହୁଁ, ତାଙ୍କ ଲାଜ ପାଇଁନା... ।

 

ସେ ଚାଲିଗଲେ । ମୋ ମୁହଁକୁ ଚାହିଁ ସାବ ହସି ଚାଲିଗଲେ ।

 

ଏହିପରି ଅଭିନୟ ସେ ଦିନେ ଦିନେ କରନ୍ତି । ମୁଁ ମୋଟେ ବାଧା ଦିଏ ନାହିଁ । ଉଭୟେ ଉଭୟଙ୍କର ମନ ଜାଣୁ, ହୃଦୟ ଚିହ୍ନା, କିଛି ନ ଜାଣିଲା ପରି ପରସ୍ପର ପାଖରେ ଛଳନା କରୁ । ସାବର ଉପସ୍ଥିତିରେ ମଧ୍ୟ ଏପରି ଅଜାଣତ ଖେଳ–କୌତୁକ ଚାଲିଥାଏ । କାହାରି ସନ୍ଦେହ ହବାର କୌଣସି କାରଣ ନଥାଏ । ଏପରି ଲୁଚକାଳି ଖେଳର ପରିଣତି ଯେ କେଉଁଠି ଜାଣିପାରି ନଥିଲି ।

 

(୫)

 

ଶୋଇଛି । ରାତି ଦିପହର । ଆଖିକି ନିଦ ନାହିଁ ଘନଙ୍କର ଅପେକ୍ଷାରେ । ଦାଣ୍ଡ ପାଖ ଝରକାରେ କିଏ ଆସି ହାତମାରି ଖଡ଼ଖଡ଼ କଲା । ଉଠି ବସିଲି । ଆଲୁଅଟି ସାମାନ୍ୟ ତେଜି ପଦାକୁ ଚାହିଁଲି, କେହି ନାହିଁ । ଭାବିଲି, ସେ କ’ଣ ଖେଳିବାକୁ ଏପରି ଚୁପ୍‍ମାରି ରହିଗଲେ ? ଦିନେ କାଳେତ ଦେଖା ନାହିଁ । ମଝି ବାଟଘରକୁ ଛାଡ଼ି ଆର ପାଖରେ ଅପା ଓ ସାବ ଶୋଇଛନ୍ତି । ମୁଁ ଆଲୁଅଟି କମାଇ ଦେଇ ବାଟଘରକୁ ଆସିଲି । କାହାରିକୁ ଉଠାଇଲି ନାହିଁ । ଦାଣ୍ତ କବାଟ ଖୋଲି ଆଲୁଅ ତେଜିଦେବା ସଙ୍ଗେ ସଙ୍ଗେ ଦେଖିଲି, ସ୍ତ୍ରୀଲୋକଟିଏ ଠିଆ ହୋଇଛି ମୋ ଆଗରେ-। ପଦି ! ଚମକି ପଡ଼ିଲି ଭୟରେ । ଲୋକଟାକୁ ମୁଁ ଚିହ୍ନେ । ଭାରି ବଦମାସ । ଗାଁ ନାନ୍ଦୁରୀ-। କାହାରି ନୁହେଁ ।

 

ପଚାରିଲି, ରାତିଅଧରେ ତୁ କୁଆଡ଼େ ପଦି ?

 

ଜବାବ ଦେଲା, ଘନବାବୁଙ୍କୁ ଖୋଜିବାକୁ ।

 

ରାଗରେ ମୁଁ ଜଳିଗଲି । କହିଲି, ଛୋଟ ମୁହଁରେ ତୋର ବଡ଼କଥାଲୋ !

 

ତମେ ଚିଡ଼ୁଛ କାହିଁକି ସାଆନ୍ତାଣୀ ! ଗୋଟିଏ ଜରୁରୀ କାମ ଥିଲା, ସଞ୍ଜ ପହରୁ ତାଙ୍କୁ ଖୋଜୁଛି ।

 

ମୋ ଝରକା ଖଡ଼ଖଡ଼ କରିବାକୁ ତୁ କିଏ ? ପଚାରିଲେ ପୁଣି ଜବାବ ଦେଉନୁ ।

ଦିନେ ଦିନେ ରାତିରେ ମୁଁ ତାଙ୍କ ପାଟି ଶୁଣେ ଏଇ ଘରେ । ମନକୁ ମନ କହିଲି, ଯାଏଁ ଥରେ, ପଚାରି ଆସେଁ ।

ପଦି, ତୁ ଜାଣୁ ଏ ଭୁଆସୁଣୀର ଘର । ମିଛରେ ଲଗାଇ କହୁଛୁ । ଏ କ’ଣ ଭଲ କଥା । ମୁଁ ଦବିଗଲି ଟିକେ ।

ସେ କହିଲା, ଆଖି ଛୁଉଁଛି, ମିଛ କହୁନି । ଯାହାକୁ ଦେଖିବାକୁ ଆସିଥିଲି, ସେ ତମେ ନୁହ, ଆଉ ତମେବି ମୋତେ ଯିଏ ମନେ କରି ରାତିଅଧରେ କବାଟ ଖୋଲିଥିଲ, ମୁଁ ସେ ନୁହେଁ । ଯାଉଛିଗୋ । ମାଡ଼ ମାଇଲା ପରି କଥାଗୁଡ଼ାକ କହିଦେଇ ସେ ଚାଲିଗଲା । ଘନକୁ ମୁଁ କାହାରି ଆଗରେ କଥା କହେ ନାହିଁ । ଦିନେ ମୋତେ ଅତି ଆଗ୍ରହରେ ଆଲିଙ୍ଗନ କରି ମୋ କାନ ପାଖେ କହିଲେ, ତମେ ମୋତେ ଅନ୍ୟ ଆଗରେ କଥା କହୁନ କାହିଁକି ? ଭାରି ଖରାପ ଲାଗୁଛି ।

ଲାଜକୁଳୀ ଲତାଟି ପରି ତାଙ୍କର ବଳିଷ୍ଠ ଦେହରେ ଗୁଡ଼ାଇ ହୋଇ କହିଲି, କଥା କହିଲେ କ’ଣ ଅଧିକ ହେବ ? ମନର କଥା, ପ୍ରାଣର କଥାତ ତମେ ଶୁଣୁଛ, ତୁଣ୍ତର କଥା ନ ଶୁଣିଲେ କ’ଣ ହେବ ନାହିଁ ?

ସେ ମୋର ମୁହଁରେ ହାତ ବୁଲାଇ କହିଲେ, ସତ ।

ସେହିଦିନୁ, ମୋତେ କଥା କହିବାକୁ ସେ ଅନୁରୋଧ କରନ୍ତି ନାହିଁ । ଅପାଙ୍କ ଆଗରେ ଅଭିମାନ କରି ମୁହଁ ଶୁଖାଇ କହନ୍ତି । ଅପାବି ମତେ ଗାଳିଦେଇ ତାଙ୍କୁ କଥା କହିବାକୁ କହନ୍ତି । ମୁଁ ମୁହଁ ଲୁଚାଇ କହେ, କ’ଣ କରିବି ଅପା, ଲାଜ ମାଡ଼ୁଛି ।

 

ସେଦିନ ପଦି ଚାଲିଗଲା । କବାଟ ବନ୍ଦକରି ଭିତରକୁ ଆସିଲି । ରାତିରେ ଅନେକ କଥା ଭାବିଲି । ଧନଦରବ ଦେଇ ପଦିକୁ ବଶ କରି ତା’ ମୁହଁ ବନ୍ଦ କରିଦେବା ଠିକ୍‌ ହେବକି ? କିନ୍ତୁ ପଦି ଯେପରି ଲୋକ, ତାକୁ ଧନର ମୋହ ଥରେ ଦେଖାଇଲେ ଆଉ ରକ୍ଷା ନାହିଁ । ଏମିତି କେତେକଅଣ ଭାବିଲି । କାନ୍ଦିଲି । ଜୋର୍‌ କରି ମନରେ ଗୋଟାଏ ସାନ୍ତ୍ଵନା ଆଣିଲି । କିଏ କ’ଣ କହିବ ? ଏତେ ସାହସ କାହାର ! କେହିତ କିଛି ଆଖିରେ ଦେଖି ନାହିଁ । ସେତେବେଳେ କିନ୍ତୁ ଜାଣି ନଥିଲି ଭଉଣୀ, ନିନ୍ଦା ଆଖିରେ ଦେଖିବାକୁ ଅପେକ୍ଷା କରି ରହେ ନାହିଁ । ମୁହଁରୁ ମୁହଁକୁ ଡେଇଁ କଥା ବଢ଼ି ଚାଲିଥାଏ ।

 

ରାତି ପାହିଲା । ସକାଳୁ ଉଠି ବାସି ମୁହଁରେ ପାଣି ନ ଦେଇ ରାତିର ଘଟଣା ଅପାଙ୍କ ଆଗରେ କହିଲି । କହୁ କହୁ କାନ୍ଦି ପକାଇଲି । ଟିକିଏ ଜୋରରେ କହିଲି, ତମରି ମୁହଁବଢ଼ାରୁ ପଦିର ଏଡ଼େ ସାହସ ହେଲା । ତମେ ଯଦି ତାକୁ ଘରେ ନ ପୂରାନ୍ତ..... !

 

ଆସୁ ସେ, ଛତରଖାଇର ଗୋଡ଼ ନ ଭାଙ୍ଗିଛି ଯଦି ! ତା’ର ଏତେ ବହପ !

 

କହିଲି, ତମେ ଘନକୁ ମନା କରିଦିଅ । ସେ ଆଉ ଆମ ଘରକୁ ଆସିବେ ନାହିଁ । ସେ ଆସିଲାରୁ ସିନା... ।

 

ଅପା ଉତ୍ତେଜିତ ହୋଇ ଜବାବ ଦେଲେ, ସତେ ? ଏ ଝରସରୀ ନଗରନାଉଲି ପୋଇଲୀଟା କଥାରେ ଘନ ପରି ପୁଅକୁ ଘର ମନା କରିବ କିଏ ? କାଲି ବୃନ୍ଦାବନ ଆସି କହିବ କ’ଣ ?

 

ନିଶ୍ଚିନ୍ତ ହେଲି ।

 

ଦିପହରେ ଘନ ଆସିଲେ । ମୁଁ, ସାବ ଓ ଅପା ମଝିଘରେ ବସି ଗପ କରୁଛୁଁ । ଏଡ଼େ ବଡ଼କଥାକୁ ସେମାନେ ହସରେ ଉଡ଼ାଇ ଦେଲେ ସିନା, ମନେ ପଡ଼ିଗଲେ ମୋର ଛାତି କ’ଣ ହୋଇଯାଏ । ଘନଙ୍କୁ ଦେଖି ଲମ୍ୱ ଓଢ଼ଣା ଟାଣି ମୁଁ ଅପାଙ୍କ ପଛକୁ ଘୁଞ୍ଚିଗଲି ।

 

ଘନ ବିସ୍ମିତ ହୋଇ ପଚାରିଲେ, ଏ କ’ଣ ଅପା ?

 

ଅପା ହସିହସି କହିଲେ, ପାଗଳୀ ଝିଅଟା, କ’ଣ କହିବି, ଆରେ ଶୁଣିଲୁଣି ? ସବୁ କହିଲେ ।

 

ଶୁଣି ଶୁଣି ଘନ ହସି ଉଠି କହିଲେ, ଦିଅର ଭାଉଜ କିନା ଭାବିଛି, ଏମିତି ଗୋଟାଏ କଥା ଉଠାଇଲେ ଡରିହରି ତା’ର ଶରଣ ପଶିବୁ । ନିନ୍ଦାକୁ ଡରି ଲାଞ୍ଚ ଦେବୁ । ବିଚାରୀ ଜାଣେ ନାହିଁ, ସରସୀ ମୋର ନୂଆବୋହୂ ନୁହେଁ । ସାବ ଯେମିତି ସେ ବି ସେମିତି ମୋର ଭଉଣୀ । ମୋ ମୁହଁରୁ ଓଢ଼ଣା କାଢ଼ି କହିଲେ, କାନ୍ଦୁଛ ? ଛି, ପର କଥାରେ ? ଆଖିରୁ ଲୁହ ପୋଛି ଦେଲେ ।

 

ଅପାଙ୍କ ଆଖିରୁ ଲୁହ ଝରି ପଡ଼ିଲା ।

 

ସାତଦିନ ପରେ । ବଡ଼ି ସକାଳୁ ରାଣୀ ବୁଢ଼ୀ ଆସି କହିଲା, ଶୁଣିଲଣିଗୋ, ପଦି ବଞ୍ଚିବ କି ମରିବ । ରାତିଅଧରେ ପୋଖରୀ କୂଳକୁ ଏକା ଯାଇଥିଲା । କେଡ଼େ ସାହସ ! ହୁଁ ହୁଁ ହୋଇ ଗଛରୁ ଓହ୍ଲାଇଲା ଭୂତ । ଗୋରୁ ହାଡ଼ ଧରି ତାକୁ ମାରିଛି ଯେ ବିଚାରୀ ବେହୋସ ହୋଇ ପଡ଼ିଛି । ମୁଣ୍ଡ ଦିଫାଳ ହୋଇ ଫାଟି ଯାଇଛି । ଭୂତ କୁଆଡ଼େ ତାକୁ ମାଡ଼ ମାରି ଶୂନ୍ୟେ ଶୂନ୍ୟେ ଉଭେଇ ଗଲା ।

 

ଅପା ଓ ସାବ କାବା ହୋଇ ଚାହିଁ ରହିଲେ । ମତେ ଭାରି ହସ ମାଡ଼ିଲା ।

 

ପାପ କହ, ଅନୀତି କହ, ତା’ରି ମଝିରେ ଦୁନିଆର ଜଞ୍ଜାଳ ଯନ୍ତ୍ରଣା ଭିତରେ ଯେପରି ମୁଁ ସ୍ୱର୍ଗସୁଖ ଭୋଗ କରୁଥିଲି । ମଣୁଥିଲି, ଯୌବନ ମୋର ସାର୍ଥକ, ଜୀବନ ମୋର ଧନ୍ୟ । ଯାହାଙ୍କର ଗୋଡ଼ ତଳେ ମୋର ଅନ୍ତରର ସବୁ ବାସନା, କାମନା, ପ୍ରେମ ନିଃଶେଷ କରି ଅଜାଡ଼ି ଦେଇଥିଲି, ମନେ କରିଥିଲି, ସେ ମୋର ପୂଜା ଘେନିବାର ଉପଯୁକ୍ତ । ସେ ବି କେବେ ଅବହେଳା କରି ନଥିଲେ । ତାଙ୍କରି ମମତା ଓ ପ୍ରେମରେ ମୁଗ୍ଧ ମୁଁ । ବେଳେବେଳେ ଭାବେ, ସ୍ୱାମୀଠାରୁ କ’ଣ ସ୍ତ୍ରୀ ଏତେ ଆନନ୍ଦ, ଏତେ ସୁହାଗ ଆଶା କରିପାରେ ? ପାଇପାରେ ମଧ୍ୟ ? ତାଙ୍କର ପ୍ରତ୍ୟେକ କଥାରୁ ଯେପରି ଅମୃତ ଝରେ ଭଉଣୀ, ଅଙ୍ଗଭଙ୍ଗୀରେ ମନମତାଣିଆ ମାଦକତା ଭରି ରହିଥାଏ । ମୁଗ୍ଧ ତନ୍ମୟ ମୁଁ !

 

ତାଙ୍କରି ଆଖିରେ ସୁନ୍ଦର ଦିଶିବି କିପରି, ତାଙ୍କରି ମନରେ ଗାଦି ମାଡ଼ି ବସି ପାରିବି କ’ଣ କଲେ, ଏହାହିଁ ଥିଲା ମୋର ପ୍ରତିମୁହୂର୍ତ୍ତର ଚିନ୍ତା । ସକାଳୁ ପୁଣି ଆର ସକାଳ ଯାଏଁ ଯାହା କରେ ତା’ରି ଭିତରେ ଯେପରି ମୋର ଏହି ଭାବନା ଲୁଚି ଲୁଚି ବୁଲୁଥାଏ । ଦେଖେ ମୁଁ, ଉପଲବ୍ଧି କରନ୍ତି ସମସ୍ତେ, କିନ୍ତୁ ବୁଝନ୍ତି ଏକା ସେହି ଘନ । ନିଜକୁବି ଅଳ୍ପ ଭାଗ୍ୟବାନ ମଣନ୍ତି ନାହିଁ !

 

ବେଳେବେଳେ ଭାବେ, ଯାହାକୁ ସମାଜ କହନ୍ତି, ସେ ସମାଜର ଏଡ଼େ କଠିଣ ବନ୍ଧନ କାହିଁକି ? ଯାହାକୁ ମୁଁ ଭଲ ପାଏ ନାହିଁ, ଯିଏବି ମୋତେ ଭଲ ପାଆନ୍ତି ନାହିଁ, ଅବହେଳା କରନ୍ତି, ଉଭୟେ ଆଜୀବନ ପରସ୍ପରକୁ ଅବଲମ୍ୱନ କରି ଚଳିବା ବିଷମ କଥା, ତଥାପି ତାକୁ ଧରି ଚଳିବାକୁ ମୁଁ ବାଧ୍ୟ । ଯାହାଙ୍କୁ ପ୍ରାଣରୁ ବଳି ଭଲ ପାଏ, ମୋର ଅତି ଆପଣାର ହୋଇ ମଧ୍ୟ ସେ ପର । ସମାଜର ଖୋଲା ଆଖି ଆଗରେ ମୁଣ୍ଡ ଟେକି ଭଲ କରି ଆଖି ପୂରାଇ ଚାହିଁବାର ସାହସ ନାହିଁ । ଯାହା ଆଗରେ ନିର୍ଭୟରେ ନିଃସଙ୍କୋଚରେ ହୃଦୟ ମନ ଖୋଲିପାରେ, ଲୋକଦେଖାଣକୁ ତାଙ୍କ ଆଗରେ ମୁହଁ ଖୋଲିବା ଅବିଧି । ଭାବେ, ଦୁନିଆଟା ଏମିତି ଜାଲ୍‌, ବାହାର ସଙ୍ଗେ ଭିତରର ସମ୍ୱନ୍ଧ ନାହିଁ ।

 

ପଚାରିଲି ଦିନେ, ଆଚ୍ଛା ଘନ, ଦୁନିଆରେ କ’ଣ ଏମିତି ଜାଗା ନାହିଁ, ଯେଉଁଠି ଆମେ ସ୍ୱାଧୀନ ହୋଇ ସୁଖରେ ଚଳି ପାରିବା ?

 

ଉତ୍ତର ଦେଲେ, ନା, ସ୍ୱାଧୀନ ଜୀବନ ଭିତରେ ଯେଉଁ ଗୋପନ ଭୟ, ଏଇ ସମାଜର ନାଲିଆଖିର ଭୟ, ସେତକ ଆମ ସ୍ଵାଧୀନ ଜୀବନରେ ଆନନ୍ଦର ଅନ୍ତରାୟ । ଏଇ ପରାଧୀନ, ଜାଲ୍‌ ଜୀବନରେ ଆନନ୍ଦ ବେଶି । ନିର୍ଭୟ ଆନନ୍ଦ ! ସାମାଜିକ ବନ୍ଧନ ଭିତରେ ରହିଲେ ସମାଜ ଆଖିରେ ଧୂଳି ଦେବା ସହଜ ।

 

ତାଙ୍କର ପ୍ରତ୍ୟେକ କଥାକୁ ମୁଁ ବେଦରଗାର ପରି ମାନିଥାଏଁ । ପ୍ରତିବାଦ କରିବାକୁ ସାହସ କରେ ନାହିଁ । ଦିନେ ପଚାରିଦେଲି, କହିଲ ଘନ, ଚିରଦିନ କ’ଣ ଆମର ଏହି ଗୋପନ ପ୍ରେମ ଗୋପନ ହୋଇ ରହି ପାରିବ ? ଦିନେହେଲେ ଧରା ପଡ଼ିବତ । ସେତେବେଳେ ସମାଜ ଭିତରେ ଥାଇ ମୁଣ୍ଡ ଟେକି ଚାଲିବା କିପରି ? ନ୍ୟାୟତଃ ଧର୍ମତଃ ମୋ ଉପରେ ଯାହାର ପୂର୍ଣ୍ଣ ଅଧିକାର, ତାଙ୍କ ଆଖିରେ ତ ଧୂଳି ଦେଇ ହେବ ନାହିଁ ?

 

ମୋର ମନକଥା ସେ ବୁଝିଲେ । ଶୁଖିଲା ହସଟିଏ ଉପରକୁ ଟାଣି ଆଣି ସେ କହିଲେ, ତମେ ନିର୍ବୋଧ ! ବୃନ୍ଦାବନ ଭାଇଙ୍କୁ ତମେ ଏପରି ବ୍ୟବହାର କର କାହିଁକି ? କରଛଡ଼ା ଦେଇ ରୁହ କାହିଁକି ?

 

କଥାର ମର୍ମଟା ବୁଝି ନେଲି । ଛାତି ଭିତରେ କିପରି ଗୋଟାଏ ବେଦନା ଅନୁଭବ କଲି-। ସତେତ ! ମୁଁ ନିର୍ବୋଧ । ଭବିଷ୍ୟତର ଗୋଟାଏ ଭୟଙ୍କର ଛବି ମୋ ଆଖି ଆଗରେ ଦେଖାଗଲା; କିନ୍ତୁ ସେତେବେଳର ଭୟ ତ ଆଜି ଆଉ ମୋର ନାହିଁ । କହିଲି ଘନକୁ, ଡରି ଡରି ସେଦିନ ସେ ତାଙ୍କର ଗତଜୀବନର ଇତିହାସ ମୋ ଆଗରେ କହିଲେ । ଶୁଣିଲି, ସେଇ ଦିନରୁ ତାଙ୍କ ପ୍ରତି ମୁଁ ବଡ଼ କଠୋର ହୋଇଛି । ମୋ ଦେହ ଛୁଆଁଇ ଦିଏ ନାହିଁ ତାଙ୍କୁ । ଅତି ଆଗ୍ରହରେ ସେ ମୋର ହାତ ଧରିଲେ, ହାତ ଛିଞ୍ଚାଡ଼ି କହେ, ଛୁଅଁନା ମୋତେ, ମୁଁ କୁଳବଧୂ କଟକର ବେଶ୍ୟା ନୁହେଁ ।

 

ଘନ କହିଲେ, ଏଡ଼େ ଭୁଲ ଆଉ କେବେ କରିବ ନାହିଁଟି ।

 

ମେଲାଣି ନେଲେ । ରାତି ପାହାନ୍ତି । ମନ ଭାରି ଖରାପ ହେଲା । ଏଣୁତେଣୁ ଭାବୁ ଭାବୁ କାନ୍ଦ ମାଡ଼ିଲା । କାହିଁକି ଯେ ସେଦିନ ଏତେ କାନ୍ଦିଲି, ମୁଁ ନିଜେ ଜାଣେ ନାହିଁ ।

 

ଭଉଣୀ, ସେହି ଦିନରୁ ମୋ ମନରେ ଗୋଟାଏ ପରିବର୍ତ୍ତନ ଆସିଲା । ଜାଣି ନଥିଲି, ଦେହ ଦେହର ମିଳନ ହେଉଛି ପ୍ରେମର ଜୀବନ୍ତ ସମାଧି । ମିଳନ ପୂର୍ବରୁ ମିଳନର ଆଶାରେ ଯେପରି ସପନ ରାଇଜରେ ଭ୍ରମୁଥାଏ, କେତେ ରଙ୍ଗିନ ଛବି ଦେଖେ, ଆଶା ଦୁରାଶାର ମଝିରେ ପଡ଼ି ଛଟପଟ ହେଉଥାଏ, ସେତକ ଆଉ ରହେ ନାହିଁ । ପ୍ରେମଟା ଯେତେବଡ଼, ଯେତେ ଲୋଭନୀୟ, ଆନନ୍ଦପ୍ରଦ ଦେଖାଯାଏ ଦୂରରୁ, ଦୁଇଟା ଦେହ ଏକାଠି ହେଲାପରେ ତା’ର ସେ ମୋହନୀୟ ମାଦକତା ଆଉ ସେତେ ରହେ ନାହିଁ ।

 

ଘନ ଯେଉଁଦିନ ଆସନ୍ତି ମୋ ପ୍ରାଣର ଆକୁଳତା ବୁଝି ପାରନ୍ତି ନାହିଁ ସେ । ମିଳନର ଇଚ୍ଛା ଚରିତାର୍ଥ ହେବା ବଡ଼କଥା ନୁହେଁ, କିନ୍ତୁ କାହିଁ ପ୍ରେମ ? ମନରେ ଖଟ୍‍କା ଆସେ । ଯାହାକୁ ଘେନି ଆଜୀବନ ଘରକରି ରହିବି, ଯାହାର ସୁଖଦୁଃଖ, ଆନନ୍ଦ ନିରାନନ୍ଦ ଉପରେ ମୋର ଆଶା ଦୁରାଶା ନିର୍ଭର କରେ, ସେ ଯାଇଁ କଟକର ବେଶ୍ୟା ମହଲରେ । ଧନ ଦେଇ, ଜୀବନ ଦେଇ ରୋଗ କିଣୁଛନ୍ତି । ତାଙ୍କର ଅନ୍ନରେ ପ୍ରତିପାଳିତ ମୁ୍ଁ, ତାଙ୍କରି ଘରର ଲକ୍ଷ୍ମୀ, ପରପୁରୁଷର ମୋହରେ ପଡ଼ିଛି । ହସି କରି ପଦେ କଥା କହିବା ଦୂରେ ଥାଉ, ସହାନୁଭୂତି ତ ମନରେ ଆସେ ନାହିଁ । ଘରକୁ ଆସି ଘଡ଼ିଏ ଶାନ୍ତିରେ ବସିପାରନ୍ତି ନାହିଁ । ଯାଉ ପଦେ ଆସୁ ପଦେ । ସହି ନ ପାରି ସେ ଫେରିଯାନ୍ତି ।

 

ବିବାହ କରିଥିଲେ ବୋଲି କ’ଣ ମୋଠାରୁ ସେ ଏତେ ଅତ୍ୟାଚାର ସହିବାକୁ ବାଧ୍ୟ ? ଘରର ଦାସୀ କରି ଆଣିଛନ୍ତି ଏକଥା ଭାବିବାତ ଭୁଲ । ମୁଁ ତାଙ୍କର କୌଣସି କାମରେ ଲାଗେ ନାହିଁ-। ଯାହା କରେ ନିଜ ସ୍ୱାର୍ଥପାଇଁ ।

 

ଯେତେ ଯାହା ଭାବିଥାଏ, ଘନଙ୍କୁ ଦେଖିଲେ ସବୁ ଭୁଲିଯାଏ । ଉତ୍ତଳ ମନ ମୋର ପୁଣି ଟାଣି ହୋଇ ଆସେ । ସେ ହସିଲେ ଆପେଆପେ ମୋର ଓଠରେ ହସ ମଣ୍ତି ହୁଏ । ଭୁଲିଯାଏ, ମୁଁ ପରଘରର ଘରଣୀ, ଭୁଲିଯାଏ ମୁଁ ପରର ସ୍ତ୍ରୀ ।

 

(୬)

 

ଏ ମୋହବି ଦିନେ ଭାଙ୍ଗିଲା–ନୂଆ ପୁରୁଣା ହେଲେ ଯାହା ହୁଏ । ଘନ ଆସନ୍ତି, ଖଣ୍ତିକାଶ, ଚୋରାଚାହାଣି, ମୁଡ଼ୁକି ହସ ସବୁ ତାଙ୍କର ବ୍ୟର୍ଥ ହୁଏ ମୋର ଭାବନା ପାଖରେ । ଘନକୁ ଆଖି ଆଗରେ ଦେଖିଲେ ସେ ମୋ ମନେ ପଡ଼ନ୍ତି, ସତେ କି ଆଖି ଆଗରେ ଆସି ଛିଡ଼ା ହୁଅନ୍ତି । ଶୁଖିଲା ମୁହଁ, ନିଷ୍ପ୍ରଭ ଆଖି । କେତେ ଦୁଃଖରେ ନଇଁଲା ମୁଣ୍ତ । ଦୁର୍ବଳ ଦେହ । ସେହି ମୋର ଜୀବନ–ସର୍ବସ୍ଵ । ମନ କାନ୍ଦି ଉଠେ । ଘନଙ୍କର ମୁହଁକୁ ଚାହିଁବାକୁ ଇଚ୍ଛା ହୁଏନାହିଁ । ତଳକୁ ଚାହେଁ ଦୁଃଖରେ ।

 

ସୁବିଧା ପାଇଲେ ଘନ ସେମିତି ହସି ହସି ମୋ ପାଖକୁ ଆସନ୍ତି । ମୁଁ ଉଠି ଯାଇ ପାରେ ନାହିଁ । ଭଉଣୀ, ଜଣେ ଯଦି ଆଉ ଜଣକର ମନର ଅବସ୍ଥା, ମନର କଥା ଦେଖୁଦେଖୁ ଜାଣିପାରୁଥାନ୍ତା, ତେବେ ମୋର ଗମ୍ଭୀର ସରାଗ–ଭଙ୍ଗା ମୁହଁକୁ ଚାହୁଁଚାହୁଁ ସେ କ’ଣ ପାଖକୁ ଆସି ସେମିତି ହସି ହସି କହନ୍ତେ, ତମ ମୁହଁଟା ଶୁଖିଲା ଦିଶୁଛି କାହିଁକି ? ସାତଦିନ ହେବ ଆସିପାରି ନଥିଲି ବୋଲି ରାଗିଛ ? ଅଭିମାନ କରିଛ ?

 

ସେ ମୋର ହାତ ଧରନ୍ତି ।

 

ହାତ ଟାଣି ନେବାକୁ ସାହସ ହୁଏନାହିଁ । ସେ କ’ଣ ବୁଝି ପୁଣି କହନ୍ତି, ଭାରି ଜରୁରି କାମରେ ଅମୁକଠିକି ଯାଇଥିଲି । ନୋହିଲେ କହନ୍ତି, ଦେହ ଭଲ ନଥିଲା । ମୋର ଦୋଷ ହୋଇଛି-। ଗୋଡ଼ତଳେ ପଡ଼ୁଛି, କ୍ଷମା କର ।

 

ସତେଲୋ, କେଡ଼େ ନିଲଠା ସେ, ଗୋଡ଼ତଳେ ମୁଣ୍ତ ଲଗାନ୍ତି । କହିଲୁ, ନ ହସିବା ଲୋକ ହସିବ ନାହିଁ ଏଥିରେ ? ହସି ଦିଏ ତାଙ୍କ ପିଲାଳିଆ ଢଙ୍ଗ ଦେଖି, କିନ୍ତୁ ସେ ତ ମୋ ମନକଥା ବୁଝନ୍ତି ନାହିଁ ? କେଡ଼େ ବେଗି ମୋତେ ଛାତି ଉପରକୁ ଟାଣି ନିଅନ୍ତିଲୋ ! ସବୁ ଭୁଲି ଲଟେଇଯାଏ ତାଙ୍କ ଦେହରେ । ସ୍ୱାମୀଙ୍କର କଳ୍ପନା ଛବିଟା କାହିଁ କେତେ ପଛରେ ଛପିଯାଏ ।

 

ଆମକୁ ବଶ କରି ପାଲରେ ପକାଇବାର ଏତିକି କୌଶଳ ଜାଣନ୍ତି ଏ ପୁରୁଷଗୁଡ଼ାକ ? ଦାସ ପରି ଛାଇ ପରି ପଛରେ ଗୋଡ଼ାନ୍ତି । ସ୍ତୁତି ଗାଇ ନରକରୁ ଉଠାଇ ସ୍ୱର୍ଗରେ ବସାନ୍ତି । ଏଡ଼େ କୁହାଳିଆ ଯେ କହିଲେ ନ ସରେ । କଥାରେ ଜାଲ ବୁଣି ଆମ ଉପରକୁ ପକାଇଲେ ଆମେ ନିର୍ବୋଧଗୁଡ଼ା, ସହଜରେ ବନ୍ଦୀ ହେଉ । ଥରେ ପାଲରେ ପଡ଼ିଲେ, ଜାଲରେ ପଶିଲେ, ଯେତେ ଛାଟିପିଟି ହୋଇ ନିଷ୍କୃତିର ଚେଷ୍ଟା କଲେ ଆଉ ସହଜରେ ଖସି ଯିବାର ବାଟ ନଥାଏ ।

 

ହଠାତ୍‌ ଦିନେ ଦିପହରେ, ଉଦୁଉଦିଆ ଖରାରେ ଚାଲିଚାଲି ସେ ଆସି ପହଞ୍ଚିଲେ ଚାକିରି ଗାଁରୁ । କାହାପରି ଦାଣ୍ଡରେ ଠିଆ ହୋଇ କ’ଣ ଯେପରି ଭାବୁଥାନ୍ତି । ଦି’ ଘଣ୍ଟା ଆଗରୁ ଘନ ଆସି କେତେ ଗପ୍‍ସପ୍ କରି ସେଇଲାଗେ ଚାଲି ଯାଇଛନ୍ତି । ଦାସ ଘର ଚୁଲି ପାରିବାକୁ ଅପା ଗଲେଣି କେଉଁ ପହରୁ । କେଉଁଠି ଯଦି ଗପ ଲାଗିଥିବତ ବସି ଯାଇଥିବେ । ଗପୁଡ଼ି ନୁହନ୍ତି, ଗପ ଶୁଣିବାକୁ ଭଲ ପାଆନ୍ତି । ଘନଙ୍କ ସଙ୍ଗେ ବାଘ ଛେଳି ଖେଳି ତିନି ବୋଝ ଖାଇ ଲାଜରେ ମିଛରେ ଶୋଉ ଶୋଉ ସାବ ସତରେ ଶୋଇ ପଡ଼ିଛନ୍ତି । ଝରକା ପାଖରେ ଠିଆ ହୋଇ ମୁଁ ପଦାକୁ ଚାହିଁ ଭାବୁଥିଲି ଯାହାଙ୍କ କଥା, ସେଇ ଆସି ଆଗରେ ଠିଆ ହୋଇଛନ୍ତି ।

 

ଦେଖି ଚମକି ଉଠିଲି । ମୁହଁଟା ଝରକା ପାଖରୁ ଟାଣି ଆଣିଲି ଆରଶି ଆଗକୁ । ଆଖି କୋଣରୁ ଲୁହର ଦାଗ ଲିଭି ନାହିଁ । ମନରେ ଅନୁତାପ ନିଆଁ ଜଳୁଛି । ଉତ୍ତେଜନାର ରିହରେ ମଣିଷ ସିନା କ୍ଷଣକପାଇଁ ପାଗଳ ହୁଏ, ପରକ୍ଷଣରେ ଅନୁତାପରେ ସେ ସନ୍ତୁଳି ହୁଏ ।

 

ଓଢ଼ଣା ଭଲ କରି ଟାଣି ଦାଣ୍ଡ କବାଟ ଖୋଲିବାକୁ ଗଲି । ଗୋଡ଼ ଚଳୁ ନଥାଏ ।

 

କିଛି ନ କହି ସେ ଘର ଭିତରକୁ ଆସିଲେ । ସାହସବାନ୍ଧି କବାଟ ବନ୍ଦ କରୁ କରୁ ପଚାରି ଦେଲି, ପଇସାକୁ ଲୋଭ କରି ଏ ନିରାଟ ଖରାରେ ଚାଲି ଚାଲି ଆସିଲ ? ଗାଡ଼ି ମିଳିଲା ନାହିଁ ? ହଳେ ଭଲ ଜୋତା କିଣି ପାରିଲ ନାହିଁ ଯେ ଖାଲି ଗୋଡ଼ରେ ଚାଲି ଚାଲି ଆସୁଛ ? ଏମିତି କଷ୍ଟକରି ଆସିବା କି ଦରକାର ଥିଲା ?

 

ସେ ମୁହଁ ଫେରାଇ ହସି ହସି କହିଲେ, ଭାରି ଦରକାର ଥିଲା ।

 

ତାଙ୍କର ନାଲି ନାଲି ଢୁଳାଇଲା ପରି ଆଖି ଦେଖି, ମୁହଁରୁ କଡ଼ା ମଦଗନ୍ଧ ବାରି ମୁଁ ଭୟରେ ଥକା ହୋଇଗଲି ।

 

ସେ ଆଉ କିଛି ନ କହି ମୋ ଥିବା ଘରକୁ ଆସିଲେ । ଦି’ ପକେଟରୁ ବଡ଼ବଡ଼ ଦି’ଟା କ’ଣ ରଙ୍ଗୀନ ବୋତଲ କାଢ଼ି ପାଖ ସିନ୍ଦୁକ ଉପରେ ରଖି ନିଜେ ଖଟ ଉପରେ ବସିଲେ । କାମିଜ, ଗେଞ୍ଜି ଖଟ ବାଡ଼ରେ ଝୁଲାଇ ଦେଲେ । ଦେହରୁ ଝାଳ ନିଗିଡ଼ି ପଡ଼ୁଥାଏ । ତାଙ୍କ ଆଗରେ ଠିଆ ହୋଇ ଗୋଟିଏ ହାତରେ ପଙ୍ଖା କରୁଥାଏ । ଆର ହାତରେ ଗୋଟିଏ ପାଖର ଓଢ଼ଣା ଟାଣି ମୁହଁର ଅଧେ ଘୋଡ଼ାଇ ରଖିଥାଏ । ସେ କିନ୍ତୁ ମୋ ଆଡ଼କୁ ଚାହୁଁ ନଥାନ୍ତି । ତକିଆ ଭରା ଦେଇ ଖଟ ବାଡ଼କୁ ଆଉଜି ଉପରକୁ ଅନାଇ ରହିଥାନ୍ତି ।

 

ଚାହିଁ ରହିଥାଏ ତାଙ୍କରି ସେ ଶ୍ରୀହୀନ ଦେହକୁ । ଛାତିର ପିଞ୍ଜରା କାଠି ଗଣି ହେଉଛି । ଗୋଡ଼ହାତରେ ଶିରା ଦଉଡ଼ି ବଳି ହୋଇଛି । ଆହା, ଏଇଆ କ’ଣ ଥିଲା ସବୁଦିନେ ? ଯେଉଁଦିନ ତାଙ୍କୁ ମୁଁ ପ୍ରଥମେ ଦେଖେ ସେଦିନ ସେ ଏମିତି ନଥିଲେ । ଦିନୁଦିନ କ୍ଷୀଣ ହେଉଛନ୍ତି, ଆସି ଏ ସରି ହେଲେଣି । କାହା ଯୋଗୁଁ ତାଙ୍କର ଏ ଦଶା ? ମୁଁ ଇଚ୍ଛା କରିଥିଲେ କ’ଣ ତାଙ୍କୁ ଏ ନଷ୍ଟପଥରୁ ଦୂରରେ ରଖି ପାରି ନଥାନ୍ତି ? ଇହଜନ୍ମ ପରଜନ୍ମର ମୋର ଯେ ଗତିମୁକ୍ତି ତାଙ୍କୁ ନଷ୍ଟ ହେବାକୁ ଛାଡ଼ି ଦେଇ ମୁଁ ଗୋଟାଏ ଛାଇକୁ ଆଶ୍ରା କରି ଛାତି ଦମ୍ଭ କରି ଚାଲିଛି ସିନା, ସେ ତ କିଛି ମୋର ମୁଣ୍ଡର ସିନ୍ଦୂର, ହାତର କାଚ ରଖି ପାରିବ ନାହିଁ ।

 

କୋହ ଆସିଲା । ଆଖିପତା ଓଦା ହୋଇ ଆସିଲା । ଇଚ୍ଛା ହେଲା ସବୁ ରାଗ ଅଭିମାନ ଭୁଲି ଗୋଡ଼ ଧରି ଭୂଇଁ ଉପରେ ଲୋଟିଯିବି । ସବୁ ଦୋଷ ମାଗିନେଇ କ୍ଷମା ଚାହିଁବି । କହିବି, ଦେହ ଛୁଇଁ କୁହ, ଆଉ ଦିନେ ବେଶ୍ୟା ମହଲକୁ ଯିବ ନାହିଁ । ଗୋଡ଼ରେ ଠେଲି ଦେବେ, ରାଗରେ-। ଦେଉନ୍ତୁ । ସହିଯିବି । ସେ ମୋତେ ଯେତେ ଦୂରକୁ ଠେଲିଲେ, ହତାଦର କଲେ ସହିଯିବି-। ତାଙ୍କୁ ବହୁତ ହତାଦର କରିଛି । ତୁନି ହୋଇ ସବୁ ସହିଛନ୍ତି । କେତେ ଆଉ ସହିବେ ?

 

ଭଉଣୀ, ପ୍ରାଣ ମୋର ଯେତେ ଆକୁଳବିକଳ ହେଉଥାଏ, ଗୋଡ଼ ଧରି କ୍ଷମା ଚାହିଁବାକୁ ମନ ଯେତେ ଛଟପଟ ହେଉଥାଏ କଥାରେ କହି ମୁଁ ବୁଝାଇ ପାରିବି ନାହିଁ । ଭୁକ୍ତଭୋଗୀ ଏକା ବୁଝିବଲୋ; କିନ୍ତୁ ମନ ପ୍ରାଣ ଯେଡ଼େ ଅସ୍ଥିର ହେଲେବି ଗୋଟାଏ ଗର୍ବ ମୋର ମୁଣ୍ଡକୁ ନୁଆଁଇ ଦେବାରେ ବାଧା ଦେଉଥାଏ । ଲାଜରେ କିଛି କହି ପାରୁ ନଥାଏଁ । ଏହିସବୁ ଭାବିଲାବେଳକୁ ଦେହ ମୋର ଥରି ଉଠୁଥାଏ ।

 

ପଚାରି ଦେଲି, ନିରାଟ ଖରାବେଳରେ ଏମିତି ଦଉଡ଼ି ଦଉଡ଼ି କେଉଁଠୁଁ ଆସିଲ ଶୁଣେ ?

 

ସାମାନ୍ୟ ଟିକେ ହସିଲେ । କହିଲେ, ମୋର ଘରକୁ ଆସିବା ତମୁକୁ ଭଲ ଲାଗେ ନାହିଁ ବୋଲି କ’ଣ ମୁଁ ଘରକୁ ଆସନ୍ତି ନାହିଁ ? କେଉଁଠୁଁ ଆସିଲି ଶୁଣିଲେ ତମେ ଖୁସିହେବ ନାହିଁ ।

 

କଟା ଘା’ରେ କଲିଚୂନ ଲାଗିଲା ପରି ମୋର ଛାତି ଭିତରର ଘା’ଗୁଡ଼ାକ ପୋଡ଼ି ଉଠିଲା-। କେଜାଣି କେମିତି ମୋର ଚୁଲି ଜିଭଟାକୁ ପଇଟିଗଲା, ତମର ଘର, ତମର ସବୁ, ମୁଁ କିଏ-? ବାହାରର ଲୋକଠାରୁ ତ ହୀନ ! ମୋତେ ଭଲ ଲାଗୁ ବା ନ ଲାଗୁ ତମ ଆସିବାରେ ବାଧା ଦେବାକୁ ଅଧିକାର ମୋର ନାହିଁ !

 

ଭଗବାନଙ୍କର ଇଚ୍ଛା, ସେ ଅଧିକାର ଯଦି ତୁମର ଥାଆନ୍ତା ମୋତେ ଆସିବାରେ ବାଧା ଦେବାକୁ ତମେ ପଛାନ୍ତ ନାହିଁ ।

 

ପାଟି ଖଲଖଲ ହେଉଥାଏ ଦିପଦ କ’ଣ କହି ଦିଅନ୍ତି । ବଡ଼ କଷ୍ଟରେ ପାଟି ବନ୍ଦ କରି ରଖିଲି । କଥାର ସୁଅ ବଦଳାଇବାକୁ କହିଲି, ଭାରି ଭୋକ କରୁଥିବ, ଗଣ୍ଡାଏ କ’ଣ ଖାଇବାକୁ ଆଣେ ?

 

ସେ କହିଲେ, ଦରକାର ନାହିଁ । ଆହା, ଭାରି ଦୟା !

 

ଲାଜରେ ମୁହଁ ତଳକୁ କଲି । ସେ କହିବାକୁ ଲାଗିଲେ, ମୋର ଖାଦ୍ୟ ମୋର ସଙ୍ଗରେ ଥାଏ । ସେଥିପାଇଁ ମୁଁ କାହାକୁ ଖୁସାମତ କରେ ନାହିଁ । ସେ ତୁନି ହୋଇ ଖଟ ଉପରୁ ଉଠି ଆସିଲେ । ସିନ୍ଦୁକ ଉପରୁ ଅଧା ବୋତଲଟା ନେଇ ଠିପି ଖୋଲି ମୁହଁରେ ଲଗାଇଲେ । ଢକଢ଼କ କରି ଛ’ ଢୋକ ପିଇ ବୋତଲଟି ପୁଣି ଖଟ ଉପରେ ରଖି କହିଲେ, ଭାରି ଭଲ ଚିଜ । ସଂସାରକୁ ଭୁଲିଯିବାକୁ ଏହା ସବୁବେଳେ ଦରକାର ।

 

ବୋତଲଟିକୁ ପୁଣି ଧରି ମୁହଁ ପାଖକୁ ନେଉଥିଲେ, ବାଧା ଦେଇ କହିଲି, ଥାଉ, ଥାଉ ।

 

ମୋର ହାତ ଛିଞ୍ଚାଡ଼ି ସେ କହିଲେ, ଛୁଅଁନା, ଛୁଅଁନା ମୋତେ, ତମେ କୁଳର ଲକ୍ଷ୍ମୀ । ଘରର ଘରଣୀ । ମୁଁ ଲମ୍ପଟ, ଦୁଶ୍ଚରିତ୍ର, ବେଶ୍ୟାସକ୍ତ । ଛୁଅଁନା ।

 

ଅବାକ୍ ହୋଇ ଚାହିଁ ରହିଲି ତାଙ୍କ ମୁହଁକୁ । ସବୁଦିନେ ଯାହା କହି ମୁଁ ତାଙ୍କୁ ମୋର ଦେହ ଛୁଆଁଇ ଦିଏ ନାହିଁ, ଆଜି ନିଜ ମୁହଁରେ ସେ ସେହି କଥା କହି ମୋତେ ବାରଣ କରୁଛନ୍ତି । ଥଟ୍ଟା କି ଅଭିମାନ କି ଆଉ କ’ଣ ? ଇଚ୍ଛାହେଲା ତାଙ୍କର ବାଧା ନ ମାନି ତାଙ୍କୁ ଆଲିଙ୍ଗନ କରିବି; କିନ୍ତୁ ପୁଣି ଭାବିଲି, ଘନଙ୍କ ସଙ୍ଗେ ମୋର ସମ୍ବନ୍ଧ ନେଇ ପ୍ରତ୍ୟକ୍ଷରେ ନହେଲେବି ପରୋକ୍ଷରେ ଗାଁ ଲୋକେ ଯେପରି ଦୁର୍ନାମ ରଟନା କରି ଭୁଟ୍‌ଭାଟ୍‌ ହେଉଛନ୍ତି, ହୁଏତ ସେ ସବୁ ଯାଇ ତାଙ୍କର କାନରେ ପଡ଼ିଛି । ସେ ବିଶ୍ୱାସ କରି ପ୍ରକାରାନ୍ତରରେ ମୋରି କଥା ମତେ କହି ଥଟ୍ଟା କରୁଛନ୍ତି । ସଂକୁଚିତ ହୋଇ ଭୟରେ ତୁନିହୋଇ ଠିଆ ହେଲି ।

 

ସେ କହିଲେ, ତମର ସବୁ ଗହଣାଗାଣ୍ଠି ମୋତେ କାଢ଼ି ଦିଅ । ମୁଁ ବିକ୍ରି କରିବି ।

 

ରାଗିଯାଇ କହିଲି, ତମ ଘରକୁ ଆସିଲା ଦିନୁ ଖଣ୍ଡେ ରୁପା ଫାସିଆ ତ ତମେ ମୋପାଇଁ କରି ନାହଁ, ମୋ ମାମୁଘର ଗହଣା ଉପରେ ତମର କୌଣସି ଅଧିକାର ନାହିଁ ଯେ ତମେ ମୋର ସବୁ ଗହଣା ବିକ୍ରି କରି ବେଶ୍ୟାକୁ ଟଙ୍କା ଦେବ । ମୁଁ ଏହା କରି ପାରିବି ନାହିଁ ।

 

ସେ ବଲବଲ କରି ମୋ ମୁହଁକୁ ଚାହିଁ ରହିଲେ । ତାଙ୍କର ରଙ୍ଗ ଆଖି ଦେଖି ମୋତେ ଭାରି ଡର ମାଡ଼ୁଥାଏ । ମନେମନେ ଅପା କି ସାବଙ୍କୁ ଖୋଜୁଥାଏ । ସେ କିଛି କହିଲେ ନାହିଁ । କେଜାଣି କାହିଁକି ଦୁଇ ହାତରେ ମୁଣ୍ଡକୁ ଚିପି ଧରି ଖଟ ଉପରେ ମୁହଁ ମାଡ଼ି ଶୋଇଲେ । ମୁଁ ଧୀରେ ଧୀରେ ଘରୁ ବାହାରି ଆସିଲି ଆର ବୋତଲଟା ହାତରେ ଧରି ।

 

ସେ ତିନିଦିନ ରହିଲେ । ଘରୁ ପଦାକୁ ଛାଡ଼ି ଦିଏ ନାହିଁ । ସବୁବେଳେ ପଛେ ପଛେ ଲାଗିଥାଏ । କେତେ ବୁଝାଏ ସୁଝାଏ; କିନ୍ତୁ ସେ କଟକର ବେଶ୍ୟା ମହଲକୁ ଭୁଲି ପାରନ୍ତି ନାହିଁ ।

 

ବେଳେବେଳେ ଘନ ଆସନ୍ତି । ମୋ ଆଗରେ ସେ ବି ତାଙ୍କୁ ଘଡ଼ିଏ ବୁଝାନ୍ତି । କେତେ ପ୍ରଶଂସା କରି ମୋର କଥା କହନ୍ତି ତାଙ୍କୁ । ସବୁ ଶୁଣନ୍ତି, କିଛି ଜବାବ ଦିଅନ୍ତି ନାହିଁ । ସବୁ ବୁଝିଲା ପରି ମୁଣ୍ଡ ହଲାନ୍ତି ।

 

ତୃତୀୟ ଦିନ ପାହାନ୍ତାରୁ ଉଠି ଯିବାର କଥା । ରାତିଅଧରେ ତାଙ୍କରି କୋଳରେ ଶୋଇ କାନ ପାଖରେ କହିଲି, ମୋ ଦେହ ଛୁଇଁ କହିଯାଅ ଆଉ ସେ ଡାଆଣୀପଲ ଭିତରକୁ ଯିବ ନାହିଁ । ଛି, ମଦଗୁଡ଼ା ବଡ଼ ଖରାପ ଚିଜ । ଦେଖିଲ, କି ସରି ହେଲଣି ।

 

ଆଖିରୁ ତାଙ୍କର ଲୁହ ଝରିଲା । ଖାଲି କହିଲେ, ଏତିକି ଉପଦେଶ ଯଦି ଦେଇଥାନ୍ତ ଆଗରୁ ସରସୀ, ଏମିତି ଆଦର କରି.....

 

ତାଙ୍କର କଥା ଶୁଣି ମୁଁ କାନ୍ଦି ପକାଇଲି ।

 

ଥରେ ଆସି ମୋର ସ୍ୱାମୀ ମୋତେ ବାଧ୍ୟ କଲେ ବୋଲି ଘନକୁ କଥା କହିଥିଲି । ବଡ଼ ଅନିଚ୍ଛାରେ ତାଙ୍କୁ ମୁଁ ସମସ୍ତଙ୍କ ଆଗରେ କଥା କହିଲି ସିନା, ମନେମନେ ଭାବୁଥାଏ, ଏହା କରିବାଦ୍ୱାରା ସଂସାରର ସନ୍ଦେହଭରା ଆଖିକୁ ନିଜ ଉପରକୁ ଟାଣି ଆଣିଲି । ବାହାରେ ଲୋକମୁଖରେ ମୋର ଯେଉଁ ଦୁର୍ନାମ କୁହୁଳି ଉଠିଛି, ଏଣିକି ତାକୁ ଫୁଙ୍କି ଜାଳିବା ଲୋକଙ୍କ ପକ୍ଷରେ ସହଜ ହେବ । ଘନଙ୍କ ଗୁଣରେ ମୁଗ୍ଧ ଏମାନେ । ଏତେ କଥା ଭାବିବାକୁ ସୁବିଧା ପାଇଲେ ନାହିଁତ !

 

ସେହି ଦିନରୁ ମୋ ନାମରେ ଦୁର୍ନାମ ଅତି ଗୁରୁତର ହୋଇ ଉଠିଲା । ଚାକିରି ଗାଁକୁ ସେ ଚାଲିଗଲେ । ମୁଁ ବୃନ୍ଦାବତୀଙ୍କ ଚଉରା ତଳେ ମୁଣ୍ଡ ଲଗାଇ କେତେ ଗୁହାରି କଲି । ମା’, ମୋର ଦୋଷ କ୍ଷମା କର । ମୁଁ କଳଙ୍କିନୀ । ଆଖିରୁ ଲୁହ ଗଡ଼ି ପଡ଼ିଲା । ସଞ୍ଜ ଦେଉ ଦେଉ ପ୍ରାର୍ଥନା କଲି, ତାଙ୍କର ଦେହପା କୁଶଳରେ ରଖ । ତାଙ୍କୁ ଭଲ ବୁଦ୍ଧି, ଭଲ ଚିନ୍ତା ଦିଅ ମା’ !

 

ଆକୁଳ ମନରେ ମୁଁ ଉଠି ଠିଆ ହେଲି । ମୁହଁସଞ୍ଜ । ପଛରୁ ଘନଙ୍କର ପାଟି ଶୁଭିଲା । ସେ ହସି ହସି କହିଲେ, ଏତେବେଳ ଯାଏଁ କ’ଣ ଗୁହାରି କରୁଥିଲ କି ଠାକୁରଙ୍କୁ ? ରାଗରେ ଜଳି ଯାଉଥାଏ ଭିତରେ ଭିତରେ । ମୁଣ୍ଡର ଓଢ଼ଣା ଟାଣି ତୁନି ହୋଇ ରହିଲି ! ତାଙ୍କର ପାଟି ଶୁଣି ଅପା କହି ଉଠିଲେ ରୋଷଘରୁ, ତୁ ଖାଲି ଏଇଆ ଉଣ୍ଡୁଥାଉ ଚଗଲାଟା ! ବୃନ୍ଦାବତୀଙ୍କୁ ଡାକ, ତା’ କୋଳରେ ଛୁଆ ବକଟେ ଦେଉନ୍ତୁ । ତା’ର ସବୁ ମନକଷ୍ଟ ଯିବ ।

 

ଘନ ସେମିତି ହସି ହସି କହିଲେ, ତମେତ ଡାକୁଛ, ସେ ବି ତ ଡାକୁଛନ୍ତି, ମୁଁ ଡାକିଲେ କ’ଣ ଅଧିକ ହେବ ? ଟିକିଏ ରହି ପୁଣି କହିଲେ, ଯାଉ ଆଉ ପାଞ୍ଚ ବରଷ । ଏଇଦିନୁ ପିଲାପିଚିକା ହେଲେ ଦେହର ଅବସ୍ଥା ରହିବ ?

 

ଅପା କହିଲେ, ବାବୁରେ, ସ୍ତ୍ରୀ ଜନ୍ମର ସାର୍ଥକତା ତ ସେଇଠି ।

 

ଅପାଙ୍କ କଥାରେ ପ୍ରତିବାଦ ନ କରି ସେ ଦୁଆରେ ଟହଲିବାକୁ ଲାଗିଲେ । ମୁଁ ଅପାଙ୍କ ପାଖକୁ ଆସି ସାବକୁ ଆଲୁଅ ଲଗାଇବାକୁ କହିଲି । ସାବ ଆଲୁଅ ଲଗାଇ ପିଣ୍ଡାରେ ଥୋଇ ଦେଲେ ।

 

ଘନ ପଚାରିଲେ, ମଦ ବୋତଲ କ’ଣ କଲ ନୂଆବୋଉ ?

 

କହିଲି, ଆଲମାରିରେ ଲୁଚାଇ ରଖି ଦେଇଥିଲି, ଆଜି ଦେଖିଲାବେଳକୁ ଖାଲି ବୋତଲ ରଖା ହୋଇଛି ।

 

ସବୁଯାକ ଶେଷ କରିଦେଲ ? କହିଲ ନାହିଁ, ଟିକିଏ ରଖେଁ ।

 

ଉତ୍ତର ଦେଲି, ତମ ଘରକୁ ଆସି, ତମରିମାନଙ୍କଠୁଁ ଯାହା ଶିଖିଲି କଲି, ଆମ ବଉଁଶରେ କେହି କେବେ ଚାଖି ନଥିଲା ।

 

ଅପା କହିଲେ, ସେଇଗୁଡ଼ାକ ଖାଇ ଖାଇ ପୁଅର ଏ ଅବସ୍ଥା ହେଲାଣି । କଣ୍ଟା ଦୋହଲୁଛି । ଫୁଙ୍କିଦେଲେ ଟଳି ପଡ଼ିବ । ଆରେ ଘନ, ତୁ ଯଦି ତାକୁ ବୁଝାଇ କହନ୍ତୁ ସେ ନିଶ୍ଚୟ ବଦଳିଯାଆନ୍ତା । ତୋ ଛଡ଼ା ଆଉ କାହାକୁ ସେ ଡରେ ନାହିଁ ।

 

ଘନ କହିଲେ, ନୂଆବୋଉଙ୍କ ପରି ମାଷ୍ଟ୍ର ଯେଉଁଠି ହଟିଲେ ମୋ କଥା ସେ ଶୁଣିବେ ନା ମାନିବେ ?

 

ଦୁଃଖମିଶା ସ୍ୱରରେ ଅପା କହିଲେ, ପିଲାଟାର ମନରେ କିଛି ପଶୁନାହିଁରେ ଘନ । ଠାକୁରେ ସତେ ଏଡ଼େ କଥା କରିବେ, ମୋ ମାଆ କୋଳରେ ବକଟେ ଦେବେ ? ଦେଖିବୁ, ଦିନ କେଇଟାରେ ବୃନ୍ଦାବନ ବଦଳିଯିବ ।

 

ହସ ମାଡ଼ିଲା ମୋତେ । ଅପାଙ୍କର ଗୋଟାଏ ପ୍ରକୃତି । ସେ ଯେଉଁଥର ଘରକୁ ଆସି ଦିନେ ଓଳିଏ ରହି ଫେରନ୍ତି ଅପାଙ୍କ ମୁଣ୍ଡରେ ଗୋଟାଏ ଖିଆଲ ଆସେ । କେତେ ଦେବାଦେବୀଙ୍କୁ ମୁଣ୍ଡିଆ ମାରି ସେ ଜଣାନ୍ତି, ମୋ ମା’ କୋଳରେ ଖଣ୍ଡେ ଦିଅ । ଯେଉଁଦିନ ସେ ହତାଶ ହୁଅନ୍ତି, ମୁହଁ ଶୁଖାଇ ଜିଗର ଲଗାନ୍ତି, ଯା ବା ଘନ, ପୁଅଟା କେତେ ଦିନୁ ଘରକୁ ଆସିନାହିଁ । ଦେହପା ଭଲ ଅଛିକି ନାହିଁ ବୁଝିବୁ । ତାକୁ ଡାକି ଆଣିବୁ ।

 

ଘନଙ୍କର ନ ଯାଇ ଅନ୍ୟ ଗତି ନାହିଁ । ଯେତେବେଳେ ହାବୁଡ଼େ ପଡ଼ିଲେ ଘନଙ୍କର ହାତ ଓଠ ଧରି ସେ ଅନୁରୋଧ କରନ୍ତି । ସତରେ କି ମିଛରେ କେଜାଣି, ଘନ ଯାଆନ୍ତି । ଫେରିଆସି କହନ୍ତି, ଭେଟ ପାଇଲି ନାହିଁ ।

 

ଅପା ମନ ମାରି ରହନ୍ତି । ବେଳେବେଳେ ଏକୁଟିଆ ଦେଖିଲେ ଯାଆ କି ନଣନ୍ଦ ପରି ମୋ ଓଠ ଧରି କହନ୍ତି, ଝିଅଲୋ, ତୋ କପାଳଟା ଏମିତି ! କହିବୁ ଯଦି ଗୋପାଳପୁର ରାଧି ତେଲୁଣିକି ଖବର ଦେବି । ରାଧି କୁଆଡ଼େ କିମିଆ କରେ, ସ୍ତ୍ରୀ ହାତରେ ସ୍ୱାମୀକୁ ଓଷଦ ଖୋଇ ବଶ କରି ଜାଣେ ।

 

ତାଙ୍କର ଆକୁଳ ବିକଳ ଦେଖି ଲାଜ ଛାଡ଼ି ମୁଁ କହେ, ଭଲ କରୁ କରୁ ଯଦି ଖରାପ ହୁଏ-? ଓଷଦ ଖାଇ କେତେଲୋକ ପରା ବାଇଆ ହୋଇଯାନ୍ତି ?

 

କହନ୍ତି ସତୀ ଲକ୍ଷ୍ମୀ ମା’ ମୋର, ତୋ ନିଃଶ୍ୱାସରେ ବୃନ୍ଦାବନ ନିଶ୍ଚେ ଶୀଘ୍ର ବଦଳି ଯିବ !

 

ଆତ୍ମା ମୋର କାନ୍ଦି ଉଠେ । ସତୀ ଲକ୍ଷ୍ମୀ କିଏ ? ଘନଙ୍କର ସ୍ପର୍ଶରେ ପ୍ରତି ଲୋମମଳ କଳଙ୍କିତ ପରା ! ନୂଆ ଯୌବନର ମଳୟ ଯେତେବେଳେ ଦେହରେ ଲାଗେ, ଦେହ ମନରେ ପରିବର୍ତ୍ତନ ହୋଇ ଆସୁଥାଏ, ଆଖି ଆଗରେ ମାୟାପୁରୀର କେତେ ରଙ୍ଗିନ ଛବି ଆସି ଉଭା ହୁଏ-। ଯୁବକର କଣ୍ଠସ୍ୱର ଶୁଣିଲେ ଚମକ ଲାଗେ ଛାତିରେ । ଯୁବକର ରୂପ ଆଖିରେ ପଡ଼ିଲେ ଲାଜରେ, ବିଜୁଳି ବେଗରେ ଆଖି ନଇଁଆସେ ତଳକୁ । ସରମ ଲାଗେ । ଗୋପନରେ ଅନ୍ୟର ଅଜଣାରେ ଚାହିଁବାକୁ ଇଚ୍ଛା ହୁଏ । ଚାହେଁ ପିପାସା–ଦୀପ୍ତି ଆଖିରେ, କିନ୍ତୁ ଆଖିର ମିଳନ ସହି ହୁଏ ନାହିଁ ।

 

ସେ ବୟସ, ସେ ପିଲାଳିଆ ମନ ତ ଆଉ ନଥିଲା । ବିଶେଷତଃ ଘନଙ୍କୁ ସମସ୍ତଙ୍କ ଜାଣିବାରେ କଥା କହିଲା ଦିନୁ ଭୟ ସଙ୍କୋଚ କି ଲାଜ ମୋଟେ ରହିଲା ନାହିଁ । ଯେଉଁ ଘନ ମୋତେ ଟିକିଏ ଦେଖିବାପାଇଁ ଏଡ଼େ ଡହଳବିକଳ ହେଉଥିଲେ, ଚୋର ପରି ଲୁଚି ଲୁଚି ପଛରୁ ଆସି ମୋରି ଦେହର ଶୋଭା ଦେଖିବାକୁ ଏଡ଼େ ଆକୁଳବିକଳ ହେଉଥିଲେ, ସେପରି ଦିନ ତ ଆଉ ରହିଲା ନାହିଁ । ପରିବର୍ତ୍ତିତ ଏମିତି ହୁଏ ଉଭୟ ଆଡ଼ୁ । ନ ଦେଖିବା ଚିଜ ଦେଖିବାକୁ ସମସ୍ତେ ଚାହାନ୍ତି । ଦେଖିଲେ ମୋହ ଭାଙ୍ଗିଯାଏ ।

 

ଘନଙ୍କର ଅବାଧ ମିଳାମିଶାରୁ ସ୍ୱାଧୀନତା ବଢ଼ିଗଲା । ଯେତେବେଳେ ମଣିଷ ଯାହା ଲୋଡ଼େ ଠିକ୍ ସମୟରେ ସେ ତାହା ପାଏନାହିଁ । ପାଏ, ଯେତେବେଳେ ସେ ଅଖୋଜା, ଅଲୋଡ଼ା-। ଏଇ ସ୍ୱାଧୀନତା ଯଦି ଆଗରୁ ସେ ପାଇ ପାରିଥାନ୍ତେ ! ଯାହା ହେଉ, ଏଣିକି ଅପା ନଥିଲାବେଳେ ମଧ୍ୟ ଘନ ଆସନ୍ତି । ଉଭୟଙ୍କ ଉପରେ ୟାଙ୍କ ଘରେ ଏପରି ପ୍ରଗାଢ଼ ବିଶ୍ୱାସ ଯେ ବାହାରେ ଦୁର୍ନାମଟା କୁହୁଳି କୁହୁଳି ନିଆଁ ଧରିଲେ ମଧ୍ୟ ଏହାଙ୍କ ଘରେ କେହି ବିଶ୍ୱାସ କରିବାତ ଦୂରର କଥା, କାନରେ ପଡ଼ିଲେ ହସନ୍ତି । ଦିନେ ଦିନେ ଘନ ଆସି ଅପାଙ୍କ ଆଗରେ ମୋତେ ଚାହିଁ କହନ୍ତି, ଶୁଣିଲଣି, ଅମୁକକୁ ଅମୁକ କହୁଛି.... । ୟା କହି ହୋହୋ ହୋଇ ହସି ଉଠନ୍ତି । ଅପାବି ହସନ୍ତି-। ଛାତି ମୋର ଦୁଲୁକି ଉଠେ ।

 

ଦିନକର ଘଟଣା । ସଞ୍ଜ ଗଡ଼ିଲା ପରେ ଏକାଠି ବସି ମୋ ଘରେ ଗପ କରୁ କରୁ ରାତି ଦିଘଡ଼ି ହେଲା । ଅପା ଶୋଇବାକୁ ଗଲେ, ତଥାପି ଅଛିଣ୍ଡା ଗପ ଛିଣ୍ଡିଲା ନାହିଁ । ସାବବି ଶୋଇ ପଡ଼ିଲେ । କହିଲି, ରାତି ବେଶି ହେଲାଣି, ଯାଅ ଘନ ଶୋଇବ ।

 

କଥା ବନ୍ଦ କରି ଘନ ମୋ ମୁହଁକୁ ଚାହିଁଲେ । ଲାଜରେ ମଥା ପୋତିଲି । ଏ କେଇଦିନ ହେଲା ତାଙ୍କ ପାଖରୁ ମୁଁ ଦୂରେଇ ଦୂରେଇ ରହୁଥିଲି । ସେ ଆସିଲେ ପୁଣି ଯିବା ଯାଏଁ ଅପାଙ୍କ ପାଖ ଛାଡ଼େ ନାହିଁ । ଦରକାର ପଡ଼ିଲେ ବରଂ ସାବକୁ ପଠାଏ ।

 

କେତେ କଷ୍ଟରେ ଯେ ମୁଁ ତାଙ୍କୁ କରଛଡ଼ା ଦେଇ ରହେ, ସେ କଥା ମୋର ମନ ଜାଣେ-। ଉତ୍ତେଜନା କ’ଣ ଆସେ ନାହିଁ ? ଆସେ, ତଥାପି ମୁଁ ଅପସରି ରହେ । ଭାବେ, ଯାହା ହେବାର ହୋଇ ଗଲାଣି । ଥରେ ଭୁଲ କଲେ ସେ ଭୁଲଟା ସିନା ସୁଧାରି ହେବନାହିଁ, ଆଉ ଭୁଲ ନ କରିବା ମଣିଷର ହାତର କଥା । ବର୍ତ୍ତମାନବି ସମୟ ଅଛି । ସମୟ ସବୁବେଳେ ଥାଏ । ଭଲ ହେବାକୁ ମଣିଷ ଯେକୌଣସିବେଳେ ଚେଷ୍ଟା କରି ଭଲ ହୋଇପାରେ ।

 

ଯୌବନର ଅଭ୍ୟାସଗୁଡ଼ା ମଣିଷର ପ୍ରକୃତି ପାଲଟି ଯାଏଁ । ଏ କଥା କରିବି ନାହିଁ ମନରେ ହେଲେବି ମଣିଷ କିପରି ଯେ ସେଇକଥା କରେ ସେ ନିଜେ ଜାଣି ପାରେନାହିଁ । ଗୋଟାଏ କାମ କରିସାରିଲା ପରେ ଅନୁଶୋଚନା ହୁଏତ ଆସେ, କିନ୍ତୁ ବେଶୀବେଳ ରହେନାହିଁ । କରଛଡ଼ା ଦେଇ ରହେ, କିନ୍ତୁ ଅକସ୍ମାତ୍‌ ହାବୁଡ଼େ ପଡ଼ିଲେ ଯେତେବେଳେ ଘନ ପାଖେଇ ଆସନ୍ତି, ଦୂରେଇ ଯିବାକୁ ମନ ହେଲେବି ଦୂରେଇ ଯାଇ ପାରେନାହିଁ ।

 

ମୁଁ ଅନ୍ୟର ସ୍ତ୍ରୀ, ଅନ୍ୟ ପ୍ରତି ମୋର କର୍ତ୍ତବ୍ୟ ଅଛି, ସେଥିପାଇଁ ସିନା ପରିବର୍ତ୍ତନର ଭାବ ଆସେ, ଯୌବନର ଉତ୍ତେଜନା, ମିଳନର ଆକାଂକ୍ଷାରେ ବାଧା ପଡ଼େ, ସଙ୍କୋଚ ଆସେ, କିନ୍ତୁ ଘନଙ୍କର ସେ ସବୁ କିଛିନାହିଁ । ମୂଳରୁ ତାଙ୍କୁ ଯେଉଁ ସ୍ୱାଧୀନତା, ଯେଉଁ ଅଧିକାର ଦେଇ ଆସିଛି ଆଜି ବାଧା ଦେଲେ ସେ ମାନିବେ କାହିଁକି ? ରାଗିଲେ କି ବିରକ୍ତିକର ଭାବ ଦେଖାଇଲେ ଅନ୍ୟ କୌଣସି କାରଣରୁ ମୁଁ ଅଭିମାନ କରିଛି ଏପରି ଭାବିବା ତାଙ୍କ ପକ୍ଷେ ସ୍ୱାଭାବିକ ।

 

କହିଲି ଯାଅ ଘନ, ଶୋଇବ ।

 

କେମିତି ବ୍ୟଥିତ ହୋଇ ସେ ମୋ ମୁହଁକୁ ଚାହିଁଲେ । ମଥା ପୋତିଲି । କେତେବେଳକେ ସେ ମୋର ହାତ ଧରି କହିଲେ, ଏ କେଇଦିନ ହେଲା ତମେ ବରାବର ମୋତେ କରଛଡ଼ା ଦେଇ ରହୁଛ, ଏହା ମୁଁ ବେଶ୍‌ ବୁଝି ପାରିଛି । ଏହାର କାରଣ କ’ଣ ? ତୁମ ପାଖେ ଏପରି କିଛି ଅପରାଧ କରିଛି ବୋଲିତ ମୋର ମନେ ହେଉନାହିଁ ? ଯାହା ହେଉ, ତମେ ନିଶ୍ଚୟ ଆଜି ମନ ଖୋଲି ମୋ ଆଗରେ ସ୍ପଷ୍ଟ କହିବ । ନ କହିବା ଯାଏଁ କଦାପି ତମକୁ ମୁଁ ଛାଡ଼ି ଯିବିନାହିଁ-

 

ବଡ଼ ବିପଦରେ ପଡ଼ିଲି । ତାଙ୍କର ହାତମୁଠା ଭିତରେ ମୋର ହାତ ଥରିବାକୁ ଲାଗିଲା । କେଜାଣି କାହିଁକି ମୋର ଆଖିରୁ ଲୁହ ଧାର ଧାର ହୋଇ ଝରିଲା । ଭାବିଲି, କହିବି, ଘନ, ତମେ ମତେ କୁପଥକୁ ଟାଣି ନେଇଛ । ତମରିପାଇଁ ମୁଁ ସାମାଜିକ ନିୟମ ସଂସ୍କାରରେ ଜଳାଞ୍ଜଳି ଦେଇ କୁଳବଧୂ ହୋଇ ମଧ୍ୟ କୁଳଟା ହୋଇଛି । ତମରିପାଇଁ ମୋର ଜୀବନ–ସର୍ବସ୍ୱ ସ୍ୱାମୀଙ୍କୁ ଅବହେଳା କରି ନରକ ପଥକୁ ଛାଡ଼ି ଦେଇଛି । ଇହକାଳ ପରକାଳ ନଷ୍ଟ କରିଛି । ଦୋଷୀ ତୁମେ । ଦାୟୀ ତୁମେ । ତମ ଛଡ଼ା ଆଉ କେହି ନୁହେଁ । କିନ୍ତୁ ଭଉଣୀ, ମୋର ମୁହଁ ଖୋଲିଲା ନାହିଁ ।

 

ସେ କହିଲେ, ଜାଣ ସରସୀ, ତମରିପାଇଁ ମୁଁ ପାଗଳ ହୋଇଛି । ଦୁନିଆରେ ତମ ଛଡ଼ା ମୋତେ ଆଉ କିଛି ଦିଶେ ନାହିଁ । ଇଚ୍ଛା ହୁଏ ସବୁବେଳେ ତମରି ମୁହଁକୁ ଚାହିଁ ବସିଥିବି । ତମରି ତୁଣ୍ଡର କଥା ଶୁଣି ଦେହର ସ୍ପର୍ଶ ଅନୁଭବ କରି ଜୀବନକୁ ଆହୁରି ସାର୍ଥକ କରିବି । ସେଇଥିପାଇଁ ଘରେ କି ବାହାରେ ଅନ୍ୟ ଯେଉଁଠି ମୁଁ ଯେତେ ସମୟ କାଟେ ଭାବେ, ସେଇଗୁଡ଼ାକ ମୋ ଜୀବନର ବ୍ୟର୍ଥ ସମୟ । ଟିକିଏ ସୁବିଧା ପାଇଲେ ଗୋଟାଏ କୌଣସି ଆରା ଧରି ଦିନରେ ବାରମ୍ବାର ଧାଇଁ ଆସେ ତମରି ପାଖକୁ । ଆଉ ତୁମେ, ତୁମେ ମୋତେ ଭଲ କରି ପଦେ କଥା କୁହନାହିଁ । କରଛଡ଼ା ଦେଇ ରୁହ । ମୋତେ ହତାଶ କରି ଭିତରେ ଭିତରେ କନ୍ଦାଇ ପ୍ରକାରାନ୍ତରେ ତଡ଼ି ଦିଅ ।

 

କହୁ କହୁ ତାଙ୍କର ପାଟି ବନ୍ଦ ହୋଇଗଲା । ଦେଖିଲି, ଆଖିରେ ଲୁହ ଢଳଢ଼ଳ ହେଉଛି-। ଦୁର୍ବଳ ମନଟା ମୋର ନଇଁ ଆସୁଥିଲା ଭଉଣୀ, ଧୈର୍ଯ୍ୟଧରି କହି ଆସୁଥିଲି, କୁହୁକ ଜାଣ ତମେ ଘନ ! ମୁହଁର ହସ, କଥାର ଚାତୁରୀରେ ମୋତେ ଦୁର୍ବଳ କରି ନରକ ଭିତରକୁ ଟାଣି ନେଉଛ-। ଆଉ ପାରିବ ନାହିଁ । ଉତ୍ତେଜିତ ହେଲି କିନ୍ତୁ କହି ହେଲା ନାହିଁ । ତୁନି ରହିଲି ।

 

ଗଡ଼ିପଡ଼ୁଥିବା ଲୁହ ଦି’ ଧାର ହାତ ପାପୁଲିରେ ପୋଛି ସେ ପୁଣି କହିବାକୁ ଲାଗିଲେ, ଲଜ୍ଜା ଓ ଅପମାନର ଭୟ ଆଉ ମୁଁ ରଖି ନାହିଁ । ଲୋକେ, ସାଙ୍ଗ ଟୋକାଏ ମୋତେ ଥଟ୍ଟା କରନ୍ତି । ସେଣିକି ମୁଁ ଭ୍ରୂକ୍ଷେପ କରେ ନାହିଁ । ସୁନାମ ପରିବର୍ତ୍ତେ ପରୋକ୍ଷରେ ଲୋକେ ସନ୍ଦେହ କରି ମୋର ଦୁର୍ନାମ ରଟାନ୍ତି । ସବୁ ମୋର କାନରେ ପଡ଼େ । ତଥାପି, ନିଶ୍ଚିନ୍ତ ଥାଏ । କାହାରିକୁ କିଛି କହେ ନାହିଁ । ଘରେ ବାହାରେ ସବୁଠି ଲୋକେ ମୋତେ ଘୃଣା କରନ୍ତି । ଦୂର ଦୂର କରିବାକୁ ସାହସ ନ କଲେବି କରିବାଟା ସେତେ ଦୂରରେ ନୁହେଁ । ମୁଁ କରଛଡ଼ା ଦେଇ ରହେ । ତା’ଛଡ଼ା ମୋର ଅନ୍ୟ ଉପାୟ ନାହିଁ ।

 

ସେ କହିବାକୁ ଲାଗିଲେ, ଏକମାତ୍ର ଆଶା ଥାଏ ତୁମରି ପାଖରେ ଶାନ୍ତି ପାଇବି । ତମଠୁ ପଦେ ମନମତାଣିଆ କଥା ଶୁଣି, ତମ ରଙ୍ଗଣୀ ଓଠରେ ଦରଫୁଟା ହସ ଦେଖି ଖୁସି ହେବି । ଭୁଲିଯିବି ସଂସାରକୁ, ନିଜକୁ । ଜନ୍ମଜନ୍ମାନ୍ତରେ ତୁମେ ମୋର, ମୁଁ ତୁମର । ଏଥିରେ ସନ୍ଦେହ ନାହିଁ । ଭାଗ୍ୟର ପରିହାସ, ଘଟଣାଚକ୍ରର ବଙ୍କାଗତି, ଅବସ୍ଥାର ଆକସ୍ମିକ ଓଲଟପାଲଟ ପାଇଁ ଜଣକ ହାତରେ ତମର ହାତ ନେଇ ଛନ୍ଦି ଦେଲେ ବୋଲି କ’ଣ ତମ ଉପରେ ତା’ର ଷୋଳପଣ ଅଧିକାର, ଭଲ ପାଉ ବା ନ ପାଉ ? ଭୁଲଟାତ ପୁଣି ସୁଧରା ଯାଏଁ ।

 

ସେ ପୁଣି କହିଲେ, ଭାବିଛ, ଯେଉଁ ଲୋକନିନ୍ଦାକୁ ଡରି ତମେ ସ୍ୱାଧୀନ ହୋଇ ମୋତେ ଗ୍ରହଣ କରି ପାରୁନାହଁ, କରଛଡ଼ା ଦେଇ ମନଟାକୁ ପୋଡ଼ି ଜାଳି ମାରୁଛ, ସେହି ଲୋକନିନ୍ଦାକୁ ପଛରେ ପକାଇ ସ୍ୱାଧୀନ ଚଢ଼େଇ ପରି ଆମେ ଉଡ଼ିଯିବା ଦୂରକୁ, ଯେଉଁଠି ଆମକୁ କେହି ଧରି ପାରିବେ ନାହିଁ । ଏ କଥା ତମେ ମୋତେ ଅନେକ ଥର କହିଥିଲ । ମୁଁ ନିର୍ବୋଧ, ତମର ସରସ କଥାର ମୂଲ୍ୟ ବୁଝି ପାରି ନଥିଲି । ସଂକଳ୍ପ କରିଛି । ତମେ ପ୍ରସ୍ତୁତ ତ ?

 

ଘନକୁ ସନ୍ଦେହ କରିବାକୁ ଶିଖି ସାରିଛି । ନୂଆ ହେଲେବି ତାଙ୍କ ମୁହଁରେ ଏପରି ଗୋଟାଏ ପ୍ରସ୍ତାବ ହଠାତ୍‌ ଶୁଣି ମୋର ଛାତି ଥରିବାକୁ ଲାଗିଲା । ଭୟରେ ବିଳିବିଳାଇଲା ପରି କହି ପକାଇଲି, ନାଇଁ ଘନ, ସେ ସାହସ ମୋର ନାହିଁ ।

 

ତୁନି ତୁନି କରି ହୃଦୟର ବ୍ୟଥାଭରା ଭାଷା କ’ଣ କହିଲି ଜାଣେ ନାହିଁ । କହିବାର ଉଦ୍ଦେଶ୍ୟ ଥିଲା, ତମର କବଳରୁ ମୋତେ ମୁକ୍ତି ଦିଅ । ମୁଁ ଭୁଲ କରିଛି । ଅନୁତାପ କରିଛି । ମୋତେ କ୍ଷମାକର, କ୍ଷମାକର ।

 

ତାଙ୍କର ଗୋଡ଼ତଳେ ମୁଣ୍ଡ ଲଗାଇଲି । ଜାଣେନା, ହୃଦୟର କେତେ ଆକୁଳତା ଭରା ମୋର ସେ କଥା ।

 

କେଡ଼େ ଛଟକରେ ମୋତେ ସେ କୋଳକୁ ଟାଣିନେଇ ଛାତିରେ ଧରିଲେ ସେ, ସତେକି ମୋତେ ତାଙ୍କର ଦେହରେ ମିଶାଇ ଦେବେ । କାନ ପାଖରେ କହିଲେ, ବହୁଦିନର ଝଡ଼ ବରଷା ଥମିଗଲେ ହଠାତ୍‌ ଦୁନିଆ କେଡ଼େ ସୁନ୍ଦର ଦିଶେ ସରସୀ, ବିରହ ପରେ ମିଳନରେ ଆନନ୍ଦ ବେଶି ଏ କଥା କେହି ମନା କରିବେ ନାହିଁ । କ୍ଷମା ଚାହୁଁଛ କିବା କଥାକୁ ?

 

ତାଙ୍କର ଛାତି ଉପରୁ ମୁକ୍ତି ଲାଭ କରିବାର ବାସନା କୁଆଡ଼େ ଉଭେଇ ଗଲା । ତାଙ୍କରି ବେକ ଚାରିପାଖେ ଦୁଇହାତ ବେଷ୍ଟନ କରି କାନ୍ଧ ଉପରେ ମୁଣ୍ଡ ନୋଇଁଲି ।

 

ପରଦିନ ସ୍ୱାମୀ ଆସିଲେ । ଭାବିଥିଲି, ଟିକିଏ ହେଲେ ବଦଳି ଥିବେ, କିନ୍ତୁ ପରିବର୍ତ୍ତନ ଲକ୍ଷ୍ୟ କରି ପାରିଲି ନାହିଁ । ସେମିତି ଧେଡ଼ଙ୍ଗ ଚେହେରା । ପାଟିରୁ ମଦଗନ୍ଧ ବାହାରୁଥାଏ । ବିଷଣ୍ଣ ମୁହଁ । ଅନ୍ୟମନସ୍କ ଢଙ୍ଗ । ବିରକ୍ତ ହେଲି ନାହିଁ । ଘୃଣା କଲି ନାହିଁ ବରଂ ଅଭିମାନ କଲି । ଦୁଃଖରେ ଆଖିରୁ ଲୁହ ପୋଛି କହିଲି, ଏମିତି କେତେ ଦିନ ଆଉ ନିଜକୁ କଷ୍ଟ ଦେଇ ବୁଲିବ ? କି ରୂପ ହେଲାଣି !

 

ସେ ମୁରୁକେଇ ହସିଲେ ।

 

ଦିନ ବେଶ୍‌ ଆନନ୍ଦରେ କଟିଲା । ଘନବି ଆସି ଆମର ଆନନ୍ଦରେ ଯୋଗ ଦେଉଥାନ୍ତି । ଦେଖିଛି, ବେଳେବେଳେ ସେ କେମିତି ସନ୍ଦେହ କଲା ପରି ମୋ ଆଡ଼କୁ ଅନାନ୍ତି । ଭିତରେ ଭିତରେ ମୁଁ ଥରି ଉଠେ ଭୟରେ । ଆଜି ଭାବୁଛି, ମୋର ଦୁଡ଼ୁଗୁଡ଼ୁ ମନ ହୁଏତ ତାଙ୍କ ସରଳ ଚାହାଣି ଭିତରେ ନିଜ ଦୁଶ୍ଚିନ୍ତାର ପ୍ରତିବିମ୍ବ ଦେଖି ଚମକି ଉଠେ ।

 

ଯତ୍ନକରି ଅପା ମୋ ମୁଣ୍ଡ ବାନ୍ଧି ଦେଲେ । ମନକୁ ମନ କେତେ ବେଶ ହେଲି । ସରାଗ ନାହିଁ, ସରସତା ନାହିଁ, ସବୁ ଯେପରି ଜାଲ୍‌, ସବୁ ଯେପରି କୃତ୍ରିମ ।

 

ସଞ୍ଜବେଳ । ଅପାଙ୍କ ସଙ୍ଗେ ଗପ କରୁଛି, କେଉଁଠୁଁ ଘନ ଆସି ମୋତେ ଚାହିଁ ହସି ଦେଲେ । ଲାଜ ପରିବର୍ତ୍ତେ ରାଗ ହେଲା । ଓଢ଼ଣା ଦେଇ ଆଡ଼ ହୋଇ ଠିଆହେଲି ।

 

ସେ ସେଇଠି ଠିଆହୋଇ ଥଟ୍ଟାକରି କହିଲେ, ଚିହ୍ନିହେଉ ନାହିଁ ତ ! ତମେ କ’ଣ ସ୍ୱର୍ଗରୁ ମେନକା ଓହ୍ଲାଇ ଆସିଛ କି ?

 

ଘୁଞ୍ଚିଗଲି କବାଟ କଣକୁ । ସେ କବାଟ ଫାଙ୍କରେ ତୁନି ତୁନି କହିଲେ, ନୂଆବୋଉଗୋ, ଆଜି ତମର ଚଉଠିଘର କି ? ପଦାକୁ ଗଲେ ।

 

ଏଥର ଘରକୁ ଆସି ସେ ତିନି ଚାରି ଦିନ ଅଟକି ଗଲେ । ଯେଉଁଦିନ ପୁଣି ଯିବାକୁ ବସିଲେ, ମୁଁ ଆଖି ଛଳଛଳ କରି କହିଲି, ତୁମେ ଆଉ କୁଆଡ଼େ ଯାଅ ନାହିଁ । ଚାକିରି କରି କି ଲାଭ ମିଳିବ ? ଘରେ ରହି ଘର ଖବର ବୁଝିଲେ କ’ଣ ହୁଅନ୍ତା ନାହିଁ ? ତମେ ଚାକିରି ଛାଡ଼ିଦିଅ । ଘରେ ଯେଉଁ ପେଜପାଣି ଅଛି ସେଇଥିରେ ସନ୍ତୋଷ ରହିବା । ଗାଁରେ ତ ଶହ ଶହ ଲୋକ ଅଛନ୍ତି, କିଏ ଯାଇ ତମପରି ପରଘରେ ମୁଣ୍ଡ ବିକିଛି ? ସେଇ ବିଲ ମାଟି ହିଡ଼ରେ ଲଦି ସମସ୍ତେ ସୁଖରେ ଦୁଃଖରେ ଚଳୁଛନ୍ତି ।

 

ବିରକ୍ତ ନ ହୋଇ ସେ କହିଲେ, ଚାକିରି ଛାଡ଼ି ଆସିବା ସହଜ କଥା ନୁହେଁ ସରସୀ ବାର ପ୍ରକାର ଅଡ଼ୁଆ । ଟଙ୍କା କଉଡ଼ି ହିସାବନିକାଶ ସହଜ ନୁହେଁ । ହିସାବ ବୁଝାଇ ଭଲରେ ଭଲରେ ଆସିବାକୁ ଛଅମାସରୁ କମ୍‌ ଲାଗିବ ନାହିଁ । କହୁ କହୁ ସେ ବିଚଳିତ ଦେଖାଗଲେ । ମୁହଁର ସରାଗ ଭାଙ୍ଗିଗଲା । ମାଇପି ଲୋକ ଆମେ, କି ଜାଣୁ ପଇସା ହିସାବ କଥା ।

 

କହିଲି, ହେଉ, ଲାଗୁ ଛଅ ମାସ । ହିସାବନିକାଶ କରି ଚାଲିଆସ ଘରକୁ । ଟିକିଏ ରହି ଅନୁରୋଧ କରି କହିଲି, ମୋତେ ଏଥର ତମେ ସଙ୍ଗରେ ନେଇଯାଅ ।

 

ମୁଁ ତମ ପାଖରେ ରହିବି । ତମେ ହିସାବପତ୍ର ବୁଝାଇ ଯେଉଁ ଦିନ ଘରକୁ ଆସିବ, ମୁଁ ତମ ସାଙ୍ଗରେ ଆସିବି ।

 

ସେ ଆବାକାବା ହୋଇ ମୋ ମୁହଁକୁ ଚାହିଁଲେ । ତାଙ୍କର ଶୁଖିଲା ଓଠରେ ଦରହାସ ଖେଳିଗଲା । ସେ କହିଲେ, ଘରେ ?

 

ଅପା, ସାବ ଥାଆନ୍ତୁ । ତମୁକୁ ଛାଡ଼ି ମୁଁ ଆଉ ଦଣ୍ଡେ ରହି ପାରିବି ନାହିଁ ଏ ଗାଁରେ ।

 

ସେ ବ୍ୟସ୍ତ ହୋଇ କହିଲେ, ମୁଁ ତ ଠା–କରେ ରହିପାରେ ନାହିଁ । ବାର ଜାଗାରେ ମଫସଲରେ ମୋର ବେଳ କଟେ । ତମେ ଯାଇ ରହିବ କେଉଁଠି ? ଛି, ଭଲ ହେବ ନାହିଁ । ଯଦି କହୁଛ ଯେତେ ଶୀଘ୍ର ପାରେ ଚାକିରି ଛାଡ଼ି ଚାଲି ଆସିବି ।

 

ମୋ ଦେହ ଛୁଇଁଲ !

 

ମୋର ଚିବୁକ ଧରି ଗେଲ କରି କହିଲେ, ଦେହ ଛୁଇଁଲେ କ’ଣ ଅଧିକ ହେବ ?

 

ଭାବିଲି, ସତେ କ’ଣ ଠାକୁରେ ସଦୟ ହେଲେ ମୋର ଦୁର୍ଦ୍ଦିନ ଘୁଞ୍ଚିଲା, ସୁଦଶା ଫେରିଲା ?

 

(୮)

 

ଭଉଣୀ, ସେ ଚାଲିଗଲା ପରଦିନ ଘନ ପୁଣି ଆସି ମୋର ସ୍ତୁତି ଗାନ କଲେ । ନ ଶୁଣି ମୋର ଉପାୟ ନାହିଁ । ମନରେ ଯେତେ ଯାହା ଭାବ ଉଦୟ ହେଉଥିଲେବି କିଛି କହିପାରେ ନାହିଁ । ଆଗରୁ ତାଙ୍କୁ ମୋ ଉପରେ ଯେଉଁ ପୂର୍ଣ୍ଣ ଅଧିକାର ଦେଇ ଆସିଛି ତାହାରି ଫଳରେ ମୋର ଲଜ୍ଜା ବା ଅନିଚ୍ଛାକୁ ଅନାଇ ସେ ଅପସରି ରହିବାର ଲୋକ ନୁହନ୍ତି । ମୋର ମନ ବିଦ୍ରୋହୀ ହୋଇ ଉଠିଲେବି ଦେହତ ବିଦ୍ରୋହୀ ହୋଇ ପାରେନା । ହେଲେବି ବିଜିତ ଦେହଟା ଚିରଦିନ ବିଜିତ ରହିଥାଏ ।

 

ଦିନକର ଘଟଣା । ସେ ସବୁଦିନ ପରି ମୋର କେତେ ପ୍ରଶଂସା ଗାଇ ହେଉଥାନ୍ତି । କେଡ଼େ ସାହସରେ ମୁଁ ମୁହଁ ଖୋଲି ପଚାରିଲି, ଘନ, ତମେ ମୋତେ ଭଲ ପାଅ, ଭଲ ପାଅ ବୋଲି ସବୁଦିନେ ଏତେ କହିହୁଅ, ପଚାରୁଛି, ସତ କହିଲ, ତମେ ମୋତେ ଭଲ ପାଅ ? ଏପରି ଗୋଟିଏ ପ୍ରଶ୍ନ ମୋଠାରୁ ଶୁଣିବେ ବୋଲି ସେ କେବେ ଆଶା କରି ନଥିଲେ । ଆବାକାବା ହୋଇ ମୋ ମୁହଁକୁ ଦଣ୍ଡେ ଚାହିଁଲେ । ମୁହଁ ଫିକା ପଡ଼ିଗଲା । ଦୁଃଖମିଶା ସ୍ୱରରେ ସେ ଓଲଟି ପଚାରିଲେ, ତମର ସନ୍ଦେହ ହେଉଛି କାହିଁକି ?

 

କହିଲି, ସନ୍ଦେହ ହେଉ ନାହିଁ; ତଥାପି ମୋ କଥାର ଉତ୍ତର ତମରି ତୁଣ୍ଡରୁ ଶୁଣିବାକୁ ଇଚ୍ଛା ।

 

ଯଦି ମୁଁ କହେ, ନା । ହସିଲେ ।

 

ଗମ୍ଭୀର ହୋଇ କହିଲି, ଅବିଶ୍ୱାସ କରିବି ନାହିଁ ।

 

ଯଦି କହେ, ହଁ ।

 

ବିଶ୍ୱାସ କରିବି । କହିବି, ପରୀକ୍ଷା ଦିଅ ।

 

ହସି ହସି ମୋର ହାତ ପାପୁଲି ସାଉଁଳିଲେ । ତାଙ୍କର ଆନନ୍ଦରେ ବାଧା ଦେଲି ନାହିଁ । କେତେବେଳକେ କହିଲେ, ଆଚ୍ଛା, ପରୀକ୍ଷା କର । କହିଲି, ମୁଁ ଜାଣେ ସ୍ୱାର୍ଥ ଥିବା ଯାଏଁ ଲୋକେ ପଛରେ ଗୋଡ଼ାନ୍ତି, ପ୍ରତିଜ୍ଞା କରି ଆମକୁ ଭୁଲାଇବାରେ ନିଜକୁ ଭାଗ୍ୟବାନ ମଣିବା ଅପେକ୍ଷା ବିଜୟୀ ମନେ କରନ୍ତି । ସ୍ୱାର୍ଥ ଉପରେ ବାଧା ପଡ଼ିଲେ କି ସ୍ୱାର୍ଥ ନଥିବାର ଜାଣିଲେ, ସେମାନେ ପଛଘୁଞ୍ଚା ଦେଇ ଚାଲନ୍ତି । ଆଡ଼ଆଖିରେ ଅନାନ୍ତି ନାହିଁ ।

 

ମୋ କଥା ଶୁଣି ସେ ହସିଲେ । ମୁଁ କହିବାକୁ ଲାଗିଲି, ତମ ପକ୍ଷରେ ଭଲ ପାଇବା ଯଦି ନିଃସ୍ୱାର୍ଥ ହୋଇଥାଏ, ତେବେ ତମେ ମୋର ଦେହ ଛୁଇଁ ପ୍ରତିଜ୍ଞା କର, ୟାଙ୍କ ଘରକୁ ଆସିବ ନାହିଁ ।

 

କଣ୍ଠସ୍ୱର ଥରି ଉଠିଲା । ସେ ଚମକି ଉଠିଲେ । ମୁହଁକୁ କଟମଟ କରି ଚାହିଁ ପଚାରିଲେ, ୟା ମାନେ ?

 

କହିଲି, ତମେ ମୋତେ ଭଲ ପାଅ; ଯେ ଯାହାକୁ ଭଲ ପାଏ ତାକୁ କ’ଣ ସେ ଅକୂଳରେ ଭସାଇ ଦେବାକୁ ଚାହେଁ, ଘନ ?

 

ଅସମ୍ଭବ ।

 

ଶୁଣୁଛ ତ ଗାଁସାରା ତମ ନାମରେ, ମୋ ନାମରେ ଲୋକେ କିପରି ଅପବାଦ ଦେଉଛନ୍ତି-? ଆଉ କେହି ଜାଣୁ ନ ଜାଣୁ, ତମେ ଜାଣ ମୁଁ ଜାଣେ । ଭଗବାନ ଜାଣନ୍ତି ଆମ ଭିତରେ କି ସମ୍ବନ୍ଧ ଅଛି, ଆଉ ଏଥିପାଇଁ କିଏ ଦାୟୀ ? ସତ କଥା ବେଶି ଦିନ ଛପି ରହିବ ନାହିଁ । ଦିନେହେଲେ ଫୁଟି ବାହାରିବ । ସେତେବେଳେ ନିଜକୁ ନିରୀହ ନିର୍ଦ୍ଦୋଷ ପ୍ରମାଣ କରିବା ସହଜ ହେବ ନାହିଁ-। ବେଳ ଥାଉଁଥାଉଁ ସାବଧାନ ହେଲେ ଗୋଡ଼ରେ କଣ୍ଟା ବାଜିବ ନାହିଁ । ୟାଙ୍କୁ ଅବାଟରୁ ଭଲ ବାଟକୁ ଆଣିବା ମୋ ପକ୍ଷରେ କଷ୍ଟ ହେବ ନାହିଁ । କିନ୍ତୁ ଥରେ ଯଦି ଇଏ ସନ୍ଦେହ କରନ୍ତି, ତେବେ ମନେକଲ ଘନ, ଅବସ୍ଥା କ’ଣ ହେବ ?

 

କାନ୍ଦି ପକାଇଲି ସିନା ଅନୁଭବ କଲି, ସତେ ଯେପରି ମୋର ମୁଣ୍ଡ ଉପରୁ କେତେବଡ଼ ବୋଝ ଖସି ପଡ଼ିଲା । କେମିତି ଗୋଟାଏ ବେଦନା ଅନୁଭବ କଲି ଛାତି ଭିତରେ ।

 

ଦୀର୍ଘଶ୍ୱାସ ଛାଡ଼ି ସେ କହିଲେ, ତୁମେ କ’ଣ ଭାବିଛ, ମୁଁ ଲୋକନିନ୍ଦାକୁ ଡରେ କି ବୃନ୍ଦାବନ ଭାଇଙ୍କର ମନର ଧାରଣା କ’ଣ ଅଛି ବା ହେବ ସେଥିକି ଖାତିର କରେ ? ମୁଁ ଏତେ ଦୁର୍ବଳ ନୁହେଁ । ସମସ୍ତେ ଭଲକରି ଦେଖନ୍ତୁ ଆମର ସମ୍ବନ୍ଧ କ’ଣ । ମନଇଚ୍ଛା ନିନ୍ଦା ରଟାନ୍ତୁ । ଥଟାତାମସା ଯେତେ ଯାହା କରନ୍ତୁ । ଆମେ ସେ ଆଡ଼କୁ ଚାହିଁବା କାହିଁକି । ଆମର ସମ୍ବନ୍ଧ ତ ଦିନକର ନୁହେଁ, କି ଗୋଟାଏ ଜୀବନର ନୁହେଁ, ଯୁଗଯୁଗର ସମ୍ବନ୍ଧ !

 

ଘନ, ତମେ ଯାହା କହିଲ କେବଳ ଗୋଟାଏ ଉତ୍ତେଜନାରେ ସିନା । ଭଲ କରି ଭାବି ଦେଖିଲ, ଲୋକନିନ୍ଦାକୁ ଖାତିର ନ କରି ଦୁନିଆରେ କିଏ ଆଜିଯାଏ ଚଳି ପାରିଛି ? ଆମର ସମ୍ବନ୍ଧ ଯଦି ପଦାରେ ପଡ଼େ, ଆତ୍ମରକ୍ଷାର କୌଣସି ଉପାୟ ଯଦି ନଥାଏ, ତମେ ସିନା ନିଲଠାପଣରେ ସଂସାରକୁ ଭ୍ରୂକ୍ଷେପ ନ କରି ଚଳି ପାରିବ, ମୋର ଗତି କ’ଣ ହେବ ଥରେ ଭାବି ଦେଖିଲ ? ଆତ୍ମହତ୍ୟା କରିବା ଛଡ଼ା ଆଉ ଉପାୟ କ’ଣ ? ତମେ ମୋତେ ଭଲ ପାଅ, ଖୁବ୍‌ ଭଲପାଅ, ଥରେ ଭାବି ଦେଖିଲ ।

 

ସେ ତୁନି ରହିଲେ । ମୁଁ ଆହୁରି କହିଲି, ହୁଏତ ଦେଶ ଛାଡ଼ି ତମ ସଙ୍ଗରେ ମୁଁ କେଉଁ ବିଦେଶକୁ ଚାଲିଯିବି ଲୋକନିନ୍ଦାକୁ ଡରି । ବିଦେଶ ! କି ଭୟଙ୍କର ନାଆଟା ଘନ ! କେତେଦିନ ଚଳିବା ? ଅଭାବ ପଡ଼ିଲେ କି ମୋର ବୟସ ଖସିଲେ କେଉଁ ଅପନ୍ତରାରେ ମୋତେ ପକାଇ ହୁଏତ ତୁମେ ଚାଲିଯିବ । ଏପରି ଘଟଣା ତ ଦୁନିଆରେ ବିରଳ ନୁହେଁ । ଅଭାବ ଆଗରେ କେହି ସଳଖ ହୋଇ ଠିଆହୋଇ ପାରନ୍ତି ନାହିଁ ।

 

ଅସମ୍ଭବ ସରସୀ, ତା’ ଅପେକ୍ଷା ବିଷ ଖାଇ ଉଭୟେ ନ ମରିବା କାହିଁକି ?

 

ଲୋକେ ସେତିକି କରି ପାରନ୍ତି ନାହିଁ ।

 

କିନ୍ତୁ ମୁଁ ପାରିବି ।

 

ମୋତେ ଭଲ ପାଅ ବୋଲି ? ତେବେ ଏତେଦୂରକୁ ଯିବା ଅପେକ୍ଷା ସାବଧାନ ହୋଇ ଏଣିକି ରହିବା ତ ଆମ ହାତର କଥା । ଯୁଗଯୁଗ ଧରି ଆମର ସମ୍ଵନ୍ଧ ଗୋଟାଏ ଜୀବନର ବିଚ୍ଛେଦ କ’ଣ ସହି ପାରିବ ନାହିଁ ? ଦୂରରେ ଥାଇ ମଧ୍ୟ ଉଭୟେ ଉଭୟଙ୍କୁ ଭଲ ପାଇପାରିବା । ଖାଲି ଦେହର ମିଳନରେ କ’ଣ ଭଲପାଇବା ଆବଦ୍ଧ ଥାଏ ? ମନ ଯଦି ମନ ସଙ୍ଗେ ମିଳେ, ଆତ୍ମା ଯଦି ଆତ୍ମା ଆଡ଼କୁ ଟାଣି ହୋଇ ଆସେ, ତୁଚ୍ଛା ଦେହର ମିଳନ ନହେଲେବି କ୍ଷତି କ’ଣ ?

 

ଭାଗ୍ୟର ଅଭିଶାପରୁ ପରର ହାତ ଧରିଛି, ତା’ରିପାଇଁ ଏ ଜନ୍ମର ଏ ଦେହକୁ ଉତ୍ସର୍ଗ କରି ଦିଏ । ତମେ ମୋତେ ଭଲ ପାଅ, କହିଲ ମୋର ଏ ସଂକଳ୍ପରେ ବାଧା ଦେବ ?

 

ଥଙ୍ଗେଇ ଥଙ୍ଗେଇ ସେ କହିଲେ, ନା, ବାଧା ଦେଇ ପାରିବି ନାହିଁ । କିନ୍ତୁ ସରସୀ, ଏଡ଼ିକି ନିଷ୍ଠୁର ତମେ ! ତମକୁ ନ ଦେଖି ଦିନଟାଏବି ରହି ପାରିବି ନାହିଁ ।

 

ତମକୁ ଆସିବାକୁ ମୁଁ ବାରଣ କରୁ ନାହିଁ । ତମେ ଆସିବ, ନିତି ଆସିବ । ମୁଁ ତମକୁ ଦେଖି ଖୁସି ହେବି । ତମେ ମୋତେ ଦେଖି ଖୁସି ହେବ; କିନ୍ତୁ ମନର ଧାରଣା ବଦଳାଇବାକୁ ହେବ-। ତମେ ମୋତେ ତମର ସାନ ଭଉଣୀଟି ପରି ଭଲ ପାଇବ । ଆଉ ମୁଁ ଠିକ୍‌ ମୋର ବଡ଼ ଭାଇ ପରି ତମକୁ ମାନ୍ୟ କରିବି, ଭଲ ପାଇବି । ପାରିବ ନାହିଁ ?

 

ତାଙ୍କର ହାତ ଧରି ଆକୁଳ ହୋଇ ମୁହଁକୁ ଚାହିଁଲି । ଆଖି ଲୁହରେ ଭରିଗଲା । କି ଉଦାର ତାଙ୍କର ମନ ଭଉଣୀ, ମୋରି ମୁଣ୍ଡରେ ମୁଣ୍ଡ ଲଗାଇ କହିଲେ, ପାରିବି ସରସୀ, ନିଶ୍ଚୟ ପାରିବି ।

 

ଆଉ କହି ପାରିଲେ ନାହିଁ ।

 

ମନ ଭିତରେ ସେତେବେଳେ ଯେଉଁ କୋହ ଉଠିଥିଲା ଭାଷାରେ ମୁଁ ପ୍ରକାଶ କରି ପାରୁ ନାହିଁ । କାନ୍ଦି କାନ୍ଦି କହି ପକାଇଲି, ନିଶ୍ଚୟ ପାରିବି ! ଯାହା ସବୁ ଘଟି ଯାଇଛି ସେଥିକି ଦୁଃଖ କରିବାର କିଛି କାରଣ ନାହିଁ । ଦୋଷ କାହାର ? ବେଳେବେଳେ ଏହି ପ୍ରଶ୍ନ ମୋର ମନରେ ଉଠେ-। ସତ କହୁଛି, ଠିକ୍‌ କରି ପାରେ ନାହିଁ ! ହୁଏତ ଦୋଷୀ ଦୁହେଁ କି କେହି ନୁହେଁ । ଉତ୍ତେଜନା, ମୋହ, ମିଳନର ଇଚ୍ଛା ଦୁଇଆଡ଼ୁ ସମାନ ନ ହୋଇଥିଲେ... । ଯାଉ, ଆଜି ସେ ସବୁ ଆମ ମନରୁ ପାସୋରି ଯାଉ ।

 

କେଜାଣି କିପରି ତାଙ୍କରି କୋଳରେ ମୁହଁ ଲୁଚାଇ ମୁଁ କାନ୍ଦି ଉଠିଲି । କାଳେ ଅପା କି ସାବ ମୋର କାନ୍ଦଣା ଶୁଣି ଉଠି ଆସିବେ, ଏହି ଡରରେ ତାଙ୍କ ଜଙ୍ଘ ଉପରେ ମୁହଁ ମାଡ଼ି କୋହକୁ ଅଟକାଇବାକୁ ଚେଷ୍ଟା କଲି । ସେ ଦୁଇ ହାତରେ ମୋ ମୁଣ୍ଡକୁ ଟେକି ଧରିଲେ । ଦେଖିଲି ତାଙ୍କ ଆଖିରୁ ମଧ୍ୟ ଲୁହ ଝରି ପଡ଼ୁଛି । ମୋ ମୁହଁରୁ ଲୁହ ପୋଛି ଭଙ୍ଗା କଣ୍ଠରେ ସେ କହିଲେ, ସରସୀ, ମୋତେ କ୍ଷମା କର, ଜାଣେ ସବୁ ଦୋଷ ମୋର । ତମେ ନିର୍ଦ୍ଦୋଷ ।

 

ନା, ନା, ଦୋଷ ତମର ନୁହେଁ, ଦୋଷ ମୋର । ତମେ ମୋତେ କ୍ଷମା କର ।

 

କିଛି ନ କହି ସେ ମୋର ମୁଣ୍ଡଟିକୁ ଛାତି ଉପରକୁ ଆଉଜାଇ ନେଲେ ଆଲିଙ୍ଗନ କରି କହିଲେ, ଠାକୁରେ ସାହା ହୁଅନ୍ତୁ ଆମକୁ ସରସୀ !

 

ଭୁକ୍ତଭୋଗୀ ବିନା କିଏ ବୁଝିବ ଭଉଣୀ, ଯେଉଁ ଶାନ୍ତିରେ ଯେଉଁ ଆନନ୍ଦରେ କେଇଟି ଦିନ ମୋର କଟିଗଲା । ମନରୁ ଜମାଟବନ୍ଧା ଦୁଃଖ ନୈରାଶ୍ୟର ବୋଝ ଖସିପଡ଼ିଲା । ଜୀବନ ମୋତେ ନୂଆ ନୂଆ ଲାଗିଲା । ଭାବିଲି, ଦୁଃଖର ଦିନ ମୋର ସରି ଆସିଲା, ଏଣିକି ପବିତ୍ର ଭାବରେ, ଆନନ୍ଦରେ ଜୀବନ କାଟିବି । ସ୍ୱାମୀ ମୋର ବିପଥରେ ଯାଇଛନ୍ତି, କିନ୍ତୁ ବିପଥରୁ, ନରକ ବାଟରୁ ଫେରାଇ ଆଣିବା କଷ୍ଟ ହେଲେବି ଦୁଃସାଧ୍ୟ ହେବ ନାହିଁ । ପ୍ରାଣପଣେ ଚେଷ୍ଟା କରିବାକୁ ମୁଁ ଦୃଢ଼ସଂକଳ୍ପ । ମୋର ଉଦ୍ଦେଶ୍ୟ ସାଧନାରେ ଘନ ମୋତେ ସାହାଯ୍ୟ କରିବେ । ଗାଁସାରା ଯେଉଁ କଳଙ୍କର ନିଆଁ ଜଳି ଉଠିଛି, ଆପେ ନିଭି ଯିବ ।

 

ଘନ ୟାଙ୍କ ଘରକୁ ଦୁଇଦିନ ଯାଏଁ ଆସି ନଥିଲେ । ଯେଉଁ ଦିନ ଆସିଲେ ଲାଜରେ ମୁଁ ତାଙ୍କ ମୁହଁକୁ ଚାହିଁ ପାରିଲି ନାହିଁ । ସେ ବି ମୋ ପାଖକୁ ନ ଆସି ଅପା ଆଉ ସାବଙ୍କ ସଙ୍ଗେ କଥାଭାଷା ହୋଇ ଚାଲିଗଲେ । ଧୀରେ ଧୀରେ ସଂକୋଚ ପୁଣି ଉଭେଇଗଲା । ସେ ଆସି ମୋ ସଙ୍ଗେ କଥାଭାଷା ହେଲାବେଳେ ଭାରି ସତର୍କତାରେ କଥାଭାଷା ହୁଅନ୍ତି । ମୁଁ ବି ସାବଧାନରେ ଥାଏ । ସତ କହୁଛି ଭଉଣୀ, ତୁଣ୍ଡର କେଇପଦ କଥାରେ ଯେ ଏତେ ଦିନର ଆକର୍ଷଣଟା ଉଭେଇ ଯିବ ଏପରି ଭାବିବା ଭୁଲ । ମନରେ ବିକାର ଆସେ । ଉତ୍ତେଜନାରେ ସଂସାର ଶୂନ୍ୟ ଦେଖାଯାଏ, କିନ୍ତୁ ଉଭୟେ ଉଭୟଙ୍କୁ ଜଗି ରହିଥାଉ । ସେ ଦିନର ଘଟଣା, ସେଦିନର ପ୍ରତିଜ୍ଞା ମନେ ପଡ଼ିଲେ ମୁଣ୍ଡ ତଳକୁ ହୁଏ ।

 

ଦିନକର ଘଟଣା ।

 

ଗପ କରୁ କରୁ ରାତିହେଲା । ଗେଲରେ ସେ ମୋତେ ଗୋଟାଏ ଚାପୁଡ଼ା ମାରିଲେ । ସ୍ନେହରେ ମୋର ହାତ ପାପୁଲି ଆଉଁସିବାକୁ ଲାଗିଲେ । ରକ୍ତରେ ମୋର ନିଆଁ ଲାଗିଥିଲା କେତେବେଳୁ । ଭାବୁଥିଲି, ସଂସାରରେ ଜୀବନ ସତ୍ୟ, ଯୌବନ ସତ୍ୟ, ଉପଭୋଗ ମହାସତ୍ୟ । ଆଉ ସବୁ ମିଛ, ଜାଲ୍ । ପ୍ରତିଜ୍ଞା ଗୋଟାଏ କ’ଣ ? ପ୍ରତିଜ୍ଞା ମଣିଷ କରେ, ପୁଣି ଏହି ମଣିଷ ଭାଙ୍ଗେ । ଯେତେବେଳେ ଯେପରି ଲୋଡ଼ା । ଥରଟିଏ ଆଲିଙ୍ଗନ, ଥରଟିଏ ଚୁମ୍ବନପାଇଁ ମୋର ତୃଷିତ ଆତ୍ମା ଅଧୀର ହୋଇ ଉଠିଲା । ଧୀରେ ଧୀରେ ତାଙ୍କର ପାଖକୁ ଘୁଞ୍ଚିଗଲି । ଦେହରୁ ଲୁଗାପଟା ଖସି ଗଲାଣି ସେଣିକି ନିଘା ନାହିଁ । ଭାବିଲି, କେଡ଼େ ନିଷ୍ଠୁର ତମେ ଘନ, ପ୍ରାଣର କରୁଣ ଭାଷା ବୁଝି ମଧ୍ୟ ବୁଝୁ ନାହିଁ । ଆଉ ଧୈର୍ଯ୍ୟ ଧରି ପାରିଲି ନାହିଁ । କେଜାଣି କିପରି ତାଙ୍କରି ଦେହ ଉପରକୁ ଆଉଜି ପଡ଼ିଲି ।

 

ଜାଣେନା, ସେଦିନ ସେ ମୋ ଉପରେ ପ୍ରତିଶୋଧ ନେଲେ କି କ’ଣ, ଦୁଇ ହାତରେ ମୋତେ ଦୂରକୁ ଘୁଞ୍ଚାଇ ଦେଲେ । ମୋର ଅର୍ଦ୍ଧାବୃତ ଦେହକୁ ଆବୃତ କରି ମୋର ମୁହଁ ଟେକି କହିଲେ, ପରୀକ୍ଷା କରୁଛି ସରସୀ ? ଯେତେ ଦୁର୍ବଳ ମନ ହେଲେବି ମୁଁ ମଣିଷ, ତମର ଉଦ୍ଦେଶ୍ୟରେ ବାଧା ଦେବି ନାହିଁ ।

 

ଲାଜରେ ମୁଁ ଉଠି ଆସିଲି ତାଙ୍କ ପାଖରୁ । ହାତରେ ମୁହଁ ଲୁଚାଇ କାନ୍ଥ ଆଡ଼କୁ ମୁହଁ କରି ଠିଆ ହେଲି ।

 

ସେହି ଦିନରୁ ପରସ୍ପର ପରସ୍ପରଙ୍କୁ ଜଗି ରହିଥାଉ । ମୋ କଥା ମୁଁ କହୁଛି, ତାଙ୍କୁ ମୁଁ ଭୟ କରେ ଯେତିକି, ଭକ୍ତି କରେ ତା’ଠାରୁ ବେଶି । ତାଙ୍କର ମହତ୍ତ୍ୱପାଇଁ ତାଙ୍କୁ ଦେଖିଲେ କେଜାଣି କିପରି ମୁଣ୍ଡ ନଇଁ ଆସେ । ବେଳେବେଳେ ଭାବେ, ଅତୀତର ଭୁଲପାଇଁ ଦାୟୀ ସେ ନୁହନ୍ତି, ଦାୟୀ ମୁଁ । ସେ ତ ଅବିବାହିତ, ଚଞ୍ଚଳ ପ୍ରକୃତିର, ଉତ୍ତେଜିତ ପ୍ରବୃତ୍ତିର ଯୁବକ, ଆକର୍ଷଣରେ ପଡ଼ିବା ଅତି ସହଜ । ମୁଁ କୁଳବଧୂ । ସର୍ବପ୍ରଥମେ ଥଟ୍ଟା ଆରମ୍ଭ କରିଥିଲି । ପରର ସ୍ତ୍ରୀ ହୋଇ ମଧ୍ୟ ନିଜକୁ ସଂଯତ ନ ରଖି ତାଙ୍କୁ ପାଖେଇ ଆସିବାକୁ ପ୍ରଶ୍ରୟ ଦେଇଥିଲି, ସୁବିଧା ଦେଇଥିଲି । ତେବେ ଦାୟୀ କିଏ ? ଦୋଷୀ କିଏ ? ଛାଡ଼ ସେ କଥା ।

 

ମୋର ଅନୁରୋଧରେ ଘନ ତାଙ୍କ ପାଖକୁ ତିନି ଚାରି ଦିନ ଅନ୍ତରରେ ବରାବର ଯାଆନ୍ତି । ଚାକିରି ଛାଡ଼ି ଘରକୁ ଆସିବାକୁ ଅନୁରୋଧ କରନ୍ତି । ସେ ବାରପ୍ରକାର ଛଳନା ଦେଖାଇ ଆସନ୍ତି ନାହିଁ । ଅଦେଖା ଶକ୍ତି ଯେ ପଛରେ ଥାଇ ହସୁଛି ମଣିଷର ନିର୍ବୋଧତା ଦେଖି, ସେ କଥାତ ମଣିଷ ଜାଣିପାରେ ନାହିଁ ।

 

ଯେଉଁ ଦିନ ଅପା ବୃନ୍ଦାବତୀ ଚଉରା ପାଖେ ମୁଣ୍ଡ ଲଗାଇ ପ୍ରାର୍ଥନା କରୁଥିଲେ, ମା’ଗୋ, ତା’ କୋଳରେ ପୁଅଟିଏ ଦିଅ, ଶୁଣି, ମୁଁ ଚମକି ଉଠିଲି ଭଉଣୀ । ମନ ପାପ ଛୁଇଁଲା । ସେ କ’ଣ ସନ୍ଦେହ କରିବେ ? ଯେ ନିର୍ମଳ ନୁହେଁ, ତା’ର ମନରେ ଶାନ୍ତି ଆସିବ କେଉଁଠି ? ଦିନୁଦିନ ମୋର ମନର ଦୁଃଖ ବଳେଇ ପଡ଼ିଲା । ଯାହାକୁ ଦେଖନ୍ତି, ମନ ଖୁସିରେ ଅପା ଗପନ୍ତି, ବୋହୂର କ’ଣ ହେବବା ।

 

ଦିନ କେଇଟାରେ ଗାଁସାରା ସମସ୍ତେ ଜାଣିଲେ । ଫଳରେ ଦୁର୍ନାମ ଜୀବନ୍ତ ହୋଇ ଉଠିଲା । ବୃନ୍ଦାବନ ମାସେ ଦି’ ମାସରେ ଥରେ କେବେ ଘରକୁ ଆସିଲେ ବାହାରେ ବାହାରେ ଯାଆନ୍ତି, ଏ କିପରି କଥା ? ଘନ ଯାଇ ସବୁବେଳେ ସେଇଠି ପଶିଥାଏ ।

 

ଲୋକଙ୍କ ମୁହଁରେ କିଏ ବାଡ଼ବତା ଦେବ ? ଅପାଙ୍କ କାନରେ ପଡ଼ିଲେ ସେ ଓଲଟି ପାଞ୍ଚପଦ ବତେଇ ଦେଇ ଆସନ୍ତି ସିନା, ତାଙ୍କ ମନର ସରାଗ ଭାଙ୍ଗିଯାଏ । ବୁଝିପାରେ, ସେ ବି ଯେପରି କେମିତି ସନ୍ଦେହ କରନ୍ତି ।

 

ରକ୍ତମାଂସର ଦେହ ଲୋକନିନ୍ଦା କେତେଦିନ ସହି ପାରିବି ? ପଦାକୁ କେଉଁଠିକି ଯିବା ତ ଦୂରର କଥା, ଝରକା ଖୋଲି ବାହାରକୁ ଚାହିଁବାକୁ ଲାଜମାଡ଼େ, କାଳେ କିଏ ଦେଖିଲେ ହସି ଦେବ । ଲୋକ ପଠାଇ ହତାଶ ହୋଇ ରହିଲିଣି । ସେ ଆସୁ ନାହାନ୍ତି । ସେ ଥରେ ଆସିଲେ ଦେଖନ୍ତି, ଗାଁ ଲୋକଙ୍କ କଥା ଶୁଣି ତାଙ୍କର ମନର ଧାରଣା କ’ଣ ? ତେଣିକି ଯାହା ବୁଦ୍ଧି ଦିଶନ୍ତା କରନ୍ତି । ସେ ଯଦି ସନ୍ଦେହ କରିବେ, ମୋର ଜୀବନ ଧରି ରହିବା ଅକାରଣ ।

 

ଘନ ଯାଇଥିଲେ । ଘରକୁ ଆସିବାକୁ ତାଙ୍କୁ ଅନୁରୋଧ କଲେ । ସେ ମଙ୍ଗିଲେ ନାହିଁ । ତୁଣ୍ଡବାଇଦ ସହସ୍ର କୋଶ ପରା । ମୋର ଦୁର୍ନାମ ତାଙ୍କ କାନକୁ ଗଲାଣି । ଏପରି ଗୋଟାଏ ଦୁର୍ନାମକୁ ବିଶ୍ୱାସ କରିବାର କୌଣସି କାରଣ ତାଙ୍କ ପକ୍ଷରେ ନାହିଁ, ତଥାପି ସେ ଘରକୁ ଆସୁ ନାହାନ୍ତି, କ’ଣ ଭାବି କେଜାଣି । ଅନେକ ଭାବି ଦେଖିଛି ଭଉଣୀ, ମରିବା ଛଡ଼ା ମୋର ଅନ୍ୟ ଗତି ନାହିଁ ।

 

ଶଶୀ କହିଲା, ଅପାତ୍ରରେ ତୁ ତୋର ଦୁଃଖ କହିନୁ ସରସୀ, ଭିଖାରୁଣୀ ହେଲେ ମଧ୍ୟ ବୃନ୍ଦାବନ ମୋର ଆଦେଶରୁ ବାହାରି ଯିବ ନାହିଁ । ଯେଉଁ ବୃନ୍ଦାବନର ଥରଟିଏ ସାମାନ୍ୟ ଭୁଲ୍‌ପାଇଁ କୁଳବୋହୂ ହୋଇ ଆଜି ମୁଁ ଦାଣ୍ଡର ଭିକାରୁଣୀ, ଯେ ଥରଟିଏ ଭୁଲ ପାଇ ଅନୁତାପ କରିବାକୁ ଯାଇ ନିଜେ ଆଜି ନରକରେ ପଶିଛନ୍ତି । ସେ ଆଜି ମୋର କଥାରୁ ବାହାରିଯାଇ ପାରିବେ ନାହିଁ । ତୁ ନିଶ୍ଚିନ୍ତ ରହ ।

 

ସରସୀ ବିସ୍ମୟରେ ହୋଇ ରହିଲା । ତୁଣ୍ଡରୁ କଥା ବାହାରିଲା ନାହିଁ ।

 

(୯)

 

ବୃନ୍ଦାବନଙ୍କ ବାହାର ପିଣ୍ଡାରେ କାନି ପାରି ଶୋଇଛି ଶଶୀ । ମୁଣ୍ଡ ତଳେ ପୁଡ଼ା । କୋଳରେ ବୁଲା । କେତେବେଳୁ ରାତି ପାହି ଚାରିଆଡ଼େ ଖରା ବିଞ୍ଚି ହୋଇ ପଡ଼ିଲାଣି ।

 

କିଏ ଜଣେ ଡାକି ଉଠାଇଲା, କିଲୋ, ତତେ ଆଉ ଜାଗା ମିଳିଲା ନାହିଁକି, ବାଟ ବନ୍ଦ କରି ଶୋଇଛୁ ? ଏତିକି କହି ସାଆନ୍ତାଣୀ ସାଆନ୍ତାଣୀ ବୋଲି ଡାକ ଛାଡ଼ିଲା । ଶଶୀ କବାଟ ପାଖରୁ କଡ଼େଇଗଲା ।

 

କେତେବେଳେକେ କବାଟ ଖୋଲିଲେ ଅପା । କହିଲେ, କିରେ, ବୃନ୍ଦାବନ କାହିଁ ? ଆଚ୍ଛା ଲୋକତ ତୁ । ଅନେଇଁ ଅନେଇଁ କାଲି ରାତି ଦିଘଡ଼ି ହେଲା । ଖାଇ ପିଇ ହାଣ୍ଡି ପଖାଳି ଶେଷକୁ ଶୋଇଲୁରେ ବାପ, ତୋର ଦେଖା ନାହିଁ ।

 

ବିରକ୍ତ ହୋଇ ବେହେରା କହିଲା, ମୁଁ କ’ଣ କାଖ କରି ଆଣନ୍ତିକି ତମ ପୁଅକୁ ? ତାଙ୍କ କଥାତ ଠ–ଠ–ଠି । ରାତିଯାକ ତାମସା ଲାଗିଛି । ନ ଖାଇ ନ ପିଇ ଠା–କରେ ବସି ସବୁ ଦେଖି ଶୁଣି ଆସିଲି ।

 

ଆରେ, ତୁ କ’ଣ ତାମସା ଦେଖିବାକୁ ଯାଇଥିଲୁ ?

 

ସାବ, ସରସୀ ଦୁହେଁ ଆସି ପାଖରେ ଠିଆହେଲେ । ସରସୀକୁ ଲକ୍ଷ୍ୟ କରି ଅପା ପଚାରିଲେ, ମା’, ଦେହ କିମିତି ?

 

ସରସୀ ଉତ୍ତର ଦେଲା, ଟିକିଏ ଭଲ ଅଛି ।

 

ଅପା କହିଲେ, ମୁଁ ପରା ଜାଣେ, ଗୋବିନ୍ଦ ସାହୁର ମନ୍ତୁରା ନୁଣକୁ ଓଷଦ ମଉଷଧି ସରି ନୁହେଁ ।

 

ସରସୀ କହିଲେ, ନାଇଁ ଅପା, ଗୋବିନ୍ଦ ସାହୁର ମନ୍ତୁରା ନୁଣରେ କିଛି ଉପକାର ହେଲାନାହିଁ । ତମେ ସବୁ ଶୋଇଲା ପରେ କାଲି ରାତିଅଧରେ ଅନହୁତି କୁଆଡ଼ୁ ଆସି ଏଇ ଭିକାରୁଣୀ ମତେ କ’ଣ ଟିକେ ଖାଇବାକୁ ଦେଲା । ସେଇଥିରେ ତ ସବୁ ଭଲ ହୋଇଗଲା ।

 

ସମସ୍ତେ ଶଶୀ ଆଡ଼କୁ ଚାହିଁଲେ । ଶଶୀ ମୁହଁ ଖୋଲିଲା, ମା’ଗୋ, ମୋର ଏଇ ଖଣ୍ଡିଆ ପୁଡ଼ାରେ ଜଡ଼ିବୁଟି, ଟୁଣୁଟୁଣୁକା କିମିଆ କାଠି ରହିଛି । ଅସାଧ୍ୟ ରୋଗକୁ ଘଡ଼ିକରେ ସାଧ୍ୟ କରେ, ଅବାଗିଆ ଲୋକକୁ ନିହିମାକେ ବାଗକୁ ଆଣେ । ମୋତେ ଲୋକେ ଡାହାଣୀ ପେତିନୀ କହନ୍ତି । କହନ୍ତୁ । ଯେ ଦୁଃଖ କହେ ମୁଁ ତା’ର ଭଲ କରେ । ମୋ ସଙ୍ଗେ ଯିଏ ଲଗାଏଲୋ ମା’, ମୁଁ ତାକୁ ଛାଡ଼େ ନାହିଁ ।

 

ଭୟରେ ସାବ ସରସୀର ପଛକୁ ଘୁଞ୍ଚିଗଲା । ବେହେରା ତରଙ୍ଗ ତରଙ୍ଗ ହୋଇ କହିଲା, ମୋର ଭାରି ଜରୁରି କାମ ଅଛି, ମୁଁ ଯିବି । ତମେ ଶୁଣିବଟି–ବୃନ୍ଦାବନବାବୁଙ୍କୁ ପିଆଦା ପଠାଣ ବାନ୍ଧି ରଖିଛନ୍ତି । କାଲି ଦିପହରେ ତାଙ୍କୁ କୁଆଡ଼େ ଟାଙ୍କେ ଛେଚିଚନ୍ତି । ତାଙ୍କ ସଙ୍ଗେ ମୋର ମୋଟେ ଦେଖା ହେଲା ନାହିଁ । ତାଙ୍କୁ କୁଆଡ଼େ ଗୋଟାଏ ଘରେ ବନ୍ଦ କରି ରଖିଛନ୍ତି ।

 

ଅପା ସେହି କାନ୍ଥରେ ମୁଣ୍ଡ ପିଟି ଦେଲେ । ଆଖିରୁ ଲୁହ ଝରି ଆସିଲା । ସାବ କାନ୍ଦଣା ଆରମ୍ଭ କରିଦେଲା । ମୁହଁ ଶୁଖାଇ ସରସୀ କାନ୍ଥ ଉପରକୁ ଢଳି ପଡ଼ିଲେ । ଆଖି ଛଳଛଳ ହେଲା । କିନ୍ତୁ ତୁଣ୍ଡରୁ କଥା ବାହାରିଲା ନାହିଁ । ଉଦ୍‌ଗତ ବେଦନାକୁ ଚାପି ରଖି ଅପା ପଚାରିଲେ, କାହିଁକିରେ, ଏସବୁ କାଣ୍ଡ କାହିଁକି ହେଲା ବୁଝି ଆସିଲୁ ନାହିଁ ।

 

କାହାଠୁ କ’ଣ ବୁଝିବି ସାଆନ୍ତାଣୀ, ପଚାରିଲେ କ’ଣ କେହି କିଛି କହୁଛି ?

 

ଶଶୀ ପଚାରିଲା, ବୃନ୍ଦାବନଙ୍କ ସଙ୍ଗେ ତୋର ଦେଖା ହେଲା ନାହିଁ ?

 

କଡ଼େଇ ଚାହିଁ ବେହେରା ରହି ରହି କହିଲା, ଦେଖା ହୋଇଥିଲେ ବେଉରା ନ ନେଇ ମୁଁ ଫେରି ନଥାନ୍ତି । କୁଆଡ଼େ ପଳାଇବେ ବୋଲି ପରା ତାଙ୍କୁ ଘରଟାରେ ବନ୍ଦ କରି ରଖିଛନ୍ତି । ଟଙ୍କା କଉଡ଼ିର ହିସାବ ଯଦି ଆଜି ଦେଇ ପାରିବେତ ଭଲ, ଘରକୁ ଫେରି ଆସିବେ, ନୋହିଲେ ସଞ୍ଜବେଳକୁ ହାତକଡ଼ି ଦେଇ କଟକ ନେଇଯିବେ । ଜମିଦାରଙ୍କ ଓକିଲ ତେଣୁ କଟକରୁ କନେଷ୍ଟବଳ ନେଇ ଆସିଛନ୍ତି । ଆଉ ସେ ଯେଉଁ କୁଞ୍ଜବାବୁ–

 

ଶଶୀ କହିଲା, ଜାଣେରେ ମୁଁ ଜାଣେ, ସେହି କୁଞ୍ଜବାବୁ ତ ସବୁ ନାଟର ମୂଳ । ଖବର ଦେଇ କଟକରୁ ଫଉଜ ଅଣେଇଛନ୍ତି ।

 

ଠିକ୍‌ କଥା । ସେଇତ ଆମ ବାବୁଙ୍କଠୁ କାଗଜପତ୍ର ବୁଝି ନେଇଛନ୍ତି । ପାଶଁ ଟଙ୍କା ତହବିଲ ଊଣା । କୁଞ୍ଜବାବୁ କହୁଥିଲେ, ଜମିଦାରଙ୍କ ଧର୍ମର ଟଙ୍କା, ବୁଡ଼ିବ ନାହିଁ, ଘରଦ୍ୱାର କୋରଖ କରି ନିଲାମ କରି ଟଙ୍କା ଆଦାୟ କରିବେ, ବାବୁଙ୍କୁ କୁଆଡ଼େ ଜେଲରେ ଦେବେ ।

 

ଅପା ପଚାରିଲେ, ଆଗତୁରା ଯଦି ଟଙ୍କା ଦାଖଲ କରାଯାଏ ?

 

ଦୟା ପାଇ ଓକିଲବାବୁ ହୁଏତ ତାଙ୍କୁ ଛାଡ଼ିଦେବେ । କୁଞ୍ଜବାବୁ ବିପକ୍ଷରେ କି ନା, ଦେଖିଲି, ଗାଁଯାକର ଲୋକ କଚିରି ପିଣ୍ଡାରେ ରୁଣ୍ଡ । କାହା ମୁହଁରୁ ପଦେ ଭଲ କଥା ଶୁଣିବ ନାହିଁ ।

 

ସମସ୍ତେ ବେହେରାର କଥା ଶୁଣୁଥାନ୍ତି । ଶଶୀ କହିଲା, ତୁ ଗୋଟାଏ କାମ କର । ଘନବାବୁଙ୍କୁ ଟିକେ ଡାକି ଦେଇ ଯିବୁ । କହିବୁ, ତମ ନୂଆବୋହୂ ଡକାଇଛନ୍ତି ।

 

ଏତେ ଦୁଃଖ, ଏତେ ଭାବନା ଭିତରେ ମଧ୍ୟ ସରସୀ ଆକୁଳ ହୋଇ ଚାହିଁଲା ତା’ ମୁହଁକୁ-। ଉତ୍ତେଜନାରେ ମଣିଷ ଅନ୍ୟଆଗରେ ଜୀବନର ଯେଉଁ ଗୋପନ ରହସ୍ୟ ଖୋଲିଦିଏ ସେଇଥିପାଇଁ ତାକୁ ଆଜୀବନ ଅନୁତାପ କରିବାକୁ ପଡ଼େ । ଅନୁତାପ ଆରମ୍ଭ ହୁଏ ଠିକ୍‌ ପରମୁହୂର୍ତ୍ତରୁ ।

 

ମନର ଭାବନା ବୁଝିଲା ପରି ଶଶୀ କହିଲା, ମା’ମାନେ ଗୋ, ବୃଥା କାନ୍ଦବୋବାଳି ପକେଇ ବାଡ଼େଇ ପିଟି ହେଲେ ତ ହେଲା କଥା ଫେରିବ ନାହିଁ ? ଟଙ୍କା ପାଶଁ ଜମିଦାରଙ୍କ ପାଖକୁ ପଠାଇ ଦିଅ । ଟଙ୍କା ପାଇଲେ ବୃନ୍ଦାବନଙ୍କୁ ସେମାନେ ଛାଡ଼ିଦେବେ । ତେଣିକି ସବୁ ଭଲ ହେବ ।

 

ଅପା ଆଗ୍ରହରେ ସରସୀର ମୁହଁକୁ ଚାହିଁଲେ । ଦୁଃଖରେ ସରସୀ କହିଲେ, ତମ ପୁଅତ ଦିନେ କି କାଳେ ପଇସାଟିଏ ଦେଇ ନାହାନ୍ତି, ମୁଁ ଟଙ୍କା କେଉଁଠୁଁ ପାଇବି ? ଆଖିରୁ ଲୁହ ଝରିଲା । ପୁଣି କହିଲେ, ଆସନ୍ତୁ ଘନ, ମୋର ଗହଣାଗାଣ୍ଠି ଯାହା ଅଛି କେଉଁଠି ବିକ୍ରିବଟା କରି, କି ବନ୍ଧାଛନ୍ଦା ଦେଇ ଯାହା ହେବ ଟଙ୍କା ଆଣନ୍ତୁ ।

 

ଅପା କହିଲେ, ମା’ ମୋର, ପୁଅ ଭଲରେ ଘରକୁ ଫେରିଲେ କେତେ କଥା ହେବ । ଗହଣାଗାଣ୍ଠି ଏଇ ମଣିଷ କରେ । ଆ ଭିତରକୁ, ଲୋକ ଯା–ଆସ କରୁଛନ୍ତି ।

 

ଶଶୀ ସେହିଠାରେ ବସି ଭାବିବାକୁ ଲାଗିଲା । ପରିବର୍ତ୍ତନ ମଣିଷ ମନରେ ଏମିତି ଆସେ । ମିଳନର ମୋହରେ ହତଜ୍ଞାନ ହୋଇ ମନୁଷ୍ୟ ଦୁର୍ବଳବେଳରେ ଝୁଣ୍ଟିପଡ଼େ । ଅନ୍ଧ ହୋଇ ଆଲୁଅ ଥାଇ ମଧ୍ୟ ଆଲୁଅକୁ ଭୁଲେ । ଯେତେବେଳେ ଛାତି ଭିତରେ ବେଦନାର ନିଆଁ କୁହୁଳି ଉଠେ, ସେ ଆଲୁଅର ସ୍ୱରୂପ ବୁଝେ । ଅନ୍ଧାର ଘୁଞ୍ଚିଯାଏ ଚିରଦିନ ପାଇଁ ।

 

ସରସୀର ଜୀବନରେ ତାହାହିଁ ଘଟିଛି । ସ୍ୱାମୀପାଇଁ ଆଜି ତା’ର ପ୍ରାଣ ଆକୁଳ ହୋଇଛି-। ଅନ୍ତର କାନ୍ଦୁଛି । ଉତ୍ତଳା ମନ ବିପଥରୁ ଫେରି ଆସିଛି । ଅନୁତାପ କରିଛି ଗତ ଜୀବନର ପାପପାଇଁ । ଆଜୀବନ ସେହି ଅନୁତାପ ମନଭିତରେ ଯନ୍ତ୍ରଣାର ନିଆଁ ଜାଳି ଦେଉଥିବ ।

 

ପଦାକୁ ଆସି ସାବ ଡାକିଲା, ଆଲୋହେ, ତତେ ନୂଆବୋହୂ ଡାକୁଛନ୍ତି ।

 

ଶଶୀ ପୁଡ଼ାଟିକୁ ବୁଲା ପାଖରେ ରଖି ଭିତରକୁ ଗଲା । ପିଣ୍ଡାରେ ସରସୀ ବସିଛି । ଅପା ମଧ୍ୟ ବସିଛନ୍ତି । ସାବ ଯାଇଁ ସେଇଠି ବସିଲା । ଶଶୀକୁ ଦେଖି ଅପା କହିଲେ, ଦୁଆରକୁ ଯା, ପିଣ୍ଡାରେ ବସୁଛି ସାଙ୍ଗସରିସା ହୋଇ ?

 

ବିରକ୍ତ ନ ହୋଇ ଶଶୀ ଦୁଆରକୁ ଓହ୍ଲାଇ ଗଲା । ଦେଖିଲା, ଅପାଙ୍କ କଥାରେ ସରସୀର ମୁହଁରେ ବେଦନାର ଦାଗ ଫୁଟିଉଠିଛି ।

 

ଆଲୋ ମା’, ଯେତେହେଲେ ସେ ପରା ବାରଦୁଆରୀ ଭିକାରୁଣୀ, ଲକ୍ଷ୍ମୀ ପିଣ୍ଡାରେ ଗୋଡ଼ ଦେଲେ ଲକ୍ଷ୍ମୀ ଛାଡ଼ି ପଳାଇବେ । ସେ ସେହି ପିଣ୍ଡାତଳେ ବସୁ ।

 

ସରସୀ କହିଲେ, ଅପା ସେ ତଳେ ବସିବ କାହିଁକି ?

 

ମୋପାଇଁ ବ୍ୟସ୍ତ ହେଉଛ ? ମାଟିର ମଣିଷ ଆମେ । ଧୂଳି ମାଟିରେ ଗଛମୂଳେ ଗଡ଼ିବାର ଲୋକ । ମୁଁ ଏଇଠି ବସୁଛି । ଶଶୀ ପିଣ୍ଡାତଳେ ବସିଲା । ସରସୀର ଦୁଇ ଆଖି ପୂର୍ଣ୍ଣ ହେଲା । ସେ ପ୍ରତିବାଦ କଲା, ମାଟି ଗୋଡ଼ିର ମଣିଷ କିଏ ନୁହେଁ ଅପା ?

 

ଶଶୀ ହାତ ଧରି କହିଲା, ଆସ, ଏଇଠି ମୋ ପାଖରେ ବସ । ଲୁହ ଝରି ପଡ଼ିଲା ଆଖିରୁ ।

 

ଅପା ଉଠି ଠିଆ ହେଲେ । କହିଲେ, ତମର ଏ କି ନୂଆ ଢଙ୍ଗ ବୋହୂ । ବିରକ୍ତ ହୋଇ ବାରିଆଡ଼କୁ ଚାଲିଗଲେ ।

 

ସେଆଡ଼କୁ ଭ୍ରୂକ୍ଷେପ ନ କରି ସରସୀ କହିଲେ, ତାଙ୍କୁ ଫେରି ପାଇବି ଭଉଣୀ ? ଏଇ ମୋର ଗହଣାଗାଣ୍ଠି । ଛୋଟ ପୁଡ଼ାଟି ଖୋଲି ଗହଣା ତଳେ ରଖିଲେ । ପଚାରିଲେ, ଏହାର ଦାମ୍‌ କ’ଣ ପାଶଁ ଟଙ୍କା ହେବ ?

 

ଶଶୀ ହସିଲା । କହିଲା, ରୁପା ଗହଣାତ, ଟଙ୍କା ଶହେ ଭିତରେ ହେବ । ହତାଶରେ ସରସୀର ମୁହଁ ମଉଳିଗଲା ।

 

ଡାକ ଛାଡ଼ିଲେ ଅପା, ସାବ ଶୁଣିଯା ତ ।

 

ସାବ ବାରିଆଡ଼କୁ ଗଲା ।

 

ସରସୀର ମନକଥା ବୁଝିବାକୁ ସାନ୍ତ୍ୱନା ଦେବା ଛଳରେ ଶଶୀ କହିଲା, ତମେ ଏଡ଼େ ଅଧୀର ହେଉଛ କାହିଁକି ? ବୃନ୍ଦାବନ ମଣିଷ ମାରି ନାହାନ୍ତି । ଲୋଭ ସମ୍ଭାଳି ନ ପାରି କୁସଙ୍ଗରେ ପଡ଼ି ଟଙ୍କା ପାଞ୍ଚଶ ଖରଚ କରି ଦେଇଛନ୍ତି । ଏଥକୁ ଯାହା ହେବାର ହେବ ।

 

କଥାଗୁଡ଼ା ସରସୀକୁ ଭଲ ଲାଗିଲା ନାହିଁ । ସେ ମୁହଁ ଶୁଖାଇ କହିଲେ, ମୋତେ ଆଉ ସେ କଥା କହ ନାହିଁ । ଜୀବନରେ ଯେତେ ଯାହା ପାପ କରିଛି ସେ ଦେଖନ୍ତୁ ବା ନ ଦେଖନ୍ତୁ, ଉପରେ ଦି’ଟା ଆଖି ସବୁ ଦେଖିଛି । ତାଙ୍କୁ ଉଦ୍ଧାରି ଆଣିବାର ଉପାୟ କ’ଣ କୁହ ? ଆଗ୍ରହାକୁଳ ଆଖି ଦିଓଟି ପୁଣି ଭରିଗଲା ଲୁହରେ ।

 

ଶଶୀ କହିଲା, ଘନହିଁ ଏକମାତ୍ର ଉପାୟ । ତାଙ୍କୁ କହିଲେ ସେ ହୁଏତ କେଉଁଠି ଟଙ୍କା ଯୋଗାଡ଼ କରି ପାରିବେ । ସେଥିପାଇଁ ମୁଁ ତାଙ୍କୁ ଆସିବାକୁ ଖବର ଦେଇଛି ।

 

ସରସୀ ଭାବିବାକୁ ଲାଗିଲେ, ପୁଣି ସେହି ଘନ ! ତାଙ୍କରି କରୁଣା ଭିକ୍ଷା ! ଅସମ୍ଭବ । ମଣିଷ ମନ କେଡ଼େ ଦୁର୍ବଳ ! ନିଜ ଉପରେ ନିଜର ଆସ୍ଥା ରହେ ନାହିଁ । ଦୁର୍ବଳବେଳରେ ନିଜକୁ, ସମଗ୍ର ସଂସାରକୁ ମଧ୍ୟ ସେ ଭୁଲିଯାଏ ।

 

ସରସୀ କହିଲେ, ନା, ନା, ସେ କଥା ମୋତେ କହନା । ଘନଙ୍କ ପାଖେ ମୁଣ୍ଡ ନୁଆଁଇ ମୁଁ ଭିକ ମାଗି ପାରିବି ନାହିଁ ।

 

ଧୀରସ୍ଥିର ହୋଇ ଶଶୀ କହିଲା, କାହାପାଇଁ, ସ୍ୱାମୀପାଇଁ ତ ?

 

କୁଣ୍ଠିତ ହୋଇ ସରସୀ କହିଲେ, ଯେଉଁ ସ୍ୱାମୀପାଇଁ, ସେ ସ୍ୱାମୀର ମୁଁ ହୋଇ ପାରିବି ନାହିଁ ତାହାହେଲେ । ଟିକିଏ ରହି ପୁଣି କହିଲେ, ସତ ମିଛ ନ ବୁଝି ଲୋକେ ନିନ୍ଦା ରଟାନ୍ତି । ନିନ୍ଦାକୁ ଡରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲି, ପାରିଲି ନାହିଁ । ମାରିବା ଠାକୁରଙ୍କର ଉଦ୍ଦେଶ୍ୟ ନୁହେଁ-। ବଞ୍ଚିବି, ସେ ଜେଲ ଯାଉନ୍ତୁ, ତଥାପି ମୁଁ ବଞ୍ଚିବି, ସୁଖପାଇଁ ନୁହେଁ ଅନୁତାପ କରିବାକୁ ।

 

ଶଶୀ ଭାବିବାକୁ ଲାଗିଲା, ମଣିଷ ହତାଶ ହେଲେ ଏହିପରି ହୁଏ । ସବୁ କରିବାକୁ ଇଚ୍ଛା କରେ, କିଛି କରିପାରେ ନାହିଁ । ମରିବାକୁ ବସେ, ମରେ ନାହିଁ, ବଞ୍ଚେ ।

 

ସୁଦୂର ଅତୀତର କଥା । ଶଶୀ ବେଶ୍ୟାଘରେ ଥାଏ । ମାସ କେଇଟା ପରେ ଯେଉଁଦିନ ତା’ର ଗର୍ଭବେଦନା ହେଲା, ସେ ହତଜ୍ଞାନ ହୋଇ ପଡ଼ିଲା । ଜ୍ଞାନ ଫେରିଲା, ଆଖି ଖୋଲି ଚାହିଁଲା, ପାଖରେ ପିଲା ନାହିଁ । ଯେ ତାକୁ ଆଶ୍ରୟ ଦେଇଥିଲା, ସେ ମଧ୍ୟ ନାହିଁ । କିଏ ଜଣେ ପାଖରେ ବସିଛି, କହିଲା, ମଲା ପିଲାଟାକୁ ନେଇ ଗଲେଣି ।

 

ଅତି ଦୁଃଖରେ ସେ ଆଖି ବୁଜିଲା । ଆହା, ସେଇ ମଲା ପିଲାଟାର କଥା ଭାବି କେତେଥର ସେ ନୀରବରେ ଆଖିରୁ ଲୁହ ଝରାଇଛି । ଆହା, ଯଦି ସେ ବଞ୍ଚିଥାନ୍ତା !

 

ମନର ସବୁ ସ୍ମୃତି ଉପରେ ଥରକୁଥର ପଟୁ ପକାଇ ସମୟର ଗୋଳିଆ ସୁଅ ଚାଲିଲା । ଭାବିଲା ଶେଷକୁ, ସେ ସ୍ୱାଧୀନ । ପରର ସ୍ତ୍ରୀ ନୁହେଁ କି ପ୍ରେମ କାଙ୍ଗାଳୁଣୀ ନୁହେଁ । ଗୋପନରେ ପରପୁଅ ସଙ୍ଗେ ପ୍ରେମ କରିବାର ସ୍ପୃହା ନାହିଁ । ଦାଣ୍ଡର ବେଶ୍ୟା ସେ ପ୍ରେମ କ’ଣ ଜାଣେ ନାହିଁ । ରୂପର ପସରା ମେଲି ବସିଛି, ମୋହ, ଉତ୍ତେଜନାର ଫାନ୍ଦ ପାତି ବସିଛି । ବେଉସା–ପଇସା । ଦୁଃଖର ନିଆଁ ଜଳୁଛି ଛାତି ଭିତରେ, ତଥାପି ଯୌବନକୁ ସତେଜ ରଖିବାକୁ ହେବ । ଯୌବନ ନଇଁଛି, ତଥାପି ରଙ୍ଗିଲା ଓଠରେ ହସ ଫୁଟାଇବାକୁ ହେବ । ଛାତି ଭିତରେ ଦ୍ୱନ୍ଦ୍ୱ ଜାଗିଥିଲା ସେତିକିବେଳେ । ପ୍ରଚୁର ଧନ, ଅମାପ ପ୍ରତିପତ୍ତି, ହେବ କ’ଣ ? ଭୋଗ କରିବ କିଏ ? ଜୀବନକୁ ତ ଉପଭୋଗ କରି ପାରୁନାହିଁ, ଜୀବନର ସରସତା ଲୋପ ପାଇଛି । ତା’ର ରୂପର ନିଆଁରେ ଝାସ ଦେବାକୁ ବିହ୍ୱଳ ହୋଇ ଯେଉଁମାନେ ଧାଇଁ ଆସନ୍ତି, ଗୋଡ଼ତଳେ ଧନ, ମାନ ଉତ୍ସର୍ଗ କରି ପ୍ରେମ ଭିକ୍ଷା କରନ୍ତି, ବିନିମୟରେ ସେ ଦିଏ କ’ଣ–ଜାଲ୍‌ ହସ, ଅଭ୍ୟାସଗତ କଟାକ୍ଷ, ସରାଗହୀନ ଆଲିଙ୍ଗନ, ବିଷାକ୍ତ ଚୁମ୍ବନ, ପ୍ରାଣହୀନ ସମ୍ଭୋଗ । ସେତିକିରେ କୃତାର୍ଥ ହୋଇ ପ୍ରେମିକ ଫେରେ । ଭାଗ୍ୟକୁ ଧନ୍ୟବାଦ ଦିଏ ।

 

କିନ୍ତୁ ଶଶୀ, ଘୃଣାରେ ଅନାଏ ନିଜକୁ ନିଜେ । ଛି, କୁଳର ବୋହୂ ଆଜି ଦାଣ୍ଡର ବେଶ୍ୟା-। ମରଣ ଭଲ ।

 

ମରି ପାରିନାହିଁ, ଆଜିଯାଏ ବଞ୍ଚିଛି ।

 

(୧୦)

 

ବେହେରା ଆସି ଖବର ଦେଲା, ଘନବାବୁ ଘରେ ନାହାନ୍ତି । ସରସୀ ମୁହଁ ପୋତି କହିଲେ, ହେଉ, ତୁ ଯା ଏବେ ।

 

ଶଶୀର ଚିନ୍ତା ଭାଙ୍ଗିଲା । ସେ କହିଲା, ରହ ବେହେରା । ବେହେରା ଠିଆ ହୋଇ ରହିଲା । ଶଶୀ କହିଲା, ଦେଖ ବାପ, ୟାଙ୍କ ଘରକୁ ତ ଏ ଗାଁ ଲୋକେ ଆଖିରେ ଦେଖିପାରନ୍ତି ନାହିଁ, ହିଂସାରେ ଜଳିପୋଡ଼ି ମରନ୍ତି । ଏକା ତୁଇ, ଠାକୁରେ ତୋର ବଡ଼ତି କରନ୍ତୁ । ଗୋଟିଏ କାମ କରିବୁ ?

 

କ’ଣ ଶୁଣେ ?

 

ତୁ ଯା ଗାଧୋଇ ଖାଇ ଆସିବୁ । ଏମାନେ ସବୁ ଯିବେ, ଖରାଏ ଖରାଏ । ତୁ ଟିକେ ତାଙ୍କ ସଙ୍ଗେ ଯିବୁ । ଘରେ ତୋର କାମ ମାରା ହେବ । ହେଉ, ଦିନେ ତ ! ୟେ କ’ଣ ଗୋଟିଏ କାମ ନୁହେଁ ? ଗାଡ଼ି ସଙ୍ଗେ ଘରର କୋଠିଆ ଯିବ । ତୁ ଯିବୁ ଖାଲି ସାହା ହେବାକୁ । ମାଇପେ ଯିବେ । ତୋ ପରି ଜଣେ ହୁସିଆର ଲୋକ ସଙ୍ଗରେ ଥିଲେ ମନରେ କେଡ଼େ ଦମ୍ଭ । ଯାହା କହିବୁ ମଜୁରି ମିଳିବ ।

 

ବେହେରା ଶଶୀ ମୁହଁକୁ ଚାହିଁଲା–ଭିଖାରୁଣୀଟା ଏପରି କ’ଣ କହୁଛି । ତା’ର କଥାରେ ବିଶ୍ୱାସ କରିବ କି ନାହିଁ ସେହି କଥା ଭାବିବାକୁ ଲାଗିଲା ।

 

ଶଶୀ କହିଲା, ଆରେ, ମୁଁ ପାଗଳ ନୁହେଁରେ, ତୋର କ’ଣ ବିଶ୍ୱାସ ହେଉନାହିଁ ? ଯା ଟିକିଏ ସହଳ ଆସିବୁ ବାପ !

 

ବେହେରା କହିଲା, ଦି’ଟା ଖାଇ ମୁଁ ଆସୁଛି । ସେ ଚାଲିଗଲା ।

 

ସରସୀ କହିଲେ, ଲୋକଟାକୁ ପୁଣି ଏଠିକି ଆସିବାକୁ କହିଲ କାହିଁକି ?

 

ଶଶୀ କହିଲା, କାଲି ପରା କହିଥିଲି, ଅପାତ୍ରରେ ତୁ ତୋର ଦୁଃଖ କହିନୁ । ଉତ୍ତେଜନାରେ ହେଉ ବା ହତାଶାରେ ହେଉ, ଯାହା ଆଗରେ ତୁ ତୋର ମନ ଖୋଲି ନିଶ୍ଚିନ୍ତରେ ସବୁ ଗୋପନ କଥା କହିଛୁ, ସେ ଅମଣିଷ ନୁହେଁ । ତୋର ଦୁଃଖ ଦୂର କରିବାକୁ ସେ ତା’ର ପ୍ରାଣପଣ ଚେଷ୍ଟା କରିବ । ପାରିବ ମଧ୍ୟ । ମଣିଷ ଭୁଲ କରେ । ଜାଣି ଜାଣି କେହି କେବେ ଭୁଲ କରେ ନାହିଁ । ଯେତେବେଳେ ସେ ତା’ରି ଭୁଲ ବୁଝିପାରେ, ଗତ ଜୀବନର କର୍ମପାଇଁ ଅନୁତାପ କରେ । ସେହି ତା’ର ଦଣ୍ଡ । ଯାହାକୁ ତୁ ଅବଜ୍ଞା କରିଥିଲୁ, ଅବହେଳା କରିଥିଲୁ, ସେ ମଧ୍ୟ ତତେ ସେହିପରି କରିଥିଲେ । ଦୁଇ ଆଡ଼ୁ ସମାନ । କିନ୍ତୁ ପରିବର୍ତ୍ତନର ବେଳ ଆସିଛି । ଦୁଇଟା ଜୀବନ ମଝିରୁ ଅନ୍ଧାରିଆ ନିଘଞ୍ଚ ପରଦା ଅପସରି ଯିବ । ଦୁଇଟା ଅତୃପ୍ତ ଜୀବନ ମିଳି ଏକାକାର ହେବ ।

 

ଏଇଠି ଗୋଟାଏ କଥା କହି ରଖେ ଆଗରୁ । ଛୋଟ ବଡ଼ ଭୁଲ ମଣିଷ ଜୀବନରେ ପ୍ରାୟ ଘଟିଥାଏ । ଅତୀତର ସେଇ ଭୁଲଗୁଡ଼ାକ ଏକାଥରେ ଭୁଲିଯିବା ଭଲ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ମୂଳକାରଣ ହେଉଚି, ନିଜର ବା ଯାହାକୁ ଘେନି ସଂସାର କରିବ ତା’ର, ଅତୀତ ଜୀବନର ଜୀର୍ଣ୍ଣ ପୃଷ୍ଠା ଲେଉଟାଇ ପଢ଼ିବାର ଚେଷ୍ଟା । ଅତୀତର ଭୁଲା ପେଟରୁ ପ୍ରକୃତ ସତ୍ୟ ସଂଗ୍ରହ କରିବା କଷ୍ଟ । ଘଟଣାର ଛାଇକୁ ଆଉଜି ଠିଆ ହେଲେ ପଡ଼ିବା ସହଜ ।

 

ହଁ, କ’ଣ କହୁ କହୁ କ’ଣ କହିଗଲି । ମୋର ଯେ ଆଉ ବେଳ ନାହିଁ । ଏଇ, ତା’ର କାନ୍ଦଣା ମୋ କାନରେ ବାଜି ଯାଉଛି । ମା’ ବୋଲି ସେ ନ ଚିହ୍ନୁ, ଗ୍ରହଣ ନ କରୁ, ମୁଁ ତ ତାକୁ ଚିହ୍ନେ-। ମୋରି ପେଟର ଛୁଆ । ସହି ପାରୁନାହିଁ । ତା’ରି ସେଇ କାନ୍ଦଣା ସ୍ୱରକୁ ଅନୁସରଣ କରି ଯିବି–ମନ ଯୁଆଡ଼େ ଟାଣିବ ।

 

ଶଶୀ ଆଖିରେ ଲୁହ ଭରିଗଲା ।

 

ଯିବା ଆଗରୁ କଥା କେଇ ପଦ ଗୁପ୍ତରେ କହି ଯିବାକୁ ଚାହେଁ । ଶୁଣିବୁ ଭଉଣୀ ? ବେହେରା ଆସିବ । ତୋତେ ଯିବାକୁ ହେବ ବୃନ୍ଦାବନ ପାଖକୁ । ଟଙ୍କାର ଭୟ ନାହିଁ । ଟଙ୍କା ଅଛି, ମିଳିବ । ବୃନ୍ଦାବନ ଫେରି ଆସିବ ଘରକୁ । ଅନ୍ଧାର ଘୁଞ୍ଚିବ, ସଂସାର ଚାଲିବ ସୁଖରେ । ଏକା ମୋରି ଦହଗଞ୍ଜିଆ ଜୀବନ ଉପରେ ଢାଙ୍କି ରହିଥିବ ଚିରଦିନ ନିବିଡ଼ ଅନ୍ଧାର । ଭଲ କଥା । ଅନ୍ଧାର ମୋର ଲୋଡ଼ା । ତା’ରି ଭିତରେ ଅଣ୍ଡାଳି ହୋଇ ଶେଷକୁ ମୁଁ ନିଜକୁ ହଜାଇ ଦେବି । ନ ଚିହ୍ନୁଁ ସେ, ନ ଚିହ୍ନନ୍ତୁ କେହି ।

 

ସରସୀ କେବଳ ଚାହିଁ ରହିଲା ତା’ ମୁହଁକୁ ।

 

ଶଶୀ ଉଠିଗଲା ପଦାକୁ । ପୁଡ଼ାକୁ ହାତରେ ଧରି ପୁଣି ଫେରି ଆସିଲା । ଆରମ୍ଭ କଲା–ସରସୀ, ପ୍ରାଣ ଖୋଲି କଥା କେଇପଦ ଗୋପନରେ କହିବି । ମୋର ବାରବୁଲା ଜୀବନରେ ଯେଉଁ ଗୁରୁଭାର ବୋହି ଅଶାନ୍ତିରେ ବେଳ କଟୁଛି, ସେତକ ଆଜି ତୋରି ମୁଣ୍ଡରେ ଲଦି ଦେଇ ଯିବି-। ତେଣିକି ହେବି ନିଶ୍ଚିନ୍ତ । ମରଣକୁ ବା ଏତେ ଡରିବି କାହିଁକି ? ଶୁଣିବୁ ନାହିଁ ମୋର କଥା ?

 

ଏତେବେଳକେ ସରସୀ ଉତ୍ତର ଦେଲେ, ଶୁଣିବି, ଆସ ଘର ଭିତରକୁ ଯିବା । ହେଇଟି, ଅପା ଓ ସାବ ଆସୁଛନ୍ତି । ସେ ଉଠି ଠିଆ ହେଲେ ।

 

ଅପା ବଡ଼ପାଟି କରି କହିଲେ, ଏତେବେଳ ଯାଏଁ ଗପ ସରିନାହିଁ ? ତମ ମନ କେମିତିଗୋ ବୋହୂ ? ପୁଅଟା ମୋର ବିପଦରେ ପଡ଼ିଛି । କ’ଣ କଲେ ସେ ଭଲରେ ଫେରି ଆସିବ ସେ କଥା ଭାବିବା ଛାଡ଼ି କୁଆଡ଼ର ଗୋଟାଏ କିଏ–

 

କହୁ କହୁ ସରସୀଙ୍କ ବିରକ୍ତିସୂଚକ ତେଜିଲା ଆଖିକୁ ଚାହିଁ ତୁନି ହୋଇଗଲେ । ନରମ ସ୍ୱରରେ ପୁଣି କହିଲେ, କହ୍ନା ଲାଗି ସିନା ଗାଈ ଗୁହାଳଗୋ ! ସେଇଥିପାଇଁ କହୁଛି, ତମେ ପଛେ ଅଇଗୁଣ ପାଅ ।

 

ସରସୀ ପ୍ରତିବାଦ କରି କହିଲେ, ଅଇଗୁଣ ପାଇବି କାହିଁକି ? ମୁଁ ତ ପିଲାଛୁଆ ନୁହେଁ ଯେ ମୋତେ ବୁଝାଇବ ?

 

ଅପା ଶାନ୍ତ ହୋଇ କହିଲେ, ଆଲୋ ମା’, ଯେତେ ବଡ଼, ଯେତେ ପାରିଲାର ହେଲେବି ମୋ ଆଖିରେ ତମେ ପିଲା । ପୁଅଟାକୁ ତେଣେ ପିଆଦା ବାନ୍ଧି ରଖିଛନ୍ତି । ବାରିଆଡ଼େ ବସି ମା’ ଝିଅ ଦୁହେଁ କାନ୍ଦି କାନ୍ଦି ଆସିଲୁ । ମନ ସ୍ଥିର ହେଉ ନାହିଁ । ଟଙ୍କା ପାଶଁ କେମିତି କେଉଁଠି ଯୋଗାଡ଼ ହେବ ।

 

ଶଶୀ କହିଲା, ହେଲାଣି ମା’ ଟଙ୍କା ପାଞ୍ଚଶ । ତମେ ନିଶ୍ଚିନ୍ତ ରହ । ସାକ୍ଷାତ ଲକ୍ଷ୍ମୀ ତମରି ବୋହୂ ।

 

ଶଶୀ ସରସୀ ସଙ୍ଗେ ଘର ଭିତରକୁ ଗଲା । ସରସୀ କବାଟ ବନ୍ଦ କଲେ । ଅଧା ଅନ୍ଧାର ଘର ଚଟାଣ ଉପରେ ବସି ସରସୀ କହିଲା, ଏଇଠି ମୋ ପାଖରେ ବସ ।

 

ଶଶୀ କହିଲା, ଜୀବନର ସବୁ କଥା କହିବାକୁ ବେଳ ନାହିଁ, ନ କହିଲେ ଶାନ୍ତିରେ ମରି ପାରିବି ନାହିଁ । ମୋର ନିନ୍ଦା, ବୃନ୍ଦାବନର ନିନ୍ଦା ଲୋକମୁଖରେ ଦିନେ ସଂସାରସାରା ରଟିଥିଲା । ଆଜିବି ଲୋକଙ୍କ ମନରେ କଥା ଲୁଚି ରହିଛି । କିନ୍ତୁ ପ୍ରକୃତ ଘଟଣା ନ ଶୁଣିଲେ ବୁଝି ପାରିବୁ ନାହିଁ-। ବୃନ୍ଦାବନ କାହିଁକି ଆଜି ପାଗଳ ? ସାକ୍ଷାତ ପାର୍ବତୀ ପରି ସୁନ୍ଦରୀ ସ୍ତ୍ରୀପାଇଁ ସେ କାହିଁକି ବେଶ୍ୟାସକ୍ତ ? କୁଳବଧୂ ମୁଁ, ଦେବତା ପରି ସ୍ୱାମୀ, ଫୁଟିଲା କଇଁଫୁଲ ପରି ସୁନ୍ଦର ଶିଶୁ ଛାଡ଼ି କାହିଁକି ଆଜି ଅସ୍ପୃଶ୍ୟା, ପତିତା ?

 

କହୁଛି ଶୁଣ–

 

ଅବସ୍ଥାର ଚାପରେ ପଡ଼ି ଶେଷକୁ ମୁଁ କଟକରେ ବାରନାରୀ ହେଲି ଭଉଣୀ । ବାରନାରୀ ହୋଇ ଯେତୋଟି ବର୍ଷ କଟିଲା ସ୍ୱପ୍ନ ପରି, ଉପଲବ୍ଧି କଲି ଜୀବନଟା ସତେ କେମିତି କ’ଣ ! ପାପର ବୋଝ ମୋର ଦିନୁ ଦିନ ବଢ଼ିବାକୁ ଲାଗିଲା । କେତେ ଅନଭିଜ୍ଞ ଯୁବକ ଛଳଛଳ ଯୌବନ, ଚଞ୍ଚଳ ମନ ପ୍ରାଣ, ମୋର ଏହି ଘୃଣିତ ଦେହର ମାଂସ ଚର୍ମର ଲୋଭରେ ସର୍ବନାଶର ଯାତ୍ରୀ ହୋଇଛନ୍ତି । କେତେ ସତୀ କୁଳବୋହୂଙ୍କର ତତଲା ଆଖି ଲୁହ ନୀରବରେ ଝରିଛି । କେତେ ସରଳା ବାଳିକାଙ୍କର କୋମଳ ଛାତି ଲମ୍ପଟ ବେଶ୍ୟାସକ୍ତ ସ୍ୱାମୀର କଠୋର ଗୋଇଠାମାଡ଼ ସହିଛି । ଆହା !

 

ଏତିକିରେ ସରିଲା ନାହିଁ । କେତେ ସୁନା ଘର ଚୂନା ହୋଇଛି ଆମରିପାଇଁ । କୁଳର ଏକମାତ୍ର ପ୍ରଦୀପ ପୋଷଣାହାରୀ ପୁଅ, ବାପା ମା’ଙ୍କୁ କନ୍ଦାଇ ସର୍ବସ୍ୱାନ୍ତ କରି ବାଟରେ ବସାଇଛନ୍ତି-। ଆମର ଆଖି ଇଙ୍ଗିତରେ ମାନ ସମ୍ଭ୍ରମରେ ଜଳାଞ୍ଜଳି ଦେଇ କେତେ ବାଟଭୁଲା ଯୁବକ ଚୋରି କରି ଆଜି ହୁଏତ ଆମରିପାଇଁ ଜେଲ ଭୋଗୁଛନ୍ତି । ଭଉଣୀ, ଆମେ କାହାରି ନୋହୁଁ-। ସମାଜ ଆମକୁ ପରିତ୍ୟାଗ କରିଛି, ଅବହେଳା କରିଛି, ଆମେ ପତିତା, ଆମେ ଘୃଣିତା, ଅଛୁଆଁ ।

 

ହସ ମାଡ଼େ, ଯେତେବେଳେ ଭାବୁ, ଆମେ କାହାରି ନୋହୁଁ, ପତିତା, ଘୃଣିତା, ଅଛୁଆଁ ! କାହିଁକି ଜାଣୁ ? ଯେଉଁମାନଙ୍କୁ ନେଇ ସମାଜ ଗଢ଼ା, ଯେଉଁମାନେ ସମାଜର କର୍ଣ୍ଣଧାର, ସେମାନେ କାହିଁକି ଆମରି ଆଡ଼କୁ ଏତେ ଅନାନ୍ତି ? ଘୃଣାରେ ହେବ ପରା ! ହାଃ ହାଃ, ଆମେ ପତିତା ! ସଞ୍ଜ ଅନ୍ଧାର ଘନେଇ ନ ଆସୁଣୁ କେତେ ସମାଜ ନେତା ଆମରି ଦୁଆରେ ଆମରି ଗୋଡ଼ତଳେ ମୁଣ୍ଡ ଲଗାନ୍ତି, ଅଛୁଆଁ ଜୀବର ଆଲିଙ୍ଗନ–ଚୁମ୍ବନ ଆଶାରେ । କେତେ କାକୁତି ମିନତି ତାଙ୍କର ।

 

ମୁହଁରେ ଯାହା କୁହନ୍ତୁ, ଲୋକେ ଭଲକରି ଜାଣନ୍ତି, ଆମେ ସମସ୍ତଙ୍କର, ପତିତା ନୋହୁଁ କି ଅଛୁଆଁ ନୋହୁଁ । ସେମାନଙ୍କର ତୁଣ୍ଡକୁ ନ ପଚାରି ମନକୁ ପଚାର, ସବୁ ସ୍ୱୀକାର କରିବେ । ମଣିଷ କହେ ଯାହା, କରେ ଠିକ୍ ତା’ର ଓଲଟା । ନୋହିଲେ ସେ ମଣିଷ ହେବ କାହିଁକି ?

 

କେତେ ଗେରୁଆ ଲୁଗା ପିନ୍ଧା ବ୍ରହ୍ମଚାରୀ, ଜପାମାଳି, କୋଥଳି କାନ୍ଧରେ ଝୁଲାଇ ରାତିଅଧରେ ଆମରି ଦ୍ୱାରକୁ ଆସନ୍ତି । ଯେଉଁମାନଙ୍କର ପାଦଧୂଳି ମୁଣ୍ଡରେ ମାରି ସମାଜ ନେତାଏ ପବିତ୍ର ହୁଅନ୍ତି, ସେମାନେ ପୁଣି ଆମରି ଗୋଡ଼ର ଧୂଳି ଚିତା ଘେନିବାକୁ ଏତେ ଉଦ୍‌ବିଗ୍ନ । ଆମେ ଯେପରି ଜାଲ୍, ଦୁନିଆର ସମସ୍ତେ ସେମିତି ଜାଲ୍ ।

 

ବାରନାରୀର ଜୀବନରେ ଥରଟିଏ ଭଲ କାମ କରିଥିଲି । ଗୋଟିଏ ସରଳା ଅବଳାର ଆଖି ଲୁହ ମୋର କଠୋର ମନକୁ ତରଳାଇ ଦେଇଥିଲା । ମନ ରାଜ୍ୟରେ ଗୋଟାଏ ମହାବିପ୍ଳବ ସୃଷ୍ଟି ହୋଇଥିଲା । ସେହି ଦିନ ସବୁ ମୋହ ମୋର ତୁଟିଗଲା । ଭୁଲା ଅତୀତକୁ ମନେକରି ସ୍ମୃତିର ଛାଇକୁ ଜୀବନ୍ତ କରି ଗଢ଼ିଲି । ଧନର ଲୋଭ ଛାଡ଼ିଲି ସେହିଦିନରୁ । ସେହି ମୁହୂର୍ତ୍ତରୁ ଭଲ କରି ବୁଝି ପାରିଲି, ଆମଦ୍ୱାରା ଦୁନିଆର କେତେ ଅକଲ୍ୟାଣ ସାଧିତ ହେଉଛି ।

 

ରାତିଅଧ । କ୍ଳାନ୍ତ ଅବଶ ଦେହକୁ ଗୋଟାଏ ପଲଙ୍କ ଉପରେ ଲମ୍ବାଇ ଦେଇ ଅନ୍ୟମନସ୍କ ହୋଇ ଉପରକୁ ଚାହିଁ ରହିଥାଏ । ଆର ଘରେ ବନ୍ଦ ଥିବା ଜଣେ ମାତାଲ ଯୁବକର ଅଟ୍ଟହାସ୍ୟ ଚିତ୍କାର ବେଳେବେଳେ ମୋର କାନରେ ବାଜୁଥାଏ । ତା’ରି କଥା ଭାବୁଥିଲି । ଲୋକଟା ଥିଲା କ’ଣ, ଆଜି ହୋଇଛି କ’ଣ ?

 

ବଡ଼ଲୋକର ପିଲା । ଉଚ୍ଚ ଶିକ୍ଷିତ, ବିବାହିତ, ଗୀତ ଶୁଣିବାକୁ ବନ୍ଧୁ ମେଳରେ ଛଅ ମାସ ତଳେ ପ୍ରଥମେ ତାଙ୍କର ଆଗମନ । ଛଅମାସ ତଳର ଲଜ୍ଜାଶୀଳ, ସାଧୁ, ସଚ୍ଚରିତ୍ର ଯୁବକଟି ଛଅ ମାସ ପରେ ଆଜି ମାତାଲ, ଲମ୍ପଟ, ହତଶ୍ରୀ । ମଣିଷକୁ ମେଣ୍ଢା, ପୁଣି ମେଣ୍ଢାକୁ ବାଘ କରିବାର ଉପାୟ ଆମେ ଜାଣୁ ।

 

ଦେହକୁ ଚାହିଁଲି । ଯେତେ ଯାହା ମୂଲ୍ୟବାନ ଗହଣା ନାଇଥିଲି ବେଶି ଭାଗ ସେହି ଯୁବକର ଦାନ, ହୁଏତ ତା’ର ସ୍ତ୍ରୀର ହୋଇଥିବ । ଯାହାର ହେଉ, ସେଥିରୁ ଆମକୁ ମିଳିବ କ’ଣ ? ସଂସାରଟା ପୋଡ଼ିଜଳି ଛାରଖାର ହେଉ, ଆମର କ’ଣ ଗଲା ? ଆମେ ଚାହୁଁ ଧନ ! ଧନ !

 

ଅଠର ଊଣେଇଶବର୍ଷର ଝିଅଟିଏ ହଠାତ୍‌ ଆସି ମୋ ଆଗରେ ଠିଆ ହେଲା । ସୁନ୍ଦର, ସୁନା ତାର ପରି ଦୁର୍ବଳ ଦେହ ଲତାଟି, ସେତେ କି ଗୋଟିଏ ଚାଉଳରେ ଗଢ଼ା । ପିନ୍ଧିଛି ଖଣ୍ଡେ ସାଧାରଣ ରଙ୍ଗୀନ ମିଲ୍‌ ଶାଢ଼ି । ହାତରେ ଦି’ ଦି’ ପଟି ସୁନାର କାଚ ଛଡ଼ା ଦେହରେ ଆଉ କେଉଁଠି କିଛି ଗହଣା ନାହିଁ । ଏଡ଼େ ସୁନ୍ଦର ଦେବୀ ପ୍ରତିମା ପରି ମୁହଁ କେଜାଣି କାହିଁକି ମଳିନ ଦେଖା ଯାଉଛି । ତାକୁ ଦେଖି ମୁଁ ଉଠି ବସିଲି ।

 

ସେ ପଚାରିଲା, ଶଶୀବାଈ କାହାନ୍ତି ?

 

କହିଲି, କାହିଁକି ? ମୁଁ ନିଜେ ।

 

ତମେ ? ତମେ ଶଶୀବାଈ ?

 

ବିସ୍ମିତ ହୋଇ ଘଡ଼ିଏ ମୋ ମୁହଁକୁ ଚାହିଁ ରହିଲା । ତା’ର ସେ ଚାହାଣିରେ କ୍ରୋଧ, ଘୃଣା, ମିନତି କେତେକଅଣ ଫୁଟି ଉଠୁଥିଲା, ଦେଖି ମୁଁ ଆହୁରି ବିସ୍ମିତ ହେଲି । ଶେଷକୁ ଦୀର୍ଘଶ୍ୱାସ ଛାଡ଼ି କ’ଣ କହିବ କହିବ ହୋଇ କହି ପାରିଲା ନାହିଁ । ଦୁଇ ଆଖି ତା’ର ଲୁହରେ ଭରିଗଲା ।

 

ଆଗ ବଳିପଡ଼ି ମୁଁ ପଚାରିଲି, କଥା କ’ଣ, ତମେ କାନ୍ଦୁଛ କାହିଁକି ? ତମେ କିଏ ?

 

ବାଳିକାଟି ବସି ପଡ଼ି ତଳକୁ ଲମ୍ବିଥିବା ମୋର ଦୁଇ ଗୋଡ଼କୁ ଧରିଲା । କରୁଣ ସ୍ୱରରେ କହିଲା, ସତ କୁହ, ତମେ ମୋର ସ୍ୱାମୀଙ୍କୁ ଭଲ ପାଅ ! ନା, ନା, ଏହା ମୁଁ ବିଶ୍ୱାସ କରି ପାରୁନାହିଁ । ତା’ ହୋଇଥିଲେ ତୁମେ ତାଙ୍କୁ ନରକ ବାଟକୁ ଠେଲି ଦିଅନ୍ତ କାହିଁକି ? ଟିକିଏ ରହି ପୁଣି କହିଲା, ତମେ ତାଙ୍କୁ ଭଲ ପାଅ ନାହିଁ, ଭଲ ପାଅ ତାଙ୍କର ଧନକୁ । ଧନ ସରିଗଲେ, ତାଙ୍କୁ ତମେ ଦ୍ୱାରବନ୍ଧରୁ ତଡ଼ିବ । ଯାହା ଧନ ତାଙ୍କର ଥିଲା, ଯାହା ମୋର ଥିଲା, ସବୁ ଆଜି ଆଣିଛି ତୁମକୁ ଦେବାକୁ ।

 

ଲୁଗା କାନିରେ ବାନ୍ଧିଥିବା ପୁଡ଼ାଟି ଖୋଲି ମୋର ଗୋଡ଼ ତଳେ ଅଜାଡ଼ି ଦେଲା । ବହୁମୂଲ୍ୟର ସୁନା ଗହଣା କେତେଖଣ୍ଡି, କେଇଟି ମୋହର ଓ ଟଙ୍କା ।

 

କହିବାକୁ ଲାଗିଲା, ମୋର ଆଉ କିଏ ଅଛି ଭଉଣୀ ତାଙ୍କ ଛଡ଼ା ? ସେ ଯାହା ହେଉନ୍ତୁ, ସେହି ମୋର ଗତିମୁକ୍ତି, ସେହି ମୋର ଆରାଧ୍ୟ ସର୍ବସ୍ଵ । ମୋର ଧନଦୌଲତ୍ ଯାହା ଥିଲା ସବୁ ଆଣି ଆଜି ତମ ଗୋଡ଼ ତଳେ ସମ୍ପି ଦେଉଛି । ଏତିକି ମାଗୁଛି, ମୋତେ ତାଙ୍କୁ ଫେରାଇ ଦିଅ । କିପରି ସେ ଭଲ ବାଟକୁ ଆସିବେ, ସେଇ ବୁଦ୍ଧି ମୋତେ ଦିଅ ।

 

ବାଳିକାଟି କାହା କଥା କହୁଛି ମୁଁ ଅନୁମାନ କରି ନେଇଥିଲି । ପଚାରିଲି, ସେ କିଏ ?

 

ସେ କିଏ ତୁମେ ଜାଣ, ଭଲ କରି ଜାଣ । ଏଇ, ଯାହାର କଣ୍ଠହାର ତମର ସୁନ୍ଦର ଛାତି ଉପରେ ଦୋହଲୁଛି, ଯାହାର ବାହୁର ଅନନ୍ତ ତମର ବାହୁକୁ ବେଷ୍ଟନ କରିଛି, ସେହି ମୁଁ । ତାଙ୍କର ପ୍ରଳାପ ଆରଘରୁ ମୁଁ ଶୁଣି ପାରୁଛି ।

 

କହିଲି, ତମର ଗହଣା ମୁଁ ଚୋରି କରି ନାହିଁ ।

 

ବଡ଼ବଡ଼ ସୁନ୍ଦର ଆଖି କୋଣରେ ଲୁହ ବିନ୍ଦୁ ଝଲସି ଉଠିଲା । ସେ କହିଲା, ଜାଣେ । ମୋର ଗହଣାପାଇଁ ମୁଁ ତମକୁ ଦୋଷୀ କରିବାକୁ ଆସିନାହିଁ । ବରଂ ମୋର ଯାହା ଥିଲା, ସବୁ ଆଣି ତମରି ଗୋଡ଼ ତଳେ ଅଜାଡ଼ି ଦେଇଛି ।

 

ମୋର ଦୁଇ ଗୋଡ଼ ଧରି ପୁଣି ମୁଣ୍ଡ ଲଗାଇବା ଆଗରୁ ମୁଁ ଗୋଡ଼ ଉପରକୁ ଟାଣି ଆଣିଲି । ସେ କହିବାକୁ ଲାଗିଲା, ତମକୁ ସିନା ଆଜି ଏଇ ମୁଁ ପ୍ରଥମ ଦେଖୁଛି, ତମ ନାମ ମୁଁ ତାଙ୍କ ମୁହଁରୁ ବହୁବାର ଶୁଣିଛି । ବେଳେବେଳେ ସେ ମୋ ଉପରେ ବିରକ୍ତ ହୋଇ କଥା କଥାକେ ତମରି ପ୍ରଶଂସା ବାହୁନନ୍ତି । ତମେ ଗହଣାଗାଣ୍ଠି ଚୋରି କରିନା, କରିଛ ତା’ଠାରୁ ବଡ଼ ଜିନିଷ, ତାଙ୍କର ମନ, ମୋର ସର୍ବସ୍ୱ । ସେଇତକ ମୋତେ ଫେରାଇ ଦିଅ । ନୋହିଲେ.... ।

 

ନୋହିଲେ କ’ଣ ?

 

ନୋହିଲେ, ଏଇଠି ତମରି ଆଗରେ ଜୀବନ ହାରିବି । କହି ହାତରେ ଧରିଥିବା ଗୋଟିଏ ଛୋଟ କାଗଜ ପୁଡ଼ିଆ ଦେଖାଇ କହିଲା, ବିଷ, ଜିଭରେ ଥୋଇଲେ ଆଖି ପିଞ୍ଛଡ଼ାରେ ପ୍ରାଣ ବାହାରି ଯିବ । ପ୍ରତିଜ୍ଞା କରି ଆସିଛି...ତା’ର ଆଖି ଉଜ୍ଜ୍ୱଳ ଦିଶିଲା ।

 

ବିଷ ନାମ ଶୁଣି ଭୟରେ ମୋର ଦେହ ଶୀତେଇ ଉଠିଲା । କେତେ ଯୁବକ ତ ଆସି ଗୋଡ଼ ତଳେ ମୁଣ୍ଡ ଲଗାନ୍ତି ଭଉଣୀ, କିନ୍ତୁ ସ୍ୱର୍ଗର ଅପ୍‌ସରା ପରି ଯୁବତୀ କୁଳବଧୂ କେବେ କାହିଁ ବେଶ୍ୟାର ଗୋଡ଼ତଳେ ମୁଣ୍ଡ ଲଗାଇବା ମୁଁ ଶୁଣି ନଥିଲି । ବାଳିକାଟିର ପ୍ରାର୍ଥନାକୁ ମୁଁ ଆଦେଶ ବୋଲି ଗ୍ରହଣ କଲି । ତଥାପି କହିଲି, ତମର ସ୍ୱାମୀଙ୍କୁ ସତ୍‌ପଥକୁ ଆଣିବା ତମର କର୍ତ୍ତବ୍ୟ, ମୋର ନୁହେଁ ।

 

ହସିବାକୁ ଚେଷ୍ଟାକଲି ।

 

ସେ କହିଲା, ମୋର କର୍ତ୍ତବ୍ୟ ମୁଁ ବୁଝିଛି । ଚେଷ୍ଟା କରି ମୁଁ ପାରି ନାହିଁ । ଜାଣେ, ତମ ଛଡ଼ା ସଂସାରରେ ଆଉ କେହି ପାରିବେ ନାହିଁ । ସେଇଥିପାଇଁ ଧାଇଁ ଆସିଛି । ମୋତେ ବତାଇ ଦିଅ, କ’ଣ କଲେ ପୁଣି ତାଙ୍କୁ ଫେରି ପାଇବି ।

 

ଅବାକ୍‌ ହୋଇ ରହିଲି ଘଡ଼ିଏ ଯାଏଁ । ବାଳିକାର ହାତ ଧରି ତଳୁ ଉଠାଇ ପାଖରେ ବସାଇଲି । ସେ ବାଧା ଦେଲା ନାହିଁ । ଅତି ଆଦର କରି ଏକା ପେଟର ସାନ ଭଉଣୀ ପରି ମୋ ଶାଢ଼ି କାନିରେ ତା’ର ଆଖି ଲୁହ ପୋଛି ଦେଲି । ଆଗ୍ରହରେ ତା’ର ଓଠ ଧରି କହିଲି, ଏତେ ରୂପ, ଏତେ ବୁଦ୍ଧି, ତଥାପି ତୁ ତୋର ସ୍ୱାମୀ ଦେବତାର ମନ ନେଇ ପାରିଲୁ ନାହିଁ ? ନିଶ୍ଚୟ କିଛି ଭୁଲ କରିଛୁ । ମନ ଖୋଲି ମୋତେ କହି ପାରିବୁ ?

 

କହିବି ନାହିଁ କାହିଁକି ? ଯେଉଁ ସ୍ୱାମୀ ମୋତେ ଏତେ ଭଲ ପାଉଥିଲେ, ଦଣ୍ଡେ ନ ଦେଖିଲେ ବଣା ହେଉଥିଲେ, ସେଇ ପୁଣି ଏମିତି ବଦଳି ଯାଆନ୍ତେ ବିନା କାରଣରେ ? ମୁଁ ଭୁଲ୍‌ କରିଥିଲି, ଅଜାଣତରେ ସେମିତି ଭୁଲ୍‌ ତ ସମସ୍ତେ ଅଳ୍ପ ବହୁତେ କରନ୍ତି । ଯେ ଧରାପଡ଼େ, ସେ ହୁଏ ଦୋଷୀ, ଯେ ନିର୍ବିଘ୍ନରେ ଖସିଯାଏ, ସେ ନିର୍ମଳ, ନିଷ୍କଳଙ୍କ ।

 

କହିଲା, ପିଲାଦିନର କଥା । ପୁରୀରେ ବାପା ଚାକିରି କରୁଥାନ୍ତି । ଆମ ବସାକୁ ଲାଗି ରମେଶବାବୁଙ୍କ ଘର । ମୋତେ ସେ ଭଲ ପାଆନ୍ତି । ଆସନ୍ତି ଆମ ଘରକୁ । ଅବାଧରେ ମିଳାମିଶା, ହସ ଖେଳ । ପରସ୍ପର ପରସ୍ପରଙ୍କୁ ଭଲପାଉ । ମୋର ବୟସ ହେଲା । ତଥାପି ଆମର ବେଶ୍‌ ସ୍ୱାଧୀନତା ଥାଏ । ସେ କଟକ କଲେଜରେ ପାଠ ପଢ଼ିଲାବେଳେ ମୋର ବାହାଘର ହେଲା, ସେ ଜାଣନ୍ତି ନାହିଁ ।

 

ବାହାଘର ପରେ ତାଙ୍କୁ ମୁଁ ଭୁଲିଗଲି । ସୁଖରେ ସଂସାର କଲି । ଠିକ୍‌ ଦେଢ଼ବର୍ଷ ପରେ ଖଣ୍ଡେ ଚିଠି ପାଇଲି ରମେଶବାବୁଙ୍କଠାରୁ । ଲେଖାଥିଲା କେତେକଅଣ–କେବେ ଆମ ବଗିଚାରେ ଦୁହେଁ ଦୁହିଁଙ୍କୁ ଦେଖି ମୁଗ୍ଧ ହୋଇଥିଲୁ, କେବେ ରୁପେଲି ସଞ୍ଜରେ ଘର ପଛ ବଉଳ ଚଉତରା ଉପରେ ପରସ୍ପରକୁ ଆଲିଙ୍ଗନ କରିଥିଲୁ....

 

ଭଉଣୀ, ପିଲାଦିନର ଏଇସବୁ ମୋହ, ଉତ୍ତେଜନା କାହାର ନଥାଏ ? ଏମିତି ଛୋଟ ଛୋଟ ଭୁଲ୍‌ କେତେ କିଏ ନ କରେ ? ମୁଣ୍ଡକୁ ଦାୟିତ୍ୱର ବୋଝ ଆସିଲେ, ପିଲାଖେଳ ପରି ମଣିଷ ସବୁ ଭୁଲିଯାଏ । ସୁଖରେ ସଂସାର କରେ ।

 

ଚିଠିଖଣ୍ଡି ପଢ଼ିସାରି ଯଦି ମୁଁ ଚିରି ଦେଇଥାନ୍ତି, ସବୁ ନାଟ ଛିଣ୍ଡି ଯାଇଥାନ୍ତା । କ’ଣ ଗୋଟାଏ ଜରୁରି କାମରେ ଆରଘରକୁ ଗଲି । ଚିଠି ଖଣ୍ଡିକ ତକିଆ ତଳେ ରଖି ଯାଇଥିଲି । ତାଙ୍କ ହାବୁଡ଼େ ପଡ଼ିଲା ।

 

ତାଙ୍କର ଗୋଡ଼ଧରି ମୁଁ ସବୁ ଦୋଷ ମାଗି ନେଲି । ସେ ମୋତେ ଗୋଡ଼ରେ ଠେଲି ଦେଲେ । ଖାଲି ଏତିକି କହିଲେ, ଦାଣ୍ଡର ବେଶ୍ୟା ଆଉ ତମ ଭିତରେ ତଫାତ୍‌ କିଛି ନାହିଁ । ସେହି ଦିନରୁ ମୋର ଦୁର୍ଦ୍ଦଶା ଆରମ୍ଭ । କହୁ କହୁ ସେ ପୁଣି କାନ୍ଦିପକାଇଲା । ତା’ର ଖୋଲା ମନ, ସହଜ ବିଶ୍ୱାସ, ସରଳ ପ୍ରକୃତି ଦେଖି ମୋର ମନରେ ଦୁଃଖ ଆସିଲା । ଏପରି ଲକ୍ଷ୍ମୀ ସ୍ତ୍ରୀକୁ ଗୋଡ଼ରେ ଠେଲି ଯେଉଁ ଚାଣ୍ଡାଳ ବେଶ୍ୟା ଘରେ ଆଶ୍ରା ଲୋଡ଼େ, ତା’ ପରି ମୂର୍ଖ, ହତଭାଗ୍ୟ ଆଉ କିଏ ଅଛି-? ମୁହଁରେ ସ୍ୱୀକାର ନ କଲେବି ଲୋକେ ନିଜ ମନକୁ ପଚାରିଲେ ବୁଝି ପାରିବେ, ନୂଆ ଯୌବନର ମନମତାଣିଆ ଚୋରା ମଳୟ ଯେତେବେଳେ ଦେହରେ ଲାଗେ, ମନପ୍ରାଣ ଯେତେବେଳେ ପୁଲକି ଉଠେ, ଏମିତି ଭୁଲ ପ୍ରାୟ ସମସ୍ତେ କରିଥାନ୍ତି । ସବୁ ଭୁଲ ପୁଣି ସୁଧାରି ହୁଏ । ଗତକଥା ପିଠିରେ ପକାଇ ଆଗକୁ ଚାଲିବାକୁ ହୁଏ ।

 

କହିଲି, ଦେଖ, ତମର ସ୍ୱାମୀକୁ ମୁଁ ଭଲ ବାଟକୁ ଆଣି ପାରିବି; କିନ୍ତୁ ଟିକିଏ ସମୟ ଲାଗିବ । ତା’ ପୂର୍ବରୁ ତମକୁ ମୁଁ ଯାହା ମାଗିବି ତମେ ଦେଇ ପାରିବ ? ଯାହା ଦେବି, ତମେ ନେଇ ପାରିବ ?

 

ମୋର ପଥର ଛାତିଟା ତରଳି ଯାଇଥିଲା ତା’ରି ଦୁଃଖରେ ।

 

ଉତ୍ତର ଦେଲା, ପାରିବି ।

 

ତମେ ହାତରେ ଯେଉଁ ବିଷପୁଡ଼ିଆ ଧରିଛ ମୋତେ ଦିଅ ।

 

ବିନା ଆପତ୍ତିରେ ସେ ତାକୁ ମୋ ହାତକୁ ବଢ଼ାଇ ଦେଲା । ଅତି ଯତ୍ନକରି ତାକୁ କାନିରେ ଗଣ୍ଠି ପକାଇ ବାନ୍ଧିଲି । ଦେହରେ ନାଇଥିବା ଗହଣା ଖଣ୍ଡି ଖଣ୍ଡି କରି ଉତାରି ଖଟ ଉପରେ ରଖିଲି । କହିଲି, ଏସବୁ ଗହଣା ତମର । ସେ ତମ ଦେହରୁ ଚୋରି କରି ଆଣି ମତେ ଦେଇଛନ୍ତି । ଲୁହଭରା ଆଖିରେ କଣେଇ ଚାହିଁଲା ଗହଣାଗୁଡ଼ିକୁ । କହିଲି, ଏସବୁ ତମର । ତମେ ନିଅ ।

 

ସେ ମୋ ପାଖରୁ ଘୁଞ୍ଚି ବସିଲା । ଭ୍ରୂଲତା ଟେକି କହିଲା, ନା, ମୁଁ ଏସବୁ ନେବି ନାହିଁ । ସେ ତୁମକୁ ଦେଇଛନ୍ତି । ସବୁ ତମର ।

 

ତା’ର ହାତ ଧରି କହିଲି, ତମେ ତମର ସ୍ୱାମୀଙ୍କୁ ଫେରି ପାଇବ । ତମର ସବୁ ଦୋଷ, ସବୁ ଭୁଲ, ସେ କ୍ଷମା କରି ପୁଣି ତମକୁ କୋଳକୁ ନେବେ । ଏ ଦାୟିତ୍ୱ ମୋ ଉପରେ ରହିଲା; କିନ୍ତୁ ମୋ ମନରେ କଷ୍ଟ ଦେଇ ଭଲ କରୁନା ଭଉଣୀ । ପ୍ରଥମ ସାକ୍ଷାତରେ ତମକୁ ମୁଁ ଭଲ ପାଇଛି, ଠିକ୍‌ ମୋର ସାନ ଭଉଣୀଟି ପରି । ତମରି ଦୁଃଖ ସତେ ଯେପରି ମୋରି ଦୁଃଖ ପରି ଛାତି ଭିତରେ ଅନୁତାପର ନିଆଁ ଜାଳି ଦେଇଛି । ତମେ ଯଦି ଗହଣାତକ ଗ୍ରହଣ ନ କର ମୋ ମନରେ କଷ୍ଟ ହେବ । ନା, ମୁଁ କୌଣସି ଆପତ୍ତି ଶୁଣିବି ନାହିଁ ।

 

ନିଜ ହାତରେ ଗହଣାତକ ପିନ୍ଧାଇ ଦେଲି । କେତେ ବୋଧଶୋଧ କରି ତାକୁ ବିଦାୟ ଦେଲି । ମୋର କଥାରେ ବିଶ୍ୱାସ କରି, ମୋର ବ୍ୟବହାରରେ ସନ୍ତୁଷ୍ଟ ହୋଇ ମନରେ ଆଶା ପୋଷି ସେ ସିନା ଚାଲିଗଲା, ମୁଁ ମୋର ଶୋଇଲା ଘରକୁ ଫେରିଆସି ରାତିସାରା ଭାବି ଭାବି କଟାଇଲି । ଆହା, ଗୋଟାଏ ଅଲୋଡ଼ା ଅଖୋଜା ଜୀବନକୁ ବଞ୍ଚାଇ ରଖିବାପାଇଁ ଆମେ ଏହିପରି କେତେ କେତେ ନିଷ୍କଳଙ୍କ, ସରଳ, ନିରୀହ ଜୀବନକୁ ଜାଳିପୋଡ଼ି ହା–ହୁତାଶମୟ କରି ପକାଇଛୁ । ଏହାହିଁ କ’ଣ ସମାଜ ଉପରେ ପ୍ରତିଶୋଧ ? ଏପରି ପ୍ରତିଶୋଧ ନେବା ପରିବର୍ତ୍ତେ ବରଂ ଗଙ୍ଗାମନ୍ଦିର ପୋଖରୀରେ ଆତ୍ମହତ୍ୟା କରିବା ଉଚିତ ଥିଲା ।

 

ଆଖି ଲୁହରେ ବିଛଣା ତିନ୍ତିଲା ଭଉଣୀ, ରାତି ପାହିଲା ଅନିଦ୍ରାରେ । ସେହି ଲୋକକୁ ଭଲ ବାଟକୁ ଆଣିବାକୁ ପ୍ରାଣପଣେ ଚେଷ୍ଟା କଲି । ପାରିଲି, କିନ୍ତୁ ମୋତେ ପୂରା ବର୍ଷଟିଏ ଲାଗିଲା-। ଏହାହିଁ ଯେପରି ହେଲା ମୋର ଅବଶିଷ୍ଟ ବେଶ୍ୟା ଜୀବନର ଏକମାତ୍ର କାମ ।

ଝୁଲଣ ରାତି । ହଠାତ୍‌ ଗୋପାଳଜୀଉ ମନ୍ଦିରରେ ତା’ ସଙ୍ଗେ ଦେଖାହେଲା । ପ୍ରଥମେ ଚିହ୍ନି ପାରିଲି ନାହିଁ । ଶେଷକୁ ଚିହ୍ନି ପଚାରିଲି, ସବୁ ଭଳ ତ ରମା ?

ସେ ଚିହ୍ନିଲା । ସାମାନ୍ୟ ହସି କହିଲା, ହଁ, ତମରି ଦୟାରୁ । ରହିରହି କହିଲା, ତମର ଏ ମାତାଜୀ ବେଶ କାହିଁକି ଶଶୀବାଈ ?

ସ୍ନେହରେ ତା’ର ଗାଲରେ ଟିପ ଛୁଇଁ କହିଲି, ତମରିପାଇଁ ପରା ! ହସି ହସି ପଚାରିଲି, ତମ, ରମାକାନ୍ତ କାହାନ୍ତିଗୋ । ଛାଡ଼ି ରହିଛ, ପୁଣି କେତେବେଳେ କେଉଁ କଥାଟି ?

ରମା କହିଲା, ସେ ବି ତ ତମରି ପରି ଭକ୍ତ ପାଲଟି ଗଲେଣି–ଦେଖୁନ । ଅଙ୍ଗୁଳି ଦେଖାଇଲା । ରମାକାନ୍ତ ଗରୁଡ଼ ସ୍ତମ୍ଭ ପଛଆଡ଼େ ଯୋଡ଼ହସ୍ତ ହୋଇ ଠିଆ ହୋଇଛନ୍ତି ।

କହିଲି, ହଁ ତ, ପୂରା ବାବାଜି । ତେବେ ଇୟେ କ’ଣ ରମା ? ପେଟରେ ହାତ ମାରିଲି ପରିହାସରେ । ଲାଜରେ ସେ ମୁଣ୍ଡ ନୋଇଁଲା ।

ରମା ସଙ୍ଗେ ଦେଖା ହେଲା ଦିନୁ ମୋର ଜୀବନ ଉପରେ ଘୃଣା ଆସିଲା । ଯାହାଥିଲା ସବୁ ବିକ୍ରି କରି ମୋହର କିଣି ପାଖରେ ରଖିଲି । ଦୁଃଖେ କଷ୍ଟେ, କୌଣସିମତେ ଜୀବନଟା କଟିଯାଏ ।

 

ଦିନେ ଭାବିଲି, ପ୍ରତିଶୋଧ ନେବା ମୋର ପ୍ରଧାନ କର୍ତ୍ତବ୍ୟ କିନ୍ତୁ ପ୍ରତିଶୋଧ ନେବି କାହା ଉପରେ ? ମୋର ବିପଥଗମନ ପାଇଁ ଦାୟୀ କିଏ ? ଦାୟୀ ଯେ ସେହି ଓକିଲବାବୁ, ଯାହାଙ୍କ ଘରେ ଝିଅ ପରି ଆଶ୍ରା ନେଇଥିଲି, ପୁଣି ତଡ଼ା ଖାଇଲି ଦୁଶ୍ଚରିତ୍ରା ବୋଲି । ସେ ଯେଉଁଠିକି ଯା–ଆସ କରନ୍ତି ମୋତେ ଜଣାଥିଲା । ମୋ ଥିବା ଘରକୁ ଚାରି ପାଞ୍ଚଟା ଘର ଛାଡ଼ି ସ୍ୱର୍ଣ୍ଣଲତାର ଘର । ରୂପର ପ୍ରଶଂସା ଥିଲା ଯେତିକି, ଗାନା ବାଜଣାରେ ନାମ ମଧ୍ୟ ଥିଲା ସେତିକି । ତା’ରି ଘରେ ମୁଁ ଓକିଲବାବୁଙ୍କୁ ଅନେକ ଥର ଦେଖିଛି । ସେ ମଧ୍ୟ ମୋତେ ଦେଖିଛନ୍ତି । ଚିହ୍ନି ପାରି ନାହାନ୍ତି । ଯଥାସମ୍ଭବ ମୁଁ ବି ତାଙ୍କୁ କରଛଡ଼ା ଦେଇ ରହେ ।

 

ମନରେ ସଇତାନି ବୁଦ୍ଧି ଖେଳିଲା । ନିଜ ଭାବନାରେ ନିଜେ ଚମକି ଉଠିଲି । କେତେଦିନ କେତେ ରାତି ମୁଁ ସେହି କଥା ଭାବିଛି । ଯେତିକି ଭାବେ, ଛାତି ଭିତରେ ନିଆଁ ସେତିକି ଜଳି ଉଠେ । ପ୍ରତିହିଂସା ନେବାର ଇଚ୍ଛା ସେତିକି ବଳବତୀ ହୁଏ ।

 

ଦିନେ ରାତିଅଧରେ ରମାକାନ୍ତଙ୍କ ଘରେ ପହଞ୍ଚିଲି । ମୋତେ ଦେଖି ସେ ଚିହ୍ନିଲେ । କେତେ ଆଦର ଅଭ୍ୟର୍ଥନା କରି ଯିବାର କାରଣ ପଚାରିଲେ । ତାଙ୍କଠାରେ ତ ମୋର କାମ ନଥିଲା, କହିଲି, ରମାକୁ ଦେଖିବାକୁ ଆସିଛି ।

 

ଦେଖା ହେଲା । ନିର୍ଜନରେ ଦୁଇଜଣ କେତେ ଦୁଃଖସୁଖ ହେଲୁ । ସେଦିନ ମୋର ଅତୀତ ଜୀବନର ଇତିହାସ ମୁଁ ତା’ରି ଆଗରେ ବର୍ଣ୍ଣନା କଲି । ଯେତେ ପଚାରିଲେବି ତାକୁ ଓକିଲବାବୁଙ୍କ ନାଁ କହିଲି ନାହିଁ ।

 

ସୁଟ୍‌କେସଟି ଖୋଲି କହିଲି, ଏଇ ସୁନା ମୋହରତକ ତମରି ଜିମା ରହିଲା । ତୀର୍ଥରୁ ଫେରି ଆସିଲେ ନିଜେ ଆସି ନେଇଯିବି । ରମା ଆପତ୍ତି କଲା ନାହିଁ ।

 

ମୁଁ ନିଶ୍ଚିନ୍ତ ହୋଇ ଫେରିଲି । ତିନି ଚାରିଦିନ କାଳ ସ୍ୱର୍ଣ୍ଣଲତା ଘରେ ରହି ଅନବରତ ସୁବିଧା ଖୋଜୁଥିଲି । ଖରାଦିନ ରାତି । କ୍ଳାନ୍ତ ହୋଇ ଓକିଲବାବୁ ସ୍ୱର୍ଣ୍ଣଲତା ଘରେ ପହଞ୍ଚିଲେ । ଆମେ ସବୁ ଦୋତାଲାର ଛାତ ଉପରେ ବସି ଗପ କରୁଥିଲୁ । ବାବୁଙ୍କୁ ଦେଖି ସମସ୍ତେ ଉଠି ଠିଆ ହେଲୁ । ମୋତେ ଓ ସ୍ୱର୍ଣ୍ଣକୁ ଛାଡ଼ି ଅନ୍ୟମାନେ ତଳକୁ ଓହ୍ଲାଇ ଗଲେ । ମୁଁ ଆଗ ବଳିପଡ଼ି ମଲ୍ଲୀଫୁଲ ଖଞ୍ଜା ପଙ୍ଖାଟି ଧରି ବାବୁଙ୍କୁ ବିଞ୍ଚିଲି ।

 

ଏତେଦିନ ପରେ ମୋତେ ସେ କଥା କହିଲେ । ପଚାରିଲେ, ତମକୁ କେଉଁଠି ଦେଖିଲାପରି ମନେ ହେଉଛି ?

 

କହିଲି, ଏଇଠିତ, ଆଉ କେଉଁଠି ?

 

ସେ ଯେ ସନ୍ଦେହ କଲେ ତାଙ୍କ ମୁହଁକୁ ଅନାଇଁ ମୁଁ ବେଶ୍‌ ବୁଝି ପାରିଥିଲି । କଥାକୁ ଅନ୍ୟ ଆଡ଼କୁ ଟାଣି ନେବାକୁ କହିଲେ, ଗିଲାସେ ପାଣି ମଗାନ୍ତ ।

 

ଅତି ଆଗ୍ରହରେ ମୁଁ ଉଠି ଠିଆହେଲି । ପଚାରିଲି, ପାଣି ?

 

ନା, ନା, ଆଉ କିଛି ନୁହେଁ । ଗିଲାସେ ଥଣ୍ଡାପାଣି ।

 

ମୁଁ ତଳକୁ ଆସିଲି । ପରିଷ୍କାର କାଚ ଗିଲାସରେ ପାଣି ନେଇ ଉପରକୁ ଗଲି । ଅବଶ୍ୟ ପାଞ୍ଚଦଶ ମିନିଟ୍‌ ଡେରି ହୋଇଥିଲା । ଉପରକୁ ଆସି ଦେଖିଲି, ଉଭୟେ ଭାରି ହସୁଛନ୍ତି । ମୋତେ ଦେଖି ହସର ଲହର ଥମିଗଲା । ସ୍ୱର୍ଣ୍ଣ କହିଲା, ଏଇ ଆସିଲାଣି ତ । ଏତେ ଡେରି କଲୁ ଯେ !

 

କହିଲି, ଗିଲାସଟା ଭଲକରି ଧୋଉଥିଲି ପରା । କଥାଗୁଡ଼ାକ ଯେପରି ମୋର ତଣ୍ଟିରେ ଅଟକି ଯାଉଥାଏ । ଧୈର୍ଯ୍ୟଧରି ଥରିଲା ହାତରେ ତାଙ୍କ ଆଡ଼କୁ ବଢ଼ାଇ ଦେଲି । ବାବୁ ମୋ ହାତରୁ ଗିଲାସ ନେଇ କରୁଣାର୍ଦ୍ର ଆଖିରେ ମୋତେ ଚାହିଁଲେ ।

 

ସ୍ୱର୍ଣ୍ଣ କହିଲା, ମୋପାଇଁ ଗିଲାସେ ପାଣି ଆଣିଲୁ ?

 

କହିଲି, ଯାଉଛି ।

 

ଓକିଲବାବୁ କହିଲେ, ତମେ ପାଣି ପିଅ । ସେ ଆଉ ପାଣି ଆଣିଲେ ମୁଁ ପିଇବି । ମୁଁ ଅବିଚଳିତ ହୋଇ ହସି କହିଲି, ନାଇଁ, ଆପଣ ପିଅନ୍ତୁ । ମୁଁ ତାଙ୍କୁ ଆଉ ପାଣି ଦେଉଛି । ଉତ୍ତରକୁ ଅପେକ୍ଷା ନ କରି ଛୁଟି ଆସିଲି ତଳକୁ । ଭୟରେ ଦେହ ବରଡ଼ା ପତ୍ର ପରି ଥରୁଥାଏ । ପୁଣି ଗିଲାସେ ପାଣି ନେଇ ଉପରକୁ ଆସିଲି । ଦେଖିଲି, ଆର ଗିଲାସଟି ସ୍ୱର୍ଣ୍ଣ ମୁହଁରେ ଲଗାଇଛି । ମୋତେ ଦଶଦିଗ ଅନ୍ଧାର ଦିଶିଲା । ଦଇବ ଯାହାକୁ ସାହା ମଣିଷ ତା’ର କରିବ କ’ଣ ? ଯୋଗ କଢ଼ାଉଛି । କାହାକୁ କିଛି ନ କହି ସ୍ୱର୍ଣ୍ଣ ହାତରୁ ଗିଲାସଟା ଟାଣି ଆଣିଲି । ସେତେବେଳକୁ ସ୍ୱର୍ଣ୍ଣ ଅଧେ ପାଣି ପିଇ ସାରିଥିଲା । ବହୁ କଷ୍ଟରେ ସ୍ୱର୍ଣ୍ଣ ବଞ୍ଚିଲା ସିନା, ତାକୁ ମାରିବାକୁ ଚେଷ୍ଟା କରିବା ଅପରାଧରେ ମୁଁ ହେଲି ବନ୍ଦୀ । ବିଚାରରେ ମୋର ଛଅବର୍ଷ ସଶ୍ରମ ଜେଲ ହେଲା ।

 

ଜେଲରୁ ଖଲାସ ହୋଇ ଆଉ ବେଶ୍ୟା ମହଲକୁ ଫେରି ନାହିଁ । କେତେଦିନ ଏଠିସେଠି ବୁଲି ଶେଷକୁ ରମା ଘରେ ପହଞ୍ଚିଲି । ସେ ଚିହ୍ନିଲା । ମୋର ଜେଲ ଯିବାକଥା ସେ ଆଗରୁ ଜାଣିଥିଲା, ତଥାପି ଘୃଣା କଲା ନାହିଁ ।

 

କେତେ ସୁଖ ଦୁଃଖ କେତେ ହାସପରିହାସ । ତା’ର ସୁନ୍ଦର ପିଲାଗୁଡ଼ିଙ୍କୁ ଦେଖି ମୋର ପିଲା କଥା ମନେ ପଡ଼ିଲା । ବିଦାୟ ନେବା ଆଗରୁ ରମା ମୋର ସୁଟ୍‍କେଶଟି ଫେରାଇ ଦେଲା ।

 

ଯାହା ମୋର ଥିଲା, ଯାହା ମୋର ଅଛି, ଇଚ୍ଛା କରିଥିଲେ ଅବଶିଷ୍ଟ ଜୀବନ ସୁଖରେ କଟାଇ ପାରିଥାନ୍ତି । କିନ୍ତୁ ସେପରି ଇଚ୍ଛା ମୋର ହେଲା ନାହିଁ । ସ୍ୱାମୀ ପୁତ୍ରକୁ ଦେଖିବାକୁ ମନ ବ୍ୟାକୁଳ ହେଲା ।

 

ମୋର ଏହି ଅଶାନ୍ତ ବାରବୁଲା ଜୀବନରେ ପୂର୍ଣ୍ଣଚ୍ଛେଦ ଦେବାକୁ ଚାହେଁ । ସ୍ୱାମୀ ? ସେ ଆଜି ନାହାନ୍ତି । ପୁଅ ? ତା’ର ଅବସ୍ଥା ତ ଜାଣୁ । ଦେଖା ହୋଇ ମଧ୍ୟ ଦେଖା ହେଲା ନାହିଁ । ଚିହ୍ନି ମଧ୍ୟ ଚିହ୍ନି ପାରିଲି ନାହିଁ । ତା’ରି ଉଦ୍ଦେଶ୍ୟରେ ଆଜି ବାହାରିଛି । ଦେଖିବି, ଖାଲି ଥରେ ଆଖି ପୂରାଇ ଦେଖିବି । ସୁନା ମୋହରତକ ତଳେ ଅଜାଡ଼ି ଶଶୀ କହିଲା, ଏତିକି ମୋର ସର୍ବସ୍ୱ, ଏତିକି ମୋର ସମ୍ବଳ । ରଖିଥା । ଗୋଟାଏ ଖିଆଲରେ ପିଲାଟି ଘର ଛାଡ଼ି ଚାଲି ଯାଇଛି । ଜନ୍ମ ମାଟିର ମମତାଟିକ ସେ ଭୁଲି ପାରିବ ନାହିଁ । ଦିନେହେଲେ ଫେରି ଆସିବ । ସେ ଯେପରି ମଣିଷ ହୋଇ ଦାଣ୍ଡରେ ଚାଲେ, ଅଭାବରେ ପଡ଼ି ହତାଶ ନହୁଏ, ସେହି ଦାୟିତ୍ୱ ତୋର ରହିଲା । ହୁଏତ ଜୀବନରେ ଆଉ ଦେଖା ହେବ ନାହିଁ ଭଉଣୀ–ମଣିଷ ଜୀବନ ପାଣିଫୋଟକା ।

 

ଶଶୀର ଆଖିରୁ ଲୁହ ଝରିଲା । କହିଲା, ବୃନ୍ଦାବନ ଆସିବା ଯାଏଁ ମୁଁ ଅପେକ୍ଷା କରି ପାରିବି ନାହିଁ । ମୋର ଅତୀତ ଜୀବନର ଇତିହାସ ଶୁଣିଲେ ସେ ଧୈର୍ଯ୍ୟ ଧରି ରହି ପାରିବେ ନାହିଁ-

 

ଯାଉଛି ସରସୀ, ମୋତେ ବିଦାୟ ଦେ । ଦଣ୍ଡକର ଦେଖା, ମନେଥିବ ବଞ୍ଚିଥିବା ଯାଏଁ ।

 

ସରସୀ ତା’ର ହାତ ଧରି ସାଶ୍ରୁ ନୟନରେ କହିଲା, ଦାୟିତ୍ୱର ଯେଉଁ ବୋଝଟି ମୋ ମୁଣ୍ଡରେ ଲଦି ଦେଇ ଯାଉଛ, କିପରି ତାହା ବହନ କରିବି ଜାଣେନା ।

 

X X X

 

ସାବ ଡାକିଲା, ନୂଆବୋହୂ, ଛାଇ ନେଉଟିଲା, ତୋରାଣି ପିଇବ ନାହିଁ ? ଯାଉଛି ।

 

ବେହେରା କେତେବେଳୁ ଗାଡ଼ି ନେଇ ଆସି ପିଣ୍ଡାରେ ବସିଛି, ଡାକୁଛି ପରା !

 

ଶଶୀ କବାଟ ଖୋଲିଲା । ସରସୀ ତା’ର ଗୋଡ଼ତଳେ ମୁଣ୍ଡ ଲଗାଇ ପ୍ରଣାମ କଲା । ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ୁଥାଏ ।

Image